ETV Bharat / state

କିଏ ଡାକ୍ତର ଦତ୍ତେଶ୍ବର ହୋତା?; ବିଜେଡି କଲା ପ୍ରାର୍ଥୀ, କଂଗ୍ରେସରୁ ମିଳିବ ସମର୍ଥନ

ରାଜ୍ୟସଭା ନିର୍ବାଚନ ପାଇଁ ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କିଏ ଡାକ୍ତର ଦତ୍ତେଶ୍ବର ହୋତା?; ବିଜେଡି କଲା ପ୍ରାର୍ଥୀ, କଂଗ୍ରେସରୁ ମିଳିବ ସମର୍ଥନ
କିଏ ଡାକ୍ତର ଦତ୍ତେଶ୍ବର ହୋତା?; ବିଜେଡି କଲା ପ୍ରାର୍ଥୀ, କଂଗ୍ରେସରୁ ମିଳିବ ସମର୍ଥନ (ETV BHARAT ODISHA)
author img

By ETV Bharat Odisha Team

Published : February 28, 2026 at 7:57 PM IST

6 Min Read
Choose ETV Bharat

ରିପୋର୍ଟ- ଭବାନୀ ଶଙ୍କର ଦାସ

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ନେଇ ଆଜି ସବୁ ରାଜନୈତିକ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଜେଡି ଆଜି ଦୁଇ ଜଣଙ୍କ ନାଁ ଘୋଷଣା କରିଛି । ବହୁ ବିଚାର ବିମର୍ଷ ପରେ ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ ଦେଇଛି ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ଜଣଙ୍କ ନାଁରେ ମୋହର ଲଗାଇଛନ୍ତି । ସଂତୃପ୍ତ ମିଶ୍ର ହେଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ । ତେବେ ପ୍ରଶ୍ନ ଉଠୁଛି, ଡାକ୍ତର ଦତ୍ତେଶ୍ବର ହୋତା କିଏ ? ଯାହାଙ୍କୁ ନବୀନ କମନ କ୍ୟାଣ୍ଡିଡେଟ୍ ବୋଲି ଘୋଷଣା କରିଥିବା ବେଳେ ପିସିସି ସଭାପତି ଭକ୍ତ ଚରଣ ଦାସ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି ।

ଦେଶ ଏବଂ ବିଦେଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ହେଉଛନ୍ତି ଜଣେ ଜଣାଶୁଣା ନାଁ । ୟୁରୋଲୋଜି କ୍ଷେତ୍ରରେ ଦତ୍ତେଶ୍ବର ହୋତାଙ୍କର ରହିଛି 40 ବର୍ଷରୁ ଅଧିକ ଅଭିଜ୍ଞତା । ବିଜେଡି ସରକାର ଅମଳରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ସେ ହେଉଛନ୍ତି ପ୍ରଥମ କୁଳପତି । କଟକ ଏସସିବି ମେଡିକାଲ ୟୁରୋଲୋଜି ବିଭାଗର ସେ ମୁଖ୍ୟ ଥିଲେ । ଡକ୍ଟର ଦତ୍ତେଶ୍ୱର ହୋତା 1983 ଏବଂ 1986 ମସିହାରେ କଟକର ଏସସିବି ମେଡିକାଲ କଲେଜରୁ ଏମବିବିଏସ୍ ଏବଂ ଜେନେରାଲ ସର୍ଜରୀରେ ଏମଏସ୍ ସହିତ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । 1994 ମସିହାରେ ସେ ଚଣ୍ଡିଗଡ଼ର PGIMERରୁ ୟୁରୋଲୋଜିରେ MCH ମଧ୍ୟ ସମାପ୍ତ କରିଛନ୍ତି । ୟୁରୋଲୋଜି ବିଭାଗ ଅଧୀନରେ ଗବେଷଣା କାର୍ଯ୍ୟ ଏବଂ ବିଭିନ୍ନ କର୍ମଶାଳାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି, ଡାକ୍ତର ଦତ୍ତେଶ୍ବର ହୋତା ।


ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର 49ତମ ଡିନ୍ ତଥା ପ୍ରିନ୍ସିପାଲ ଭାବେ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଦାୟିତ୍ୱ ନେଇଥିଲେ । ଦଶନ୍ଧି ଧରି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆର ଓଡ଼ିଶାରୁ ରାଜ୍ୟ ମନୋନୀତ ପ୍ରତିନିଧି ରହିଆସିଛନ୍ତି । ବିଭିନ୍ନ ସମୟରେ ସ୍ନାତକୋତ୍ତର କମିଟି ଓ ସ୍ଥାନାନ୍ତରୀକରଣ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାମ କରିଛନ୍ତି । ଏହା ସହିତ ୟୁରୋଲୋଜି ବିଭାଗରେ ସେ ଅନେକ ଅନୁସନ୍ଧାନ ମଧ୍ୟ କରିଛନ୍ତି । 2009 ମସିହାରେ ଦତ୍ତେଶ୍ୱରଙ୍କ ପ୍ରଚେଷ୍ଟାରେ ଏସସିବିରେ ପ୍ରଥମ କରି ୟୁରୋଲୋଜି ବିଭାଗରେ ଏମ୍‌ସିଏଚ୍‌ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ସେହିପରି ଦତ୍ତେଶ୍ୱରଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ସରକାରୀ ହସ୍ପିଟାଲରେ କିଡନୀ ପ୍ରତିରୋପଣ ଆରମ୍ଭ ହୋଇଥିଲା ।


ଜଟିଳ ଅସ୍ତ୍ରୋପଚାର କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି, ଡାକ୍ତର ଦତ୍ତେଶ୍ବର ହୋତା । ସେ 2 ଶହରୁ ଅଧିକ କିଡନୀ ପ୍ରତିରୋପଣ କରିସାରିଛନ୍ତି । କାଡାଭରିକ ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରାଇବାରେ ମଧ୍ୟ ଦତ୍ତେଶ୍ୱରଙ୍କର ଉଲ୍ଲେଖନୀୟ ଭୂମିକା ରହିଛି । 2017 ମସିହାରେ ଦ୍ଵିତୀୟ ଓଡ଼ିଆ ଭାବେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦିଆଯାଉଥିବା ସବୁଠାରୁ ବଡ଼ ସମ୍ମାନ ବା ଡା. ବି.ସି. ରାୟ ଉପାଧି ଲାଭ କରିଛନ୍ତି । ସେହିପରି ସୋସାଇଟି ଅଫ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଓ ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକରେ ମଧ୍ୟ ଦତ୍ତେଶ୍ୱର ଭୂଷିତ ହୋଇଛନ୍ତି । ସେହିପରି ଦତ୍ତେଶ୍ୱର ହୋତା ଜଣେ ଭଲ କଣ୍ଠଶିଳ୍ପୀ । ବିଭିନ୍ନ ପ୍ରଡକ୍ସନ ହାଉସରେ ସେ ଅନେକ ଭଜନରେ କଣ୍ଠଦାନ ମଧ୍ୟ କରିଛନ୍ତି ।


