ଅନୁଗୋଳ-ତାଳଚେର ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତା; କେନ୍ଦ୍ର ଓ ରାଜ୍ୟକୁ ଲେଖିଲେ ପତ୍ର
ଓଡ଼ିଶାର ଅନୁଗୋଳ–ତାଳଚେର ଶିଳ୍ପ ଅଞ୍ଚଳରେ ଦିନକୁ ଦିନ ବଢୁଥିବା ବାୟୁ ପ୍ରଦୂଷଣ ଏବେ ଗମ୍ଭୀର ରୂପ ନେଇଛି। ଏହି ସମସ୍ୟାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।


Published : January 8, 2026 at 4:05 PM IST
|Updated : January 8, 2026 at 5:47 PM IST
ଭୁବନେଶ୍ୱର: ଓଡ଼ିଶାର ଅନୁଗୋଳ–ତାଳଚେର ଶିଳ୍ପ ଅଞ୍ଚଳରେ ଦିନକୁ ଦିନ ବଢୁଥିବା ବାୟୁ ପ୍ରଦୂଷଣ ଏବେ ଗମ୍ଭୀର ରୂପ ନେଇଛି। ଏହି ସମସ୍ୟାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଅନୁଗୋଳ ଓ ତାଳଚେର ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index -AQI) ‘ଗମ୍ଭୀର’ ସ୍ଥିତିରେ ରହିବା ସହ ତାଳଚେର ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇବା ଚିନ୍ତାଜନକ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶାନ ରେଡ୍ଡୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୃଥକ ପୃଥକ ପତ୍ର ଲେଖି ଜନସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ପତ୍ରରେ ସେ କହିଛନ୍ତି, ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁ ଶିଶୁ, ବୃଦ୍ଧ ଓ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ୁଛି ।
ସ୍ଥାୟୀ ସମାଧାନ ପାଇଁ ଶ୍ରୀ ପ୍ରଧାନ ଏକାଧିକ ପ୍ରସ୍ତାବ ରଖିଛନ୍ତି। ଶିଳ୍ପ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ନିୟମାବଳୀକୁ କଡାକଡି ଭାବେ ଲାଗୁ କରିବା, ରିଅଲ୍-ଟାଇମ୍ ମନିଟରିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା, କୋଇଲା ପରିବହନ କ୍ଷେତ୍ରରେ ‘ମେକାନାଇଜ୍ଡ କୋଲ୍ ଟ୍ରାନ୍ସପୋର୍ଟେସନ୍ ସିଷ୍ଟମ’ ଆପଣାଇବା ଏବଂ ଧୂଳି ନିୟନ୍ତ୍ରଣ ପ୍ରକ୍ରିୟାକୁ ଆଧୁନିକ କରିବା ଉପରେ ସେ ଜୋର ଦେଇଛନ୍ତି ।
ଏହା ସହିତ ଶିଳ୍ପ ଓ ଖଣି କରିଡର ଚାରିପାଖରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ‘ଗ୍ରୀନ୍ ବଫର୍’ ସୃଷ୍ଟି କରିବା ଓ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଅନ୍ତର୍ଗତ ଯୋଜନାଗୁଡ଼ିକୁ ବିସ୍ତାର କରିବାକୁ ସେ ପ୍ରସ୍ତାବ ରଖିଛନ୍ତି। ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (GRAP) ଅନ୍ତର୍ଗତ ପଦକ୍ଷେପଗୁଡ଼ିକ ସାମୟିକ ହୋଇଥିବାରୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ଆଣି ଦୀର୍ଘକାଳୀନ ସମାଧାନ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଗତ ସପ୍ତାହରେ ତାଳଚେର ଦେଶର ସବୁଠାରୁ ଅଧିକ ବାୟୁ ପ୍ରଦୂଷିତ ସହର ଭାବେ ସେହିପରି ଭାବେ ତାଲିକା ଭୁକ୍ତ ହେଲା ପରେ, ଅନୁଗୋଳ ଜିଲ୍ଲା ପ୍ରଶାସନ ତାଳଚେର ସହର ଓ ଏହାର ଆଖ ପାଖ ଅଂଚଳରେ କଟକଣା ଲାଗୁ କରିଥିଲେ । ସେଣ୍ଟ୍ରାଲ Pollution Control Board (CPCB ) data ଅନୁସାରେ ବୁଧବାର ସନ୍ଧ୍ୟାରେ ତାଳଚେରର AQI poor -306 ରେକର୍ଡ କରାଯାଇଥିଲା । ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଏହା ୩୮୦ କୁ ଖସିଯାଇ very poor ବା ଅତ୍ୟନ୍ତ ଖରାପ ବିଭାଗରେ ତାଲିକା ଭୁକ୍ତ ହୋଇଥିଲା ।
ଜାନୁଆରୀ ପ୍ରଥମ ସପ୍ତାହରେ ତାଳଚେରର AQI
ଜାନୁଆରୀ ୧ -୩୧୦
ଜାନୁଆରୀ ୨- ୩୮୬
ଜାନୁଆରୀ ୩- ୩୩୨
ଜାନୁଆରୀ ୪- ୨୫୫
ଜାନୁଆରୀ ୫- ୨୫୭
ଜାନୁଆରୀ ୬- ୨୨୬
ଜାନୁଆରୀ ୭- ୩୦୬
ତାଳଚେର ଓ ଅନୁଗୁଳ ଅଂଚଳ ଶିଳ୍ପୀକରଣ, କୋଇଲା ଖଣି, ଥର୍ମାଲ୍ ପାୱାର ପ୍ଲାଣ୍ଟ ଓ ଖୋଲା କୋଇଲା ପରିବହନ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ। ରାସ୍ତା ଉପରେ ଖୋଲା ଟ୍ରକ୍ରେ କୋଇଲା ପରିବହନ, ଧୂଳି ନିୟନ୍ତ୍ରଣ ବ୍ୟବସ୍ଥାର ଅଭାବ ଓ ଶିଳ୍ପ ଏହି ସଙ୍କଟକୁ ଆହୁରି ଗଭୀର କରିଛି ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଗୋଟେ ପଟେ ପ୍ରଦୂଷଣ, ଅନ୍ୟପଟେ ଚାଲିଛି ଗଛକଟା
ଏହା ମଧ୍ୟ ପଢନ୍ତୁ ପୁଣି ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ; ତୃତୀୟ ଦିନରେ 300 ଉପରେ ରହିଛି AQI

