ETV Bharat / state

ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲେ ସ୍ବାମୀ: ତାତିଲେ ମହିଳା, ଭାଙ୍ଗିଲେ ଦୋକାନ

ବାରମ୍ବାର ବାରମ୍ବାର ତାଗିଦ୍ ପରେ ମଧ୍ୟ ବନ୍ଦ ହେଲାନି ମଦ ବ୍ୟବସାୟ । ତାତିଲେ ମହୁଲିଆ ଗାଁର ମହିଳା ଭାଙ୍ଗିଲେ ଦେଶୀ ମଦ ଦୋକାନ ।

WOMEN BREAK ILLEGAL ALCOHOL SHOP
ତାତିଲେ ମହିଳା ଭାଙ୍ଗିଲେ ଦେଶୀ ମଦ ଦୋକାନ (ETV Bharat Odisha)
author img

By ETV Bharat Odisha Team

Published : February 22, 2026 at 12:36 PM IST

2 Min Read
Choose ETV Bharat

କେନ୍ଦ୍ରାପଡ଼ା: ତାତିଲେ ମହିଳା ଭାଙ୍ଗିଲେ ଦେଶୀ ମଦ ଦୋକାନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ଦେଶୀ ମଦ କାରବାର । ଯାହାକୁ ପିଇ ଲୋକଙ୍କ ସ୍ବାସ୍ଥ୍ୟ ସହ ଉଜୁଡ଼ିଛି ପରିବାର । ବାରମ୍ବାର ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ୍ଦ ହେଲାନି ଦେଶୀ ମଦ ବ୍ୟବସାୟ । ଶେଷରେ ରାଜକନିକା ଥାନା ଅନ୍ତର୍ଗତ ମହୁଲିଆ ଗାଁର ମହିଳାମାନେ ଏକାଠି ହୋଇ ବେଆଇନ ଦେଶୀ ମଦ ଦୋକାନକୁ ଭାଙ୍ଗିବା ସହ ଗାଁରେ ମଦ ନ ବିକ୍ରି କରିବା ପାଇଁ ଦେଲେ ଚେତବନୀ ।

ତାତିଲେ ମହିଳା ଭାଙ୍ଗିଲେ ଦେଶୀ ମଦ ଦୋକାନ (ETV Bharat Odisha)

ଦେଶୀ ମଦ ଦୋକାନ ଭାଙ୍ଗିଲେ ମହିଳା:

ଗତ କଛି ଦିନ ହେଲା ମହୁଲିଆ ଗାଁର ସିଂହପୁର-ଜୟନଗର ରାସ୍ତାରେ ଗଞ୍ଜା ଗାଁର ଜଣେ ବ୍ୟକ୍ତି ମିନାକ୍ଷୀ ଭୂୟାଁଙ୍କ ଠାରୁ ମାଂସ ଦୋକାନ କରିବା ପାଇଁ ଗୋଟିଏ ଘର ଭଡ଼ାରେ ନେଇଥିଲେ । ହେଲେ ସେହି ବ୍ୟକ୍ତି ଜଣକ ସେଠାରେ ଚୋରା ମଦ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାକୁ ପିଇ ଗାଁର କିଛି ଲୋକ ଘରେ ଅଶାନ୍ତି ସୃଷ୍ଟି କରୁଥିଲେ । ଏହାପରେ ଗାଁର ମହିଳାମାନେ ଏକାଠି ହୋଇ ସେଠାରେ ମଦ ବିକ୍ରି ନ କରିବାକୁ ବାରମ୍ବାର ବାରମ୍ବାର ତାଗିଦ୍ କରିଥିଲେ । ହେଲେ ଉକ୍ତ ବ୍ୟକ୍ତି ଜଣକ ସେମାନଙ୍କ କଥାକୁ ବେଖାତିର କରି ଚୋରା ମଦ ବ୍ୟବସାୟ ଜାରି ରଖିଥିଲା । ଶେଷରେ ଗତ ବୁଧବାର ରାତିରେ ମହୁଲିଆ ଗାଁର ଶହ ଶହ ମହିଳା ଉତକ୍ଷିପ୍ତ ହୋଇ ଉକ୍ତ ଦେଶୀ ମଦ ଦୋକାନକୁ ଭାଙ୍ଗିବା ସହ ମଦ ବିକ୍ରି ନ କରିବା ପାଇଁ ଚେତାବନୀ ଦେଇଥିଲେ ।

EXCISE POLICE KENDRAPARA
କେନ୍ଦ୍ରାପଡ଼ାରେ କେତେ ଅବକାରୀ ମାମଲା ରୁଜୁ ହୋଇଛି ? (ETV Bharat Odisha)

