ଜଗା ଡାକରେ ବିହ୍ୱଳ ବୃନ୍ଦାବନ...ସାଇକେଲରେ ତୁଳସୀ ନେଇ ବାଲେଶ୍ୱରରୁ ଯାଉଛନ୍ତି ପୁରୀ
ରାସ୍ତାରେ ସୁର ସୁର ହୋଇ ଗଡୁଛି ସାଇକେଲ । ସାଇକେଲରେ ଆଗରେ ରହିଛି ତୁଳସୀ ପତ୍ରର ଭାର । ପଛ ପାଖରେ ରହିଛି ଦୁଇଟି ଝୁଡିରେ ତୁଳସୀ ଗଛ ।

Published : February 26, 2026 at 6:59 PM IST
ସ୍ପେଶାଲ ରିପୋର୍ଟ-ବିକାଶ କୁମାର ଦାସ
ଭୁବନେଶ୍ୱର: ଭକ୍ତର ଭାବରେ ସବୁବେଳେ ବନ୍ଧା ଜଗା । କାହାକୁ ତା ଦୁଆର ମୁହଁରୁ ଫେରାଇ ଦିଏ, କାହା ପାଖେ ପୁଣି ଅଭିମାନ କରି କୁହେ..'ସବୁଆଡେ ଯାଉଛୁ...ମୋ ପାଖକୁ ଆସିବୁ ବୋଲି କହିଥିଲୁ, ଆସୁନୁ...।' ଜଗାର ଏ ଡାକକୁ ଭକ୍ତଟିଏ କଣ କେବେ ଏଡାଇ ପାରେ ! ଜଗାର ଏମିତି ଡାକରେ ବିମୋହିତ ହୋଇ ଯାଇଥିଲେ ବୃନ୍ଦାବନ । ସେବେଠାରୁ ଜଗା ପାଇଁ ପୁରୀ ଆସୁଛନ୍ତି । ସାଥୀରେ ଧରି ଆସୁଛନ୍ତି ଜଗାର ପ୍ରିୟ ତୁଳସୀ । ଆଖପାଖ ଅଞ୍ଚଳରୁ ସଂଗ୍ରହ କରନ୍ତି ଏଇ ତୁଳସୀ । ଖୁବ ଯତ୍ନରେ କଦଳୀପତ୍ରରେ ବାନ୍ଧି ଝୁଡିରେ ଧରି ଆସନ୍ତି । ତା ପୁଣି ସାଇକେଲରେ ।
ବାଲେଶ୍ୱର ଜିଲ୍ଲାର ବୃନ୍ଦାବନ ମଲ୍ଲିକ । ଏକଦା ମାନସିକ ଅବସାଦରେ ଭାଙ୍ଗି ପଡିଥିଲେ । ଦିନେ ସ୍ବପ୍ନରେ ଦେଖିଲେ ଯେମିତି ଜଗା ତାଙ୍କୁ କହୁଛି, 'ସବୁବେଳେ କହୁଛୁ, ହେଲେ ଦିନକ ପାଇଁ ମୋ ଦ୍ୱାରକୁ ଆସୁନାହୁଁ ।' ଏହାକୁ ଜଗାର ଡାକ ବୋଲି ଭାବିନେଲେ ବୃନ୍ଦାବନ । ବାସ..ତାପରଠାରୁ ଦୂରେଇ ଗଲା ଅବସାଦ । ବାହାରିଲେ ପୁରୀ ଯିବେ, ଜଗା ଦର୍ଶନ କରିବେ । ସେବେଠାରୁ ସେ ନିୟମିତ ପୁରୀ ଆସୁଛନ୍ତି ।

ପ୍ରତି ମାସ 20 ତାରିଖ ହେଲେ ସେ ବାହାରି ପଡନ୍ତି ପୁରୀ । ଆଖପାଖ ଗାଁ ଗହଳିରୁ ତୁଳସୀ ସଂଗ୍ରହ କରନ୍ତି । ସାଇକେଲରେ ଧରି ସୁଦୂର ବାଲେଶ୍ୱରରୁ ଜଗା ନିକଟକୁ ଆସନ୍ତି । ବୃନ୍ଦାବନଙ୍କର ଏ ତୁଳସୀ ସେବାକୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ଉପସ୍ଥାପନା...
ରାସ୍ତାରେ ସୁର ସୁର ହୋଇ ଗଡୁଛି ସାଇକେଲ । ସାଇକେଲରେ ଆଗରେ ରହିଛି ତୁଳସୀ ପତ୍ରର ଭାର । ପଛ ପାଖରେ ରହିଛି ଦୁଇଟି ଝୁଡିରେ ତୁଳସୀ ଗଛ । ମହାବାହୁଙ୍କ ପାଇଁ ଯାଉଛି ତାଙ୍କର ପ୍ରିୟ ତୁଳସୀ । ବାଲେଶ୍ୱରରୁ ତୁଳସୀ ନେଇ ପୁରୀକୁ ସାଇକେଲରେ ଯାତ୍ରା କରୁଛନ୍ତି ଜଣେ ଭକ୍ତ । ତୁଳସୀ ସହ ନଡ଼ିଆ, ଫୁଲ ବି ସଂଗ୍ରହ କରି ମହାପ୍ରଭୁଙ୍କ ପାଖକୁ ଯାଉଛନ୍ତି ।


