ETV Bharat / state

ବସଷ୍ଟପରେ ଏଣିକି ବୋହିବନି ଝାଳ, ୧୦ ଟି ଷ୍ଟପରେ ବିଏମସି ଲଗାଇଲା ବେଣାଚେର

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ବିଏମସି ଉଦଘାଟିତ କରିଛି ସ୍ୱତନ୍ତ୍ର ବେଣାଚେର ପରଦାର ବସ୍ କ୍ୟୁ ସେଲଟର । ରିପୋର୍ଟ ଦେବସ୍ମିତା ରାଉତ

bhubaneswar bus stop
ରାଜଧାନୀରେ ଶୀତଳ ବସଷ୍ଟପ (ETV Bharat Odisha)
author img

By ETV Bharat Odisha Team

Published : May 28, 2026 at 9:06 AM IST

3 Min Read
Choose ETV Bharat

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ବିଏମସିର ବ୍ୟାପକ ପଦକ୍ଷେପ। ସହରର ବସ ଷ୍ଟାଣ୍ଡରେ ବିଏମସି ଲଗାଇଲା ସ୍ୱତନ୍ତ୍ର ବେଣାଚେର ପରଦା। ଅପେକ୍ଷାରତ ବସ ଯାତ୍ରୀମାନଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ବୁଧବାର ଉଦଘାଟିତ ହୋଇଛି ସ୍ୱତନ୍ତ୍ର ବେଣାଚେର ପରଦାର ବସ୍ କ୍ୟୁ ସେଲଟର । ବିଏମସି ମୁଖ୍ୟାଳୟ ସମ୍ମୁଖରେ ଥିବା ବସଷ୍ଟାଣ୍ଡରୁ ଏହାର ଶୁଭାରମ୍ଭ ହୋଇଛି ।

bhubaneswar bus stop
ରାଜଧାନୀରେ ଶୀତଳ ବସଷ୍ଟପ (ETV Bharat Odisha)

10ଟି ବସଷ୍ଟପରେ ଲାଗିଲା ବେଣାଚେର

ସହରର 10 ଗୋଟି ପ୍ରମୁଖ ବସ ଷ୍ଟପରେ ଏହି ସ୍ୱତନ୍ତ୍ର ବେଣାଚେରେ ତିଆରି ହୋଇଥିବା ବସ୍ କ୍ୟୁ ସେଲଟର ହୋଇଛି । ସେଗୁଡିକ ମଧ୍ୟରେ ରୂପାଲୀ ଛକ, ବାଣୀବିହାର ନିକଟ ଓ୍ୱାଟକୋ ଅଫିସ୍ ସମ୍ମୁଖ, ବାଣୀବିହାର ପାଣ୍ଟାଲୁନ୍ ସମ୍ମୁଖ, ରସୁଲଗଡ, ଜୟଦେବ ବିହାର ଛକ, ଡମଣା ଛକ (ଜୟଦେବ ବିହାର ଆଡକୁ), ଡମଣାଛକ (ପଟିଆ ଆଡକୁ), ରାଜଧାନୀ କଲେଜ୍ ଗେଟ୍ ସମ୍ମୁଖ, ରାଜଧାନୀ କଲେଜ (ଫାୟାର ଷ୍ଟେସନ ଆଡକୁ)ଆଦି ରହିଛି । ଏହି ବେଣା ଚେର ନିର୍ମିତ ବସ୍ କ୍ୟୁ ସେଲଟରେରେ ଦୈନିକ 3 ଥର ଲେଖାଏଁ ପାଣି ଦିଆଯାଉଛି । ଯାହା ଫଳରେ କେବଳ ତା ଭିତର ନୁହେଁ, ପାର୍ଶ୍ୱବର୍ତ୍ତୀ ଅଂଚଳ ମଧ୍ୟ ଥଣ୍ଡା ରହିବ । ଯାହାଦ୍ୱାରା ଦୀର୍ଘ ସମୟ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅପେକ୍ଷା କରିବାକୁ ପଡୁଥିବା ଲୋକମାନେ ଖରାରୁ ଟିକେ ଆଶ୍ୱସ୍ତ ଅନୁଭବ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ମେୟର। ଆଗାମୀ ଦିନରେ ସହରରେ ଆଉ 20 ଟି ସ୍ଥାନରେ ଏହି ଶୀତଳ ବସ ଷ୍ଟପ ବ୍ୟବସ୍ଥା କରାଯିବ।

bhubaneswar bus stop
ରାଜଧାନୀରେ ଶୀତଳ ବସଷ୍ଟପ (ETV Bharat Odisha)


ସେପଟେ ଗ୍ରୀଷ୍ମ ପ୍ରବାହରୁ ଜନସାଧାରଣଙ୍କ ସହ ବୁଲା ପଶୁ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବିଏମସି ବ୍ୟାପକ ପଦକ୍ଷେପ ନେଇଛି । ଦୀର୍ଘସ୍ଥାୟୀ ଏବଂ ପ୍ରାକୃତିକ ଉପାୟରେ ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ ଜାରି ରଖିଛି । ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଟ୍ରାଫିକ୍ ଛକରେ ସ୍ୱତନ୍ତ୍ର ସ୍ଥାୟୀ ସେଡ୍ ନିର୍ମାଣ କରାଯାଇଛି। ଫଳରେ ପଥଚାରୀମାନେ ଟ୍ରାଫିକ୍ ଛକରେ ଖରା ଓ ବର୍ଷାରୁ ରକ୍ଷା ପାଇପାରିବେ । ଏଜି ଛକଠାରେ ଏହା ସଂପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ରୂପାଲୀ ଛକ ଓ ପାଓ୍ୱାର ହାଉସ ଛକରେ ସେଡ୍ କାର୍ଯ୍ୟ ଚାଲୁରହିଛି ।

ଦୁଇଟି ବସ ଷ୍ଟପରେ ଶୀତଳ ବିଶ୍ରାମସ୍ଥଳ

ସେହିପରି ବିଭିନ୍ନ ଅଂଚଳରୁ ଆସୁଥିବା ଲୋକେ କିମ୍ବା ବିଭିନ୍ନ ସ୍ଥାନକୁ ଯିବାପାଇଁ ବସ୍ ଷ୍ଟାଣ୍ଡରେ ଲୋକମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଫଳରେ ଲୋକମାନେ ଅସୁସ୍ଥତା ଅନୁଭବ କରୁଛନ୍ତି । ସେଥିରୁ ରକ୍ଷା ପାଇବା ପାଇଁ କଳ୍ପନା ଓ ଫାୟାରଷ୍ଟସନ ଛକଠାରେ ଦୁଇଟି ଶୀତଳ ବିଶ୍ରାମ ସ୍ଥଳ ଖୋଲାଯାଇଛି । ଲୋକମାନେ ଏହିଠାରେ କିଛି ସମୟ ପାଇଁ ଆଶ୍ରୟ ନେଇ ଖରାରୁ ରକ୍ଷା ପାଇପାରୁଛନ୍ତି । ଏହି ଶୀତଳ ବିଶ୍ରାମସ୍ଥଳଗୁଡିକୁ ଏସି ବଦଳରେ ବେଣା ଚେରଦ୍ୱାରା ଥଣ୍ଡା କରାଯାଉଛି । ଯାହା ଫଳରେ ପରିବେଶ ସୁରକ୍ଷିତ ରହିବା ସହ ପ୍ରାକୃତିକ ଉପାୟରେ ଲୋକମାନେ ଥଣ୍ଡା ପବନ ପାଇପାରୁଛନ୍ତି । ଏହି ବେଣା ଚେରରେ ପାଣି ଦେବା ପାଇଁ ସ୍ୱତନ୍ତ୍ର ଭାବେ ଲୋକଙ୍କୁ ନିୟୋଜିତ କରାଯାଇଛି ।

bhubaneswar bus stop
ରାଜଧାନୀରେ ଶୀତଳ ବସଷ୍ଟପ (ETV Bharat Odisha)


40ଟି ଜନ ଗହଳିପୂର୍ଣ୍ଣ ସ୍ଥାନରେ ସୋଲାର ଓ୍ୱାଟର କିଓସ୍କ


ତେବେ ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି । ସେମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଏମସି ପକ୍ଷରୁ ସହରର 40ଟି ଜନ ଗହଳିପୂର୍ଣ୍ଣ ସ୍ଥାନରେ ସୋଲାର ଓ୍ୱାଟର କିଓସ୍କ ସ୍ଥାପନ କରାଯାଇଅଛି । ଫଳରେ ଲୋକମାନେ ଏଠାରୁ ଥଣ୍ଡା ପାନୀୟ ଜଳ ପାଇପାରୁଛନ୍ତି । ଏହା ଦ୍ୱାରା ବିଦ୍ୟୁତ୍ ସଂଚୟ ହେବା ସହ ସୌରଶକ୍ତିର ସୁବିନିଯୋଗ କରାଯାଉଛି । ଅନ୍ୟପକ୍ଷରେ ପରିବେଶର ମଧ୍ୟ ସୁରାକ୍ଷା ହୋଇପାରୁଛି । କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଜଳଛତ୍ର ମଧ୍ୟ ଖୋଲାଯାଇ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

bhubaneswar bus stop
ରାଜଧାନୀରେ ଶୀତଳ ବସଷ୍ଟପ (ETV Bharat Odisha)

କେବଳ ମଣିଷମାନଙ୍କ ପାଇଁ ନୁହେଁ, ବୁଲା ପଶୁ ପକ୍ଷୀଙ୍କ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଜଳ ବ୍ୟବସ୍ଥା କରାଯାଇଛି । ବୁଲା ଗାଈଗୋରୁ, କୁକୁର, ବିରାଡି, ମାଙ୍କଡ ଆଦି ପଶୁମାନଙ୍କ ପାଇଁ ବିଭିନ୍ନସ୍ଥାନରେ କୁଣ୍ଡରେ ନିୟମିତ ପାଣି ରକ୍ଷାଯାଉଥିବା ବେଳେ ଚଢେଇମାନଙ୍କ ପାଇଁ ବିଭିନ୍ନ ଗଛ ଓ ସେମାନଙ୍କର ସମାଗମ ସ୍ଥାନରେ ଜଳ ବ୍ୟବସ୍ଥା କରାଯାଇଛି । ଏପରକି ଚଢେଇମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ବସା ତିଆରି କରି ଗଛଗୁଡିକରେ ରଖାଯାଉଛି । ଫଳରେ ଚଢେଇମାନେ ସେହିସବୁ ବସାରେ ଆଶ୍ରୟ ନେଉଛନ୍ତି । ଏହା ବ୍ୟତୀତ ବିଏମ୍ ସି ପାର୍କଗୁଡିକରେ ମଧ୍ୟ ପଶୁପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା କରାଯାଇଛି ।

ଏହି ଉଦ୍ଘାଟନରେ ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ସ୍ଥାନୀୟ କର୍ପୋରେଟର ରଂଜୁଲତା ରାୟ, ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ ପ୍ରମୁଖ ସାମିଲ ହୋଇ ଲୋକଙ୍କ ପାଇଁ ଏହି ସୁନ୍ଦର ସେବାର ଉଦ୍ଘାଟନ କରିଛନ୍ତି ।


ଏହା ମଧ୍ୟ ପଢନ୍ତୁ ମୌସୁମୀ ପୂର୍ବରୁ ସରିବ ଡ୍ରେନ କାମ, ଜୁଲାଇ ଆରମ୍ଭରୁ ରାସ୍ତା ନ ଖୋଳିବାକୁ ତାଗିଦ କଲେ ଭୁବନେଶ୍ୱର ମେୟର

ଏହା ମଧ୍ୟ ପଢନ୍ତୁ ଅଘଟଣ ପରେ ବିଏମସିର ଚେତା ପଶିଲା ! ଏଣିକି ମନଇଛା ସହରରେ ଲଗାଇ ପାରିବେନି ହୋର୍ଡିଂ

ଇଟିଭି ଭାରତ, ଭୁବନେଶ୍ବର