ଅଲିଭ ରିଡଲେ କଇଁଛଙ୍କୁ ଜଗିବ ୱାଚ୍ ଟାୱାର, AI ନଜରରେ ରହିବେ ଶିକାରୀ
ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଋଷିକୂଲ୍ୟା, ଭିତରକନିକାରେ ତିନୋଟି ୱାଚ ଟାୱାର କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Published : January 8, 2026 at 7:21 PM IST
ଭୁବନେଶ୍ବର: ଓଡି଼ିଶା ଉପକୂଳ ମୁହାଁ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ । ହଜାର ହଜାର ମାଇଲ୍ ଅତିକ୍ରମ କରି ରାଜ୍ୟର ବିଭିନ୍ନ ବେଳାଭୂମିକୁ ଆସିଥାନ୍ତି ଏହି ବିରଳ ପ୍ରଜାତିର କଇଁଛ । ସୁରକ୍ଷିତ ମୁହାଣ ଭାବେ ଓଡ଼ିଶାକୁ ବାଛି ନେଇଛନ୍ତି ଏମାନେ । ସାଧାରଣ ଭାବରେ ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି କଇଁଛଙ୍କ ମିଳନ ପର୍ବ ଜାରି ରହେ । ତେବେ ଏହା ପରେ ପାଖାପାଖି ମେ’ ମାସ ପର୍ଯ୍ୟନ୍ତ ବେଳାଭୂମିରେ ଆରମ୍ଭ ହୋଇଥାଏ ଗଣ ଅଣ୍ଡାଦାନ ପ୍ରକ୍ରିୟା । ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରୁଛି ପ୍ରଶାସନ । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ 3ଟି ସ୍ଥାନରେ ପ୍ରାଥମିକ ଭାବରେ ୱାଚ ଟାୱାର ପ୍ରସ୍ତୁତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ।
ଏହି ସ୍ଥାନକୁ ଆସନ୍ତି ଅଲିଭ ରିଡଲେ:
ତେବେ ଓଡିଶାର ସାମୁଦ୍ରିକ ତଟ କେନ୍ଦ୍ରାପଡ଼ାର ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ପୁରୀ ଜିଲ୍ଲା ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଗଞ୍ଜାମ ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ପୂର୍ବବର୍ଷ ଭଳି ମଧ୍ୟ କଇଁଛଙ୍କ ଆଗମନ ସହ ବନ ବିଭାଗ ସେମାନଙ୍କ ସୁରକ୍ଷା ପାଇଁ ଏକାଧିକ କଟକଣା ସୁରକ୍ଷା ଉପରେ ନଜର ରଖିଛି ।
କଇଁଛଙ୍କ ସୁରକ୍ଷା ପ୍ରାଥମିକତା:
ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, ‘ଚଳିତବର୍ଷ 6 ରୁ 7 ଲକ୍ଷ ଅଲିଭ ରିଡଲେ ଆସିବେ ବୋଲି ଆଶା ରହିଛି । କଇଁଚଙ୍କୁ ସୁରକ୍ଷା ପ୍ରଦାନ କରିବା ଆମର ଦାୟିତ୍ବ । ସେଥିପାଇଁ ଆମର ସେଠାରେ କ୍ଲୋଜ ମନିଟରିଂ କରାଯାଉଛି । ଋଷିକୂଲ୍ୟା, ଭିତରକନିକାରେ ତିନୋଟି ୱାଚ ଟାୱର କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । 3ଟି ସ୍ଥାନରେ ପ୍ରାଥମିକ ଭାବରେ ୱାଚ ଟାୱାର ପ୍ରସ୍ତୁତ କରାଯିବ । ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବୃଦ୍ଧି କରାଯାଇପାରେ ।’

ଶିକାରୀଙ୍କୁ ଜଗିବ ଏଆଇ କ୍ୟାମେରା:
ଏପଟେ ଜଣେ ବରିଷ୍ଠ ବନ ବିଭାଗର ଅଧିକାରୀ କହିଛନ୍ତି, ‘ଅଲିଭ ରିଡଲେ ପାଇଁ ଲାଗିବ ଏଆଇ କ୍ୟାମେରା । ଯାହା ଶିକାରୀ ଓ ଅବାଧ ପ୍ରବେଶକୁ ନେଇ ନଜର ରଖିବ । ଅନେକ ସମୟରେ ଲୋକମାନେ ସମୁଦ୍ର କୂଳକୁ ଯାଇ କଇଁଛଙ୍କ ସହିତ ଲାଗିଥାନ୍ତି ଫଟୋ ମଧ୍ୟ ଉଠାଇଥାନ୍ତି । ଏହାକୁ ବାରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ରହିବା ସହିତ ଏଆଇ କ୍ୟାମେରା ମଧ୍ୟ ଲଗାଯିବ । ଯାହା ଫଳରେ ଶିକାରୀ ଓ ସାଧାରଣ ଲୋକଙ୍କ ଉପରେ କଡା ନଜର ରଖାଯିବ । କଇଁଛ ଆସିବା ବେଳେ ଡଙ୍ଗା ଆଦିକୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଉଛି ।’
କେଉଁ ବର୍ଷ କେତେ ଆସିଛନ୍ତି ଅଲିଭ ରିଡଲେ ?
