ETV Bharat / state

ତୁର୍କା ଗାଁରେ ଅଜଣା ରୋଗ ଆତଙ୍କ: ବିଜ୍ଞାନ ଓ ଅନ୍ଧ ବିଶ୍ୱାସ ମଧ୍ୟରେ ଯନ୍ତ୍ରଣା ଭୋଗୁଛନ୍ତି ଶିଶୁ

କଳାହାଣ୍ଡି ତୁର୍କା ଗାଁରେ ଅଜଣା ରୋଗ ଆତଙ୍କ । ଗୋଟିଏ ପଟେ ବିଜ୍ଞାନ ଆଉ ଗୋଟେ ପଟେ ଅନ୍ଧ ବିଶ୍ୱାସ, ଯାହାରି ମଧ୍ୟରେ ଯନ୍ତ୍ରଣା ଭୋଗୁଛନ୍ତି କୁନିକୁନି ପିଲା । ରିପୋର୍ଟ-ଅଜିତ କୁମାର ସିଂହ

Unknown disease terrorizes Turka village: Children suffer between science and superstition
ତୁର୍କା ଗାଁରେ ଅଜଣା ରୋଗ ଆତଙ୍କ: ବିଜ୍ଞାନ ଓ ଅନ୍ଧ ବିଶ୍ୱାସ ମଧ୍ୟରେ ଯନ୍ତ୍ରଣା ଭୋଗୁଛନ୍ତି ଶିଶୁ (ETV BHARAT ODISHA)
author img

By ETV Bharat Odisha Team

Published : July 6, 2026 at 9:50 PM IST

3 Min Read
Choose ETV Bharat

Unknown disease Turka village, ଭବାନୀପାଟଣା (କଳାହାଣ୍ଡି): ଗାଁ ଦାଣ୍ଡରେ ଚାଲିଛି ପୂଜାର୍ଚ୍ଚନା । ଗାଁର ମାତା କମାନୀ (ଠାକୁରାଣୀ) କୋପ କରିଛନ୍ତି । ଯାହା ଫଳରେ ତୁର୍କା ଗାଁ ସାରା କୁନି କୁନି ସମସ୍ତ ଶିଶୁ ହୋଇଛନ୍ତି ସଂକ୍ରମଣ । ଅଜଣା ରୋଗର ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି, ଆଦିବାସୀ ଅଞ୍ଚଳର କୁନିକୁନି ଶିଶୁ । ସଚେତନତା ଅଭାବରୁ ଦିନକୁ ଦିନ ବଢୁଛି ସଂକ୍ରମଣ ।

ତୁର୍କା ଗାଁରେ ଅଜଣା ରୋଗ ଆତଙ୍କ: ବିଜ୍ଞାନ ଓ ଅନ୍ଧ ବିଶ୍ୱାସ ମଧ୍ୟରେ ଯନ୍ତ୍ରଣା ଭୋଗୁଛନ୍ତି ଶିଶୁ (ETV BHARAT ODISHA)


କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ତୁର୍କା ଗାଁରେ ଏକ ଚିନ୍ତାଜନକ ସ୍ଥିତି ଦେଖାଦେଇଛି । ଗାଁର ପ୍ରାୟ ୨୦ରୁ ଅଧିକ ଶିଶୁ ଅଜଣା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଦୀର୍ଘ ଦୁଇ ମାସ ଧରି ଶିଶୁମାନେ ଦେହସାରା ବଥ ଓ କ୍ଷତ (ଘା') ଯୋଗୁଁ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ବେଳେ, ସଚେତନତା ଅଭାବରୁ ଏହି ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ୨ ଜଣ ଶିଶୁଙ୍କଠାରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ଗାଁର ପ୍ରାୟ ସମସ୍ତ କୁନି କୁନି ପିଲାଙ୍କୁ କବଳିତ କଲାଣି ।

ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ଅଭାବରୁ ସେମାନେ ଏହାକୁ ଡାକ୍ତରୀ ସମସ୍ୟା ଭାବିବା ପରିବର୍ତ୍ତେ 'ମାତା କମାନୀ' ବା 'ମାଟିମାତା' (ଠାକୁରାଣୀ)ଙ୍କ ପ୍ରକୋପ ବୋଲି ବିଶ୍ଵାସ କରୁଛନ୍ତି। ପୂର୍ବପୁରୁଷଙ୍କ ରୀତିନୀତି ଅନୁସାରେ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଁ ଦାଣ୍ଡରେ ଧୂପ, ଚାଉଳ ଓ ହଳଦୀ ରଖି ପୂଜାର୍ଚ୍ଚନା ଚାଲିଛି । ଏପରିକି ଆକ୍ରାନ୍ତ ଶିଶୁମାନଙ୍କୁ ହଳଦୀ ପାଣିରେ ଗାଧୋଇ ଦିଆଯାଉଥିବା ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଲାଞ୍ଜି ଅଞ୍ଚଳରେ ସ୍ଵାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ଦୀର୍ଘ ଦୁଇ ମାସ ଧରି ଏହି ସଂକ୍ରମଣ ବ୍ୟାପିଥିଲେ ହେଁ ସ୍ଵାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନଥିଲା । ତେବେ ଗାଁରେ ଏହାକୁ ନେଇ ଆଲୋଚନା ଜୋର ଧରିବା ପରେ, ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦ୍ୟମରେ ଆକ୍ରାନ୍ତ ଶିଶୁମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ସ୍ଥିତିରେ ସ୍ଵାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଏବଂ ଗାଁରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କି ପ୍ରକାର ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ତୁର୍କା ଗାଁରେ ଅଜଣା ରୋଗ ଆତଙ୍କ ।
କଳାହାଣ୍ଡି ତୁର୍କା ଗାଁରେ ଅଜଣା ରୋଗ ଆତଙ୍କ । (ETV BHARAT ODISHA)

ଏନେଇ ତୁର୍କା ଗାଁର ବାସିନ୍ଦା କିଶୋର ମାଝୀ କହିଛନ୍ତି, "ଆମ ଗାଁର ଶିଶୁ ମାନଙ୍କୁ କ'ଣ ଗୋଟେ ରୋଗ ହେଉଛି, ଫୁଟୁକା ହେବା ସହ ଘା' ହୋଇ ଯାଉଛି । ଗତ ଦୁଇ ମାସ ହେଲା ଏମିତି ହେଉଛି । ମେଡିକାଲ୍ ଟିମ୍ ଆସିଲେ ଶିଶୁ ମାନଙ୍କୁ ନେଇ କି ହେଲେ ଔଷଧ ଦେଲେ ଆଉ ଆଣିକି ଛାଡି ଦେଲେ । ହେଲେ ରୋଗ ଛାଡୁନି । ଶିଶୁମାନେ ବହୁତ କଷ୍ଟ ପାଉଛନ୍ତି, ଆମକୁ ଡର ଲାଗୁଛି । ୨୦ରୁ ୨୨ ଜଣ ଶିଶୁଙ୍କୁ ଏଭଳି ହୋଇଛି । ଆମକୁ ଲାଗୁଛି ଯେ କାଳେ ଦେବୀ କୋପ କରିଛନ୍ତି କି ବୋଲି, ଆମେ ଭୟ କରୁଛୁ । ତେଣୁ କରି ପୂଜା ପାଠ ମଧ୍ୟ କରୁଛୁ," ବୋଲି ସେ ପ୍ରକାଶ କରିଛନ୍ତି ।


ଏନେଇ ତୁର୍କା ଗାଁର ବାସିନ୍ଦା ଲୀଙ୍ଗା ମାଝୀ କହିଛନ୍ତି, "ଶିଶୁମାନଙ୍କୁ ରୋଗ ହେଉଛି। ମେଡିକାଲ୍ ବି ନେଲୁ । ହେଲେ କୌଣସି କାମ ଦେଉ ନାହିଁ । ପିଲାମାନଙ୍କ ଶରୀରରେ ଫୁଟୁକା ହେଉଛି । ଘା' ଭଳି ହୋଇ ଯାଉଛି, ପିଲା ମାନେ କଷ୍ଟ ପାଇ କାନ୍ଦୁଛନ୍ତି । ଶିଶୁମାନେ ଭଲ ହେବା ପାଇଁ ଧରଣୀ ଦେବୀଙ୍କୁ କୁକୁଡ଼ା, ପାରା ଆଦି ଅର୍ପଣ କରୁଛୁ," ବୋଲି ସେ ପ୍ରକାଶ କରିଛନ୍ତି ।

