ଆମେରିକୀୟ ପ୍ରତିନିଧିଙ୍କ ଗଞ୍ଜାମ ଚିଙ୍ଗୁଡି ଯାଆଁଳ ଓ ଖାରି ଜଳ ଚାଷ ମାନଦଣ୍ଡ ଅନୁଧ୍ୟାନ
ଗଞ୍ଜାମ ଜିଲ୍ଲା ଗସ୍ତରେ ଆମେରିକାର ୟୁଏସଏଫଡିଏର ଏକ ପ୍ରତିନିଧି ମଣ୍ଡଳୀ ଆସିଛନ୍ତି । ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ଓ ଖାରିଜଳ ଚାଷ ପରିଦର୍ଶନ କରି ଅନୁସରିତ ମାନଦଣ୍ଡର ମୂଲ୍ୟାଙ୍କନ କରିଛନ୍ତି ।

Published : February 28, 2026 at 5:02 PM IST
|Updated : February 28, 2026 at 6:48 PM IST
ବ୍ରହ୍ମପୁର: ଯୁକ୍ତରାଷ୍ଟ୍ର ଆମେରିକାର ୟୁଏସଏଫଡିଏର ଏକ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି । ଜିଲ୍ଲାରେ ଥିବା ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ଓ ଖରଜଳ ଚାଷ ପରିଦର୍ଶନ କରିବା ସହିତ ଅନୁସରିତ ମାନଦଣ୍ଡର ମୂଲ୍ୟାଙ୍କନ କରିଛନ୍ତି । ସଠିକ ମାନଦଣ୍ଡ ଅନୁସରଣ କରି ଚାଷ କରାଯାଇଥିବାରୁ ଉଚ୍ଚପ୍ରଶଂସା କରିଛନ୍ତି ।

ଯାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ:
ଏହି ପ୍ରତିନିଧି ମଣ୍ଡଳୀ ପ୍ରଥମେ ଗୋପାଳପୁର ସ୍ଥିତ ଓସିଆନିଡ୍ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ସିଏଏ, ଏମପିଇଡିଏ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ କମିଟି (ଏସଡିଏଲସି)ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଖାଦ୍ୟ ପରିଚାଳନା, ଉତ୍ପାଦନ ଓ ବିକ୍ରୟ ସମ୍ବନ୍ଧୀୟ ରେକର୍ଡ ସହିତ ଅନ୍ୟାନ୍ୟ ଦସ୍ତାବିଜର ପୁଙ୍ଖାନୁପୁଙ୍ଖ ଭାବେ ପ୍ରତିନିଧି ଦଳ ଯାଞ୍ଚ କରିଥିଲେ । ଯାଆଁଳ ଉତ୍ପାଦନ କେନ୍ଦ୍ରର ବିଭିନ୍ନ ଉପକେନ୍ଦ୍ର ପରିଦର୍ଶନ କରି ସମୁଦ୍ର ଜଳ ଆରୋହଣ ପ୍ରଣାଳୀ, ୟୁଭି ଓ ଓଜୋନ୍ ଫିଲ୍ଟ୍ରେସନ୍ ପ୍ରକ୍ରିୟା, ପରୀକ୍ଷାଗାର କଲ୍ଚର ପ୍ରଣାଳୀ ଓ ଚିକିତ୍ସା ପ୍ରୋଟୋକଲ୍ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ସିଏଏର ପ୍ରତିନିଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନୀତିନିୟମ ଅନୁସରଣ, ଜଳବାୟୁ ଓ ପରିବେଶ ସୁରକ୍ଷା ବ୍ୟବସ୍ଥା, ଗୁଣବତ୍ତା ନିଶ୍ଚିତକରଣ ମାନଦଣ୍ଡ ଆଦି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ପ୍ରକିୟାକରଣର ମାନ ଅନୁଧ୍ୟାନ:
ପ୍ରତିନିଧି ଦଳ ସିଏଏ ଓ ଏମପିଇଡିଏ ପଞ୍ଜିକୃତ ଉତ୍ପାଦକ ପ୍ରିୟତୋଷ ପ୍ରଧାନଙ୍କ ଦୁଇ ହେକ୍ଟର ଜମିରେ ପରିବ୍ୟାପ୍ତ ଖାରି ଜଳ ଚିଙ୍ଗୁଡ଼ି ଚାଷ କେନ୍ଦ୍ରର ପରିଦର୍ଶନ କରିଥିଲେ । ସେମାନେ ଯାଆଁଳ କ୍ରୟ, ଇନପୁଟ୍ ସବସିଡି ଓ ପଞ୍ଜିକରଣ ସମ୍ବନ୍ଧୀୟ ଦସ୍ତାବିଜ ଅନୁଧ୍ୟାନ କରିଛନ୍ତି । ସ୍ୟାମ୍ପଲିଙ୍ଗ୍, ରପ୍ତାନି ପ୍ରକ୍ରିୟା ଓ ଟ୍ରେସେବିଲିଟି ପ୍ରଣାଳୀ ସମ୍ପର୍କରେ ଚାଷୀ ଓ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଅବଗତ ହୋଇଥିଲେ ।

