ETV Bharat / state

ମୟୂରଙ୍କ ଡାକରୁ ଘରଚଟିଆଙ୍କ କିଚିରିମିଚିରି ଶବ୍ଦ, ଗଞ୍ଜାମର ଦୁଇ ପ୍ରକୃତିପ୍ରେମୀ ସମୀର ଓ ସାଗରଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ପୁରସ୍କାର

୨୦୦୨ରୁ ମୟୂର ସୁରକ୍ଷାରେ ସମୀର ପ୍ରଧାନ ଏବଂ ୨୦୧୧ରୁ ଘରଚଟିଆଙ୍କ ପାଇଁ ସାଗର ପାତ୍ରଙ୍କ ଅଭିଯାନ, ଗଞ୍ଜାମରୁ ଆମେରିକା ଯାଏଁ ପହଞ୍ଚିଛି ସଂରକ୍ଷଣର ବାର୍ତ୍ତା । ସ୍ପେଶାଲ ରିପୋର୍ଟ- ସମୀର ଆଚାର୍ଯ୍ୟ

GANJAM WILDLIFE CONSERVATIONISTS
୨୦୦୨ରୁ ମୟୂର ସୁରକ୍ଷାରେ ସମୀର, ୨୦୧୧ରୁ ଘରଚଟିଆଙ୍କ ପାଇଁ ସାଗରଙ୍କ ଅଭିଯାନ; ଗଞ୍ଜାମରୁ ଆମେରିକା ଯାଏଁ ପହଞ୍ଚିଛି ସଂରକ୍ଷଣର ବାର୍ତ୍ତା। (ETV Bharat Odisha)
author img

By ETV Bharat Odisha Team

Published : October 8, 2026 at 8:58 PM IST

4 Min Read
Choose ETV Bharat

Ganjam Wildlife Conservationist

ବ୍ରହ୍ମପୁର: ସକାଳର ସୂର୍ଯ୍ୟ ଉଇଁବା ପୂର୍ବରୁ ଜଙ୍ଗଲରୁ ଶୁଭେ ମୟୂରଙ୍କ ଡାକ। ଆଉ ଗାଁ-ସହରର ସକାଳକୁ ମଧୁର କରେ ଘରଚଟିଆଙ୍କ କିଚିରିମିଚିରି। ଏହି ଦୁଇ ପକ୍ଷୀଙ୍କ ସୁରକ୍ଷା ପାଇଁ ବର୍ଷ ବର୍ଷ ଧରି ନିରବରେ କାମ କରି ଆସୁଥିବା ଗଞ୍ଜାମର ଦୁଇ ପ୍ରକୃତିପ୍ରେମୀଙ୍କୁ ମିଳିଛି ସମ୍ମାନ। ଗଞ୍ଜାମର ଘୁମୁସର ଅଞ୍ଚଳର ସମୀର ପ୍ରଧାନ ଏବଂ ବ୍ରହ୍ମପୁରର ସାଗର ପାତ୍ର। ଦୁଇଜଣଙ୍କ ଲକ୍ଷ୍ୟ ଭିନ୍ନ ହେଲେ ବି ଉଦ୍ଦେଶ୍ୟ ଗୋଟିଏ; ପ୍ରକୃତି ଓ ପକ୍ଷୀଙ୍କ ସୁରକ୍ଷା।

