ସ୍ବାଗତମ 2026: ଆନନ୍ଦ ଉଲ୍ଲାସରେ ନୂଆବର୍ଷ ସେଲିବ୍ରେସନ, ବାଲୁକା କଳାରେ ବିଶ୍ବଶାନ୍ତି ବାର୍ତ୍ତା
2025କୁ ବିଦାୟ ସହ ନୂଆବର୍ଷ 2026କୁ ସ୍ବାଗତ । ନୂଆବର୍ଷରେ ବିଶ୍ବଶାନ୍ତି ପ୍ରତିଷ୍ଠା ବାର୍ତ୍ତା ଦେଲେ ବାଲୁକାକଳା ଶିଳ୍ପୀ । 7 ଟନ ବାଲିରେ ବାଲୁକା କଳା ନିର୍ମାଣ ।

Published : January 1, 2026 at 7:45 AM IST
NEW YEAR 2026 CELEBRATIONS ହାଇଦ୍ରାବାଦ: ବିଦାୟ ନୋଇଛି 2025 । ମନରେ ଉତ୍ସାହ, ଆକାଂକ୍ଷା ଓ ଉଦ୍ଦୀପନା ନେଇ ଉଦୟ ହୋଇଛି 2026 ମସିହାର ପ୍ରଥମ ସୂର୍ଯ୍ୟ । ବିଗତ ବର୍ଷର ଦୁଃଖ ପ୍ରତିଘାତକୁ ଭୂଲି ସଭିଏଁ ଏବେ ନବ ବର୍ଷକୁ ସ୍ବାଗତ କରିବାରେ ବ୍ୟସ୍ତ । କେଉଁଠି ଆତସବାଜି ତ କେଉଁଠି ଭୋଜିଭାତର ଆସର ତ କେଉଁଠି ଜମୁଛି ନୃତ୍ୟଗୀତର ଆସର । ସଭିଏଁ ନିଜ ନିଜ ଷ୍ଟାଇଲ ଓ ଅନ୍ଦାଜରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ।
ବାଲୁକା କଳାରେ ସ୍ବାଗତ:
2026 ମସିହାକୁ ନିଜ ବାଲୁକା କଳାରେ ସ୍ବାଗତ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ବାଲୁକାଶିଳ୍ପୀ ଏକ ୧୫ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଥିଲେ । ଇଂରାଜୀ ନବବର୍ଷ 2026କୁ ସ୍ବଗତ ଜଣାଇ ଏହି ବାଲୁକା କଳାକୃତି ନିର୍ମାଣ କରିଛନ୍ତି । ସାରା ବିଶ୍ବରେ ଶାନ୍ତିର ପ୍ରତିଷ୍ଠା ହେଉ ଓ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ସେ କାମନା କରିଛନ୍ତି । ଏହି ବାଲୁକା କଳାରେ 7ଟନର ବାଲୁକା ବ୍ୟବହାର କରାଯାଇଥିବା କୁହାଯାଇଛି । ଏହି କଳାକୃତି ନିର୍ମାଣ କରିବାକୁ ମାନସ କୁମାର ସାହୁଙ୍କୁ 7ଘଣ୍ଟାର ସମୟ ଲାଗିଥିଲା ।
ଗିଫ୍ଟ, କେକ୍ ଓ ଫୁଲ ଦୋକାନରେ ଭିଡ଼:
ପାଦ ଥାପିଛି ନୂଆବର୍ଷ ଏଥିପାଇଁ ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ସଭିଏଁ ନିଜ ସାଙ୍ଗସାଥୀ ତଥା ପ୍ରିୟଜନଙ୍କ ସହିତ ବର୍ଷର ପ୍ରଥମ ଦିନକୁ ଧୂମଧାମରେ ପାଳନ କରିବାକୁ ପ୍ରସ୍ତୁତ । ସେଥିପାଇଁ ଗିଫ୍ଟ ଦୋକାନ, କେକ୍ ଓ ମିଠା ଦୋକାନ ଆଦିରେ ପ୍ରବଳ ଭିଡ଼ ଜମୁଥିବାର ଦେଖା ଯାଇଥିଲା । ଏଥି ସହିତ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି ଫୁଲ ବଜାର । ରାଜଧାନୀରେ ଜମିଛିଫୁଲର ପସରା । ଭଳିକିଭଳି ଆକର୍ଷକ ଫୁଲ ବିକ୍ରି ଆରମ୍ଭ ହୋଇଛି । ଫୁଲ ପ୍ରେମୀମାନଙ୍କ ଭିଡ଼ ମଧ୍ୟ ଏଠାରେ ବଢୁଛି । 30 ଟଙ୍କାରୁ ନେଇ 3000 ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଫୁଲ ଓ ପୁଷ୍ପଗୁଚ୍ଛ ମିଳୁଛି ।

