ଝାରସୁଗୁଡ଼ାରେ ଦୁଃଖଦ ଘଟଣା; ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର, ଡାକ୍ତରଖାନାରେ ସ୍ୱାମୀଙ୍କର ମୃତ୍ୟୁ
ଗୋବିନ୍ଦ ଓ ପତ୍ନୀ ୪ଦିନ ହେବ ବାହାରକୁ ବାହାରି ନଥିଲେ। ଆଜି ମଧ୍ୟାହ୍ନରେ ଗୋବିନ୍ଦଙ୍କ ଶାଳୀ ଆସିବାରୁ ଘରକବାଟ ବନ୍ଦଥିବା ଦେଖି କବାଟ ବାଡ଼େଇଥିଲେ। ଗୋବିନ୍ଦ କବାଟ ଖୋଲିଥିଲେ, ପରେ ବେହୋସ ହୋଇପଡ଼ିଥିଲେ।

Published : February 21, 2026 at 1:11 PM IST
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ସନଯୋବ ଗ୍ରାମ ହନୁମାନ ମନ୍ଦିରପଡ଼ାର ଏକ ଘର ଭିତରୁ ଜଣେ ମହିଳାଙ୍କ ଗଳିତ ଶବକୁ ପୋଲିସ ଶନିବାର ଉଦ୍ଧାର କରିଛି । ମୃତ ମହିଳାଙ୍କ ନାମ ରୁକ୍ମିଣୀ ଭୋଇ(୫୫) । ସେହି ଘରଭିତରୁ ସଂଜ୍ଞାହୀନ ଅବସ୍ଥାରେ ତାଙ୍କ ସ୍ୱାମୀ ଗୋବିନ୍ଦ ଭୋଇ(୬୧)ଙ୍କୁ ମଧ୍ୟ ପୁଲିସ ଉଦ୍ଧାର କରିଥିଲା । ଗୋବିନ୍ଦଙ୍କୁ ବ୍ରଜରାଜନଗର କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସ୍ବାମୀ-ସ୍ତ୍ରୀଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ପୋଲିସ ତାର ତଦନ୍ତ କରୁଛି ।
ପଡ଼ୋଶୀଙ୍କ କହିବା ଅନୁସାରେ, ଗୋବିନ୍ଦ ଓ ତାଙ୍କ ପତ୍ନୀ ୪ଦିନ ହେବ ଘର ବାହାରକୁ ବାହାରି ନଥିଲେ। ଆଜି ମଧ୍ୟାହ୍ନରେ ଗୋବିନ୍ଦଙ୍କ ଶାଳୀ ଆସି ଘରକବାଟ ବନ୍ଦ ଥିବା ଦେଖିଥିଲେ । ସେ କବାଟ ବାଡ଼େଇବାରୁ ଗୋବିନ୍ଦ ଆସି କବାଟ ଖୋଲିଥିଲେ । ହେଲେ କବାଟ ଖୋଲି ଘର ଭିତରକୁ ଯାଇ ସେ ବେହୋସ ହୋଇ ପଡ଼ିଥିଲେ। ଶାଳୀ ଘର ଭିତରକୁ ଯାଇ ଭଉଣୀଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଘର ଭିତରେ ରୋଷେଇ ହୋଇଥିଲା । କିନ୍ତୁ କେହି ଖାଇ ନ ଥିଲେ । ସେ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ଗାଡିରେ ଗୋବିନ୍ଦଙ୍କୁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଓରିଏଣ୍ଟ ପୁଲିସ ଓ ବ୍ରଜରାଜନଗର ଏସଡ଼ିପିଓ ଚିନ୍ତାମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମକୁ ତଦନ୍ତରେ ସହାୟତା ପାଇଁ ଡକାଯାଇଛି।
ଇଟିଭି ଭାରତ, ଝାରସୁଗୁଡ଼ା
ଏହା ମଧ୍ୟ ପଢନ୍ତୁ ଦିନ ଦ୍ବିପହରେ ଗୁଳି କରି ଯୁବକଙ୍କୁ ହତ୍ୟା; 2 ଦିନରେ 4 ଅଟକ, ଜଣାପଡିନି କାରଣ
ଏହା ମଧ୍ୟ ପଢନ୍ତୁ ଓୟୋ ହୋଟେଲରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

