ETV Bharat / state

ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ: ଏଗ୍ରିଷ୍ଟାକ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର

ବଢୁଛି ଚାଷୀ ଅସନ୍ତୋଷ । ସରକାର ପ୍ରତି 6 ମାସରେ ଥରେ ସରକାରୀ ନୀତିନିୟମରେ ପରିବର୍ତ୍ତନ କରୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି l ରିପୋର୍ଟ: ବାଦଶାହା ଜୁସ୍ମନ ରଣା

Western Odisha Farmers association opposes Odisha govts Agristock registration process
ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ: ଏଗ୍ରିଷ୍ଟାକ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର (ETV Bharat Odisha)
author img

By ETV Bharat Odisha Team

Published : September 1, 2026 at 9:32 AM IST

3 Min Read
Choose ETV Bharat

ସମ୍ବଲପୁର: ପୁଣି ତେଜିଲା ଚାଷୀ ଅସନ୍ତୋଷ । ଧାନ କ୍ରୟ ପ୍ରକ୍ରିୟାରେ ଏଗ୍ରିଷ୍ଟାକ ବ୍ୟବସ୍ଥା ତଥା ପଞ୍ଜିକରଣ ନେଇ ଥିବା ବିଭିନ୍ନ ସମସ୍ୟାକୁ ନେଇ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଚାଷୀ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗତକାଲି (ସୋମବାର) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନ ନେଲେ ଆସନ୍ତା ନଭେମ୍ବର ମାସରେ ରାଜ୍ୟବ୍ୟାପୀ ବିଶାଳ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ: ଏଗ୍ରିଷ୍ଟାକ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର (ETV Bharat Odisha)

ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ଅବଧିକୁ ପୁଣି 7 ଦିନ ବଢ଼ାଇଛନ୍ତି । ଏହାକୁ ନେଇ ଚାଷୀ ଖୁସି ପ୍ରକଟ କରିଛନ୍ତି । ହେଲେ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ସରକାର ଅଧିକ ଜଟିଳତମ କରିଛନ୍ତି । ସରକାର ପ୍ରତି 6 ମାସରେ ଥରେ ସରକାରୀ ନୀତିନିୟମରେ ପରିବର୍ତ୍ତନ କରୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି l ଯାହାଫଳରେ ଚାଷୀ ଅନେକ ମାତ୍ରାରେ ହଇରାଣ ହେଉଛନ୍ତି । ହେଲେ ସରକାର ବନ୍ଦୋବସ୍ତ ବ୍ୟବସ୍ଥାର କୌଣସି ପରିବର୍ତ୍ତନ କରୁନାହାନ୍ତି । ପଡୋଶୀ ରାଜ୍ୟ ଛତିଶଗଡରେ ଚାଷୀମାନେ ବେଶ୍ ଲାଭବାନ ହେଉଛନ୍ତି । ହେଲେ ଏଠାରେ ଚାଷୀ ବହୁ ଜଟିଳତା ଦେଇ ଗତି କରୁଛି ବୋଲି ଚାଷୀ କହିଛନ୍ତି ।

Submission of demand letter to the Chief Minister through Sambalpur District Administration
ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ (ETV Bharat Odisha)


ଚାଷୀ ପଞ୍ଜୀକରଣ ସମସ୍ୟା:
ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ସଭାପତି ବ୍ୟୋମକେଶ ଠାକୁର କହିଛନ୍ତି, ‘ପଶ୍ଚିମ ଓଡିଶାର ସବୁ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେଇଛନ୍ତି । ସରକାର ଯେଉଁ ପଞ୍ଜୀକରଣ ଅବଧି ବଢ଼େଇଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ । ସରକାର ଚାଷୀ ପଞ୍ଜୀକରଣକୁ ସରଳୀକରଣ ନାଁରେ ଏହାକୁ ଆହୁରି ଜଟିଳ କରୁଛନ୍ତି । ସେଥିପାଇଁ ବହୁ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେଉଛନ୍ତି । ଭଗଚାଷୀ ପଞ୍ଜୀକରଣରେ ପ୍ରକୃତ ଜମି ମାଲିକର ଆଇ-ସ୍କାନ ଆବଶ୍ୟକ ପଡୁଛି । ହେଲେ କିଛି ଭାଗଚାଷୀଙ୍କ ପ୍ରକୃତ ଜମି ମାଲିକ ରାଜ୍ୟ ବାହାରେ ରହୁଥିବାରୁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି ।’

