ସମ୍ବଲପୁରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ପିଟିପିଟି ହତ୍ୟା, 6 ଗିରଫ
ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ଦୁର୍ବୃତ୍ତମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଦାନୀପାଲି ଅଞ୍ଚଳରେ ହତ୍ୟା କରାଯାଇଛି । 6 ଯୁବକ ଗିରଫ ।

Published : December 25, 2025 at 10:37 AM IST
|Updated : December 25, 2025 at 3:04 PM IST
Migrant Labourer Lynched ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଦାନିପାଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ଶେଖ ଜୁଏଲ ବୋଲି ଜଣାପଡ଼ିଛି । ସେ ସମ୍ବଲପୁରରେ ରହି ଶ୍ରମିକ ଭାବରେ କାମ କରୁଥିଲେ । ଗତକାଲି (ବୁଧବାର) ରାତିରେ ତାଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି । ଘଟଣାରେ 6 ଜଣଙ୍କୁ ପୋଲିସ ଗିରଫ କରିଛି ।
ସମ୍ବଲପୁର ଅତିରିକ୍ତ ଏସପି ଶ୍ରୀମନ୍ତ କୁମାର ବାରିକ କହିଛନ୍ତି, "ଏହି ଘଟଣାରେ ମୋଟ 6 ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି । ଗିରଫ ଯୁବକମାନଙ୍କ ସହ ମୃତ ବ୍ୟକ୍ତି ଜଣଙ୍କ ପୂର୍ବରୁ ପରିଚିତ ଥିଲେ । ସେମାନେ ମିଶିକି ଭୋଜି କରନ୍ତି । ଗତକାଲି ବିଡି ପିଇବା ଭଳି ଛୋଟିଆ ଘଟଣାକୁ ନେଇ ଝଗଡା ହୋଇଥିଲା । ଝଗଡାରେ ଉତ୍କ୍ଷୀପ୍ତ ହୋଇ ଜଣେ ଯୁବକ ମୃତକଙ୍କ ମୁଣ୍ଡକୁ ଆଘାତ କରିଥିଲା । ମୁଣ୍ଡରେ ଗଭୀର ଆଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।"
ପଶ୍ଚିମବଙ୍ଗ ଶ୍ରମିକଙ୍କୁ ପିଟିପିଟି ହତ୍ୟା:
ଅଇଁଠାପାଲି ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ କହିବା ଅନୁସାରେ, ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧିନ କୋଠାଘରରେ କିଛି ବଙ୍ଗାଳୀ ସମ୍ପ୍ରଦାୟର ଶ୍ରମିକ ରହି କାମ କରୁଥିଲେ । ବୁଧବାର ରାତି ପ୍ରାୟ ସାଢେ 11ଟା ସମୟରେ ଉକ୍ତ ଶ୍ରମିକମାନଙ୍କ ମଧ୍ୟରୁ 3 ଜଣ ପାଖରେ ଥିବା ଏକ ଦୋକାନକୁ ପାନ ମସଲା ଓ ବିଡି କିଣିବା ପାଇଁ ଯାଇଥିଲେ । ସେଠାରେ ପ୍ରାୟ 4 ଜଣ ଅଜଣା ଯୁବକ ସେମାନଙ୍କ ସହିତ ପ୍ରଥମେ କଥାବାର୍ତ୍ତା ହୋଇଥିଲେ ଓ ବିଡି ମାଗି ଟାଣିଥିଲେ । ଏହି ସମୟରେ କୌଣସି କାରଣରୁ 2 ପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ବଚସା ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳର ଉକ୍ତ 4 ଜଣ ଯୁବକ, ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବା ପରେ ପୁଣି ଯୁକ୍ତିତର୍କ ହୋଇଥିଲା ।

ପରେ ଉକ୍ତ ଯୁବକମାନେ ଶ୍ରମିକମାନଙ୍କୁ ପ୍ରବଳ ମାଡ ମାରିଥିଲେ । ମାଡ ମାରିବା ଯୋଗୁଁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ନିବାସୀ ଶେଖ ଜୁଏଲ ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେପଟେ ଅକୁର ରହମାନ ଓ ସୋନୱାର ହୁସେନ ନାମକ ଅନ୍ୟ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି ।
ଦୁର୍ବୃତ୍ତମାନେ ଫେରାର:
ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଛି । ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି । ମୃତଦେହକୁ ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (DHH) ମର୍ଗରେ ରଖାଯାଇଛି ଏବଂ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ଆଜି ମୃତଦେହର ପୋଷ୍ଟମର୍ଟମ୍ କରାଯିବା ।
ପୋଲିସର ତଦନ୍ତ ଜାରି:
ଅଇଁଠାପାଲି ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ କହିଥିଲେ, "ଅଇଁଠାପାଲି ଥାନାରେ କେସ ନମ୍ବର 429/ 25.12.2025ରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି ।"
ଏହା ମଧ୍ୟ ପଢ଼ନ୍ତୁ... ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; ମୁଖ୍ୟମନ୍ତ୍ରୀ ଆବାସ ଘେରିଲା ବିଜେଡି, କାଲି 6 ଘଣ୍ଟିଆ ଚାନ୍ଦବାଲି ବନ୍ଦ ଭଦ୍ରକରେ ଚାଞ୍ଚଲ୍ୟ: 10 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଣେ ଗିରଫ |
ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଶ୍ରମିକ ସମ୍ବଲପୁର ସହରରେ ଦୀର୍ଘ ବର୍ଷ ହେବ କୋଠା ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି । ସ୍ଥାନୀୟ ଠିକାଦାରମାନେ ଶ୍ରମିକମାନଙ୍କୁ ଆଣି ଏଠାରେ କାମ କରାନ୍ତି । ସ୍ଥାନୀୟ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତି ଏହି ବଙ୍ଗୀୟ ଶ୍ରମିକମାନଙ୍କ ସଠିକ ଠିକଣା ଓ ପରିଚୟ ଯାଞ୍ଚ କରିବାକୁ ଦାବି କରିବା ପରେ 6 ମାସ ପୂର୍ବରୁ ସମ୍ବଲପୁର ପୋଲିସ ପଶ୍ଚିମବଙ୍ଗ ଅଞ୍ଚଳର ଶ୍ରମିକମାନଙ୍କୁ ଡାକି ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରିଥିଲା ।
ଇଟିଭି ଭାରତ, ସମ୍ବଲପୁର

