‘ଟୁ-କୋଷ୍ଟ ଷ୍ଟ୍ରାଟେଜି' ପ୍ରସ୍ତାବ; ବନ୍ଦର-ଭିତ୍ତିକ ବିକାଶ ପୂର୍ବ ଭାରତର ପ୍ରଗତିକୁ ଆଗେଇ ନେବ ଓଡ଼ିଶା - ମୁଖ୍ୟମନ୍ତ୍ରୀ
ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ରଣନୀତିର ପ୍ରସ୍ତାବ ଦେଇଛନ୍ତି । ରିପୋର୍ଟ ଭବାନୀ ଶଙ୍କର ଦାସ ।


Published : May 6, 2026 at 10:32 PM IST
ଭୁବନେଶ୍ବର: ଭାରତର ବିକାଶ ଆଉ ଏକପାଖିଆ ହୋଇ ରହିପାରିବ ନାହିଁ । ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବ । ବନ୍ଦର-ଭିତ୍ତିକ ବିକାଶ ପୂର୍ବ ଭାରତର ପ୍ରଗତିକୁ ଆଗେଇ ନେବ ଓଡ଼ିଶା । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଉପକୂଳର ଦକ୍ଷତା ଏବଂ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରିବାକୁ ଶିଳ୍ପପତିମାନଙ୍କୁ ସେ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଶ୍ୱର ଶିଳ୍ପ ଇକୋସିଷ୍ଟମର ପ୍ରତିଯୋଗିତାମୂଳକ ପରିବେଶରେ ଭାରତ ଯେପରି ଦୀର୍ଘକାଳୀନ ଭାବେ ଦକ୍ଷତାର ସହ ଅଭିବୃଦ୍ଧି ହାସଲ କରିପାରିବ, ସେଥିପାଇଁ ସନ୍ତୁଳିତ ଉପକୂଳ ବିକାଶ ଅପରିହାର୍ଯ୍ୟ । ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଭାରତର ପଶ୍ଚିମ ଉପକୂଳର ବ୍ୟାପକତା ଏବଂ ଦକ୍ଷତା ବାବଦରେ ସମସ୍ତେ ଅବଗତ । ସେହିପରି ପୂର୍ବ ଉପକୂଳର ବିକାଶକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ଓଡ଼ିଶା ଦେଶର ପରବର୍ତ୍ତୀ ଶିଳ୍ପ ଅଭିବୃଦ୍ଧିର ଗେଟ୍-ୱେ ହେବ । ପଶ୍ଚିମ ଉପକୂଳ ସାମୁଦ୍ରିକ ବାଣିଜ୍ୟ ଓ ଶିଳ୍ପ କାର୍ଯ୍ୟକଳାପର ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି । ଭାରତର ପୂର୍ବ ଉପକୂଳ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି । ଓଡ଼ିଶା ସେହି ସଫଳତାର ପୁନରାବୃତ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, "ମୁଁ ପାରାଦୀପ ମାଟିର ସନ୍ତାନ । ପାରାଦୀପ କିଭଳି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ପରିବର୍ତ୍ତନ ଆଣିଛି ତାହା ମୁଁ ନିଜେ ଦେଖିଛି । ଆଜି ଆମେ ସେହି ମୂଳଦୁଆ ଉପରେ ବନ୍ଦର-ଭିତ୍ତିକ ଶିଳ୍ପାୟନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଛୁ ।"
ଧାମରା, ପାରାଦୀପ ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ସହିତ ଓଡ଼ିଶା ଭାରତର ପୂର୍ବ ଉପକୂଳରେ ବିକାଶର ପ୍ରଭାବଶାଳୀ ଇଞ୍ଜିନ ଭାବେ ଉଭା ହେଉଛି । ଓଡ଼ିଶା ପ୍ରତିନିଧିଙ୍କ ଏହି ଗସ୍ତ ଦ୍ୱାରା ବନ୍ଦର-ଭିତ୍ତିକ ଶିଳ୍ପାୟନ ଉପରେ ରାଜ୍ୟର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଇଛି । ଉପକୂଳ ଭିତ୍ତିଭୂମି ରାଜ୍ୟର ଅର୍ଥନୈତିକ ସମ୍ପ୍ରସାରଣର ମେରୁଦଣ୍ଡ ଭାବେ ଉଭା ହେଉଛି । ଶିଳ୍ପ କରିଡର, ଲଜିଷ୍ଟିକ୍ସ ହବ ଓ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବା SEZ ମାଧ୍ୟମରେ ଓଡ଼ିଶା ସମନ୍ୱିତ ବ୍ୟବସ୍ଥା ଗଠନ କରୁଛି । ଯାହା ଓଡ଼ିଶାର ମାନୁଫାକ୍ଚରିଂ କ୍ଷେତ୍ରକୁ ବିଶ୍ୱ ବଜାର ସହିତ ସହଜରେ ଯୋଡ଼ିପାରିବ । ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳ ସହିତ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଗସ୍ତରେ ସାମିଲ ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଭିଜନରୁ ଆକ୍ସନ; ଭାରତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶାର ଶହ ଶହ କାର୍ଯ୍ୟକର୍ତ୍ତା ବିଜେପି ପାଇଁ କାମ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ବଡ଼ ଦାୟିତ୍ଵ- ରାଜସ୍ୱ ମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ବର

