ବର୍ଷା ଦିନ ଆସିବା ସହ ସରକାରଙ୍କୁ ଡାଇରିଆ, ହଇଜା ଚିନ୍ତା: ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟଙ୍କୁ ଅବଗତ କରିଛି ସ୍ୱାସ୍ଥ୍ୟ ବିଭାଗ
ଏଥର ଯାହାର ବି ଝାଡ଼ାବାନ୍ତି ହେବ, ସେ ରହିବ ଅବଜରଭେସନରେ । ରିପୋର୍ଟ- ବିକାଶ ଦାସ


Published : July 3, 2026 at 4:42 PM IST
DIARRHEA TENTION HEALTH DEPT, ଭୁବନେଶ୍ବର : ବର୍ଷା ଦିନ ଆସିବା ସହ ସରକାରଙ୍କୁ ପୁଣି ଘାରିଲା ଡାଇରିଆ ଓ ହଇଜା ଚିନ୍ତା । ଏଥର ଯାହାର ବି ଝାଡ଼ାବାନ୍ତି ହେବ, ସେ ରହିବ ଅବଜରଭେସନରେ । ସାଲାଇନ ବି ଲାଗିବ । ଡାକ୍ତରଙ୍କୁ ଠିକ୍ ନ ଲାଗିଲେ, ଘରକୁ ଛଡ଼ାଯିବ ନାହିଁ । ରାତିରେ ଆସୁଥିବା ରୋଗୀ ତ ସକାଳ ଯାଏଁ ହସ୍ପିଟାଲରେ ରହିବେ । ଏ ନେଇ ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟଙ୍କୁ ଭିଡିଓ କନଫରେନସିଂ ଜରିଆରେ ଅବଗତ କରିଛି ସ୍ୱାସ୍ଥ୍ୟ ବିଭାଗ । ଗତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି ମହାମାରୀ ରୂପ ନେଇଥିଲା ।
ଯାଜପୁର, ବୌଦ୍ଧ, ପୁରୀ, କଟକ, ଭଦ୍ରକ, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା ଆଦି, ଗତ ବର୍ଷ ଏ ସମସ୍ତ ଜିଲ୍ଲାରେ ଡାଇରିଆ ଓ କଲେରା ବ୍ୟାପିଥିଲା । ଏହା ସହିତ ଅନେକଙ୍କ ମୂଲ୍ୟବାନ ଜୀବନ ମଧ୍ୟ ଯାଇଥିଲା । ଆଧୁନିକ ଦୁନିଆରେ ହଇଜା ଫେରିବାରୁ ନିନ୍ଦା ସହିଥିଲା ଓଡ଼ିଶା । ଚଳିତ ବର୍ଷ ପୁଣି ବର୍ଷା ଦିନ ଆସିଛି । କୌଣସି ପରିସ୍ଥିତିରେ ହାଲୁକା ମନୋଭାବ ଦେଖାଇବାକୁ ରାଜ୍ୟ ସରକାର ମୁଡରେ ନାହାନ୍ତି । ଡାଇରିଆ ମୁକାବିଲା ପାଇଁ ସମସ୍ତ ଜିଲ୍ଲାକୁ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଅବଗତ କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥର ଡାଇରିଆ ହେଲେ, ଆଉ 48ରୁ 72 ଘଣ୍ଟା ପାଇଁ ORS ଓ ଅନ୍ୟାନ୍ୟ ଔଷଧ ଦେଇ ରୋଗୀଙ୍କୁ ଘରେ ରଖା ଯିବନି । ବରଂ ଡାଇରିଆ ଲକ୍ଷଣ ଦେଖା ଯିବା ମାତ୍ରେ, ହସ୍ପିଟାଲରେ ଅବଜରଭେସନରେ ରହିବେ ରୋଗୀ । ପୂର୍ବପରି କେବଳ ଔଷଧ ଦେଇ ଘରକୁ ପଠା ଯିବନି, ମାତ୍ର ଡିହାଇଡ୍ରେସନ କମ୍ ହେଲେ ହିଁ ଘରକୁ ଯିବେ । ଲକ୍ଷଣ ଦେଖା ଯିବା ମାତ୍ରେ IV fluid ଦେଇ ଡାଇରିଆ ୱାର୍ଡକୁ ପଠାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖି 24ରୁ 48 ଘଣ୍ଟା ଏହି ୱାର୍ଡରେ ରଖାଯିବ । ଏ ନେଇ ଷ୍ଟପ ଡାଇରିଆ କ୍ୟାମ୍ପେନ 31 ଜୁଲାଇ ଯାଏ ଚାଲିଛି ।
