କମିଛି ବର୍ଷା, ସୁଧୁରିଛି ବନ୍ୟାସ୍ଥିତି; ହେଲେ ମହାନଦୀର ତଳମୁଣ୍ଡରେ ବଢୁଛି ଜଳପ୍ରବାହ
ବୁଧବାର ସନ୍ଧ୍ୟାରେ ମୁଣ୍ଡୁଳିରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେବ। ତଳି ଅଞ୍ଚଳରେ ନଦୀ ଫୁଲିବ, କିନ୍ତୁ ବନ୍ୟା ଆଶଙ୍କା ନାହିଁ। ରିପୋର୍ଟ-ସଞ୍ଜୀବ କୁମାର ରାୟ


Published : August 26, 2026 at 3:52 PM IST
ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପ୍ରଭାବ କମିଛି । ଅନେକ ନଦୀର ଜଳସ୍ତର ଏବେ ବିପଦସଙ୍କେତ ତଳେ ରହିଛି । ତେବେ ହୀରାକୁଦରୁ ଜଳ ନିଷ୍କାସନ ଜାରି ରହିଥିବାରୁ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପାଇବ । ବୁଧବାର ସେଚ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେବ। ତଳି ଅଞ୍ଚଳରେ ନଦୀ ଫୁଲିବ, କିନ୍ତୁ ଏହା ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ଜଳ ସମ୍ପଦ ବିଭାଗ କହିଛି ।
ବର୍ଷା କମିବା ପରେ ଏବେ ରାଜ୍ୟର ବନ୍ୟା ସ୍ଥିତିରେ ଆସିଛି ଆଶ୍ୱସ୍ତି । ୨୬ ଅଗଷ୍ଟ ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ସମ୍ବଲପୁରର ବାମରାରେ ସର୍ବାଧିକ ୪୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପୁରୀ କାକଟପୁରରେ ୪୭ ମିମି, ରାଉରକେଲାରେ ୩୩.୬ ମିମି ଏବଂ ଭୁବନେଶ୍ୱରରେ ୩୩ ମିମି ବର୍ଷା ହୋଇଛି।
ହୀରାକୁଦ ଜଳଭଣ୍ଡାରରେ ଏବେ ୬୨୩.୩୩ ଫୁଟ୍ ଜଳସ୍ତର ରହିଛି । ଜଳଭଣ୍ଡାରର ଜଳ ଧାରଣର କ୍ଷମତା ୬୩୦ ଫୁଟ୍ । ରିଜର୍ଭରର ୧୬ଟି ଗେଟ୍ ଦେଇ ପ୍ରାୟ ୨ ଲକ୍ଷ ୮୯ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ଗତ ୨୪ ଘଣ୍ଟାରେ ହୀରାକୁଦକୁ ହାରାହାରି ୩ ଲକ୍ଷ ୧୮ ହଜାର ୪୫୯ କ୍ୟୁସେକ୍ ପାଣି ପ୍ରବେଶ କରିଥିବା ବେଳେ ୨ ଲକ୍ଷ ୮୯ ହଜାର ୪୬୨ କ୍ୟୁସେକ୍ ପାଣି ନିଷ୍କାସିତ ହୋଇଛି।ଏହାର ପ୍ରଭାବରେ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବଢ଼ୁଛି। ସକାଳ ୯ଟାରେ ମୁଣ୍ଡୁଳିରେ ୫ ଲକ୍ଷ ୬୪ ହଜାର ୮୫ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ତେବେ ସନ୍ଧ୍ୟା ସୁଦ୍ଧା ଏହା ପ୍ରାୟ ୬ ଲକ୍ଷ ୫୦ ହଜାର କ୍ୟୁସେକ୍କୁ ବଢ଼ିବାର ସମ୍ଭାବନା ରହିଛି।
ଜଳ ସମ୍ପଦ ବିଭାଗର ଆକଳନ ଅନୁଯାୟୀ, ଏହାର ପ୍ରଭାବରେ ତଳି ଅଞ୍ଚଳରେ ନଦୀ ଫୁଲିପାରେ । କିନ୍ତୁ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ସରକାରୀ ବୁଲେଟିନ୍ରେ ମୁଣ୍ଡୁଳିରେ ଆଜି ସକାଳ ୯ଟାର ଜଳପ୍ରବାହ ୫,୬୪,୦୮୫ କ୍ୟୁସେକ୍ ବୋଲି ଦର୍ଶାଯାଇଛି। ଅନ୍ୟପକ୍ଷରେ ବୈତରଣୀରେ ମଧ୍ୟ ସ୍ଥିତି ସୁଧୁରୁଛି। ଆଖୁଆପଦାରେ ଜଳସ୍ତର ୧୭.୮୩ ମିଟର ରହିଛି, ଯାହା ବିପଦସଙ୍କେତ ୧୮.୩୩ ମିଟରଠାରୁ ୦.୫ ମିଟର ତଳେ। ବ୍ରାହ୍ମଣୀର ଜେନାପୁରରେ ମଧ୍ୟ ଜଳସ୍ତର ବିପଦସଙ୍କେତଠାରୁ ୧.୯ ମିଟର ତଳେ ରହିଛି। ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ନଦୀରେ ବିପଦସଙ୍କେତ ଉପରେ ଜଳସ୍ତର ନାହିଁ । ମହାନଦୀର ନରାଜରେ ମଧ୍ୟ ଜଳସ୍ତର ୨୫.୦୨ ମିଟର ରହିଛି, ଯାହା ବିପଦସଙ୍କେତ ୨୬.୪୧ ମିଟରଠାରୁ ତଳେ। ରହିଛି ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ପଛକୁ ପଛ ଲଘୁଚାପ: ୩୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା
ଏହା ମଧ୍ୟ ପଢନ୍ତୁ କମୁନି ବନ୍ୟା ପାଣି, ଥମୁନି ଦୁର୍ଦ୍ଦଶା: ଯାଜପୁରରେ ଅନେକ ଗାଁ ଜଳବନ୍ଦୀ