ଗତକାଲି ପିସିସି ସଭାପତି ନୂଆଦିଲ୍ଲୀ ଯିବା ପୂର୍ବରୁ ଭକ୍ତ ଚରଣ ଦାସ ମଧ୍ୟ ଦତ୍ତେଶ୍ୱର ନାମକୁ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଆଜି ପୂର୍ବାହ୍ନରେ ଦତ୍ତେଶ୍ୱର ନବୀନ ନିବାସରେ ପହଁଚିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦତ୍ତେଶ୍ୱରଙ୍କୁ ଦଳୀୟ ନୁହେଁ କମନ କ୍ୟାଣ୍ଡିଡେଟ ବୋଲି କହିଛନ୍ତି । ନିର୍ବାଚନରେ ସମସ୍ତ ଦଳ ସହମତି ପ୍ରକାଶ କରନ୍ତି, ତେବେ ଚତୁର୍ଥ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ନିର୍ବାଚିତ ହେବାର ସମ୍ଭାବନା ରହିଛି । ଯଦି ବିଜେପି ତିନୋଟି ପ୍ରାର୍ଥୀ ଦିଏ ଏବଂ ଫଳାଫଳ ପାଇଁ ଭୋଟିଂ ହୁଏ, ତେବେ ସ୍ଥିତି ରୋଚକ ହେବ । ଭୋଟ ଦାନରେ ହେରଫେର ହେଲେ ଦତ୍ତେଶ୍ୱର ଜିତିବା କଷ୍ଟକର ହୋଇପାରେ । ପୂର୍ବରୁ ତିନିଟି ପ୍ରାର୍ଥୀ ଦେବ ବୋଲି ବିଜେପି ନେତା କହିଛନ୍ତି ।


ରାଜ୍ୟସଭା ଗଣିତ ବା ଭୋଟିଂ ଫର୍ମୁଲା କ'ଣ କହୁଛି ?
ରାଜ୍ୟସଭା ନିର୍ବାଚନ ପ୍ରିଫରେନ୍ସିଆଲ ଭୋଟିଂ ଆଧାରରେ କରାଯାଇଥାଏ । ରାଜ୍ୟସଭା ନିର୍ବାଚନରେ କେବଳ ବିଧାନସଭାର ସଦସ୍ୟମାନେ ଭୋଟ୍ ଦେଇଥାଆନ୍ତି । ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା 147 । ନିୟାମାନୁଯାୟୀ ଗୋଟିଏ ଭୋଟ ପରିମାଣ 100 । ଏହାର ଭୋଟିଂ ଫର୍ମୁଲା ବା ଗଣିତ ହେଉଛି- ବିଧାନସଭାର ଭ୍ୟାଲିଡ୍ ଆସନ ସଂଖ୍ୟା (147) ଗୁଣନ (x) 100 ବିଭକ୍ତ (/) ରାଜ୍ୟସଭା ପାଇଁ ଖାଲିଥିବା ଆସନ ସଂଖ୍ୟା (4) ଯୁକ୍ତ (+) 1 ଯାହା ଫଳ ବାହାରିବ, ତାହା ସହ ଯୁକ୍ତ (+)1 । ଅର୍ଥାତ (147x100/4+1)+1 ହିସାବରେ ଯାହା ବାହାରିବ ସେତିକି ଭୋଟ ଜଣେ ପ୍ରାର୍ଥୀକୁ ନିର୍ବାଚିତ କରିବା ପାଇଁ ଆବଶ୍ୟକ ପଡ଼ିବ । ଏହାକୁ ହିସାବ କଲେ ଫଳ 2941 ବାହାରୁଛି । ତେଣୁ ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ପ୍ରାୟ 30 ଖଣ୍ଡ ଭୋଟର ଆବଶ୍ୟକତା ପଡ଼ିବ । ଓଡ଼ିଶାର ଫାଙ୍କା ହେଉଥିବା 4ଟି ଆସନକୁ ନେଇ ଏହି ହିସାବ କରାଯାଇଛି । ପ୍ରତି ଭୋଟରଙ୍କ ପ୍ରଥମ ଭୋଟ ଯାହାକୁ ଯାଇଥିବ ସେ ହିଁ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହେବେ ।