ପାକିଡ଼ି ଜଙ୍ଗଲ ଓ ତା’ର ଆଖପାଖ ଅଞ୍ଚଳରେ ମୟୂରଙ୍କ ସୁରକ୍ଷା ପାଇଁ ୨୦୦୨ ମସିହାରୁ କାମ କରୁଛନ୍ତି ସମୀର। ଅନ୍ୟପଟେ ସହରୀକରଣ ଭିତରେ ହଜିଯାଉଥିବା ଘରଚଟିଆଙ୍କୁ ପୁଣି ଲୋକଙ୍କ ଘର ଓ ଅଗଣାକୁ ଫେରାଇ ଆଣିବା ପାଇଁ ୨୦୧୧ରୁ ଅଭିଯାନ ଚଳାଇଛନ୍ତି ସାଗର। ଏହି ଦୀର୍ଘବର୍ଷର ପରିଶ୍ରମକୁ ମିଳିଛି ସ୍ୱୀକୃତି। ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଉପଖଣ୍ଡ ସ୍ତରରେ ଦୁଇଜଣଙ୍କୁ ସମ୍ମାନିତ କରାଯିବା ସହ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ପୁରସ୍କାର ମିଳିଛି।

୨୦୦୨ରୁ ମୟୂର ସୁରକ୍ଷାରେ ସମୀର, ୨୦୧୧ରୁ ଘରଚଟିଆଙ୍କ ପାଇଁ ସାଗରଙ୍କ ଅଭିଯାନ; ଗଞ୍ଜାମରୁ ଆମେରିକା ଯାଏଁ ପହଞ୍ଚିଛି ସଂରକ୍ଷଣର ବାର୍ତ୍ତା। (ETV Bharat Odisha)
  • ପାକିଡ଼ିରେ ମୟୂରଙ୍କ ରାଜ୍

ସକାଳର ସୂର୍ଯ୍ୟୋଦୟ ପୂର୍ବରୁ ପାକିଡ଼ି ଜଙ୍ଗଲରୁ ଶୁଣାଯାଏ ମୟୂରଙ୍କ ଶବ୍ଦ। ଏହି ଡାକ ଏବେ ସ୍ଥାନୀୟ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଛି। ବର୍ଷା ପୂର୍ବରୁ କଳା ମେଘ ଦେଖି ମୟୂରଙ୍କ ବିଚରଣ, ସକାଳର ସୂର୍ଯ୍ୟକିରଣରେ ଜଙ୍ଗଲ ଓ ଗାଁ ଚାରିପାଖରେ ସେମାନଙ୍କ ଉପସ୍ଥିତି, ଗ୍ରାମବାସୀଙ୍କ ପାଇଁ ଏବେ ଏକ ସାଧାରଣ ଦୃଶ୍ୟ। କିନ୍ତୁ ଏହା ପଛରେ ରହିଛି ଦୀର୍ଘବର୍ଷର ସଂରକ୍ଷଣ ଉଦ୍ୟମ।

Ganjam Wildlife Conservationist
ମୟୂର (ETV Bharat Odisha)

୨୦୦୨ରେ ପ୍ରକୃତିପ୍ରେମୀ ସମୀର ପ୍ରଧାନ ମୟୂର ସୁରକ୍ଷା କାର୍ଯ୍ୟ ଆରମ୍ଭ କରିଥିଲେ। ବନ ବିଭାଗ ସହ ମିଳିତ ଭାବେ ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ କାମ ଆରମ୍ଭ ହୋଇଥିଲା। ଏହାସହ ‘ମୟୂର ସୁରକ୍ଷା ସମିତି’ ଗଠନ କରାଯାଇ ଗ୍ରାମବାସୀ, ଯୁବକ ଓ ବିଭିନ୍ନ ବ୍ୟକ୍ତିଙ୍କୁ ସୁରକ୍ଷା ଅଭିଯାନରେ ସାମିଲ କରାଯାଇଥିଲା।

ମୟୂରଙ୍କ ପାଇଁ ପାଣି ବ୍ୟବସ୍ଥା, ପାକିଡ଼ିର ଚାରିପାଖରେ ବୃକ୍ଷରୋପଣ ଏବଂ ଜୈବିକ କୃଷି ଭଳି କାର୍ଯ୍ୟ ମଧ୍ୟ ଏହି ଅଭିଯାନର ଅଂଶ ରହିଛି।