ସାଇକେଲାରେ ୨୬୦ କିଲୋମିଟର ଯାତ୍ରା
ବୃନ୍ଦାବନ ମଲ୍ଲିକ କହିଛନ୍ତି, ମାସରେ ଥରେ ବୃନ୍ଦାବନ ଆସନ୍ତି ପୁରୀ । ମାସ ୨୦ ତାରିଖେ ହେଲେ ସେ ସାଇକେଲରେ ବାହାରି ପଡନ୍ତି । ପାଖାପାଖି ୨୬୦ କିଲୋମିଟର ରାସ୍ତା । ସାଇକେଲରେ ବାଲେଶ୍ୱରରୁ ପୁରୀ ଦୁଇ ଦିନ ସମୟ ଲାଗିଥାଏ । ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବରେ ତୁଳସୀକୁ ସଂଗ୍ରହ କରି ସାଇକେଲରେ ପୁରୀ ବାହାରନ୍ତି । ମନ୍ଦିର ଏବଂ ମଠରେ ରାତି ବିତାଇଥାନ୍ତି । ଏପରିକି କାହାର ଘରେ ବା ବାରଣ୍ଡାରେ ବି ବିଶ୍ରାମ ନିଅନ୍ତି ନାହିଁ ।

ବୃନ୍ଦାବନଙ୍କ କହିବା ଅନୁସାରେ, ଶୀରାପୁର, ବ୍ରହ୍ମପୁର, କେଶପୁର, ଖୀଲୁକୁଣି, ପାଇକ ସାହି, ତେଲିଆଗଞ୍ଜ ଭଳି ପାଖାପାଖି ୮-୧୦ ଗାଁରୁ ସେ ତୁଳସୀ ସଂଗ୍ରହ କରିଥାନ୍ତି । ଲୋକମାନେ ବି ଖୁସି ଖୁସିରେ ଦିଅନ୍ତି । ଲୋକେ ଯେତେବେଳେ ଜାଣିଲେ, ମାସକୁ ଥରେ ତୁଳସୀ ନେଇ ସେ ପୁରୀ ଯାଉଛନ୍ତି, ସେବେଠାରୁ ଅଧିକରୁ ଅଧିକ ଲୋକ ତାଙ୍କୁ ଯୋଗାଯୋଗ କରି ନିଜେ ଆଣି ଦେଇ ଯାଉଛନ୍ତି ।