ରାଜ୍ୟର 147 ବିଧାନସଭା ଆସନ ମଧ୍ୟରୁ 2024 ନିର୍ବାଚନରେ ବିଜେପିରୁ 79 ଜଣ ନିର୍ବାଚିତ ହୋଇଛନ୍ତି । ଧର୍ମଶାଳାର ହିମାଂଶୁ ଶେଖର ସାହୁ, ମାହାଙ୍ଗାର ସାରଦା ପ୍ରସାଦ ପ୍ରଧାନ ଓ ବଡ଼ମ୍ବା - ନରସିଂହପୁର ବିଜୟ କୁମାର ଦଳବେହେରା ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ବିଜେପି ପ୍ରତି ସମର୍ଥନ ରହିଛି । ତେଣୁ ବିଜେପି ଓ ସମର୍ଥିତଙ୍କ ସଂଖ୍ୟା 81 ହୋଇଥିଲା । ତେବେ ନୂଆପଡ଼ା ଉପନିର୍ବାଚନ ପରେ ଏହି ସଂଖ୍ୟା 82 ହୋଇଛି । ଉପନିର୍ବାଚନରେ ବିଜେପିରୁ ଜୟ ଢୋଲକିଆ ବିଜୟୀ ହୋଇଛନ୍ତି । 2024 ନିର୍ବାଚନରେ ବିଜେଡିର 51 ବିଧାୟକ ଥିଲେ । ଉପନିର୍ବାଚନରେ ପରାଜୟ ପରେ ଏହି ସଂଖ୍ୟା 50 ହୋଇଥିଲା । ସେହିପରି ବିଜେଡି ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବିତ କରିଛି । ତେଣୁ ବିଜେଡି ପାଖରେ 48 ବିଧାୟକ ଅଛନ୍ତି । କଂଗ୍ରେସର 14 ଓ ସିପିଆଇ(ଏମ୍)ରୁ ଜଣେ ବିଧାୟକ ଅଛନ୍ତି ।



ରାଜ୍ୟର 4ଟି ଖାଲି ଆସନକୁ ନେଇ ଦେଖିଲେ, ବିଜେପିର 60 ଜଣ ସଦସ୍ୟ ସେମାନଙ୍କ ପ୍ରଥମ ଭୋଟରେ 2 ଜଣ ପ୍ରାର୍ଥୀଙ୍କୁ ସହଜରେ ଜିତାଇ ପାରିବେ । ସେହିପରି ସଂଖ୍ୟା ଦୃଷ୍ଟିରୁ ଗୋଟିଏ ଆସନରେ ବିଜେଡି ମଧ୍ୟ ସହଜରେ ଜିତିପାରିବ । ହେଲେ ଚତୁର୍ଥ ଆସନ ଲାଗି କୌଣସି ଦଳର ସଂଖ୍ୟା ହେବନାହିଁ । ଏହି ଆସନ ସକାଶେ ବିଜେପି ସପକ୍ଷରେ 21 ଏବଂ ବିଜେଡି ସପକ୍ଷରେ 18 ଖଣ୍ଡ ଭୋଟ୍ ରହିବ । ଯଦି ଉଭୟ ଦଳର ସମସ୍ତ ସଦସ୍ୟ ଭୋଟ ଦେବା ଲାଗି ଆସନ୍ତି, ତେବେ ଏକ୍ଷେତ୍ରରେ କଂଗ୍ରେସ ପାଖରେ 14, ଦୁଇ ସ୍ୱାଧୀନ ଓ ଗୋଟିଏ ସିପିଏମ୍ ସଦସ୍ୟଙ୍କ ଭୋଟ ବହୁ ଗୁରୁତ୍ଵ ବହନ କରିବ । ବିଜେଡି ଯଦି ଏମାନଙ୍କ ସହ ଏକାଠି
ହୁଏ ତେବେ ଚତୁର୍ଥ ଆସନ ବିରୋଧୀଙ୍କ ଦଖଲରେ ରହିପାରିବ । ସେହିପରି ଏମାନଙ୍କୁ ପ୍ରଭାବିତ କରିପାରିଲେ, ବିଜେପି ମଧ୍ୟ ତୃତୀୟ ଆସନ ନେଇଯିବ ।


