ଝାରପଡା ଜେଲରେ କାହିଁକି ଅସୁସ୍ଥ ହେଲେ ୫ରୁ ଊର୍ଦ୍ଧ୍ଵ କଏଦୀ ? ନିଶା ସେବନ ଅଭିଯୋଗକୁ ଖଣ୍ଡନ କଲେ ଜେଲ କର୍ତ୍ତୃପକ୍ଷ, ଆରମ୍ଭ ହେଲା ତଦନ୍ତ
ଜେଲରେ ନିଶା କାରବାର ନେଇ କୌଣସି ପ୍ରମାଣ ମିଳିନାହିଁ। ସିସିଟିଭି ଅନୁଧ୍ୟାନ କରାଯାଉଛି। ଏନେଇ ଜେଲ ଡିଜିଙ୍କୁ ଯଥାଶୀଘ୍ର ରିପୋର୍ଟ ଦିଆଯିବ। ରିପୋର୍ଟ-ସତ୍ୟଜିତ ରାଉତ୍


Published : June 24, 2026 at 7:31 PM IST
|Updated : June 24, 2026 at 8:07 PM IST
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଝାରପଡା ଜେଲରେ ହଠାତ୍ ୫ରୁ ଊର୍ଦ୍ଧ୍ଵ କଏଦୀ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ତେବେ ବ୍ରାଉନସୁଗର ସେବନ ପାଇଁ ଏଭଳି ସ୍ଥିତି ଉପୁଜିଲା ବୋଲି ଅଭିଯୋଗ ହେଉଥିବା ବେଳେ ଏହାକୁ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। କିଛି ଔଷଧ ସେବନ କରିବାରୁ ଏଭଳି ହୋଇଥାଇପାରେ ବୋଲି ଝାରପଡ଼ା ଜେଲ କର୍ତ୍ତୃପକ୍ଷ ଗଣମାଧ୍ୟମରେ କହିଛନ୍ତି। ତେବେ ପ୍ରକୃତରେ କାହିଁକି ଏଭଳି କଏଦୀମାନେ ଅସୁସ୍ଥ ହୋଇ ପଡ଼ିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି (ବୁଧବାର) ଏନେଇ ତଦନ୍ତ ଆରମ୍ଭ ହୋଇଛି। ଜେଲ ମୁଖ୍ୟାଳୟ ଡିଆଇଜି ବିରେନ ସାହୁ ଓ ଜେଲ ଡିଆଇଜି ଅନସୂୟା ଜେନା ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଡିଆଇଜି ବିରେନ ଓ ଅନସୂୟା ଝାରପଡା ଜେଲ ଯାଇ ତଦନ୍ତ କରିଥିଲେ। ସେମାନେ ଜେଲ ସୁପରିଣ୍ଟେଣ୍ଡେଣ୍ଟ୍, ୱାର୍ଡର ଓ ଅନ୍ତେବାସୀମାନଙ୍କୁ ପଚରାଉଚରା କରିଥିଲେ।
ଯଥାଶୀଘ୍ର ଜେଲ ଡିଜିଙ୍କୁ ଦିଆଯିବ ରିପୋର୍ଟ
ଏନେଇ ଡିଆଇଜି ବିରେନ କହିଛନ୍ତି, ଜେଲ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି। ଜେଲରେ ନିଶା କାରବାର ନେଇ କୌଣସି ପ୍ରମାଣ ମିଳିନାହିଁ। ସିସିଟିଭି ଅନୁଧ୍ୟାନ କରାଯାଉଛି। ଏନେଇ ଜେଲ ଡିଜିଙ୍କୁ ଯଥାଶୀଘ୍ର ରିପୋର୍ଟ ଦିଆଯିବ। ଏନେଇ କୌଣସି ତ୍ରୁଟି ଜଣାପଡ଼ିଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡ୍ୟୁଟିରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି ବୋଲି ସେ କହିଛନ୍ତି।

'ତଦନ୍ତ ପରେ ଜଣାପଡିବ'
ଏନେଇ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ କହିଛନ୍ତି, 'କଏଦୀମାନେ ସୁସ୍ଥ ହୋଇ ପ୍ରଥମେ ଫେରନ୍ତୁ। ଏନେଇ ତଦନ୍ତ ହେଲା ପରେ ଜଣାପଡିବ। ୫ ଜଣଙ୍କ ମଧ୍ୟରେ ଜଣେ ସୁସ୍ଥ ହୋଇ ଜେଲ ଫେରିଛନ୍ତି। ଅନ୍ୟ ୩ ଜଣ କ୍ୟାପିଟାଲ ହସ୍ପିଟାଲରେ ଏବଂ ଜଣେ ଏମ୍ସରେ ଅଛନ୍ତି। ଗତକାଲି ସନ୍ଧ୍ୟାରେ ଖାଦ୍ୟ ନେଇ ଖାଇବାକୁ ରଖିଥିଲେ। ସେମାନେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ। ବ୍ରାଉନସୁଗର ସେବନ ନେଇ ପ୍ରମାଣ ମିଳିନାହିଁ' ବୋଲି ସେ କହିଛନ୍ତି।


ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଝାରପଡା ଜେଲରେ ୫ କଏଦୀ ଅସୁସ୍ଥ; କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଏହା ମଧ୍ୟ ପଢନ୍ତୁ ଜେଲରେ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ହଲ