ଏଥିସହ ସମୀର କହିଛନ୍ତି, ଆଜି ପାକିଡ଼ି ପାହାଡ଼ ଓ ଏହାର ଆଖପାଖ ସୋବାଚନ୍ଦ୍ରପୁର, ଗୋନ୍ଧୁ, କେରିକେରି ଝୋଳ, ଆମ୍ବବାଡ଼ି ଓ ଭର୍ତ୍ତପଲ୍ଲୀ ଭଳି ଅଞ୍ଚଳରେ ମୟୂରଙ୍କ ବିଚରଣ ଦେଖିବାକୁ ମିଳୁଛି। ଗାଁ ଭିତରକୁ ଆସି ମୟୂର ଖାଦ୍ୟ ଖାଉଥିବା ଦୃଶ୍ୟ ଗ୍ରାମବାସୀଙ୍କ ମନ ଜିଣୁଛି। ଏହି ଦୃଶ୍ୟ ଦେଖିବାକୁ ଏବେ ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି।

“ସକାଳ ସମୟରେ ମୁଁ ନୁହେଁ, ମୋ ପିଲାମାନେ ମୟୂର ଦେଖିବା ପାଇଁ ସମୟ ବାହାର କରି ଆସନ୍ତି। ଶେରଗଡ଼ ପାଖାପାଖି ଯେତେବେଳେ ଲୋକମାନେ ଯାତ୍ରା କରନ୍ତି, ସେଠାକୁ ମୟୂର ଦେଖିବା ପାଇଁ ମଧ୍ୟ ଆସନ୍ତି। ମୟୂର ଗାଁ ଭିତରକୁ ଆସି ଖାଦ୍ୟ ଖାଉଥିବା ଦେଖିଲେ ବହୁତ ଖୁସି ଲାଗେ।”

  • କଙ୍କ୍ରିଟ୍ ଜଙ୍ଗଲ ଭିତରେ ଘରଚଟିଆ ପାଇଁ ଆଶାର ବସା

ସେପଟେ ଦିନେ ଗାଁର ଛଣମାଟି ଘର ଛାତ ତଳେ ଶୁଣାଯାଉଥିଲା ଘରଚଟିଆଙ୍କ କିଚିରିମିଚିରି। ହେଲେ ଧୀରେ ଧୀରେ ଛଣମାଟି ଘର ବଦଳରେ କଙ୍କ୍ରିଟ୍‌ ଘର ବଢ଼ିବା ସହ ହଜିବାକୁ ଲାଗିଲା ଏହି ଛୋଟିଆ ପକ୍ଷୀର ଶବ୍ଦ। ଏହି ସମୟରେ ଘରଚଟିଆଙ୍କ ସୁରକ୍ଷା ପାଇଁ ଆଗକୁ ଆସିଥିଲେ ସାଗର ପାତ୍ର। ୨୦୧୧ରୁ ସେ ଘରଚଟିଆ ସଂରକ୍ଷଣ ପାଇଁ କାମ କରୁଛନ୍ତି।

ନିଜେ କୃତ୍ରିମ ବସା ତିଆରି କରି ପ୍ରଥମେ ନିଜ ଗାଁରୁ ଆରମ୍ଭ କରିଥିଲେ ଅଭିଯାନ। ପରେ ଏହା ଗଞ୍ଜାମର ବିଭିନ୍ନ ଅଞ୍ଚଳ, ପଡ଼ୋଶୀ ଜିଲ୍ଲା ଏବଂ ରାଜ୍ୟର ଅନ୍ୟ ଜିଲ୍ଲାକୁ ବ୍ୟାପିଥିଲା।

Ganjam Wildlife Conservationist Sagar Patra
ପ୍ରକୃତିପ୍ରେମୀ ସାଗର ପାତ୍ର (ETV Bharat Odisha)

