ETV Bharat / state

MV Ocean Winner ଜାହାଜ ବୁଡ଼ି ଘଟଣା; କୋଲକାତା ଗଲେ ଉଦ୍ଧାର ଦୁଇ ଚାଇନିଜ କ୍ରୁ ସଦସ୍ୟ

ରହସ୍ୟ ଘେରରେ MV Ocean Winner ଜାହାଜ ବୁଡ଼ିବା ଘଟଣା । ଉଦ୍ଧାର ହୋଇଥିବା ଦୁଇ ଜଣ ଚାଇନିଜ କ୍ରୁ ସଦସ୍ୟଙ୍କୁ କୋଲକାତା ପଠାଗଲା । ରିପୋର୍ଟ- ସୁଶାନ୍ତ ପାତ୍ର

MV Ocean Winner sinking incident
MV Ocean Winner ଜାହାଜ ବୁଡ଼ି ଘଟଣା; କୋଲକାତା ଗଲେ ଉଦ୍ଧାର ଦୁଇ ଚାଇନିଜ କ୍ରୁ ସଦସ୍ୟ (ETV Bharat Odisha)
author img

By ETV Bharat Odisha Team

Published : August 30, 2026 at 8:52 PM IST

2 Min Read
Choose ETV Bharat

ପାରାଦ୍ବୀପ: ଜାହାଜ MV Ocean Winner ବୁଡ଼ିବା ଘଟଣାରେ ଏବେ ବି କାରଣ ଅସ୍ପଷ୍ଟ । ଦୀର୍ଘ ୮ ଦିନରୁ ଅଧିକ ହେବ ରେସ୍କ୍ୟୁ ଅପରେସନ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ନିଖୋଜ ଥିବା ଅନ୍ୟ ୨୨ ଜଣ କ୍ରୁ-ସଦସ୍ୟଙ୍କ ପତ୍ତା ମିଳିପାରିନାହିଁ । ତେଣୁ ସେମାନଙ୍କ ମୃତ୍ୟୁ ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି ।

ଉଦ୍ଧାର ହୋଇଥିବା ଦୁଇ ଜଣ ଚାଇନିଜ କ୍ରୁ ସଦସ୍ୟଙ୍କୁ ପାରାଦ୍ବୀପରେ ଜେରା ପରେ ଆଜି (ରବିବାର) ସକାଳୁ ସେମାନଙ୍କୁ ଜାହାଜ ଏଜେନ୍ସି ସହାୟତାରେ କୋଲକାତା ନିଆଯାଇଛି । ସେଠାରୁ ଉଭୟଙ୍କୁ ଚୀନ୍‌ ଦୂତାବାସକୁ ହସ୍ତାନ୍ତର କରାଯିବ ଏବଂ ସେମାନଙ୍କୁ ଚୀନ୍‌ ପଠାଯିବାର ବ୍ୟବସ୍ଥା କରାଯିବ । ଜାହାଜର ଏଜେଣ୍ଟ ଚୀନ୍‌ ଦୂତାବାସ ସହିତ ଯୋଗାଯୋଗ କରି ଉଭୟଙ୍କ ଭିସା ଓ ପାସପୋର୍ଟ କାର୍ଯ୍ୟ ସାରିବା ପରେ ସେମାନେ ଫେରିବେ ଚୀନ୍‌ ।

ଅନ୍ୟପଟେ ଉଦ୍ଧାର ଦୁଇ ଚୀନ୍‌ କ୍ରୁ-ସଦସ୍ୟ ପାରାଦୀପରେ ପହଞ୍ଚି ଦେଇଥିବା ଚାଞ୍ଚଲ୍ୟକର ବୟାନ ସମସ୍ତଙ୍କୁ ଚକିତ କରିଛି । ଗତ ଶୁକ୍ରବାର ଭାରତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦୁଇ ଜଣ କନ୍‌ସୋଲେଟର, ଜଣେ ଅଇନଜୀବୀ ଓ ଜଣେ ଭାଷା ଅନୁବାଦକଙ୍କ ଦ୍ୱାରା ଉଭୟଙ୍କୁ ଜେରା କରାଯିବା ପରେ ଜଣାପଡ଼ିଥିଲା ଏହି ଚାଞ୍ଚଲ୍ୟକର ତଥ୍ୟ ।