କୌଣସି କାରଣରୁ ବିଜେଡି ଓ କଂଗ୍ରେସ କିମ୍ବା ବିରୋଧୀ ଏକାଠି ନ ହୁଅନ୍ତି, ତେବେ ଭୋଟ ଦେଇଥିବା ସଦସ୍ୟଙ୍କ ଦ୍ଵିତୀୟ ଭୋଟ ବା ସେକେଣ୍ଡ ପ୍ରିଫରେନ୍ସ କାଉଣ୍ଟ କରାଯିବ । ଯଦି ସମସ୍ତେ ଅଲଗା ଅଲଗା ହୋଇ ଭୋଟ ଦିଅନ୍ତି ସଂଖ୍ୟା ଦୃଷ୍ଟିରୁ ବିଜେପି ଉକ୍ତ ଆସନରେ ବାଜିମାତ କରିବ । ରାଜ୍ୟସଭା ଭୋଟିଂ ବେଳେ ଯଦି କୌଣସି ସଦସ୍ୟଙ୍କ ଭୋଟ୍ ନାକଚ ହୋଇଯାଏ, ସେ କ୍ଷେତ୍ରରେ ମଧ୍ୟ ଗଣିତ ଅଲଗା ହେବ । କାରଣ ଭ୍ୟାଲିଡ୍ ଭୋଟକୁ ହିଁ ଗଣତିରେ ନିଆଯିବ । ଯେତିକି ଭୋଟ୍ ନାକଚ ହେବ, ବିଧାନସଭା ସଦସ୍ୟଙ୍କ ମୋଟ ସଂଖ୍ୟାରୁ ସେହି ଆସନ କାଟି ଦେଇ ଗଣିତ କରାଯିବ । ଉଦାହରଣ ଭାବେ ଯଦି 2 ଜଣଙ୍କ ଭୋଟ ନାକଚ ହୋଇଯାଏ । ସଂଖ୍ୟା ହେବ 147–2=145 । ଏଠାରେ ଫର୍ମୁଲା ହେବ (145x100/4+1)+1 । ଏହି କ୍ଷେତ୍ରରେ ଗୋଟିଏ ଭୋଟ ଲାଗି 29 ଖଣ୍ଡ ଭୋଟର ଆବଶ୍ୟକତା ପଡ଼ିବ ।



ଦତ୍ତେଶ୍ୱରଙ୍କୁ ନବୀନ କମନ କ୍ୟାଣ୍ଡିଡେଟ ଭାବେ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି, ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, "ପିକ୍ଚର ସମ୍ପୂର୍ଣ୍ଣ କ୍ଲିୟର । ଚତୁର୍ଥ ସିଟ୍ ପାଇଁ ବିଜେଡି ଓ କଂଗ୍ରେସର ସଂଖ୍ୟା ନାହିଁ । ଉଭୟ ମିଶିଲେ ହିଁ ଚତୁର୍ଥ ଆସନ ଜିତି ହେବ ବୋଲି ବିଗତ କିଛି ଦିନ ହେଲା କହୁଛି । ବିଜେଡି ଉଭୟ କଂଗ୍ରେସ ଓ ବିଜେପି ସହିତ ସମଦୂରତା କଥା କହୁଛି । ବିଜେପିର ଚତୁର୍ଥ ସିଟ୍ ନକରେଇବା ପାଇଁ ଜଣେ ନିରପେକ୍ଷ ଓ ନିର୍ଦଳୀୟ ବ୍ୟକ୍ତି, ଯିଏ ଓଡ଼ିଶାର ସୁନାମଧନ୍ୟ ହୋଇଥିବ ସେଭଳି ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ କଂଗ୍ରେସର ସମର୍ଥନ ଦେବାରେ ସମସ୍ୟା ହେବନାହିଁ ବୋଲି କହିଥିଲି । ବିଜେଡି ସଭାପତିଙ୍କୁ ଭେଟିବା ଲାଗି ପୂର୍ବରୁ ସମୟ ମାଗିଥିଲି । ନବୀନ ମୋତେ ଗତ ସୋମବାର ଦିନ ମୋତେ ସମୟ ଦେଇଥିଲେ । ନବୀନଙ୍କ ସହିତ ଆଲୋଚନା ହୋଇଛି । ଗୋଟେ କମନ କ୍ୟାଣ୍ଡିଡେଟ ନେଇ ନବୀନ ଓ ମୋର ମତ ଏକ ହୋଇଥିଲା ।



