କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ
ଅମିତ ଶାହାଙ୍କ ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ରିପୋର୍ଟ ମନୋରଞ୍ଜନ ଶଙ୍ଖୁଆ


Published : July 2, 2026 at 1:01 PM IST
|Updated : July 2, 2026 at 1:30 PM IST
ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି। ଜୁଲାଇ ୩ରୁ ୫ ତାରିଖ ମଧ୍ୟରେ ଶାହାଙ୍କ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଏନେଇ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ବିଜେପି ରାଜ୍ୟ ସଭାପତିଙ୍କ ସୂଚନା ଅନୁସାରେ, ଅମିତ ଶାହାଙ୍କ ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତେବେ ଏହି ଗସ୍ତ ପରବର୍ତ୍ତୀ ସମୟରେ ପୁଣି ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। କିଛି କାରଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ଏବେ ପାଇଁ ବାତିଲ ହୋଇଛି। ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ।
ଜୁଲାଇ 3ରେ ଆସିଥାନ୍ତେ ଶାହା
ଆସନ୍ତା ଜୁଲାଇ ୪ ତାରିଖରେ ଅମିତ ଶାହା ବରଗଡ଼ରେ ପହଞ୍ଚି ଏକ ବୃହତ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ସେହିପରି ସମ୍ବଲପୁରରେ ମଧ୍ୟ ଆଉ ଏକ ଜନସଭାରେ ଯୋଗଦେବା ସହ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସାମିଲ ହେବାର ଯୋଜନା ରହିଥିଲା। ଏହାଛଡ଼ା ବରଗଡ଼ରେ ଇଥାନଲ ପ୍ରକଳ୍ପ ସମେତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ମଧ୍ୟ ଥିଲା। ଗସ୍ତକୁ ନେଇ ବିଜେପି କର୍ମୀମାନେ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ହଠାତ୍ ଗସ୍ତ ବାତିଲ ହେବାରୁ ସେହି କାର୍ଯ୍ୟକ୍ରମ ଗୁଡ଼ିକ ସ୍ଥଗିତ ହୋଇଛି।
ବରଗଡ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ‘‘କେନ୍ଦ୍ର ସରକାରରେ ଶାହାଙ୍କ ବଡ ଭୂମିକା ରହିଥିବାରୁ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଛି । ଆଗାମୀ ଦିନରେ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମ ପୁଣି ସ୍ଥିର କରାଯିବ’’ ।
ଜୁଲାଇ ୪ ତାରିଖରେ ଶାହା ବରଗଡ଼ ଜିଲ୍ଲାର ବାଉଲସିଂହା ଅଞ୍ଚଳକୁ ଗସ୍ତ କରି ୧୭୫୦ କୋଟି ଟଙ୍କାର ଇଥାନଲ୍ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ଷମ କରିବାର କାର୍ଯ୍ୟକ୍ରମ ଥିଲା । ଏହି ମେଗା-ପ୍ରକଳ୍ପ ରାଜ୍ୟର ଜୈବ ଇନ୍ଧନ ଉତ୍ପାଦନ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ସ୍ଥାନୀୟ କୃଷି ଯୋଗାଣ ଶୃଙ୍ଖଳକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି । ଏହି ଉଦଘାଟନୀ ଉତ୍ସବ ପରେ, କେନ୍ଦ୍ରମନ୍ତ୍ରୀ ସେହି ଦିନ ପରେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇ ମା'ଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା । ପର ଦିନ ଅର୍ଥାତ ୫ ଜୁଲାଇରେ ଗୃହମନ୍ତ୍ରୀ ଭୁବନେଶ୍ୱର ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା ।
ସେପଟେ ଆଜି (ଗୁରୁବାର) ଦିଲ୍ଲୀ ଗସ୍ତ କରିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ମନମୋହନ ସାମଲ। କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ ମନମୋହନ।
ଏହା ମଧ୍ୟ ପଢନ୍ତୁ ଆସନ୍ତା 3 ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ ଅମିତ ଶାହ, ସୂଚନା ଦେଲେ ବିଧାୟକ
ଏହା ମଧ୍ୟ ପଢନ୍ତୁ ପାହାଡପୁରରେ ପହଞ୍ଚିଲେ ମହାମହିମ, ପିଏମ୍ ମୋଦି; ରାଜ୍ୟ ପାଇଁ ସ୍ମରଣୀୟ ଦିନ, ୪୭,୬୦୦ କୋଟିର ପ୍ରକଳ୍ପର ଶୁଭ ଉଦଘାଟନ
ଇଟିଭି ଭାରତ, ଭୁବନେଶ୍ବର