ସେମାନଙ୍କ ବୟାନ ଅନୁଯାୟୀ,ଅଧିକ ରୋଲିଂ ଯୋଗୁଁ ହଠାତ୍‌ ଜାହାଜଟି ବୁଡ଼ିଯାଇଥିଲା। ମାତ୍ର ୮ ମିନିଟ୍‌ ଭିତରେ ଜାହାଜ ବୁଡ଼ିଯିବାରୁ ୨୪ ଜଣ କ୍ରୁ-ସଦସ୍ୟଙ୍କ ମଧ୍ୟରୁ ମାତ୍ର ୨ ଜଣ ହିଁ ଜାହାଜରୁ ବାହାରି ସମୁଦ୍ରକୁ ଡେଇଁଥିଲେ । ଅନ୍ୟମାନେ ଜାହାଜ ଭିତରୁ ବାହାରି ନ ପାରି ସମୁଦ୍ର ଭିତରେ ବୁଡ଼ି ପ୍ରାଣ ହରାଇଥିଲେ ।

ଅପରପକ୍ଷରେ ପାରାଦ୍ବୀପ ବନ୍ଦର ନିକଟରେ ଥିବା ସାର୍ଚ୍ଚ ଅପରେସନ୍‌ର ସିଷ୍ଟମ୍‌ ଯାଞ୍ଚ କଲେ ମଧ୍ୟ ବୁଡ଼ିବା ବେଳେ ଓସେନ୍‌ ୱିନରର ପ୍ରକୃତ ସ୍ଥିତି ଓ କାରଣ ସ୍ପଷ୍ଟ ହେବ ବୋଲି ପୂର୍ବତନ ନୌସେନା ଅଧିକାରୀ କ୍ୟାପଟେନ୍‌ ବନ ବିହାରୀ ସାହୁ ପ୍ରକାଶ କରିଛନ୍ତି ।

ସେପଟେ ଏହି ଜାହାଜ ବୁଡ଼ି ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ ଜାହାଜ କ୍ୟାପଟେନ୍‌ ପ୍ରେମାନନ୍ଦ ରାଉତ । ସେ କହିଛନ୍ତି," ଜାହାଜର ଓଜନ ଓ ଏହାର ପଣ୍ୟ ପରିବହନ କ୍ଷମତା ମଧ୍ୟ ଭଲ ଥିଲା । ହେଲେ ଉକ୍ତ ସମୟରେ ଲଘୁଚାପ ଯୋଗୁଁ ଲୁହାପଥର ଗୁଡ଼ିକ ଓଦା ହୋଇ ଅଧିକ ଓଜନିଆ ହୋଇଥିବାରୁ ସମୁଦ୍ରରେ ଅଧିକ ରୋଲିଂକୁ ସମ୍ଭାଳିବାରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ଜାହାଜ ବୁଡ଼ିଯାଇଛି ।"


ଅନ୍ୟପଟେ ଜାହାଜ ଓସେନ୍‌ ୱିନର ବୁଡ଼ିବା ଘଟଣାକୁ ୮ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାବତ୍‌ ୨୨ ଜଣ କ୍ରୁ-ସଦସ୍ୟ ନିଖୋଜ ରହିଛନ୍ତି ଏବଂ ଓସେନ୍‌ ୱିନର ଘଟଣାସ୍ଥଳରେ ଚୀନ୍‌ର ଦୁଇଟି ଜାହାଜ ଓ ନୌସେନାର ଦୁଇଟି ଏୟାରକ୍ରାଫ୍ଟ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...100 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା MV Ocean Winner ଜାହାଜର ଏକ ଲାଇଫବୋଟ୍, ଏବେ ବି ନିଖୋଜ 22 କ୍ରୁ ମେମ୍ବର

ଏହା ମଧ୍ୟ ପଢନ୍ତୁ... ମଝି ସମୁଦ୍ରରେ ବୁଡ଼ିଗଲା MV Ocean Winner, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନାର P8I ବିମାନ ନିୟୋଜିତ

ଇଟିଭି ଭାରତ, ପାରାଦ୍ବୀପ