ପ୍ରକୃତିପ୍ରେମୀ ସାଗର ପାତ୍ର କହିଛନ୍ତି; “୨୦୧୧ ମସିହାରୁ ଆମେ ଘରଚଟିଆ ସୁରକ୍ଷା ଉପରେ ବିଶେଷ ଭାବରେ କାମ କରୁଛୁ। ଗଞ୍ଜାମ, ଗଜପତି, ଜଗତସିଂହପୁର ଭଳି ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟ ଜାରି ରହିଛି। ଆମେ ଯେତେବେଳେ ଆରମ୍ଭ କରିଥିଲୁ, ହାତଗଣତି କିଛି ସ୍ଥାନରେ ଘରଚଟିଆର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁନଥିଲା। ଏବେ ଗଞ୍ଜାମର ୩୨ରୁ ୩୩ଟି ସ୍ଥାନରେ ଏହା ରହିଛି।”

ସାଗରଙ୍କ ଅନୁସାରେ, ଯେଉଁ ସ୍ଥାନରେ ଦିନେ ଗୋଟିଏ-ଦୁଇଟି ଘରଚଟିଆ ଦେଖାଯାଉଥିଲେ, ସେଠାରେ ଏବେ ସଂଖ୍ୟା ବହୁ ମାତ୍ରାରେ ବଢ଼ିଛି। ଠିକ୍‌ ସଂଖ୍ୟା ଗଣନା କରିବା ସମ୍ଭବ ନ ହେଲେ ମଧ୍ୟ ଭିଜୁଆଲ୍ ଓ ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ କେତେକ ସ୍ଥାନରେ ଘରଚଟିଆଙ୍କ ସଂଖ୍ୟା ୭୦ରୁ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବା ସେ କହିଛନ୍ତି।

GANJAM WILDLIFE CONSERVATIONISTS
୨୦୦୨ରୁ ମୟୂର ସୁରକ୍ଷାରେ ସମୀର, ୨୦୧୧ରୁ ଘରଚଟିଆଙ୍କ ପାଇଁ ସାଗରଙ୍କ ଅଭିଯାନ; ଗଞ୍ଜାମରୁ ଆମେରିକା ଯାଏଁ ପହଞ୍ଚିଛି ସଂରକ୍ଷଣର ବାର୍ତ୍ତା। (ETV Bharat Odisha)
  • ଗଞ୍ଜାମରୁ ଆମେରିକା ଯାଏଁ ଘରଚଟିଆ ସୁରକ୍ଷାର ବାର୍ତ୍ତା

ଘରଚଟିଆ ସୁରକ୍ଷାରେ ସାଗରଙ୍କ ଉଦ୍ୟମ କେବଳ ଓଡ଼ିଶା କିମ୍ବା ଦେଶ ଭିତରେ ସୀମିତ ରହିନାହିଁ। ୨୦୨୩ ମସିହାରେ ଆମେରିକାରୁ ଆମନ୍ତ୍ରଣ ପାଇ ୨୧ ଦିନିଆ IVLP କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ସେଠାରେ ଭାରତରେ ଘରଚଟିଆ ସୁରକ୍ଷା ପାଇଁ ହେଉଥିବା କାର୍ଯ୍ୟ, ଏହାକୁ ଆହୁରି ବ୍ୟାପକ କରିବାର ଉପାୟ ଏବଂ ସଂରକ୍ଷଣ ନେଇ ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରିଥିଲେ।

................
................. (...................)

“୨୦୨୩ ମସିହାରେ IVLP ପ୍ରୋଗ୍ରାମ୍ ପାଇଁ ଆମେରିକା ତରଫରୁ ଡାକରା ଆସିଥିଲା। ୨୧ ଦିନିଆ କାର୍ଯ୍ୟକ୍ରମ ଥିଲା। ସେଠାରେ ଘରଚଟିଆ ପାଇଁ ଆମେ ଏଠାରେ କେମିତି କାମ କରିଛୁ ଏବଂ ଆଗକୁ ଏହାର ଅଧିକ ସୁରକ୍ଷା କିପରି ହୋଇପାରିବ, ସେନେଇ ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରିଥିଲୁ।”