ଝୁଡିରୁ ଛୁଟୁଛି ତୁଳସୀ ବାସ
ସାଇକେଲରେ ରହିଛି ଦୁଇଟି ଝୁଡି । ଝୁଡି ମଧ୍ୟରେ ରହିଛି କଦଳୀପତ୍ର, ତାହା ଭିତରେ ଯତ୍ନରେ ରଖାଯାଇଛି ତୁଳସୀ । ଝୁଡି ଭିତରୁ ଛୁଟି ଆସୁଛି ତୁଳସୀର ବାସ୍ନା । ଦୁଇ ଦିନର ଏଇ ଯାତ୍ରାରେ ବୃନ୍ଦାବନ ମନ୍ଦିର କିମ୍ବା ମଠମାନଙ୍କରେ ବିଶ୍ରାମ ନିଅନ୍ତି । ତେବେ କାହିଁକି ଏମିତି ନିଷ୍ପତ୍ତି ନେଲେ ବୃନ୍ଦାବନ ? ଏ ନେଇ ବୃନ୍ଦାବନ କହନ୍ତି, 'ସମାଜର କଲ୍ୟାଣ ପାଇଁ ଏହି ସେବା କରୁଛି । ଗାଁ ଗହଳିରେ ଯେଉଁମାନେ ପୁରୀ ଯାଇପାରୁ ନାହାନ୍ତି କିମ୍ବା କୌଣସି ଜିନିଷ ପୁରୀକୁ ପଠାଇ ପାରୁନାହାନ୍ତି ସେମାନେ ମୋ ହାତରେ ଜଗା ପାଇଁ ଜିନିଷ ପଠାଇ ପାରୁଛନ୍ତି । ଆରମ୍ଭରୁ ଯେତିକି ଅଂଚଳରୁ ତୁଳସୀ ସଂଗ୍ରହ କରୁଥିଲେ, ଆଗାମୀ ଦିନରେ କିଭଳି ଆହୁରି ଅଧିକ ଅଞ୍ଚଳରୁ ଅଧିକ ଲୋକଙ୍କଠାରୁ ତୁଳସୀ ଆଣିବି ସେଥିପାଇଁ ଉଦ୍ୟମ କରୁଛି । ଏଥିପାଇଁ ପରିବାର ଲୋକ ବିଶେଷ କରି ପତ୍ନୀ ମୋତେ ଖୁବ ସହଯୋଗ କରୁଛନ୍ତି' ବୋଲି କହନ୍ତି ତୁଳସୀ ।
କାହିଁକି ମନରେ ଆସିଲା ତୁଳସୀ ସେବା
ବୃନ୍ଦାବନ କହିଛନ୍ତି ଯେ, 'ରାଜ୍ୟ ତଥା ଭାରତର ଅନେକ ମନ୍ଦିର ବୁଲିଛି । ଭକ୍ତି ଭାବ ସହ ସବୁଆଡକୁ ଯାଇଛି । ହେଲେ ସବୁବେଳେ ଭାବେ ଏଥର ନିଶ୍ଚିତ ଭାବରେ ଘରକୁ ଫେରିଲେ ପୁରୀ ଯିବି । କାଳିଆକୁ ଦର୍ଶନ କରିବି । ଏମିତି ବର୍ଷ ପରେ ବର୍ଷ ବିତିଗଲା, କିନ୍ତୁ ଯାଇପାରିଲି ନାହିଁ । ହଠାତ ଶୋଇଥିବାବେଳେ ସ୍ୱପ୍ନ ଦେଖିଲି । ଏହାକୁ ମହାପ୍ରଭୁଙ୍କର ନିର୍ଦ୍ଦେଶ ବୋଲି ଭାବିନେଲି । ସେବେଠାରୁ ତୁଳସୀ ସେବାରେ ଲାଗିଛି । ୨୦୨୬ ଜାନୁଆରୀରୁ ତୁଳସୀ ସଂଗ୍ରହ କରି ସାଇକେଲରେ ଯାତ୍ରା ଆରମ୍ଭ କରିଛି' ବୋଲି କହିଛନ୍ତି ।
ବୃନ୍ଦାବନଙ୍କ ସହିତ ଯାଉଛନ୍ତି ତନ୍ମୟ ପ୍ରଧାନ । ବୟସ ୨୦ ବର୍ଷ । ସେ ବି ବୃନ୍ଦାବନଙ୍କ ସହ ନିଷ୍ଠାର ସହ ସାଇକେଲରେ ଯାଉଛନ୍ତି । ସେ କହିଛନ୍ତି, ଆମେ ସାଇକେଲ ଯାତ୍ରା ୨୦୨୬ ଜାନୁଆରୀ ୨୦ରୁ ଆରମ୍ଭ କରିଛୁ । ଡର ଓ କଷ୍ଟ ହେଲେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଯେହେତୁ ତୁଳସୀ ନେଇ ନେଉଛୁ, କିଛି କଷ୍ଟ ଜଣାପଡ଼ୁନାହିଁ । ବାଟରେ କିଛି ଅସୁବିଧା ହୁଏ ନାହିଁ। ପ୍ରତ୍ୟେକ ମାସରେ ଏଭଳି ଚାଲିଥିବ ବୋଲି କହିଛନ୍ତି ତନ୍ମୟ ।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ନିଆରା ଅଭିଯାନ; ଚିରାଫଟା ତ୍ରିରଙ୍ଗାକୁ ସଂଗ୍ରହ କରି ମାଟି ତଳେ ଦେଉଛନ୍ତି ସମାଧି
ଏହା ମଧ୍ୟ ପଢନ୍ତୁ ପାଣି ପାଇଁ ପୁଅଙ୍କୁ ଗାଁ ମନା ! ଡାକ୍ତରଙ୍କ ବଦାନ୍ୟତାରେ ଲାଗିଛି ଫ୍ଲୋରାଇଡ୍ ପ୍ୟୁରିଫାୟର

