ETV Bharat / state

ଇରାନ ଉପରେ ଆମେରିକାର ଘନଘନ ମିସାଇଲ ମାଡ, ଦୁଇ ଦିନରେ 14 ମୃତ

ଦେଶର 5ଟି ପ୍ରାନ୍ତରେ ଆମେରିକାର ଆକ୍ରମଣ ଯୋଗୁଁ ପ୍ରାୟ 78 ଜଣ ଆହତ ହୋଇଛନ୍ତି ।

Screengrab from the US CENTCOM video of US bombardments in Iran
ଇରାନ ଉପରେ ଆମେରିକାର ଆକ୍ରମଣ (X@CENTCOM)
author img

By ETV Bharat Odisha Team

Published : July 9, 2026 at 2:37 PM IST

|

Updated : July 9, 2026 at 2:47 PM IST

2 Min Read
Choose ETV Bharat

ତେହରାନ: ଇରାନ ଉପରେ ଆମେରିକାର ଘନଘନ ବୋମା ମାଡ । ଗତ ଦୁଇ ଦିନ ମଧ୍ୟରେ ଆମେରିକାର ଷ୍ଟ୍ରାଇକରେ ଇରାନରେ 14 ଜଣ ପ୍ରାଣ ହରାଇଛନ୍ତି । ଦେଶର 5ଟି ପ୍ରାନ୍ତରେ ଆମେରିକାର ଆକ୍ରମଣ ଯୋଗୁଁ ପ୍ରାୟ 78 ଜଣ ଆହତ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଆହତ 78 ଜଣଙ୍କ ମଧ୍ୟରୁ 47 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆମେରିକାର ଲଗାତାର ଆକ୍ରମଣ ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି ।

ବାଘେର ଘାଲିବାଫଙ୍କ ଚେତାବନୀ

ଆମେରିକା ଆକ୍ରମଣର ଜବାବ ଦେଇ ଇରାନ ବାହାରିନ, କତାର ଓ କୁଏତ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ସହ ୱାଶିଂଟନକୁ କଡା ଚେତାବନୀ ଦେଇଛି ତେହରାନ । ଆମେରିକୀୟ ମାନେ କେବଳ ପ୍ରତିଶ୍ରୁତି ଭାଙ୍ଗିପାରନ୍ତି । ଏହାର ଉଚିତ ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ । ଏହା ସହ ତେହରାନର ନିୟମାନୁଯାୟୀ ହର୍ମୁଜ ପ୍ରଣାଳୀ ଖୋଲିବ ବୋଲି ଘାଲିବାଫ ଚେତାବନୀ ଦେଇଛନ୍ତି ।

ଘାଲିବାଫ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ‘‘ଧମକ ଦେବା ଓ ପ୍ରତିଶ୍ରୁତି ଭାଙ୍ଗିବା ଆଉ ମାଗଣା ନୁହେଁ ବୋଲି ଆମେରିକା ଏପର୍ଯ୍ୟନ୍ତ ଶିଖିଲା ନାହିଁ । ଯଦି ତୁମେ ଆକ୍ରମଣ କରିବ ତେବେ ତୁମେ ଆଘାତ ପାଇବ। ଅର୍ଥହୀନ ଭାବରେ ଏଣେତେଣେ ବୁଲ ନାହିଁ ନଚେତ ତୁମେ ଆହୁରି ଗଭୀରକୁ ବୁଡ଼ିଯିବ । ହରମୁଜ୍ ପ୍ରଣାଳୀ କେବଳ ଇରାନୀ ବ୍ୟବସ୍ଥା ସହିତ ଖୋଲିବ, ଆମେରିକୀୟ ଧମକ ସହିତ ନୁହେଁ।’’

ଗୁରୁବାର ସକାଳେ କୁଏତ, କାତାର ଏବଂ ବାହାରିନରେ ମିସାଇଲ ସତର୍କ ସାଇରନ ବାଜିବା ପରେ ଘାଲିବାଫ ମନ୍ତବ୍ୟ ଦେଇଥିଲେ । ଏହି ତିନୋଟି ମଧ୍ୟପ୍ରାଚ୍ୟ ଦେଶରୁ କୌଣସି କ୍ଷୟକ୍ଷତିର ସୂଚନା ଆସିନାହିଁ । ତେବେ ଇରାନ ପଟୁ ଆସୁଥିବା ଡ୍ରୋନ ଏବଂ ମିସାଇଲ ଗୁଡିକୁ ପ୍ରତିହତ କରୁଥିବା କୁଏତ ସେନା କହିଛି ।

