ETV Bharat / state

ବାଲିରେ ଖସିଗଲା ସ୍କୁଟି ଚକ, ବସ ଧକ୍କାରେ ଚାଲିଗଲା ସାମ୍ବାଦିକାଙ୍କ ସମେତ 2 ମହିଳାଙ୍କ ଜୀବନ

ମୃତ ସାମ୍ବାଦିକା ଜଣେ ଏକୁଟିଆ ମା' ଥିଲେ। ତାଙ୍କର ଏକ ନାବାଳକ ପୁଅ ଅଛନ୍ତି । ସାମ୍ବାଦିକାଙ୍କ ମ଼ତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

Two women including  journalist killed in road accident near Pipili
ସଡକ ଦୁର୍ଘଟଣାରେ ସାମ୍ବାଦିକା ମୃତ (Etv Bharat)
author img

By ETV Bharat Odisha Team

Published : January 6, 2026 at 5:16 PM IST

2 Min Read
Choose ETV Bharat

ପିପିଲି/ଭୁବନେଶ୍ୱର: ପିପିଲି ଥାନା ଅଧୀନ ମଙ୍ଗଳପୁର ଛକ ନିକଟ ଜମାଲ ପୁର ସିଡିଠାରେ ମଙ୍ଗଳବାର ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକା ସହିତ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର- ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୩୧୬ରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ସାମ୍ବାଦିକା ଏବଂ ତାଙ୍କ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଛି ।

ବାଲିରେ ଖସିଗଲା ଚକା

ସଡକ ଦୁର୍ଘଟଣାରେ ସାମ୍ବାଦିକା ମୃତ (Etv Bharat)

ସକାଳ ପ୍ରାୟ ୧୧.୩୦ରେ ଏହି ଦୁର୍ଘଟଣା ଘଟିଥିଲା । ସ୍କୁଟି ( ନଂ-OD33X 0081)ରେ ଦୁଇଜଣ ମହିଳା ଭୁବନେଶ୍ୱରରୁ ପୁରୀ ଯାଉଥିଲେ। ମଙ୍ଗଳପୁର ନିକଟରେ ରାସ୍ତା ଉପରେ ପଡିଥିବା ବାଲିରେ ତାଙ୍କ ସ୍କୁଟିଟି ଭାରସାମ୍ୟ ହରାଇ ପଡି ୟାଇଥିଲା । ପଛରୁ ଆସୁଥିବା ଏକ ଦ୍ରୁତଗାମୀ ବସ ତାଙ୍କ ଉପରେ ଚଢି ଯାଇଥିଲା । ଏହି ଦୁର୍ଘଟଣାରେ ସାମ୍ବାଦିକା ଶିଲା ପଟ୍ଟନାୟକ ଘଟଣାସ୍ଥଳରେ ହିଁ ପ୍ରାଣ ହାରାଇଥିଲେ। ସେ ଏକ ଘରୋଇ ଟିଭି ଚ୍ୟାନେଲରେ କାର୍ଯ୍ୟରତ ଥିଲେ। ଅନ୍ୟ ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ମା'କୁ ହରାଇ କାନ୍ଦୁଛି ପୁଅ

ପ୍ରତାକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, "ରାସ୍ତା ଉପରେ ବାଲି ଗଦା ହୋଇଥିଲା । ସାମ୍ବାଦିକା ଶିଲା ଗା଼ଡି ଚଲାଉଥିଲେ । ବାଲିରେ ତାଙ୍କ ସ୍କୁଟିର ଚକ ଖସି ଯାଇଥିଲା | ସେମାନେ ରାସ୍ତାରେ ପଡିଗଲା ପରେ ତାଙ୍କ ଉପରେ ଖୁବ ଦ୍ରୁତ ଗତିରେ ଆସୁଥିବା ବସଟି ଚଢି ଯାଇଥିଲା । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।"

journalist killed in road accident
ସାମ୍ବାଦିକା ଶିଲା ପଟ୍ଟନାୟକ (Etv Bharat)

ମୃତ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କର ନାବାଳକ ପୁଅ ଅଛନ୍ତି । ପୁଅର ସମ୍ପୂର୍ଣ୍ଣ ଦାୟିତ୍ୱ ଶିଲାଙ୍କ ଉପରେ ଥିଲା । ତାଙ୍କ ଅକାଳ ବିୟୋଗରେ ପରିବାର ସହିତ ସାମ୍ବାଦିକ ମହଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ସୂଚନା ପାଇ ପିପିଲି ପୁଲିସ୍‌ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ୍ୟୁ ପାଇଁ ଦାୟୀ କିଏ ?