'ମଦ ପିଇ ଗଣ୍ଡଗୋଳ କରୁଥିଲେ ସ୍ବାମୀ':

ଏନେଇ ଗାଁର ଜଣେ ମହିଳା ଅର୍ଚ୍ଚନା ପ୍ରଧାନ କହିଛନ୍ତି," ଏଠାରେ ସବୁ ଦିନ ଚୋରା ମଦ କାରବାର ହେଉଥିଲା । ଆମ ସ୍ୱାମୀମାନେ ଏଠାରୁ ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରୁଥିଲେ । ତେଣୁ ଆମେ ଏହି ଦୋକାନ ବନ୍ଦ କରିବାକୁ ଆସିଛୁ । "

ସେପଟେ ଘର ଭଡା ଦେଇଥିବା ମିନାକ୍ଷୀ ଭୂୟାଁ କହିଛନ୍ତି," ଗତ ଦୁଇ ବର୍ଷ ହେଲା ମୁଁ ଜଣେ ଲୋକକୁ ଘର ଭଡାରେ ଦେଇଥିଲି । ସେ ଏଠାରେ ମାଂସ ଦୋକାନ କରିବ କହି ଦେଶୀ ଓ ବିଦେଶୀ ମଦ ବିକ୍ରି ଆରମ୍ଭ କରିଥିଲା । ଏହାପରେ ତାକୁ ତାଗିଦ କରିଥିଲି । ହେଲେ ସେ ଲୋକ ନ ଶୁଣିବାରୁ ଗାଁର ମହିଳାମାନେ ଏକାଠି ହୋଇ ଉକ୍ତ ଘରକୁ ଭାଙ୍ଗିଛନ୍ତି ।"

'ବେଆଇନ ମଦ କାରବାର ଉପରେ ଚଢାଉ ଜାରି ରହିଛି '

ଏନେଇ କେନ୍ଦ୍ରାପଡା ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳ କହିଛନ୍ତି," ଆମର ପ୍ରତିଦିନ ନିୟମିତ ଭାବରେ ଚୋରା ମଦ ଉପରେ ଚଢ଼ାଉ ଜାରି ରହିଛି । ରାଜସ୍ୱ, ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢାଉ ଜାରି ରହିଛି । ଯାହାକୁ ଗିରଫ କରାଯାଉଛି ପରବର୍ତ୍ତୀ ସମୟରେ ସେମାନେ ଜାମିନରେ ଆସି ପୁଣି ବେଆଇନ ମଦ କାରବାର ଆରମ୍ଭ କରୁଛନ୍ତି । ଯାହା ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି । ଆଗାମୀ ଦିନରେ ସେହି ଅଞ୍ଚଳରେ ଅଧିକରୁ ଅଧିକ ଚଢାଉ କରାଯିବ ।"

ସେ ଆହୁରି କହିଛନ୍ତି," ବେଆଇନ ମଦ କାରବାର ଉପରେ ଚଢାଉ କରି ଏପ୍ରିଲ ୨୦୨୫ରୁ ଜାନୁଆରୀ ୨୦୨୬ ମଧ୍ୟରେ ୯୮୫ ଜଣଙ୍କୁ ଗିରଫ କରାଯାଇଛି । ଯାହା ଗତବର୍ଷ ୮୦୦ ମଧ୍ୟରେ ସୀମିତ ଥିଲା । ସେହିପରି ଚଳିତବର୍ଷ ୨ଲକ୍ଷ ୩୦ ହଜାର ଲିଟର ଚୋରାମଦ ଜବତ କରାଯାଇଛି । ଯାହାର ମୂଲ୍ୟ ସାଢ଼େ ତିନି କୋଟି ଟଙ୍କା ହେବ, ଗତବର୍ଷ ମାତ୍ର ଦୁଇ କୋଟି ଟଙ୍କା ଥିଲା ।"

ଏହା ମଧ୍ୟ ପଢନ୍ତୁ...ଦୁଇ ସପ୍ତମ ଶ୍ରେଣୀ ଛାତ୍ର ବିଦ୍ୟାଳୟକୁ ମଦ ପିଇ ଆସିଥିବା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ... ନିଶା କବଳରେ କେନ୍ଦ୍ରାପଡ଼ାର ଭବିଷ୍ୟତ, କଡ଼ା ଆଇନ ପ୍ରଣୟନ ପାଇଁ ସରକାରଙ୍କୁ ଅନୁରୋଧ

ଏହା ମଧ୍ୟ ପଢନ୍ତୁ... ମଦ ପିଇବାକୁ ଟଙ୍କା ଦେଲେନି ବାପା, ମୁଥ ମାରି ମାରିଦେଲା ପୁଅ

ଇଟିଭି ଭାରତ, କେନ୍ଦ୍ରାପଡ଼ା