20 ମାସରେ ବିକାଶର ସବୁ କ୍ଷେତ୍ରରେ ଆମେ ଆଣିଛୁ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ
ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି ।


Published : February 28, 2026 at 8:18 PM IST
ଭୁବନେଶ୍ୱର: ଗତ ୨୦ ମାସ ଧରି ରାଜ୍ୟ ସରକାର 'ବିକଶିତ ଓଡ଼ିଶା- ବିକଶିତ ଭାରତ' ଦୃଷ୍ଟିକୋଣକୁ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସଂପ୍ରସାରଣ ଓ ସାଂସ୍କୃତିକ ପୁନରୁତ୍ଥାନ ମାଧ୍ୟମରେ ରୂପାୟନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଦୃଢ଼ ନେତୃତ୍ୱ, ସ୍ପଷ୍ଟ ନୀତି ଓ ସାମୂହିକ ସଙ୍କଳ୍ପ ଦ୍ୱାରା ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଦୟ ହୋଇପାରିଛି । ଅଭିବୃଦ୍ଧି ହାର ୭.୯%, ୨୦ ଲକ୍ଷ କୋଟିର ପୁଞ୍ଜି ଆକର୍ଷଣ, ୧୦୯ ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତି ସୃଷ୍ଟି, ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ ରାଜ୍ୟ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଆୟୋଜିତ 'ବିକାଶ ମନ୍ଥନ 1.0 : ଗଭର୍ଣ୍ଣାନ୍ସ ଇନ ଆକ୍ସନ' କାର୍ଯ୍ୟକ୍ରମର ଉଦଯାପନୀରେ ଉଦବୋଧନ ଦେଇ ଏହା କହିଛନ୍ତି ।
ଆଜି ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ " ବିକାଶ ମନ୍ଥନ ୧.୦: ଗଭର୍ନାନ୍ସ ଇନ୍ ଆକ୍ସନ୍" ସମ୍ମିଳନୀରେ ଯୋଗ ଦେଲି। ଏହି ଉଚ୍ଚସ୍ତରୀୟ ପରାମର୍ଶ ଶିବିରରେ ବିଭିନ୍ନ ବିଭାଗର ସଚିବ, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କ ସହ ସମନ୍ୱିତ ଶାସନ (collaborative governance) ଓ ‘whole of government approach’ ଉପରେ ଗଭୀର… pic.twitter.com/XkEpMdsB7Q
— Mohan Charan Majhi (@MohanMOdisha) February 28, 2026
ବିକାଶ ମନ୍ଥନ ୧.୦: ଗଭର୍ଣ୍ଣାନ୍ସ ଇନ ଆକ୍ସନ ଉଦଯାପିତ ହୋଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 'ବିକାଶ ମନ୍ଥନ 1.0 : ଗଭର୍ଣ୍ଣାନ୍ସ ଇନ ଆକ୍ସନ' ଭଳି କାର୍ଯ୍ୟକ୍ରମର ସହଆୟୋଜକ Odisha Centre for Integrated Development ବା OCID ର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ସମୃଦ୍ଧ ଓଡ଼ିଶା ଗଠନରେ ସ୍ପଷ୍ଟ ମାର୍ଗଦର୍ଶନ ପାଇଁ ଏଭଳି ବିଚାରବିମର୍ଷ ଅତ୍ୟନ୍ତ ଜରୁରୀ । ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠାରୁ ଅଧିକ । ଗତ ୨୦ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି । ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦଘାଟନ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି । ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, Global Capability Centers ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି । ଓଡ଼ିଶାକୁ ଏକ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ । ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଅତିକ୍ରମ କରିବାକୁ ଯାଉଛି । ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଯାହା GSDP ର ୬.୫ ପ୍ରତିଶତ । ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି । ଯାହା FRBM ସୀମାଠାରୁ ଯଥେଷ୍ଟ କମ ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ହାସଲ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀଙ୍କର ଭରସା ବଢ଼ିଛି । ୨୦୨୪-୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଥିବା ବେଳେ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁ ବାଟିକା ଖୋଲାଯାଇଥିବା ବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଛି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କରାଯାଉଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬-୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି ।

ରାଜ୍ୟର ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ସୁଦ୍ଧା ପାଇପ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ ରିଜିଅନର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି । ସାଂସ୍କୃତିକ କ୍ଷେତ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ, ଐତିହ୍ୟ ଗ୍ରାମ ସୁରକ୍ଷା ଓ ବାଲିଯାତ୍ରାକୁ ବିଶ୍ୱସ୍ତରରେ ପ୍ରଚାର କରାଯାଉଛି । ୪୮ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯାଉଛି । ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ, ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଓସିଆଇଡି ସଂଗଠନ ସଚିବ ରାଣା ପୃଥ୍ୱୀରାଜ ସିଂହ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