ସାଗରଙ୍କ ଆଉ ଏକ ଚିନ୍ତା ହେଉଛି ଘରଚଟିଆର ଭବିଷ୍ୟତ। ଦିନେ ଏହି ପକ୍ଷୀ ବନ୍ୟପ୍ରାଣୀ ସୁରକ୍ଷା ସୂଚୀରେ ନଥିଲା। ପରେ ୨୦୧୩ରେ ଏହା ସେଡ୍ୟୁଲ୍-୨କୁ ଆସିଥିବା ସେ କହିଛନ୍ତି। ତେଣୁ ଲୋକଙ୍କ ସହ ବନ ବିଭାଗର ସହଭାଗିତାରେ ଘରଚଟିଆ ସୁରକ୍ଷାକୁ ଆହୁରି ଆଗକୁ ନେବା ଆବଶ୍ୟକ ବୋଲି ତାଙ୍କ ମତ।

GANJAM WILDLIFE CONSERVATIONISTS
୨୦୦୨ରୁ ମୟୂର ସୁରକ୍ଷାରେ ସମୀର, ୨୦୧୧ରୁ ଘରଚଟିଆଙ୍କ ପାଇଁ ସାଗରଙ୍କ ଅଭିଯାନ; ଗଞ୍ଜାମରୁ ଆମେରିକା ଯାଏଁ ପହଞ୍ଚିଛି ସଂରକ୍ଷଣର ବାର୍ତ୍ତା। (ETV Bharat Odisha)
  • ପୁରସ୍କାର ଦେଲା ନୂଆ ଉତ୍ସାହ

ମୟୂର ଓ ଘରଚଟିଆଙ୍କ ସୁରକ୍ଷା ପାଇଁ ବର୍ଷ ବର୍ଷର କାର୍ଯ୍ୟ ପରେ ମିଳିଥିବା ଏହି ସମ୍ମାନ ଦୁଇଜଣଙ୍କ ପାଇଁ କେବଳ ପୁରସ୍କାର ନୁହେଁ, ଆଗାମୀ ଦିନର କାମ ପାଇଁ ଏକ ବଡ଼ ପ୍ରେରଣା।

ସାଗର କହିଛନ୍ତି; “ମୁଖ୍ୟମନ୍ତ୍ରୀ ସବ୍‌ଡିଭିଜନ୍ ସ୍ତରୀୟ ବନ୍ୟପ୍ରାଣୀ ପୁରସ୍କାର ପାଇ ବହୁତ ଖୁସି ଲାଗୁଛି। ଆମର ବହୁତ ଦିନର ସ୍ୱପ୍ନ ଓ କଷ୍ଟର ମୂଲ୍ୟ ମିଳିଛି। ଏହା ଦ୍ୱାରା ପରିବେଶ ଉପରେ କାମ କରୁଥିବା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇବେ ବୋଲି ଆଶା କରୁଛି।”

GANJAM WILDLIFE CONSERVATIONISTS
୨୦୦୨ରୁ ମୟୂର ସୁରକ୍ଷାରେ ସମୀର, ୨୦୧୧ରୁ ଘରଚଟିଆଙ୍କ ପାଇଁ ସାଗରଙ୍କ ଅଭିଯାନ; ଗଞ୍ଜାମରୁ ଆମେରିକା ଯାଏଁ ପହଞ୍ଚିଛି ସଂରକ୍ଷଣର ବାର୍ତ୍ତା। (ETV Bharat Odisha)

ସମୀର ଓ ସାଗରଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କୁ ମଧ୍ୟ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷାରେ ସାମିଲ ହେବା ପାଇଁ ପ୍ରେରଣା ଦେବ ବୋଲି କୁହାଯାଇଛି।

