ବାଇକ୍ ସିଟ୍ ତଳେ ଲୁଚିଥିଲା ମୃତ୍ୟୁ ! ସାଢେ 4 ଫୁଟର ନାଗକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ
ପୁରୀ ଜିଲ୍ଲା ପଟ୍ଟନାୟକିଆ ଅଞ୍ଚଳରେ ଏକ ଫାର୍ମରେ ଗୋଟିଏ ବାଇକ୍ ସିଟ୍ ଭିତରୁ ସାଢେ 4 ଫୁଟର ନାଗ ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ରିପୋର୍ଟ: ଭବାନୀ ଶଙ୍କର ଦାସ

Published : May 13, 2026 at 8:36 PM IST
ଭୁବନେଶ୍ବର: ବାଇକ୍ ଚଳାଉଛନ୍ତି କି ? ତେବେ ଟିକେ ସାବଧାନ ହୋଇଯାଆନ୍ତୁ ! ଚଳେଇବା ପୂର୍ବରୁ ବାଇକ୍କୁ ଟିକେ ଭଲ ଭାବରେ ଯାଞ୍ଚ କରନ୍ତୁ, ନହେଲେ ଘଟିପାରେ ବଡ଼ ଅଘଟଣ । କାରଣ ବାଇକ୍ ସିଟ୍ ତଳେ ଲୁଚି ରହିଥାଇପାରେ ମୃତ୍ୟୁ । ପୁରୀରେ ଏହିଭଳି ଏକ ବଡ଼ ଧରଣର ଅଘଟଣ ଘଟିବା ଆଗରୁ ସୌଭାଗ୍ୟବଶତଃ ଟଳି ଯାଇଛି । ବାଇକ୍ ସିଟ୍ ତଳେ ଛପିଥିବା ସାଢ଼େ 4 ଫୁଟର ବିଷଧର ନାଗ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ ।
ସିଟ୍ ତଳେ ଲୁଚିଥିଲା ନାଗ ସାପ:
ପୁରୀ ଜିଲ୍ଲା ପଟ୍ଟନାୟକିଆ ଅଞ୍ଚଳରେ ଥିବା ଏକ ଫାର୍ମରେ ଗୋଟିଏ ବାଇକ ଉପରକୁ ନାଗ ସାପ ଚଢିଯାଇଥିଲା । ଏହା ଦେଖି ଉପସ୍ଥିତ କର୍ମଚାରୀ ସାପ ଘଉଡାଇବା ପାଇଁ ଚେଷ୍ଟା କରିବା ପୂର୍ବରୁ ତାହା ସିଟ୍ ତଳେ ଯାଇ ଲୁଚି ଯାଇଥିଲା । ଯେତେ ଚେଷ୍ଟା କଲା ପରେ ମଧ୍ୟ ସାପଟି ସିଟ୍ ଭିତରୁ ବାହରକୁ ବାହାରିଲା ନାହିଁ । ସାପ ଗର୍ଜନରୁ ଅବଶ୍ୟ ସେମାନେ ତାହା ଏକ ନାଗ ସାପ ବୋଲି ଜାଣିପାରିଥିଲେ । କିନ୍ତୁ, ସାପକୁ ବାହାର କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ନିରୁପାୟ ହୋଇ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ କର୍ମଚାରୀ ।
ସାଢ଼େ 4 ଫୁଟର ନାଗ ସାପ ଉଦ୍ଧାର:
ସେପଟେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ । ସାପଟି ନାଗ ବୋଲି ପ୍ରଥମେ ବୋଲି ଚିହ୍ନଟ କରିଥିଲେ । ଯାହା ଅତ୍ୟନ୍ତ ବିଷଧର । ବାଇକର ଗୋଟିଏ ପାର୍ଶ୍ବରେ ଠିଆ ହେଇ ସ୍ନେକ ହୁକରେ ସାପକୁ ବାହାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସାପଟି ବାଇକର ଅନ୍ୟ ପଟେ ବାହାରି ପଡ଼ିଥିଲା । ନାଗ ସାପଟି ପ୍ରାୟ ସାଢ଼େ 4 ଫୁଟ ଲମ୍ବର ଥିଲା । କୌଶଳକ୍ରମେନାଗ ସାପକୁ ବ୍ୟାଗରେ ଭର୍ତ୍ତି କରିଥିଲେ ସୁଶାନ୍ତ । ସୂଚନା ଅନୁସାରେ ପରବର୍ତ୍ତୀ ସମୟରେ ସାପକୁ ଉଦ୍ଧାର ଜାଗାରୁ ଯଥେଷ୍ଟ ଦୂରରେ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

ଫାର୍ମ ହାଉସ ମାଲିକ ଚିତ୍ତରଞ୍ଜନ ସେଠୀ କହିଛନ୍ତି, "ଗୁପ୍ତା ଫାର୍ମ ଭିତରେ ବାଇକ୍ ଥିବା ବେଳେ ସାପ ଆସି ବାଇକ ଭିତରେ ରହିଯାଇଥିଲା । ଏନେଇ ଆମେ ସ୍ନେକ ହେଲ୍ପ ଲାଇନ ସହିତ ଯୋଗାଯୋଗ କରିଥିଲୁ । ସେମାନେ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।"
ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା କହିଛନ୍ତି, "ପଟ୍ଟନାୟକିଆରୁ ଚିତ୍ତରଞ୍ଜନ ସେଠୀ ଫୋନ କରିଥିଲେ । ଫାର୍ମ ହାଉସ ଭିତରେ ସେ ରଖିଥିବା ବାଇକ ଭିତରେ ସାପ ପଶି ଯାଇଥିଲା । ବାଇକ୍ ସିଟ୍ ତଳେ ସାପ ରହିଥିଲା । ଯାହାର ଲମ୍ବ ପ୍ରାୟ ସାଢ଼େ 4 ଫୁଟ ଲମ୍ବର ହେବ । ସୁରକ୍ଷିତ ଭାବେ ସାପକୁ ଉଦ୍ଧାର କରି ଜନବସତିଠୁ ଦୂରରେ ଛାଡି ଦିଆଯାଇଛି ।"
ଏହା ମଧ୍ୟ ପଢ଼ନ୍ତୁ... |
ଇଟିଭି ଭାରତ, ଭୁବନେଶ୍ବର