ଏପରିକି ଜଣା ଅଂଚଳରେ ବିଶୋଧନ ହେଉଛି ପିଇବା ପାଣି । ସ୍କୁଲକୁ ଅଧିକ ଧ୍ୟାନ ଦିଆଯାଉଛି । ଖାଦ୍ୟ ନିରାପତ୍ତା ବିଭାଗ ଖାଦ୍ୟର ମାନ ଯାଞ୍ଚ କରିବ ଯେପରି ବାସୀ ଖାଦ୍ୟ କେହି ନ ଖଇବେ । ବର୍ଷା ଦିନ ପାଇଁ ସବୁ ଜିଲ୍ଲା ସ୍ବାସ୍ଥ୍ୟ ମୁଖ୍ୟଙ୍କ ସହ ବୈଠକ ହୋଇଛି । ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ, କୁକୁର କାମୁଡ଼ା, ସାପ କାମୁଡ଼ା ଚିକିତ୍ସା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି, ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ।
ରାଜ୍ୟର ସମସ୍ତ ହସ୍ପିଟାଲ ଏ ଦିଗରେ ନିର୍ଦ୍ଦେଶ ପାଇବା ପରେ ପର୍ଯ୍ୟାପ୍ତ ଶଯ୍ୟା ମହାଜୁଦ ରଖିବାରେ ଲାଗି ପଡିଛନ୍ତି । ଡାଇରିଆ ରୋଗୀଙ୍କ ଡିହାଇଡ୍ରେସନ ନିୟନ୍ତ୍ରଣ କରିବାକୁ ହୁଏ । ବାନ୍ତି ନ ହେଉଥିଲେ ହିଁ ORS ଦେଇ ହେବ । ଅଧିକ ପରିମାଣରେ ଡିହାଇଡ୍ରେସନ ହେଲେ, IV fluid ଦିଆଯାଏ । ରୋଗୀଙ୍କୁ ଅବଜରଭେସନରେ ରଖାଯିବ । ରୋଗର ସ୍ଥିତି ଦେଖି କେତେ ଦିନ ରଖାଯିବ, ତାହା ସ୍ଥିର ହେବ । ରାତିରେ ସନ୍ଦିଗ୍ଧ ଡାଇରିଆ ରୋଗୀ ଆସିଲେ, ତାକୁ ହସ୍ପିଟାଲରେ ହିଁ ରଖାଯିବ । କାରଣ ଦିନରେ ଯେଉଁ ଚିକିତ୍ସା ସୁବିଧା ମିଳେ, ତାହା ରାତିରେ ନ ମିଳି ପାରେ ବୋଲି କହିଛନ୍ତି, କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡାକ୍ତର ରୂପଭାନୁ ମିଶ୍ର ।
ଗତ ବର୍ଷ ଯାଜପୁର ଜିଲ୍ଲାରୁ ସର୍ବାଧିକ 1500 ଡାଇରିଆ ରୋଗୀ ଚି଼ହ୍ନଟ ହୋଇଥିଲେ । 16 ଜଣ କଲେରା ରୋଗୀ ବି ଯାଜପୁରରୁ ଚିହ୍ନଟ ହୋଇଥିଲେ । ପାଖାପାଖି 13 ଜଣଙ୍କ ମୃତ୍ୟୁ ହୋଇଥିବା ବି ଅଭିଯୋଗ ହୋଇଥିଲା । ସେହିପରି ଗଞ୍ଜାମ ଜିଲ୍ଲାରୁ 140 ଅସୁସ୍ଥଙ୍କ ମଧ୍ୟରୁ 2 ଜଣ ପ୍ରାଣ ହରାଇଥିବାର ରିପୋର୍ଟ ଆସିଥିଲା । ଯାଜପୁର ସମେତ ପୁରୀର କଣାସ ଅଂଚଳକୁ ଏପରି ମହାମାରୀ ଆସିଥିଲା ଯେ, କେନ୍ଦ୍ରରୁ ଟିମ୍ ଆସି ସ୍ଥିତି ସମୀକ୍ଷା କରିବାକୁ ପଡ଼ିଥିଲା । ଆଜି ବି ସନ୍ଦେହ କରାଯାଉଛି ଯେ, ଦୂଷିତ ପାଣି ସେବନ ଯୋଗୁଁ ଏହାର ପ୍ରକୋପ ବଢ଼ିଥିଲା ।
ଡାଇରିଆ ରୋଗର ଲକ୍ଷଣ:-
