ETV Bharat / state

ଆବର୍ଜନା ପାଲଟିଛି ଆକର୍ଷଣ; ଚର୍ଚ୍ଚା ସାଉଁଣ୍ଟୁଛି ରାଜଧାନୀର ପ୍ରଥମ ୱେଷ୍ଟ ଟୁ ୱେଲଥ ପାର୍କ

ଭୁବନେଶ୍ୱର ସରକାରୀ ପଲିଟେକ୍ନିକ ପରିସରରେ ନିର୍ମାଣ ହୋଇଛି ୱେଷ୍ଟ 2 ୱେଲଥ ପାର୍କ ।ପରିତ୍ୟକ୍ତ ସାମଗ୍ରୀକୁ ନେଇ ତିଆରି କଳାକୃତିକୁ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଘଡ଼ିଏ ଠିଆ ହୋଇ ଦେଖୁଛନ୍ତି ।

Waste to Wealth Park Bhubaneswar Scrap Art Innovation Sustainability
ଭୁବନେଶ୍ୱର ସରକାରୀ ପଲିଟେକ୍ନିକ ପରିସରରେ ନିର୍ମାଣ ହୋଇଛି ୱେଷ୍ଟ 2 ୱେଲଥ ପାର୍କ (ETV Bharat)
author img

By ETV Bharat Odisha Team

Published : January 3, 2026 at 5:28 PM IST

4 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ଭବାନୀ ଶଙ୍କର ଦାସ

Recycling Park in Bhubaneswar ଭୁବନେଶ୍ବର: ପୁରୁଣା ଟାୟାରରୁ ତିଆରି ହୋଇଛି ଯୁଦ୍ଧରେ ବ୍ୟବହାର ହେଉଥିବା ଟ୍ୟାଙ୍କ । ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ହୋଇଛି ଟ୍ୟାପରୁ ଝରୁଥିବା ପାଣି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସୁନ୍ଦର ପ୍ରତିମୂର୍ତ୍ତି ରୂପେ ସଜେଇ ହୋଇଛି ଆଇରନ ନଟ । ମଟର ସାଇକେଲ ଚେନ ସକେଟରେ ପ୍ରସ୍ତୁତ ହୋଇଛି ଭାରତ ମାନଚିତ୍ର । ଆମେ ଦୈନନ୍ଦିନ ଜୀବନରେ ଏଭଳି ଅନେକ ସାମଗ୍ରୀକୁ ବ୍ୟବହାର ପରେ ଅଦରକାରୀ ଭାବି ଫୋପାଡ଼ି ଦେଉଥ‌ିବା ଅଦରକାରୀ ସାମଗ୍ରୀରୁ ପ୍ରସ୍ତୁତ ହୋଇଛି ଆକର୍ଷଣୀୟ କଳାକୃତି । ଏଭଳି ସୁନ୍ଦର କଳାକୃତିକୁ ନେଇ ପାର୍କରେ ପରିଣତ ହୋଇପାରେ ଏହା କେହି କେବେ ଭାବନ୍ତି ନାହିଁ । ପରିତ୍ୟକ୍ତ ସାମଗ୍ରୀକୁ ନେଇ ତିଆରି କଳାକୃତିକୁ ରାସ୍ତାରେ ଯାଉଥ‌ିବା ଲୋକେ ମଧ୍ୟ ଘଡ଼ିଏ ଠିଆ ହୋଇ ଦେଖୁଛନ୍ତି । ଆମେ କହୁଛୁ ଭୁବନେଶ୍ୱର ସରକାରୀ ପଲିଟେକ୍ନିକ ପରିସରରେ ନିର୍ମାଣ ହୋଇଥିବା ୱେଷ୍ଟ 2 ୱେଲଥ ପାର୍କ (Waste 2 Wealth ParK) କଥା ।

ଭୁବନେଶ୍ୱର ସରକାରୀ ପଲିଟେକ୍ନିକ ପରିସରରେ ନିର୍ମାଣ ହୋଇଛି ୱେଷ୍ଟ 2 ୱେଲଥ ପାର୍କ (ETV Bharat)

ୱେଷ୍ଟ 2 ୱେଲଥ ପାର୍କ:

ପର୍ଯ୍ୟଟନ ଓ ମନ୍ଦିରମାଳିନୀ ସହର ଭାବେ ଭୁବନେଶ୍ୱର ସାରା ବିଶ୍ୱରେ ପରିଚିତ । ବର୍ଷର ପ୍ରତ୍ୟେକ ଦିନ ଭୁବନେଶ୍ୱରକୁ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୁଏ । ଭୁବନେଶ୍ୱରକୁ ଆଇଟି ଓ ଇନୋଭେସନର ହବ ଭାବେ ଗଢି ତୋଳିବା ଲାଗି ବିଭିନ୍ନ ପର୍ଯ୍ୟାୟରେ ଯୋଜନା ହେବା ସହ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଭୁବନେଶ୍ୱର ସରକାରୀ ପଲିଟେକ୍ନିକ ପରିସରରେ ନିର୍ମାଣ ହୋଇଥିବା ୱେଷ୍ଟ 2 ୱେଲଥ ପାର୍କ ପର୍ଯ୍ୟଟନ ଓ ଇନୋଭେସନ ଦୃଷ୍ଟିକୋଣରୁ କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି । କାରଣ ଜାତିସଂଘର ଏସଡିଜି ଗୋଲକୁ ଦୃଷ୍ଟିରେ ରଖି ଏହି ପାର୍କ ପ୍ରସ୍ତୁତ ହେଉଛି ।

India Map Made From Waste
ଆବର୍ଜନାରୁ ତିଆରି ଭାରତ ମାନଚିତ୍ର (ETV Bharat)

ମନଲୋଭା ସ୍ଥାନ ପାଲଟିଛି ସରକାରୀ ପଲିଟେକ୍ନିକ ପରିସର:

ଆମେ ଦୈନନ୍ଦିନ ଜୀବନରେ ଅନେକ ସାମଗ୍ରୀ ବ୍ୟବହାର କରନ୍ତି । କିଛିଦିନ ବ୍ୟବହାର ପରେ ଏହି ସାମଗ୍ରୀକୁ ଅଦରକାରୀ ଜିନିଷ ଭାବି ଫିଙ୍ଗି ଦିଅନ୍ତି । ଏହି ସାମଗ୍ରୀ ମଧ୍ୟରେ ଅଟୋମୋବାଇଲ ମ୍ୟାଟେରିଆଲ, ପ୍ଲାଷ୍ଟିକ ସାମଗ୍ରୀ ଓ ଇଲେକ୍ଟ୍ରୋନିକ୍ସ ଗେଜେଟ ରହିଛି । ଏହି ୱେଷ୍ଟ ବା ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଜିନିଷ ପ୍ରସ୍ତୁତ କରି ହେବ, ତାହାର କଳନା ଆମେ କେବେ ହୁଏତ କରିନଥାନ୍ତି । ଖାଲି ସେତିକି ନୁହେଁ, ଏହି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଆକର୍ଷଣୀୟ ପାର୍କ ପ୍ରସ୍ତୁତ କରିହେବ । ଯାହାକୁ ସ୍ୱଚକ୍ଷୁରେ ନଦେଖିଲେ କେହି ବିଶ୍ୱାସ କରିପାରିବ ନାହିଁ । ସେହିଭଳି ଏକ ମନଲୋଭା ସ୍ଥାନ ହେଉଛି ଭୁବନେଶ୍ବରର ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଥିବା ୱେଷ୍ଟ ଟୁ ୱେଲ୍ଥ ପାର୍କ ।

Government Polytechnic in Bhubaneswar
ଭୁବନେଶ୍ୱର ସରକାରୀ ପଲିଟେକ୍ନିକ (ETV Bharat)
20ରୁ ଉର୍ଦ୍ଧ୍ବ ସାମଗ୍ରୀ ତିଆରି:

ପ୍ରାୟ 5 ହଜାର ସ୍କୋୟାର ଫୁଟ ସ୍ଥାନରେ ୱେଷ୍ଟ ବା ଅଦରକାରୀ ସାମଗ୍ରୀରେ ଭାରତ ମାନଚିତ୍ର, ଅଗ୍ରପୂଜ୍ୟ ଗଣେଶ, ଜାତିର ପିତା ମହାତ୍ମା ଗାନ୍ଧୀ, ବିରାଟ ଜିରାଫ, ଯୁଦ୍ଧ ଟ୍ୟାଙ୍କ ସହିତ ବିଭିନ୍ନ ପ୍ରକାର ପଶୁପକ୍ଷୀ, ରୋବଟ, ଗିଟାର, ମାଛ, ପାଣି ଟ୍ୟାବ ଭଳି 20ରୁ ଉର୍ଦ୍ଧ୍ବ ସାମଗ୍ରୀ ତିଆରି ହୋଇଛି । ଏହା ସହିତ ସ୍କିଲ ପାର୍କରେ ଥିବା କଳାକୃତି ମଧ୍ୟରେ ଅଟୋମେସନ ଖଞ୍ଜା ଯାଉଛି । ବର୍ତ୍ତମାନ ଗଣେଶଙ୍କ ଦେହରେ ଅଟୋମେସନର ବ୍ୟବହାର ହୋଇଛି । ଗଣେଶ ମୂର୍ତ୍ତିରେ ଗୀତ ବାଜୁଛି । ଆଗକୁ ହାତୀ ପାଣି ଫୋପାଡୁଥିବାର ଦୃଶ୍ୟ ଦେଖିବାକୁ ମିଳିବ । ଏହା ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିବ ।

A Horse Made In Waste knot
ଲୁହା ନଟ୍‌ରେ ତିଆରି ଏକ ଘୋଡା (ETV Bharat)

ସ୍କିଲ ପାର୍କ ଉଦଘାଟନ:

ଭୁବନେଶ୍ବର ପଲିଟେକ୍ନିକର ଛାତ୍ରଛାତ୍ରୀ ବର୍ଜ୍ୟବସ୍ତୁରୁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟକରଣ ସାମଗ୍ରୀ ତିଆରି କରିଛନ୍ତି । ବିଶେଷକରି ଅଟୋମୋବାଇଲ ସ୍କ୍ରାପ, ପ୍ଲାଷ୍ଟିକ ବୋତଲ ଓ ଠିପି, ଇ -ୱେଷ୍ଟ ଓ ସ୍କ୍ରାପ, ବିଲ୍ଡିଂ ଭାଙ୍ଗିବା ପରେ ମିଳୁଥିବା ଲୁହା ଛଡ଼ ଓ ମେଟାଲ ୱେଷ୍ଟ, ଭଙ୍ଗା କ୍ରାଙ୍କ, ପୁରୁଣା ଟାୟାର, ଭଙ୍ଗା ମଦର ବୋର୍ଡ, ପିସି, ଅଟୋମୋବାଇଲ୍ସ, ବାଥରୁମ ବ୍ୟବହୃତ ହେଉଥିବା ଟିଣ କବାଟ ଆଦିକୁ ନେଇ ଏକ ଆକର୍ଷଣୀୟ କଳାକୃତି ତିଆରି ହୋଇଛି । ଏହି ସବୁକୁ ତିଆରି କରିବା ପାଇଁ ମାତ୍ର 2ରୁ 3 ମାସ ସମୟ ଲାଗିଛି । ଚଳିତ ମାସ ଏହି ସ୍କିଲ ପାର୍କକୁ ଉଦଘାଟନ କରାଯିବାର ଯୋଜନା ରହିଛି । ଏହା ପରେ ପରେ ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ଦର୍ଶକ ଏହି ପାର୍କକୁ ବୁଲିବାକୁ ଆସିପାରିବେ ।

Bhubaneswar Government Polytechnic Students Making Wealth from Waste
ଭୁବନେଶ୍ୱର ସରକାରୀ ପଲିଟେକ୍ନିକ୍ ଛାତ୍ରମାନେ ଆବର୍ଜନାରୁ କିଛି ଜିନିଷ ତିଆରି କରୁଛନ୍ତି (ETV Bharat)

2D ଜିନିଷକୁ 3Dରେ ପରିଣତ:

ଭୁବନେଶ୍ୱର ସରକାରୀ ପଲିଟେକ୍ନିକ ଅଧ୍ୟକ୍ଷ ରଜତ ପାଣିଗ୍ରାହୀ କହିଛନ୍ତି, "ଗ୍ରୀନ ସ୍କିଲ ଫର ୱେଷ୍ଟ ଟୁ ୱେଲଥ ଅର୍ଥାତ ପାଠ ପଢିବା ବେଳେ ମଧ୍ୟ ଦୁଇ ପଇସା ରୋଜଗାର କରିବା । ୱେଷ୍ଟ ମ୍ୟାଟେରିଆଲକୁ ରି-ସାଇକେଲ ବା ପୁନଃ ପ୍ରକ୍ରିୟାକରଣ ଚାଲିଛି । ଯେଉଁ ୱେଷ୍ଟ ମ୍ୟାଟେରିଆଲ ମାର୍କେଟରେ ସ୍ୱଳ୍ପ ଟଙ୍କାରେ ମିଳେ, ତାକୁ ନୂଆ ରୂପ ଦେଇ ଅଧିକ ଅର୍ଥରେ ବିକ୍ରି ଯୋଗ୍ୟ କରିବା । ଫଳରେ ଛାତ୍ରଛାତ୍ରୀଙ୍କର ଡିଜାଇନ ସୃଜନଶିଳତା ବୃଦ୍ଧି ହୁଏ । 2D ଜିନିଷକୁ 3Dରେ ପରିଣତ, ଅଟୋକର୍ଡର ବହୁଳ ବ୍ୟବହାର, ଅଟୋମେସନ ଓ ଆଇଓଟିକୁ ଇଣ୍ଟ୍ରିଗେଟ କରି ସ୍କିଲ ଗ୍ୟାପକୁ ଭରଣା କରାଯାଇପାରିବ । ଚାକିରୀ ସମୟରେ ମାର୍କେଟରେ ହଟ କେକ ଭଳି ସୁଯୋଗ ମିଳିବ । ଅନୁଷ୍ଠାନ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଗୌରବର କଥା । ଆଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଭଲ କ୍ୟାମ୍ପସ ଆସିବା ସହ ସେମାନଙ୍କ ଭବିଷ୍ଯତ ଉଜ୍ଵଳ ହେବ ।"

Waste To Wealth Skill Park
ୱେଷ୍ଟ 2 ୱେଲଥ ପାର୍କ (ETV Bharat)

ରୋଲ ମଡେଲ ହବ କରିବା ଲକ୍ଷ୍ୟ:

ଅବ୍ୟବହୃତ ଅଦରକାରୀ ଜିନିଷ ଓ କବାଡ଼ିଆଙ୍କଠୁ ୱେଷ୍ଟ ମ୍ୟାଟେରିଆଲକୁ ମାତ୍ର 15 ଟଙ୍କା କିଲୋ ଦରରେ କିଣି ନୂଆ ଜୀବନ ଦେଇ ୱେଷ୍ଟ 2 ୱେଲଥ ପାର୍କରେ ବ୍ୟବହାର କରାଯାଇଛି । ସେହିପରି ଏହି ଜିନିଷକୁ ପ୍ରତି କିଲୋ 200ରୁ 300 ଟଙ୍କା ପର୍ଯ୍ୟନ୍ତ ଭ୍ୟାଲୁଆଡ କରି ବିକ୍ରି ଯୋଗ୍ୟ ମଧ୍ୟ କରାଯାଉଛି । ୱେଷ୍ଟ ମ୍ୟାଟେରିଆଲକୁ କିଭଳି ସଦୁପଯୋଗ କରାଯିବ ତାହା ଜନସାଧାରଣ ଅବଗତ ହେଉଛନ୍ତି । ପାର୍କର ପ୍ରତ୍ୟେକ ସାମଗ୍ରୀ ଜାତିସଂଘର ଏସଡିଜି ଗୋଲକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହାକୁ ଭୁବନେଶ୍ୱରର ରୋଲ ମଡେଲ ହବ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉଦଘାଟନ ପୂର୍ବରୁ ଏହି ପାର୍କ ଚର୍ଚ୍ଚାରେ ରହିଛି । ଏହି ସ୍କିଲ ପାର୍କ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସ୍ଥାନ ପାଇଛି । ଆଗକୁ ଏହି ସ୍କିଲ ପାର୍କ ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବାକୁ ଯୋଜନା ରଖାଯାଇଛି ।

Tiger statue made in Waste
ଆବର୍ଜନାରେ ତିଆରି ବାଘ ପ୍ରତିମା (ETV Bharat)
ସାଧାରଣ ଲୋକଙ୍କ ପାଇଁ ଖୋଲିବ ପାର୍କ:

ପାର୍କ ଉଦଘାଟନ ହୋଇଗଲେ ସାଧାରଣ ଲୋକଙ୍କ ଲାଗି ଖୋଲି ଦିଆଯିବ । ଅପରାହ୍ନ 5 ଟା'ରେ ଅଫିସ ଛୁଟି ହେବା ପରେ ସନ୍ଧ୍ୟା 8 ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ପାର୍କ ଖୋଲା ରହିବ । ସେହିପରି ସ୍କୁଲ, କଲେକ, ଟେକ୍ନିକାଲ କଲେଜର ପିଲାଙ୍କ ପାଇଁ ସବୁବେଳେ ପାଇଁ ଖୋଲା ରହିବ । ସେମାନେ ଯେତେବେଳେ ଚାହିଁବେ ଏଠାକୁ ଆସିପାରିବେ । ଯେଉଁ ଜିନିଷ ଚାହିଁବେ ଅର୍ଡର ଦେଇ କିଣି ପାରିବେ । ଛୋଟ ଛୁଆ ଏହି ସ୍କିଲ ପାର୍କକୁ ଦେଖି ଅଦରକାରୀ ପଦର୍ଥରୁ ବିଭିନ୍ନ କଳାକୃତି ତିଆରି କରିବା ପାଇଁ ପ୍ରେରଣା ପଇବେ । ପିଲାଙ୍କର ଦକ୍ଷତା ମଧ୍ୟ ବୃଦ୍ଧି ହୋଇପାରିବ ।

Iron Knot decorated as a beautiful statue of Mahatma Gandhi
ମହାତ୍ମା ଗାନ୍ଧୀଙ୍କ ସୁନ୍ଦର ପ୍ରତିମୂର୍ତ୍ତି ରୂପେ ସଜେଇ ହୋଇଛି ଆଇରନ ନଟ (ETV Bharat)

ଏହା ମଧ୍ୟ ପଢନ୍ତୁ...

ଆବର୍ଜନାରୁ ଆକର୍ଷଣ; ଅଦରକାରୀ ଜିନିଷରୁ କଳାକୃତି, ସୁନ୍ଦର ଦିଶୁଛି ଭୁବନେଶ୍ବର

ଗଞ୍ଜାମ ପୋଡ଼ମପେଟାରେ ଗର୍ଜିଲା ଜଳବାୟୁ ପରିବର୍ତ୍ତନ ବିରୋଧୀ ସ୍ବର, ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କଲା 'କ୍ଲାଇମେଟ୍ ବିଲ୍'

ଭୁବନେଶ୍ୱର ସରକାରୀ ପଲିଟେକ୍ନିକର ମେକାନିକାଲ ଅଧ୍ୟାପକ ଧର୍ମପ୍ରକାଶ ସାମଲ କହିଛନ୍ତି, "ୱେଷ୍ଟ 2 ୱେଲଥ ପାର୍କ ପାଇଁ ଆମେ 3 ମାସ ହେଲା କାମ କରୁଛୁ । ଜାତିସଂଘର ଏସଡିଜି ଗୋଲକୁ ଲକ୍ଷ୍ୟ ରଖି ପାର୍କ ପ୍ରସ୍ତୁତ ହୋଇଛି । ଆମ ଆଖପାଖରେ ବହୁଳ ମାତ୍ରାରେ ଥିବା ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରୁଛୁ । ଏହା ଦ୍ୱାରା ଅଦରକାରୀ ସାମଗ୍ରୀର ଆଉ ଡିସପୋଜ ସମସ୍ୟା ରହିବ ନାହିଁ ।"

Bhubaneswar Government Polytechnic Faculty
ଭୁବନେଶ୍ୱର ସରକାରୀ ପଲିଟେକ୍ନିକ୍ ଫ୍ୟାକଲ୍ଟି (ETV Bharat)
Tap water is made from plastic bottles
ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ହୋଇଛି ଟ୍ୟାପରୁ ଝରୁଥିବା ପାଣି (ETV Bharat)
Odisha Map
ଓଡିଶା ମ୍ୟାପ୍‌ (ETV Bharat)

ଇଟିଭି ଭାରତ, ଭୁବନେଶ୍ବର