ଖାରି ଜଳ ଚାଷ ଅନୁଧ୍ୟାନ:
ଏହି ଅବସରରେ ପ୍ରତିନିଧି ମଣ୍ଡଳୀ ଉପଖଣ୍ଡ ସ୍ତରୀୟ କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ । ଖାରି ଜଳ ଚାଷର ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିବା ସହିତ କୋଷ୍ଟାଲ୍ ଆକ୍ୱାକଲଚର ଅଥରିଟିଙ୍କୁ ସୁପାରିଶ କରିବାରେ ଏସଡିଏଲସିର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ନୀତି ନିୟମର ଅନୁପାଳନ, ପାରଦର୍ଶିତା ଓ ବ୍ୟବସ୍ଥା ଗତ ପ୍ରଗତି ନେଇ ପ୍ରତିନିଧିମଣ୍ଡଳୀ ସନ୍ତୋଷ ବ୍ୟକ୍ତ କରିବା ସହିତ ଗଞ୍ଜାମ ଜିଲ୍ଲାରେ ଖାର ଜଳ ଚାଷରେ ହୋଇଥିବା ସମୟୋଚିତ ଉନ୍ନତିର ଉଚ୍ଚପ୍ରଶଂସା କରିଥିଲେ ।

ଭାରତ ସରକାରଙ୍କ ପାଖରେ ଯୁଏସଏଫଡିଏଙ୍କ ସକାରାତ୍ମକ ରିପୋର୍ଟ ଗଞ୍ଜାମର ବ୍ୟବସାୟ ଓ ରପ୍ତାନି ସୁଯୋଗ ବୃଦ୍ଧି କରିବା ସହିତ ଜିଲ୍ଲାର ଜଳଚାଷ ଆହୁରି ସୁଦୃଢ଼ କରିବ ବୋଲି ସ୍ଥାନୀୟ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି । ଏହି ପରିଦର୍ଶନ ସମୟରେ ଆମେରିକୀୟ ପ୍ରତିନିଧି ଦଳର ସଦସ୍ୟ ଲିଲିଆନ୍ ହ୍ସୁ, ଜାକେରି ମିଲର୍, ଆନ୍ଥୋନି ରିଜ୍କଲା ଓ ଗଞ୍ଜାମ ଜିଲ୍ଲାର ଅନେକ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ଜାତୀୟ ପଞ୍ଚାୟତ ପୁରସ୍କାର; ଆଗରେ ଗଞ୍ଜାମ, ୨୦୨୩ରୁ ମିଳିଛି ଏକାଧିକ ପୁରସ୍କାର ମହିଳା ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଲୋକଲଜ୍ଜା ଭୟରେ ବିଷ ପିଇଲେ ପିଇଓ |
ଇଟିଭି ଭାରତ, ବ୍ରହ୍ମପୁର