- ଦିନକୁ ୩ ଥର ବା ତା'ଠାରୁ ଅଧକ ଥର ପତଳା ଝାଡ଼ା ହେବା
- ଦେହ ହାତ ଘୋଳାବିନ୍ଧା ହେବା
- ହାଲିଆ ଲାଗିବା ସହିତ ଜିଭ ଏବଂ ଓଠ ଶୁଖଯିବା
- ଅଧିକ ଶୋଷ ଲାଗିବା ଓ ପରିଶ୍ରା କମ୍ ହେବା
ଏଭଳି ଲକ୍ଷଣ ଦେଖାଯାଉଥିଲେ ଓଆରଏସ୍ କିମ୍ବା ଘରେ ମିଳୁଥିବା ତୋରାଣି, ପଇଡ଼ ପାଣି, ଚିନି ଓ ଲୁଣର ସର୍ବତ ଆଦି ଯଥେଷ୍ଟ ପରିମାଣରେ ପିଇବା ଆବଶ୍ୟକ ।
ଡାଇରିଆ ପ୍ରତିରୋଧ:-
- ବିଶେଷକରି ଗାଁ ଗହଳିମାନଙ୍କରେ ଲୋକେ ବାହାରେ ଶୌଚ କରିଥାନ୍ତି । ତେଣୁ ବାହାରେ ଶୌଚ ନହୋଇ ପାଇଖାନା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
- ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରିବା ଅତ୍ୟନ୍ତ ଆବଶ୍ୟକ ।
- ଶୌଚ ପରେ ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲ ଭାବେ ସାବୁନରେ ଦୁଇ ମିନିଟ ଧରି ଧୋଇବା ଆବଶ୍ୟକ ।
- କେବଳ ଗଭୀର ନଳକୂଅ ପାଣି, ହାଲୋଜେନ ବଟିକା ପଡ଼ିଥିବା ପାଣି କିମ୍ବା ଫୁଟା ପାଣି ପିଇବା ଆବଶ୍ୟକ ।
- ତରଳ ଝାଡ଼ା ସମୟରେ ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଓଆରଏସ୍ କିମ୍ବା ଘରେ ମିଳୁଥବା ତୋରାଣି, ପଇଡ଼ ପାଣି, ଚିନି ଲୁଣ ସର୍ବତ ଆଦି ପିଇବା ଆବଶ୍ୟକ ।
- ଏହାସହ ପିଇବା ପାଣି ପାତ୍ରରେ ହାତ ନବୁଡ଼ାଇ ଏକ ଡଙ୍କି ବ୍ୟବହାର କରିବା ଆବଶ୍ୟକ ।
- ପ୍ରତ୍ୟେକ ଦିନ ତଟକା ଓ ଗରମ ଖାଦ୍ୟ ଖାଇବା ଆବଶ୍ୟକ ।
ଏହି କାର୍ଯ୍ୟରୁ ରୁହନ୍ତୁ ବିରତ:-
- ନଈ, ଝରଣା, ଚୂଆ ବା ପୋଖରୀ ଆଦି ପାଣିକୁ ବ୍ୟବହାର ନକରିବା ସହ ଏହି ପାଣିକୁ ପିଅନ୍ତୁ ନାହିଁ ।
- କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫା କରନ୍ତୁ ନାହିଁ ।
- ବାସି, ପଚାସଢ଼ା ବା ମାଛିବସା ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ ।
- ଏଭଳି ରୋଗୀଙ୍କର ଅପରିଷ୍କାର ଲୁଗାପଟା ନଦୀ, ପୋଖରୀ ଆଦିରେ ଧୋଇବାକୁ ବାରଣ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ- ସାନଖେମୁଣ୍ଡିରେ ଝାଡ଼ାବାନ୍ତି: ଦିନକରେ 3 ମୃତ୍ୟୁ ଅଭିଯୋଗ, 10 ଆକ୍ରାନ୍ତ
ଏହା ମଧ୍ୟ ପଢ଼ନ୍ତୁ- ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଝାଡ଼ାବାନ୍ତି, ୪୦ରୁ ଅଧିକ ଆକ୍ରାନ୍ତ
ଇଟିଭି ଭାରତ, ଭୁବନେଶ୍ବର