ସୁରକ୍ଷା କଡ଼ା କଡ଼ି:
ନୂଆବର୍ଷକୁ ନେଇ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼଼ି କରାଯାଇଥିଲା । ସମସ୍ତେ ସୁରକ୍ଷିତ ଭାବେ ଆନନ୍ଦୋଲ୍ଲାସର ସହିତ ଏହି ନବବର୍ଷକୁ ସ୍ବାଗତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପାଟ୍ରୋଲିଂ, ଚେକିଂ ଆଦି କରି ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ ।
ସେହିପରି ସାରା ଭାରତରେ ଏବେ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସବୁଠାରେ ଉତ୍ସବର ମାହୋଲ ଦେଖା ଦେଇଛି । ସମସ୍ତେ ସଙ୍ଗୀତ, ଆଲୋକମାଳା ଓ ପ୍ରିୟଜନଙ୍କ ଉନ୍ନତି ପାଇଁ ପ୍ରାର୍ଥନା ସହିତ ନବବର୍ଷର ସ୍ବାଗତ କରିଛନ୍ତି । ସାରା ଦେଶରେ ସୁଖ, ଶାନ୍ତି ଓ ଉନ୍ନତି ପାଇଁ ସମସ୍ତେ ପ୍ରତିବଦ୍ଧ ହେବାକୁ ସଂକଳ୍ପ ନେଉଛନ୍ତି । ଏହା ସହିତ ଚାରିଆଡେ ଉଜ୍ଜ୍ବଳ ଆତସବାଜି ମଧ୍ୟ ଦେଖିବାକୁ ମିଳିଛି । ଏପରି ଖୁବ ଉତ୍ସାହ ଓ ଆନନ୍ଦର ସହିତ ସାରା ଦେଶ ନବବର୍ଷକୁ ସ୍ବାଗତ ଜଣାଇଛି ।

ସାରା ଦେଶରେ ସେଲିବ୍ରେସନ:
ଦେଶର ରାଜଧାନୀ ଦିଲ୍ଲୀରେ ଆକାଶରେ ରଙ୍ଗୀନ ଆଲୋକମାଳା ଓ ଆତସବାଜି ଦେଖିବା ପାଇଁ ଏକାତ୍ରିତ ହୋଇଥିଲେ । ସେହିପରି ବାରାଣସୀ ଏବଂ ପୁରୀରେ ମନ୍ଦିରର ଘଣ୍ଟି ଶବ୍ଦ ରାତି ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇଥିଲା । ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ବହୁ ନାଚଗୀତର ଆସର ତଥା ମ୍ୟୁଜିକ କନସର୍ଟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ସାରା ଦେଶରେ ଶୀତର ଲହରୀ ଚାଲିଥିବା ବେଳେ ଏହି ଉତ୍ସବର ମାହୋଲ ସଭିଙ୍କ ମଧ୍ୟରେ ଉଷ୍ମତା ଭରି ଦେଇଛି ।


ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

