ଶୈଳବାଳାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗ, ଜିଲ୍ଲାପାଳଙ୍କ ସହ ବୈଠକରେ ବି ବାହାରିଲାନି ନିସ୍କର୍ଷ
ଶୈଳବାଳା ବହୁ ପୁରାତନ ମହିଳା କଲେଜ ହୋଇଥିବାରୁ ତାହାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା କରିବାକୁ ଦାବି । ଆଉ ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ କହିଛନ୍ତି ।

Published : February 24, 2026 at 8:41 PM IST
କଟକ: ଶୈଳବାଳା ସ୍ବୟଂ ଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗକୁ ନେଇ ଆଜି (ମଙ୍ଗଳବାର) ଛାତ୍ରୀ ଓ କଟକ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦିର୍ଘଦିନ ଧରି ଆନ୍ଦୋଳନ ପରେ ଆଜି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କ ସହ ଆଲୋଚନା କରିଛନ୍ତି, ଶୈଳବାଳା ଛାତ୍ରୀ ଓ ପୂର୍ବତନ ଛାତ୍ରୀ ସଂସଦର କର୍ମକର୍ତ୍ତା । ଶୈଳବାଳା ମହାବିଦ୍ୟାଳୟକୁ ୟୁନିଭରସିଟି ମାନ୍ୟତା ଦାବି ନେଇ ଆଲୋଚନା ହୋଇଥିଲା । ତେବେ ଜିଲ୍ଲାପାଳ କହିଛନ୍ତି ପ୍ରଥମେ ଭିତ୍ତିଭୂମିର ବିକାଶ ସହ କଲେଜର ଜମି, କଲେଜ ନାଁରେ କରାଯିବ । ଏହାପରେ ଯେଉଁ ଜମି ଚଣ୍ଡି ମନ୍ଦିର ସଂପ୍ରସାରଣ ସମୟରେ ହରେଇଛନ୍ତି ତାକୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ଏନେଇ ସରକାର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଏହିସବୁ ସମସ୍ୟା ଥିବାରୁ ୟୁନିଭରସିଟି ମାନ୍ୟତା ପାଇବାରେ ମଧ୍ୟ ସମସ୍ୟା ରହୁଛି । ତେଣୁ ଭିତ୍ତିଭୂମି ବିକାଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ ଶୈଳବାଳା ସ୍ବୟଂ ଶାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ପୂର୍ବତନ ଛାତ୍ରୀମାନେ କହିଛନ୍ତି ଯେ, ୟୁନିଭରସିଟି ମାନ୍ୟତା ଦାବି ନେଇ କୈଣସି ଆଲୋଚନା କଲେ ନାହିଁ । ପ୍ରଥମେ ଜମି କଲେଜ ନାଁରେ କରିବେ, ଏହାପରେ ଭିତ୍ତିଭୂମିର ବିକାଶ କରାଯିବ ବୋଲି କହିଲେ । ଆଲୋଚନା ଫଳପ୍ରଦ ହେଲାନାହିଁ । ତେବେ ବିଜେପି ନେତାଙ୍କୁ ବସାଇ ଜିଲ୍ଲାପାଳ ଆଲୋଚନା କରିବା ନେଇ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ସମାଲୋଚନା କରିଛନ୍ତି ଛାତ୍ରୀ ।
ବିଶ୍ଵବିଦ୍ୟାଳୟ ଦାବି ଏବେକାର ନୁହେଁ, ବରଂ ବହୁ ପୁରୁଣା ଦାବି । ମନ୍ତ୍ରୀ କାହିଁକି ଆଲୋଚନା କରିବାକୁ କଲେଜ ଆସୁ ନାହାନ୍ତି ? ଶୈଳବାଳା ବହୁ ପୁରାତନ ମହିଳା କଲେଜ ହୋଇଥିବାରୁ ତାହାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ତେଵେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ କହିଛନ୍ତି ।
ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିରେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ମହାବିଦ୍ୟାଳୟର ଛାତ୍ରୀମାନେ । ରାଜ୍ୟ ସରକାର ଏହା ମଧ୍ୟରେ ୪ଟି ନୂତନ ବିଶ୍ଵବିଦ୍ୟାଳୟର ତାଲିକା ପ୍ରକାଶ କରିଥିବା ବେଳେ ଏଥିରେ ଶୈଳବାଳାର ନାମ ନଥିବାରୁ ତାତିଛନ୍ତି ଛାତ୍ରୀ । ଗତ ସରକାରଙ୍କ ଭଳି ନୂତନ ସରକାର ଛାତ୍ରୀମାନଙ୍କୁ ଠକି ଦେଇଥିବା ଆନ୍ଦୋଳନରତ ଛାତ୍ରୀ ଅଭିଯୋଗ ଆଣିଛନ୍ତି ।
ରାଜ୍ୟର ପୁରାତନ ମହିଳା ମହାବିଦ୍ୟାଳୟ ପ୍ରତି ସରକାର ଅଣଦେଖା କରିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଛାତ୍ରୀମାନେ । ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ନୂତନ ସରକାରଙ୍କ ବିରୋଧରେ ନାରାବାଜି ପ୍ରଦାନ କରିବା ସହ ତୁରନ୍ତ ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମନ୍ୟତା ଦେବାକୁ ଆନ୍ଦୋଳନରତ ଛାତ୍ରୀ ଦାବି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଶୈଳବାଳାକୁ କାହିଁକି ମିଳିଲାନି ବିଶ୍ଵବିଦ୍ୟାଳୟ ମାନ୍ୟତା ? ଉତ୍ତର ରଖିଲେ ଶିକ୍ଷାମନ୍ତ୍ରୀ, ପ୍ରତିବାଦ କଲେ ଛାତ୍ରୀ
ଏହା ମଧ୍ୟ ପଢ଼ନ୍ତୁ- ଶୈଳବାଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି; ଗେଟ୍ ରେ ତାଲା ପକାଇ ରାସ୍ତାରେ ଛାତ୍ରୀଙ୍କ ପ୍ରତିବାଦ
ଏହା ମଧ୍ୟ ପଢ଼ନ୍ତୁ- ଶୈଳବାଳାକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ; ଆଲୋଚନା ଜିଲ୍ଲାପାଳ ଅଫିସରେ ନୁହେଁ, କଲେଜ ପରିସରରେ କରିବାକୁ ଅଡିବସିଲେ ଛାତ୍ରୀ
ଇଟିଭି ଭାରତ, କଟକ