ଦୁଇ ଦିନ ଧରି ଆମେରିକାର ଆକ୍ରମଣ

ଆମେରିକା କ୍ରମାଗତ ଦ୍ଵିତୀୟ ରାତି ପାଇଁ ଇରାନ ଉପରେ ଏକ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ହର୍ମୁଜ ପ୍ରଣାଳୀରେ ସ୍ଵାଧୀନତା ପ୍ରତି ବିପଦ ସୃଷ୍ଟି କରିବା ପାଇଁ ତେହେରାନର କ୍ଷମତାକୁ ଆହୁରି ଦୁର୍ବଳ କରିବାକୁ ଟ୍ରମ୍ପ ଏହି ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ବୋଲି ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ କହିଛି।

ଏକ୍ସରେ ଏକ ପୋଷ୍ଟ କରି ସେଣ୍ଟ୍ରକମ କହିଛି, ‘‘ଆମେରିକୀୟ ସେନା ଇରାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଏୟାର ଡିଫେନ୍ସ ସିଷ୍ଟମ, ଉପକୂଳବର୍ତ୍ତୀ ସର୍ଭେଲାନ୍ସ ସମ୍ପତ୍ତି, ମିସାଇଲ ଏବଂ ଡ୍ରୋନ ସଂରକ୍ଷଣ ସ୍ଥଳ, ନୌସେନା କ୍ଷମତା ଏବଂ ସାମରିକ ଲଜିଷ୍ଟିକ୍ସ ଭିତ୍ତିଭୂମି ସମେତ ପ୍ରାୟ ୯୦ଟି ଇରାନ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି। ଏହାର ପୂର୍ବ ରାତିରେ ଇରାନରେ ସଫଳତାର ସହ କରାଯାଇଥିବା ଆକ୍ରମଣ ପରେ ଏହି ସଦ୍ୟତମ ଆକ୍ରମଣ କରାଯାଇଛି।’’

ଜୁଲାଇ ୭ ରେ ଆମେରିକା ସେନା ପ୍ରାୟ ୮୦ଟି ଇରାନ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସର ୬୦ରୁ ଅଧିକ ଛୋଟ ଡଙ୍ଗା ସାମିଲ ଥିଲା। ହର୍ମୁଜ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରି ଇରାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାରୁ ଏହାର ଭାରି ମୂଲ୍ୟ ଦେବାକୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ତିନି ଦେଶରେ ଇରାନର ଜବାବ

ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ ବନ୍ଦର ଅବ୍ବାସ, ବୁଶେହର, ଚାବାହାର, କୋନାରକ, ଇରାନସାହର, ସିରିକ, ଜାସ୍କ, ଆବୁ ମୁସା ଦ୍ଵୀପ, କେଶମ ଦ୍ଵୀପ ଏବଂ ଆକ୍କାଲା ସମେତ ଅନେକ ସହରରେ ବିସ୍ଫୋରଣ ହୋଇଛି। ଅଲ ଜଜିରା ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ଇରାନସାହରରେ ଏକ ବିମାନବନ୍ଦର ଭିତ୍ତିଭୂମିରେ ଆକ୍ରମଣ ଯୋଗୁଁ ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ସେହିପରି ଅହଭାଜ ସହର ଉପକଣ୍ଠରେ ଆମେରିକାର ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଇରନା ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ଏହାର ପ୍ରତିଶୋଧ ସ୍ଵରୂପ ଇରାନର ଆଇଆରଜିସି କୁଏତର କ୍ୟାମ୍ପ ଆରିଫଜାନ ବେସ ଏବଂ ଅଲି ଅଲ ସାଲେମ ଏୟାରବେସ ସମେତ ବାହାରିନର ଜୁଫେର ଏବଂ ଶେଖ ଇସା ବେସରେ ଥିବା ଆମେରିକା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଛି।

ଏହା ମଧ୍ୟ ପଢନ୍ତୁ 'ଇରାନ ସହିତ ଯୁଦ୍ଧବିରତି ଶେଷ, ମୁଁ ଆଉ ଡିଲ୍ କରିବାକୁ ଚାହୁଁନାହିଁ,' ଟ୍ରମ୍ପ: ବଡ଼ ଆକ୍ରମଣ ପାଇଁ ଘୋଷଣା

ଏହା ମଧ୍ୟ ପଢନ୍ତୁ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ବିଦାୟ ବେ‌ଳେ ଐତିହାସିକ ଭିଡ଼, ଫଟୋରେ ଦେଖନ୍ତୁ ଖବର

Last Updated : July 9, 2026 at 2:47 PM IST