Farmer sitting in Protest
ଧାରଣାରେ ବସିଥିବା ଚାଷୀ (ETV Bharat Odisha)

ଏଗ୍ରିଷ୍ଟାକ ଉଚ୍ଛେଦ ଦାବି:
ଅନ୍ୟପଟେ ଧାନ କ୍ରୟ ବ୍ୟବସ୍ଥାରେଏଗ୍ରିଷ୍ଟାକକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଉ ବୋଲି ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ସଭାପତି କହିଛନ୍ତି । "ଏହା ସହ ଦେବୋତ୍ତର ଜମିକୁ ଚାଷ କରୁଥିବା ଚାଷୀର ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଉ l ପଞ୍ଜୀକରଣ ପରେ ଚାଷୀଙ୍କୁ ଏକାକାଳୀନ ଟୋକନ ଦେବାର ବ୍ୟବସ୍ଥା କରାଯାଉ । ଏହା ସହ ବିଭିନ୍ନ ବିଭାଗର ମନ୍ତ୍ରୀ ଚାଷୀଙ୍କ ବିରୁଦ୍ଧରେ ଯେଉଁ ବୟାନବାଜି କରୁଛନ୍ତି ତାହାକୁ ବନ୍ଦ କରାଯାଉ," ବୋଲି କହିଛନ୍ତି ଚାଷୀ ନେତା ବ୍ୟୋମକେଶ ଠାକୁର ।

Sambalpur District Farmers' Protection Organization President Byomkesh Thakur
ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ସଭାପତି ବ୍ୟୋମକେଶ ଠାକୁର (ETV Bharat Odisha)


ଚାଷୀଙ୍କ ପ୍ରମୁଖ ଦାବି:

  • ଜମି ବନ୍ଦୋବସ୍ତ ସମ୍ପୂର୍ଣ୍ଣହେବା ଓ ଚକବନ୍ଦୀ ଜମି, ଯୁଗ୍ମ ମାଲିକାନା ଦେବୋତ୍ତର ଜମି, ମୃତ ଲୋକ ନାଁରେ ଜମି, ଭାଗଚାଷୀକୁ ମାନ୍ୟତା ଆଦି ପ୍ରସଙ୍ଗ ସହ ଜଡ଼ିତ ଜଟିଳ କାମ ନ ସରିବା ଯାଏଁ ‘ଏଗ୍ରିଷ୍ଟାକ ପଞ୍ଜିକରଣ ଓ ଅସଲ ଜମିମାଲିକଙ୍କୁ ପଟ୍ଟା ମିଳିବାର ବ୍ୟବସ୍ଥା ନ ହେବାଯାଏଁ ‘କଲମ-୨’ କାମକୁ ବନ୍ଦ ରଖାଯାଉ
  • ପଞ୍ଜିକରଣ ବ୍ୟବସ୍ଥାରେ ରହିଥିବା ଅନ୍ତଃର୍ନିହିତ ଜଟିଳତା, ଭାଗଚାଷୀଙ୍କ ପଞ୍ଜୀକରଣକୁ ନେଇ ରହିଥିବା ସମସ୍ୟା ଓ ନେଟ୍ ଗତିର ମନ୍ଥରତା କାରଣରୁ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ଶେଷଯାଏଁ ଘୁଞ୍ଚାଯାଉ
  • ପ୍ରତିଟି ଚାଷୀର ପଞ୍ଜୀକରଣ ଅନୁଯାୟୀ ପ୍ରଥମରୁ ଏକକାଳୀନ ଟୋକନ୍‌ ବ୍ୟବସ୍ଥା ନିଶ୍ଚିତ କରାଯାଉ
  • ଭାଗଚାଷୀଙ୍କ ଆଇନଗତ ମାନ୍ୟତାର ବ୍ୟବସ୍ଥା ନ ହେବାଯାଏଁ ଜମିମାଲିକଙ୍କ ଆଇରିସ୍‌କୁ ବାଧ୍ୟତାମୂଳକ ନ‌କରି ଗତବର୍ଷର ପ୍ରକ୍ରିୟାକୁ ବଜାୟ ରଖାଯାଉ
  • ପଞ୍ଜୀକରଣ ପରେ ବିକ୍ରି ବେଳେ ଯେମିତି ଟୋକନ୍ ସମସ୍ୟା ନଆସେ ସେ ସମ୍ପର୍କରେ ଏକ ନିର୍ଭରଯୋଗ୍ୟ ଘୋଷଣା ମୂଖ୍ୟମନ୍ତ୍ରୀଙ୍କ ତରଫରୁ କରାଯାଉ
  • ଦେବୋତ୍ତର, ‘ଜଙ୍ଗଲ ଜମି’ ଓ ‘ଆଟ ଜମି’ରେ ଚାଷ ହେଇଥିବା ଧାନ ପଞ୍ଜୀକରଣକୁ ନିଶ୍ଚିତ କରାଯାଉ
  • ପ୍ରତି ପଞ୍ଚାୟତରେ କ୍ୟାମ୍ପ କୋର୍ଟ କରି ଜମିଜମା ସମ୍ବନ୍ଧିତ ସମସ୍ୟାକୁ ସମାଧାନ କରି ଅସଲ ଜମି ମାଲିକଙ୍କୁ ପଟ୍ଟା ପ୍ରଦାନ କରାଯାଉ
  • ହାଇଟେକ୍ ଜମି ବ୍ୟବସ୍ଥାକୁ ବନ୍ଦ କରାଯାଉ । ସାଟେଲାଇଟ୍‌ର ମାତ୍ରାଧିକ ବ୍ୟବହାର ବଦଳରେ ଚାଷୀ ଜମିକୁ ଯାଇ ଜମି ବନ୍ଦୋବସ୍ତ କାମ କରାଯାଉ
  • ‘ଜିଲ୍ଲା କ୍ରୟ ସମିତି’କୁ ପୁନଃକ୍ଷମତା ଦିଆଯାଉ । ଜିଲ୍ଲାସ୍ତରରେ ମଣ୍ଡି ଖୋଲିବା, ବନ୍ଦ କରିବା, ପ୍ରତି ଜିଲ୍ଲାର କ୍ରପ୍ କଟିଂ ଆଧାରରେ ଏକର ପିଛା କେତେ କ୍ବିଣ୍ଟାଲ ଧାନ କିଣାଯିବ ତାହା ସ୍ଥିର କରାଯାଉ ଓ ରାଜଧାନୀରୁ ସାରା ବ୍ୟବସ୍ଥା ନିୟନ୍ତ୍ରଣ କରିବାର କେନ୍ଦ୍ରୀକରଣ ନୀତି ବନ୍ଦ ହେଉ । ଟୋକନ୍ ପରିଚାଳନା ଜିଲ୍ଲା ଓ ପେକ୍ସ ସ୍ତରରେ କରାଯାଉ
  • ଅଣଧାନ ଫସଲ ପ୍ରଚାରପ୍ରସାର ଲାଗି ଠୋସ୍ ନୀତି, ଢାଞ୍ଚା , ଭିତ୍ତିଭୂମି, ଭଣ୍ଡାର, ପ୍ରକ୍ରିୟାକରଣ ତଥା ବଜେଟରେ ସ୍ପଷ୍ଟ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା, ସର୍ବନିମ୍ନ ସହାୟକ ମୂଲ୍ୟ ସହ ବଜାର ବ୍ୟବସ୍ଥା କରାଯାଉ
  • ଅଣଧାନ ଫସଲ ଲାଗି ନୀତି, ଢାଞ୍ଚା, ସର୍ବନିମ୍ନ ସହାୟକ ମୂଲ୍ୟ ଓ ବଜାର ବ୍ୟବସ୍ଥା ନହେବା ଯାଏଁ ଧାନକ୍ରୟକୁ ଶୃଙ୍ଖଳିତ କରି ଘୋଷିତ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦରକୁ ନିଶ୍ଚିତ କରାଯାଉ

ଏହା ମଧ୍ୟ ପଢନ୍ତୁ:

ସମ୍ବଲପୁର ବାଘଲତ ଗାଁରେ ବାଟ ହୁଡ଼ିଛି ବିକାଶ ! ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହୁଅନ୍ତି ଗର୍ଭବତୀ ଏବଂ ରୋଗୀ

59 ଦିନରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା, ବିସ୍ଥାପନ ସମସ୍ୟା ନେଇ ବିଧାନସଭାରେ ପ୍ରସଙ୍ଗ ଉଠେଇବ ବିଜେଡି

ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଭିଜିଲାନ୍ସ ଜାଲରେ ପୂର୍ବତନ ଭାରପ୍ରାପ୍ତ ପ୍ରିନ୍ସପାଲ

ଇଟିଭି ଭାରତ, ସମ୍ବଲପୁର