ଭକ୍ତ ଆହୁରି ମଧ୍ୟ କହିଛନ୍ତି, "ଉଭୟ ବିଜେଡି ଓ କଂଗ୍ରେସ ଚତୁର୍ଥ ଆସନ ପାଇଁ ନିରପେକ୍ଷ ପ୍ରାର୍ଥୀ ସନ୍ଧାନରେ ଥିଲେ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଗତକାଲି ମୁଁ ଗଣମାଧ୍ୟମ ଆଗରେ ରଖିଥିଲି । ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ମଧ୍ୟ ନେଇଥିଲି । ଏମାନଙ୍କୁ ସମର୍ଥନ ନେଇ ମୁଁ ହାଇକମାଣ୍ଡଙ୍କୁ ଅବଗତ କରିଥିଲି । ଡାକ୍ତର ଦତ୍ତେଶ୍ବର ହୋତା ମୋ ପାଖକୁ ଆସିଥିଲେ । ଦୁଇ ଦିନ ତଳେ ପ୍ରଫେସର ହୋତା ମୋ ପାଖକୁ ଆସିଥିଲେ । ବିସ୍ତାର ଭାବେ ଆଲୋଚନା ହୋଇଛି । ତଦନୁଯାୟୀ କମନ କ୍ୟାଣ୍ଡିଡେଟ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା ହୋଇଛି । ଗଣତନ୍ତ୍ରକୁ ବଞ୍ଚେଇବା ଲାଗି ବିଜେଡି ସଭାପତି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ବିରୋଧୀ ଦଳ ଭାବେ ନବୀନଙ୍କ ଏହି ନିଷ୍ପତ୍ତିକୁ ଆମେ ସମ୍ମାନ କରୁଛୁ । ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ସମର୍ଥନ ଦେବ ।"



ଭକ୍ତ ଏହା ମଧ୍ୟ କହିଛନ୍ତି, "କଂଗ୍ରେସ ଟେକ୍ନିକାଲି ଚିନ୍ତା କରି 3 ସେଟ୍ ଫର୍ମ କିଣିଛି । କୌଣସି ଚାପ କମନ କ୍ୟାଣ୍ଡିଡେଟ ଉପରେ ନପଡୁ । ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରନ୍ତୁ । ତାହା ଉପରେ 2 ତାରିଖରେ କଂଗ୍ରେସ ବିଧାୟକଙ୍କ ବୈଠକ ବସିବ । ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଶିକି ଘୋଷଣା କରିନାହୁଁ କିନ୍ତୁ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା ପାଇଁ ସମର୍ଥନ ଦେଉଛୁ । ରାଜନୀତିରେ ବିଜେପିର ଘୋଡା ବେପାରକୁ ରୋକିବା ପାଇଁ ଏକ ନୀତି ପୂର୍ଣ୍ଣ ରାଜ୍ୟସ୍ଵାର୍ଥରେ କଂଗ୍ରେସ ନେଇଛି । ଉଚ୍ଚସଦନରେ ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ ଡାକ୍ତର ଦତ୍ତେଶ୍ବର ହୋତାଙ୍କର ବଡ଼ ଭୂମିକା ରହିବ । କଂଗ୍ରେସ ଖୋଲା ହୃଦୟରେ ଏହାକୁ ଗ୍ରହଣ କରିଛି । କଂଗ୍ରେସ ସଭାପତି ମଲ୍ଲିକାଅର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ଜାଣତରେ ଆମେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛୁ ।"

ଏହା ମଧ୍ୟ ପଢ଼ନ୍ତୁ- ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଏହା ମଧ୍ୟ ପଢ଼ନ୍ତୁ- ମହଙ୍ଗା ପଡିଲା ନବୀନଙ୍କ ସହ ଯୁକ୍ତିତର୍କ ! ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ଇଟିଭି ଭାରତ, ଭୁବନେଶ୍ବର