ETV Bharat / state

ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ ପାଇଁ ପୁଣି ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା

ଅମାନିଆ ଇସ୍କନ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କଲେ ଶ୍ରୀମନ୍ଦିର ସେବାୟତ ଓ ମଠ ମହନ୍ତ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

UNTIMELY RATH YATRA
ଇସ୍କନ ଅଦିନିଆ ରଥଯାତ୍ରା (File pic)
author img

By ETV Bharat Odisha Team

Published : July 6, 2026 at 4:43 PM IST

|

Updated : July 6, 2026 at 5:20 PM IST

2 Min Read
Choose ETV Bharat

ପୁରୀ: ଶାସ୍ତ୍ରୀୟ ତିଥି ଅନୁଯାୟୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି । ବିଶ୍ୱବ୍ୟାପୀ ଇସ୍କନ ମନ୍ଦିରଗୁଡ଼ିକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ଉତ୍ସବକୁ ଶାସ୍ତ୍ରୀୟ ବିଧି ଏବଂ ପ୍ରାଚୀନ ସନାତନ ପରମ୍ପରା ଅନୁଯାୟୀ ପାଳନ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନ ଗଭର୍ଣ୍ଣିଂ ବଡି କମିଶନଙ୍କୁ ଏକ ଜରୁରୀ ପତ୍ର ଲେଖିଛନ୍ତି ।

ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ ପାଇଁ ପୁଣି ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା (ETV Bharat Odisha)

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ନିଜ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ପବିତ୍ର ଶାସ୍ତ୍ର ଓ ପୁରାଣ ଅନୁସାରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଏବଂ ନବଦିନାତ୍ମକ ରଥଯାତ୍ରା ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ହିଁ ଅନୁଷ୍ଠିତ ହେବା ଆବଶ୍ୟକ । ଦେଶ ବା କାଳ ପରିସ୍ଥିତି ଅନୁଯାୟୀ ପାଳନ ଶୈଳୀରେ କିଛି ପରିବର୍ତ୍ତନ କରାଯାଇପାରେ, ମାତ୍ର ମହାପ୍ରଭୁଙ୍କ ମୁଖ୍ୟ ତିଥିରେ କୌଣସି ପରିବର୍ତ୍ତନ ଗ୍ରହଣୀୟ ନୁହେଁ ।

ଶ୍ରୀମନ୍ଦିର ପ୍ରଶାସନର ବିଦ୍ୱାନ କମିଟି ଏବଂ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଥାପିତ ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ଏହି ଶାସ୍ତ୍ରୀୟ ନିୟମକୁ ସମ୍ପୂର୍ଣ୍ଣ ଅନୁମୋଦନ କରିଛନ୍ତି । ଭାରତ ବାହାରେ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଇସ୍କନ ପକ୍ଷରୁ ବର୍ଷର ଭିନ୍ନ ଭିନ୍ନ ସମୟରେ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଛି, ଯାହା ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଆଦେଶର ଉଲ୍ଲଂଘନ କରୁଛି ।

ଏହି କାର୍ଯ୍ୟ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ପହଞ୍ଚାଉଥିବା ଗଜପତି କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଅପୂର୍ବ ମହିମା ଓ ଶାସ୍ତ୍ରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ସାରା ବିଶ୍ୱର ସମସ୍ତ ଇସ୍କନ ମନ୍ଦିର ନିର୍ଦ୍ଧାରିତ ପାରମ୍ପରିକ ତିଥିରେ ହିଁ ଏହି ଦିବ୍ୟ ଉତ୍ସବ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାକୁ ମୁକ୍ତି ମଣ୍ଡପ ମଣ୍ଡିତ ସଭା ସମର୍ଥନ ଜଣାଇଛନ୍ତି ।


ଗଜପତିଙ୍କ ଚିଠି ନେଇ ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାଶ କହିଛନ୍ତି, "ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ହେବା ଆମ ଜଗନ୍ନାଥ୍ ସଂସ୍କୃତିକୁ ଅପମାନ । ଇସ୍କନ ଏହି କାର୍ଯ୍ୟକୁ ବନ୍ଦ କରାନଗଲେ ଆଗାମୀ ଦିନରେ ଆମ ସଂସ୍କୃତିର ଅବକ୍ଷୟ ଘଟିବ। ଏଣୁ ଦେଶ ବିଦେଶରେ ଥିବା ଜଗନ୍ନାଥ ପ୍ରେମୀମାନେ ଇସ୍କନର ଏଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରିବା ଉଚିତ୍ । ଇସ୍କନ ଅନୁଗାମୀଙ୍କୁ ଭାରତରେ ପ୍ରବେଶ ଉପରେ କଟକଣା ହେବା ଉଚିତ୍ । ସରକାରୀ ସ୍ତରରେ ଇସ୍କନ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ନାହିଁ ।"



ମହାପ୍ରଭୁଙ୍କ ସେବକ ସଞ୍ଜୟ ଦତ୍ତ ମହାପାତ୍ର କହିଛନ୍ତି, "ଶାସ୍ତ୍ର ଅନୁସାରେ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେରେ ମହାପ୍ରଭୁଙ୍କ ରଥଯାତ୍ରା ହେବାର ବିଧି ରହିଛି । ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଧିକୁ ତାଙ୍କ ଅନୁଗାମୀ ମାନେ ପାଳନ କରିବା ଉଚିତ୍ । ଇସ୍କନ ଯେଉଁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ କରୁଛି ତାହା ପରମ୍ପରା ବିରୋଧୀ । ଏହା ବନ୍ଦ ହେବାର ଆବଶ୍ୟକତା ରହିଛି । ଗଜପତି ମହାରାଜା ଇସ୍କନକୁ ଚିଠି ଲେଖି ତାଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରୁଛନ୍ତି । ଯାହାକି ସ୍ୱାଗତଯୋଗ୍ୟ । ଇସ୍କନ ସଚେତନ ନ ହେଲେ ଆଇନଗତ କାର୍ଯ୍ୟନୁଷ୍ଠାନ ହେବାର ଆବଶ୍ୟକତା ରହିଛି ।"

ଏହା ବି ପଢନ୍ତୁ- ରଥରେ ଲାଗେ ୧୨୫୦ ମିଟର କନା; ୪ଟି ରଙ୍ଗର କନାରେ ହୁଏ ରଥ ମଣ୍ଡଣି କାର୍ଯ୍ୟ, ଦୈନିକ ପାଉଣା ନେଇ ଅସନ୍ତୋଷ ଦରଜୀ ସର୍ଦ୍ଦାର


ଇଟିଭି ଭାରତ, ପୁରୀ

Last Updated : July 6, 2026 at 5:20 PM IST