ବନବିଭାଗର ସୂଚନା ଅନୁଯାୟୀ...
- 2019-20ରେ ଗହିରମଥାକୁ ଅଲିଭ ରିଡଲେ ଆସିଛନ୍ତି 4.07 ଲକ୍ଷ
- ଋଷିକୂଲ୍ୟାକୁ ଆସିଛନ୍ତି 3.23 ଲକ୍ଷ
- 2020-21ରେ ଗହିରମଥାକୁ ଅଲିଭ ରିଡଲେ ଆସିଛନ୍ତି 3.50 ଲକ୍ଷ
- ଋଷିକୂଲ୍ୟାକୁ କୌଣସି ଅଲିଭ ରିଡଲେ ଆସିନାହାନ୍ତି
- 2021-22ରେ ଗହିରମଥାକୁ ଅଲିଭ ରିଡଲେ ଆସିଛନ୍ତି 5.01 ଲକ୍ଷ
- ଋଷିକୂଲ୍ୟାକୁ ଆସିଛନ୍ତି 5.50 ଲକ୍ଷ
- 2022-23ରେ ଗହିରମଥାକୁ ଅଲିଭ ରିଡଲେ ଆସିଛନ୍ତି 5.12 ଲକ୍ଷ
- ଋଷିକୂଲ୍ୟାକୁ ଆସିଛନ୍ତି 6.37 ଲକ୍ଷ
- 2023-24ରେ ଗହିରାମଥାକୁ ଅଲିଭ ରିଡଲେ ଆସିଛନ୍ତି 3.01 ଲକ୍ଷ
- ଋଷିକୂଲ୍ୟାକୁ କୌଣସି ଅଲିଭ ରିଡଲେ ଆସିନଥିବା ବନବିଭାଗର ସୂଚନା
- 2024-25ରେ ଗହିରାମଥାକୁ ଅଲିଭ ରିଡଲେ ଆସିଛନ୍ତି 6.07 ଲକ୍ଷ
- ଋଷିକୂଲ୍ୟାକୁ ଆସିଛନ୍ତି 9.04 ଲକ୍ଷ ଅଲିଭ ରିଡଲେ
କଇଁଛଙ୍କ ଦେହରେ ଲାଗିଲା ସ୍ୟାଟେଲାଇଟ ଟ୍ୟାଗ:
ଏପଟେ ରାଜ୍ୟ ବନ ବିଭାଗ ଅଲିଭ୍ ରିଡଲେ କଇଁଛଙ୍କ ସାଟେଲାଇଟ୍ ଟ୍ୟାଗିଂ ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଏବଂ ଗଞ୍ଜାମର ଋଷିକୂଲ୍ୟାରେ ଅଲିଭ୍ ରିଡଲେ କଇଁଛଙ୍କ ଦେହରେ ସାଟଲାଇଟ ଟ୍ୟାଗିଂ କରାଯାଇଛି । ଚଳିତ ବର୍ଷ 9ଟି ଅଲିଭ୍ ରିଡଲେ କଇଁଛଙ୍କ ସାଟେଲାଇଟ୍ ଟ୍ୟାଗିଂ ଟାର୍ଗେଟ ଥିବା ବେଳେ ବର୍ତ୍ତମାନ ସୁଧା 8ଟି କଇଁଛଙ୍କ ଦେହରେ ଲାଗିଛି ସାଟେଲାଇଟ ଟ୍ୟାଗ । କିଛିଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଛଅଟି ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କୁ ସାଟେଲାଇଟ୍-ଲିଙ୍କ୍ଡ୍ ଟ୍ରାକିଂ ଡିଭାଇସ୍ ସହିତ ଟ୍ୟାଗିଂ କରାଯାଇଥିଲା । ସେହିପରି ଭାବରେ ଗଞ୍ଜାମର ଋଷିକୂଲ୍ୟା ନଦୀ ମୁହାଣରେ ଦୁଇଟି ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କୁ ସାଟେଲାଇଟ୍-ଲିଙ୍କଡ୍ ଟ୍ରାକିଂ ଡିଭାଇସ୍ ସହିତ ଟ୍ୟାଗିଂ କରାଯାଇଛି । ଚଳିତ ବର୍ଷ ମୋଟ 9 କଇଁଛ ମଧ୍ୟରୁ 4 ପୁରୁଷ ଏବଂ 5 ମାଈ କଇଁଛଙ୍କ ଦେହରେ ଟ୍ୟାଗ୍ କରାଯିବା ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର

