ଅନ୍ଧବିଶ୍ୱାସର କରୁଣ ପରିଣତି, ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା
ବହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଜୁଗୁ ମାରାଣ୍ଡି ।

Published : March 1, 2026 at 1:13 PM IST
ରିପୋର୍ଟ; ସଞ୍ଜୟ କୁମାର ପରିଡ଼ା
ରାଇରଙ୍ଗପୁର: ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଘରେ ପଶି ବୀଭତ୍ସ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗାଁରେ ଏହି ଅଘଟଣ ଘଟିଛି । ଜଣେ ଅବିବାହିତା ବୃଦ୍ଧାଙ୍କୁ ଗୁଣି ଗାରେଡି ସନ୍ଦେହରେ ବୀଭତ୍ସ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ମୃତ ବୃଦ୍ଧା ଜଣକ ଉକ୍ତ ଗାଁର ୬୫ ବର୍ଷିୟା ଜବା ଟୁଡୁ । ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଜିଲ୍ଲାରେ ଅଧିକାଂଶ ସମୟ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ସେଥିରୁ ବାହାରି ପାରୁନାହାନ୍ତି ଲୋକେ । ଯାହାକୁ ନେଇ ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ।
ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ:
ଗତ ଶୁକ୍ରବାର ରାତିରେ ମୃତକ ଜବା ଟୁଡୁଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜୁଗୁ ମାରାଣ୍ଡି ତାଙ୍କ ଘରକୁ ପଶିଥିଲେ । ଜବା ଶୋଇଥିବା ସମୟରେ ସେ ଏକ ଧାରୁଆ ଆସ୍ତ୍ର ସାହାଯ୍ୟରେ ତାଙ୍କୁ ନିର୍ମମ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଜୁଗୁ ରାଇରଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଥିଲେ । ଗତକାଲି (ଶନିବାର) ସକାଳୁ ଗାଁ ଲୋକେ ଜବାକୁ ଦେଖିବାକୁ ପାଇନଥିଲେ । ଏହାପରେ କିଛି ସମ୍ପର୍କୀୟ ତାଙ୍କ ଘରକୁ ଯାଇ ଦେଖିଲା ବେଳଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ପଡ଼ିଥିଲା । ହତ୍ୟା ଘଟଣା ପ୍ରଚାରିତ ହେବା ପରେ ବହଳଦା ଥାନା ପୋଲିସକୁ ଖବର ଦିଆ ଯାଇଥିଲା ।
ଖବର ପାଇ ରାଇରଙ୍ଗପୁର ଏସପି ଯଦୁନାଥ ଜେନା ଏବଂ ଏସଡିପିଓ ବିରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଥିଲା ପୋଲିସ ।
ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଏହିପରି ଘଟଣା ବାରମ୍ବାର ହେଉଥିବା ବେଳେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାର ଅନ୍ଧବିଶ୍ୱାସ ଦୂରୀକରଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କିନ୍ତୁ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ ପ୍ରାଚୀନ ଯୁଗରେ ମଧ୍ୟ ସଚେତନତା ସୃଷ୍ଟି ହେଉନାହିଁ । ଏବେ ବି ଅନ୍ଧ ବିଶ୍ବାସରୁ ସାଧାରଣ ଲୋକେ ମୁକୁଳି ପାରିନାହାଁନ୍ତି । କିଛି ବି ଅସୁବିଧା ହେଲେ ଡାହାଣୀ ସନ୍ଦେହରେ ଅପରାଧ ଭିଆଇବାକୁ ମଧ୍ୟ ପଛାଉ ନାହାଁନ୍ତି ।
ସନ୍ଦେହରୁ ହତ୍ୟା:
ହତ୍ୟା ଘଟଣା ସମ୍ପର୍କରେ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି କହିଛନ୍ତି," କୁମ୍ଭୀରଦା ଗ୍ରାମରେ ହତ୍ୟା ହୋଇଥିବା ଖବର ପାଇବା ପରେ ତୁରନ୍ତ ବହଳଦା ଥାନା ପୋଲିସ ଓ ମୁଁ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଘଟଣାର ତଦନ୍ତ ଆରମ୍ଭ କରା ଯାଇଥିଲା । ଜବା ଟୁଡୁ ଗୁଣିଗାରେଡି କରି ତାଙ୍କ ପରିବାରରେ ଅଶାନ୍ତି ଆଣୁଥିବା ସହିତ ଗୁଣିଗାରେଡି ଯୋଗୁଁ ଜୁଗୁଙ୍କ ସ୍ତ୍ରୀ ଓ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକାଂଶ ସମୟ ଖରାପ ରହୁଥିବାର ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ଜୁଗୁ ମାରାଣ୍ଡି । ଅଭିଯୁକ୍ତ ରାଇରଙ୍ଗପୁର ଟାଉନ ଥାନାରେ ଆତ୍ମସମର୍ପଣ କରିଛି । ଏନେଇ ବହଳଦା ଥାନା ପୋଲିସ କେସ ନଂ ୩୦/୨୬ରେ ଏକ ହତ୍ୟା ମାମଲା ରୁଜୁ କରା ଯାଇ ତଦନ୍ତ ଜାରି ରହିଛି ।"
ଇଟିଭି ଭାରତ, ମୟୂରଭଞ୍ଜ