Unknown disease terrorizes Turka village: Children suffer between science and superstition
ତୁର୍କା ଗାଁରେ ଅଜଣା ରୋଗ ଆତଙ୍କ: ବିଜ୍ଞାନ ଓ ଅନ୍ଧ ବିଶ୍ୱାସ ମଧ୍ୟରେ ଯନ୍ତ୍ରଣା ଭୋଗୁଛନ୍ତି ଶିଶୁ (ETV BHARAT ODISHA)
ଏନେଇ ତୁର୍କା ଗାଁର ବାସିନ୍ଦା ପୁଙ୍ଗୁଡି ମାଝୀ କହିଛନ୍ତି ଯେ, "ଆମ ଗାଁରେ କ'ଣ ହୋଇଛି ଆମେ ଜାଣି ପାରୁ ନାହୁଁ । ଗାଁର ଛୋଟ ଛୋଟ ଶିଶୁମାନଙ୍କ ଶରୀର ସାରା ଫୁଟୁକା ହେବା ସହ ଘା' ହୋଇ ଯାଉଛି । ବଡ଼ ଲୋକକୁ ହେଉ ନାହିଁ କେବଳ ଛୋଟ ଛୋଟ ଶିଶୁ ମାନଙ୍କୁ ହେଉଛି । କିଛି ଜାଣି ହେଉ ନାହିଁ । ଗୁଣିଆ ଡାକି କି ପୂଜା ପାଠ ବି କଲୁ । ଡାକ୍ତରମାନେ ମଧ୍ୟ ଆସିଲେ । ଗାଡ଼ିରେ ଶିଶୁମାନଙ୍କୁ ମଧ୍ୟ ନେଇଥିଲୁ ଭବାନୀପାଟଣା," ବୋଲି ସେ ପ୍ରକାଶ କରିଛନ୍ତି ।ଏନେଇ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି, "ଏ ଖବର ଦୁଇ-ତିନି ଦିନ ଆଗରୁ ମୋ ପାଖରେ ଆସିଥିଲା, ଫଟୋ ସହିତ ଆସିଥିଲା କି ତୁର୍କା ଗାଁରେ ଲାଞ୍ଜି ପଞ୍ଚାୟତର । ସେଠାରେ ଛୁଆମାନଙ୍କୁ କିଛି ଇନଫେକ୍ସିଅସ୍ ସ୍କିନ୍ ଡିସିଜ୍ ଭଳିଆ ହେଇଯାଇଛି । ତା'ପରେ ତୁରନ୍ତ CDM ତରଫରୁ ଗୋଟେ ଟିମ୍‌ର ଗଠନ କରାହେଲା । ଆମର ଡାକ୍ତରମାନେ ତାଙ୍କ ପୁରା ଗାଁରେ ଯାଇକି ଯାଞ୍ଚ କରିଛନ୍ତି । ଆଗକୁ ତାଙ୍କୁ କ'ଣ ଟ୍ରିଟ୍‌ମେଣ୍ଟ ଦେଇପାରିବା ସେ ବିଷୟରେ ଆମେ ଆଲୋଚନା ମଧ୍ୟ କରିଛୁ । ଅଲ୍‌ରେଡି ଅଲ୍ ମେଡିସିନ୍, କ୍ରିମ୍ ସବୁ ତାଙ୍କୁ ପ୍ରଦାନ କରାହେଇଛି । ଆଉ ଏହା ଭବିଷ୍ୟତରେ କେମିତି ନ ହେଉ, ଆଉ କିଛି ଛୁଆମାନେ ଅଛନ୍ତି କି ଯାହାଙ୍କୁ ଏ ଇନଫେକ୍ସିଅସ୍ ଡିସିଜ୍ ହେଇଛି, ଏ ବିଷୟରେ ବି ଆମର ଅଲ୍‌ରେଡି ଟିମ୍ ସବୁ ତଦନ୍ତ କରିସାରିଛନ୍ତି । ଆଉ ଆଶା କରୁଛୁ କି ସେମାନେ ବହୁତ ଶୀଘ୍ର ଭଲ ହେଇଯିବେ," ବୋଲି ସେ ପ୍ରକାଶ କରିଛନ୍ତି ।



ଏହା ମଧ୍ୟ ପଢ଼ନ୍ତୁ- ଏହା ମଧ୍ୟ ପଢନ୍ତୁ ମିଳିଲାନି ଆମ୍ବୁଲାନ୍ସ, ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ବାମୀ

ଏହା ମଧ୍ୟ ପଢ଼ନ୍ତୁ- ତାମିଲନାଡୁ ଗ୍ୟାସ ଟ୍ରେଜେଡି; କେନ୍ଦୁଝରର ମୃତ ଜୁଆଙ୍ଗ ଆଦିବାସୀ ଝିଅମାନଙ୍କ ପରିବାରକୁ ଭେଟିଲା କଂଗ୍ରେସ ଟିମ୍‌

ଇଟିଭି ଭାରତ, ଭବାନୀପାଟଣା