  • ମଣିଷ ଓ ବନ୍ୟପ୍ରାଣୀଙ୍କ ସହାବସ୍ଥାନ ହିଁ ସମାଧାନ

ବ୍ରହ୍ମପୁର ରେଞ୍ଜର ବିମ୍ବାଧର ସାହୁ କହିଛନ୍ତି, ବନ୍ୟଜନ୍ତୁଙ୍କ ସଂଖ୍ୟା କିମ୍ବା ବାସସ୍ଥାନରେ ହ୍ରାସ ଘଟୁଥିବା ସମୟରେ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସହଭାଗିତା ଅତ୍ୟନ୍ତ ଜରୁରୀ। “ଜଙ୍ଗଲ ଯେମିତି ସୁରକ୍ଷିତ ରଖୁଛୁ, ସେହିପରି ଜୀବଜନ୍ତୁଙ୍କୁ ମଧ୍ୟ ସୁରକ୍ଷା କରିବାକୁ ପଡ଼ିବ। ଜୈବ ବିବିଧତା ଦୃଷ୍ଟିରୁ ପରିବେଶକୁ ସନ୍ତୁଳିତ ରଖିବା ଆବଶ୍ୟକ। ମାନବ ସମାଜ ବନ୍ୟଜନ୍ତୁଙ୍କୁ ଛାଡ଼ି ବଞ୍ଚିପାରିବ ନାହିଁ, ସେହିପରି ବନ୍ୟଜନ୍ତୁମାନେ ମଧ୍ୟ ମାନବ ସମାଜକୁ ଛାଡ଼ି ବଞ୍ଚିପାରିବେ ନାହିଁ। ସମସ୍ତେ ମିଳିମିଶି ରହିଲେ ହିଁ ପରିବେଶ ସନ୍ତୁଳିତ ରହିବ।”

ପାକିଡ଼ି ଜଙ୍ଗଲରେ ମୟୂରଙ୍କ ଡାକ ହେଉ କି ଗଞ୍ଜାମର ଗାଁ ଓ ସହରରେ ଘରଚଟିଆଙ୍କ କିଚିରିମିଚିରି। ଏହି ଦୁଇଟି ଶବ୍ଦ ଆଜି କହୁଛି ପ୍ରକୃତି ସୁରକ୍ଷାର ଏକ ସଫଳ କାହାଣୀ। ସମୀର ପ୍ରଧାନଙ୍କ ଦୁଇ ଦଶନ୍ଧିର ମୟୂର ସୁରକ୍ଷା ଅଭିଯାନ ଏବଂ ସାଗର ପାତ୍ରଙ୍କ ଦୀର୍ଘବର୍ଷର ଘରଚଟିଆ ସଂରକ୍ଷଣ ପ୍ରୟାସକୁ ମିଳିଥିବା ଏହି ସମ୍ମାନ କେବଳ ଦୁଇଜଣଙ୍କ ସଫଳତା ନୁହେଁ, ଏହା ଗଞ୍ଜାମର ପ୍ରକୃତିପ୍ରେମୀ ଲୋକଙ୍କ ସାମୂହିକ ପ୍ରୟାସର ମଧ୍ୟ ସ୍ୱୀକୃତି।

ମୟୂର ଓ ଘରଚଟିଆଙ୍କୁ ବଞ୍ଚାଇବାର ଏହି ପ୍ରୟାସ ଆଗକୁ ଆହୁରି ବ୍ୟାପକ ହେଉ, ଏହା ହିଁ ଏହି ଦୁଇ ପ୍ରକୃତିପ୍ରେମୀଙ୍କ ଅଭିଯାନର ବଡ଼ ବାର୍ତ୍ତା।

ଏହା ମଧ୍ୟ ପଢ଼ନ୍ତୁ... ଔଷଧ କମ୍ପାନୀ ଡାକ୍ତରଙ୍କୁ ଦେଇପାରିବେନି ଦାମୀ ଉପହାର, ବିଦେଶ ଯାତ୍ରାର ଅଫର; କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇଟିଭି ଭାରତ, ବ୍ରହ୍ମପୁର