ଏହି ଦୁର୍ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । "ସଡକ ସୁରକ୍ଷା କଣ କେବଳ ଆରୋହୀଙ୍କର ଦାୟିତ୍ୱ ? ଯଦି ସରକାରଙ୍କ ଅବହେଳା ଯୋଗୁ ଦୁର୍ଘଟଣା ଘଟି କାହାର ମୃତ୍ୟୁ ଘଟେ ତାହେଲେ ସେଥିପାଇଁ କିଏ ଦାୟୀ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଜାତୀୟ ରାଜପଥରେ ବାଲି ଗଦା ହୋଇ ନଥିଲେ ଦୁଇଟି ଜୀବନ ବଂଚି ଯାଇଥାନ୍ତା | ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ମୃତ୍ୟୁ ପାଇଁ ଦାୟୀ ନୁହିଁ କି? " ବୋଲି ଜଣେ ଦେଖଣାହାରୀ ପ୍ରଶ୍ନ କରିଛନ୍ତି ।

ଚୋରା ଚାଲାଣବେଳେ ପଡିଥିଲା ବାଲି

ଅନ୍ୟ କେତେକଙ୍କ କହିବା ଅନୁଯାୟୀ, ଏହି ରସ୍ତାରେ ଚୋରା ବାଲି ଚାଲାଣ ହେଉଛି । ବାଲି ବୋଝେଇ ହାଇୱାରୁ ବାଲି ପଡ଼ି ରାଜରାସ୍ତାରେ ଜମା ହୋଇଥିଲା । ଯାହା ଫଳରେ ସ୍କୁଟିର ଚକା ଖସି ଯାଇଥିଲା ଓ ଦୁଇଜଣ ଛିଟିକି ପଡିଥିଲେ । ତେଣୁ ଚୋରା ବାଲି ଚାଲାଣ ପାଇଁ ଅକାଳରେ ଦୁଇଟି ଜୀବନ ଚାଲିଗଲା ବୋଲି ମଧ୍ୟ ସ୍ଥାନୀୟ ଲୋକେ କହୁଛନ୍ତି ।

ପୁଲିସ୍‌ ପକ୍ଷରୁ କୁହାଯାଇଛି, ବସ୍‌ ଚାଳକଙ୍କ ଅସାବଧାନତା ଯୋଗୁ କିମ୍ବା ଦ୍ରୁତ ଚାଳନା ଯୋଗୁଁ ଦୁର୍ଘଟଣା ଘଟିଛି କିମ୍ବା ଅନ୍ୟ କେଉଁ କାରଣରୁ ଘଟିଛି ସେନେଇ ତଦନ୍ତ ଚାଲିଛି। ଦୁର୍ଘଟଣା ପରେ ପୋଲିସ ରାସ୍ତାରୁ ବାଲି ସଫା କରିବା ପରେ ଯାନବାହାନ ଯାତାୟାତ ସ୍ୱାଭାବିକ ହୋଇଛି । ପିପିଲି ପୋଲିସ ବସକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ଜେରା କରୁଛି ।

ଆଉ ଏକ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସେହିପରି ଆଜି ପିପିଲି ତେଇଶି ପୁରରେ ଏକ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଛି ପର୍ଯ୍ୟଟକଙ୍କ ଟ୍ରାଭେଲର । ମଧ୍ୟପ୍ରଦେଶରୁ ପ୍ରାୟ 30 ଜଣ ପର୍ଯ୍ୟଟକ ଏହି ଟ୍ରାଭେଲରରେ ଯାତ୍ରା କରୁଥିବା ସମୟରେ ଆଜି ଭୋର୍ ପ୍ରାୟ ଚାରିଟା ସମୟରେ ବିଦ୍ୟୁତ୍ ଖୁଣ୍ଟରେ ପିଚି ହୋଇ ଯାଇଥିଲା। ଫଳରେ ଦଶ ଜଣ ଆହତ ହୋଇ ଥିବାବେଳେ ତାଙ୍କୁ ସ୍ଥାନୀୟ ମଙ୍ଗଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣେ ପର୍ଯ୍ୟଟକଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ରେଫର୍ କରାଯାଇଛି। ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।


ଇଟିିଭି ଭାରତ, ନିମାପଡା

ଏହା ମଧ୍ୟ ପଢନ୍ତୁ ଦୁର୍ଘଟଣାର ଦିନ: ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଚାଲିଗଲା 10 ନିରୀହ ଜୀବନ

ଏହା ମଧ୍ୟ ପଢନ୍ତୁ ଅଟୋକୁ ଧକ୍କା ଦେଲା 'ଆମ ବସ୍‌'; ଜଣେ ମୃତ, 200000 କ୍ଷତିପୂରଣ ପ୍ରଦାନ କଲା CRUT