ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା; 'ମେରି ସହେଲି ଆପ୍' ଦ୍ବାରା ମିଳିଲା ସମସ୍ତ ସହାୟତା
କ୍ୟାପିଟାଲ ହସ୍ପିଟାଲରେ ମହିଳା ଜନ୍ମ ଦେଲେ ପୁତ୍ର ସନ୍ତାନ । ଉଭୟ ମାଆ- ପୁଅ ଏବେ ସୁସ୍ଥ ।


Published : February 21, 2026 at 10:51 PM IST
ଭୁବନେଶ୍ବର: ଦୁରନ୍ତ ଏକ୍ସପ୍ରେସରେ ମହିଳାଙ୍କ ହେଲା ପ୍ରସବ ବେଦନା । ଟ୍ରେନ୍ ରେ ପ୍ରସବ ବେଦନା ସମ୍ଭାଳି ପାରିଲେନି ମହିଳା । ତୁରନ୍ତ ମେରି ସହେଲି ଆପ୍ ଜରିଆରେ ମାଗିଲେ ସହାୟତା । ଆଉ ଖବର ପାଇ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ ରଖି ମହିଳାଙ୍କୁ ଉଦ୍ଧାର କରିଥିଲେ ଆରପିଏଫ୍ ର ମେରୀ ସହେଲୀ ଟିମ୍ । ଟ୍ରେନ୍ ରୁ ଗର୍ଭବତୀଙ୍କୁ ସୁରକ୍ଷିତ ଉଦ୍ଧାରକରି ଆମ୍ବୁଲାନ୍ସରେ ନେଇଆସିଥିଲେ କ୍ୟାପିଟାଲ ହସ୍ପିଟାଲ । କିଛି ସମୟ ପରେ ସମ୍ପୃକ୍ତ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଉଭୟ ମାଆ- ପୁଅ ଏବେ ସୁସ୍ଥ ।
ଗର୍ଭବତୀଙ୍କ ପ୍ରତି ଏପରି ସମ୍ମାନ ଏବଂ ସହଯୋଗ ପାଇ ଆରପିଏଫ୍ ଓ ଓଡ଼ିଶା ପୋଲିସକୁ ଧନ୍ୟବାଦ୍ ଦେଇଛନ୍ତି ମହିଳା । ସେପଟେ ଖାକି ପୋଷାକ ଭିତରେ ଥିବା ଜଣେ ଦରଦି ଓ କର୍ତବ୍ୟନିଷ୍ଠ ମଣିଷର ଚରିତ୍ର ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏପଟେ ମହିଳା ଜଣଙ୍କ ମେରି ସହେଲିଙ୍କୁ ଧନ୍ୟବାଦ ଦେବା ସହିତ ଆରପିଏଫ ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ମେରୀ ସହେଲି ହେଉଛି ଏପରି ଏକ ଆପ୍, ଯେଉଁଥିରେ କି ମହିଳା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ଦେଶର ସମସ୍ତ ଜୋନରେ ରେଳବାଇ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ମହିଳା ଯାତ୍ରୀମାନେ ସୁରକ୍ଷିତ ଭାବେ ଯେପରି ତାଙ୍କର ରେଳଯାତ୍ରା ଆରମ୍ଭରୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରିବେ, ତାହା ଏହି ଅଭିଯାନର ଲକ୍ଷ୍ୟ ।

2020 ମସିହା ସେପ୍ଟେମ୍ବର ମାସରେ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ପାଇଲଟ ପ୍ରକଳ୍ପ ପ୍ରଥମେ ଆରମ୍ଭ କରାଯାଇଥିଲା । ଏହି ଅଭିଯାନକୁ ମହିଳା ଯାତ୍ରୀମାନଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ପରେ ଏହି ପ୍ରକଳ୍ପକୁ ସମସ୍ତ ଜୋନ୍କୁ ସଂପ୍ରସାରିତ କରାଯାଇଛି । ମହିଳା ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳବାଇ ସୁରକ୍ଷା ବାହିନୀ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମହିଳା ଯାତ୍ରୀମାନେ ଯେପରି ସୁରକ୍ଷିତ ଭାବେ ଯାତ୍ରା କରିବେ ଏବଂ ସୁରକ୍ଷା ସଂପର୍କିତ ଅଭିଯୋଗ ଗୁଡ଼ିକର ଫଇସଲା ଦିଗରେ ଆରପିଏଫ୍ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥାଏ । ଆରପିଏଫ୍ ମହିଳାମାନଙ୍କ ସିଟ୍ ନମ୍ବର ସଂଗ୍ରହ କରି ଯାତ୍ରାର ପ୍ରତି ରେଳ ଷ୍ଟେସନକୁ ବିବରଣୀ ପ୍ରଦାନ କରିଥାଏ । ରେଳ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ୍ କର୍ମଚାରୀମାନେ ରହଣି ଷ୍ଟେସନ ଗୁଡ଼ିକରେ ମହିଳା ଯାତ୍ରୀ ଥିବା କୋଚ୍ ଓ ବର୍ଥର ଅନୁଧ୍ୟାନ କରିଥାନ୍ତି । ‘ମେରି ସହେଲି’ ଅଧୀନରେ ଯାତାୟାତ କରୁଥିବା ଟ୍ରେନଗୁଡ଼ିକରୁ କୌଣସି ସମସ୍ୟା ଜନିତ ଫୋନ୍ କଲ୍ ଆସିଲେ ତାହାକୁ ବରିଷ୍ଠ ଅଧିକାରୀ ସ୍ତରରେ ଯାଞ୍ଚ କରାଯାଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

