ETV Bharat / state

ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବୁ-ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ

ଶତାଧିକ ଆଦିବାସୀ ପାରମ୍ପରିକ ପୋଷାକ ପିନ୍ଧି, ପୂଜାର୍ଚ୍ଚନା ସହ ନୃତ୍ୟ ଓ ସଙ୍ଗୀତରେ ମଗ୍ନ ହୋଇଥିଲେ। ନାଚଗୀତ ଓ ଭୋଜିଭାତରେ ମୁଖରିତ ହୋଇଉଠିଥିଲା ପୁରା ପରିବେଶ ।

Tribals of Nayamgiri celebrate Nayamraja  festival in Bhawanipatna
ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ (Etv Bharat)
author img

By ETV Bharat Odisha Team

Published : March 4, 2026 at 4:52 PM IST

3 Min Read
Choose ETV Bharat

ରିପୋର୍ଟ-ଅଜିତ କୁମାର ସିଂହ

ଭବାନୀପାଟଣା: ନିୟମଗିରିର କାଣିଚାଏ କ୍ଷତି ସହବେ ନାହିଁ । ନିୟମଗିରିର ସୁରକ୍ଷା ସେମାନଙ୍କର ଲକ୍ଷ୍ୟ ନୁହେଁ ଧର୍ମ । ଏମିତି ଉଦ୍ଦେଶ୍ୟ ନେଇ ଆଦିବାସୀ ଅଞ୍ଚଳ ନିୟମଗିରିରେ ପାଳିତ ହୋଇଛି ପବିତ୍ର ନିୟମରାଜା ପର୍ବ। ପରମ୍ପରା, ପରିଚୟ ଓ ପ୍ରକୃତି ସୁରକ୍ଷାର ସନ୍ଦେଶ ନେଇ ଏହି ପର୍ବ ପାଳନ କରିଛନ୍ତି ଡଙ୍ଗରିଆ କନ୍ଧ ଆଦିବାସୀ । ଏହା ସହ ନିଜର "ଜଳ, ଜଙ୍ଗଲ ଓ ଜମି"ର ସୁରକ୍ଷା ପାଇଁ ନେଇଛନ୍ତି ଶପଥ । ପ୍ରକୃତି ରାଣୀର ପ୍ରକୃତ ଉପାସକ ହେଉଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ । ମାଟି ପାଣି ପବନକୁ ଆରାଧ୍ୟ ଦେବତା ଭାବରେ ଗ୍ରହଣ କରି ଚାଲିଛି ପୂଜାର୍ଚ୍ଚନା। ଆଦିବାସୀଙ୍କର ଏହି ସ୍ୱତନ୍ତ୍ର ରିପୋର୍ଟକୁ ନେଇ ସ୍ବତନ୍ତ୍ର ରିପୋର୍ଟ୍ ।


ପାହାଡ ଶିଖରରେ ପାଳନ କଲେ ନିୟମରାଜା ପର୍ବ

Tribals of Nayamgiri celebrate Nayamraja  festival in Bhawanipatna
ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ (Etv Bharat)

ପ୍ରକୃତି ଚଳଣିରେ ବନ୍ଧା କଳାହାଣ୍ଡି ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମାଜ । ଦାରୁଠୁ ଆରମ୍ଭ କରି ମାଟି, ପାଣି ଏବଂ ପବନକୁ ନିଜ ଆରାଧ୍ୟ ଦେବତା ଭାବେ ପୂଜା କରିଥାନ୍ତି । ସେ ଟୋକି ମରା ପର୍ବ ହେଉ ବା ମେରିଆ ପର୍ବ ସବୁଠି ରହିଛି ପ୍ରକୃତି ଉପାସକର ନିଚ୍ଛକ ଚିତ୍ର । ଯାହାକି ନିୟମରାଜା ପର୍ବରୁ ସ୍ପଷ୍ଟ ବାରି ହୋଇପଡ଼େ । ଆଜି ବି ପ୍ରକୃତି ପୂଜାର ପରମ୍ପରାକୁ ବଜାୟ ରଖିଛନ୍ତି ଡଙ୍ଗରିଆ ଜନଜାତି । ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ନିୟମରାଜାଙ୍କ ପାଖରେ ଶରଣ ପଶିଛନ୍ତି । ଜିଲ୍ଲା, ରାଜ୍ୟ, ଦେଶ ତଥା ଦେଶ ବାହାରେ ପରିଚିତ ନୀୟମଗିରିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡଙ୍ଗରିଆ କନ୍ଧମାନେ ରୀତିନୀତି ଅନୁଯାୟୀ ପାହାଡ ଶିଖରରେ ପାଳନ କରିଛନ୍ତି ନିୟମରାଜା ପର୍ବ । ଫେବୃଆରୀ ୨୭ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପର୍ବକୁ ଧୁମ୍ ଧାମ୍‌ରେ ପାଳନ କରାଯାଇଛି ।

Tribals of Nayamgiri celebrate Nayamraja  festival in Bhawanipatna
ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ (Etv Bharat)

ପୂଜାର୍ଚ୍ଚନା ସହ ନୃତ୍ୟସଙ୍ଗୀତରେ ମସଗୁଲ ହେଲେ ଆଦିବାସୀ

ଏହି ଅବସରରେ ଶତାଧିକ ଆଦିବାସୀ ପାରମ୍ପରିକ ପୋଷାକ ପିନ୍ଧି, ପୂଜାର୍ଚ୍ଚନା ସହ ନୃତ୍ୟ ଓ ସଙ୍ଗୀତରେ ମଗ୍ନ ହୋଇଥିଲେ। ନାଚଗୀତ ଓ ଭୋଜିଭାତରେ ମୁଖରିତ ହୋଇଉଠିଥିଲା ପୁରା ପରିବେଶ । ପର୍ବରେ ଛତରଟେକା ପୂଜାପୀଠରେ ବୋଦା ବଳି, କୁକୁଡା, ପାରା, ଘୁଷୁରି ଆଦି ବଳି ଦେଇଥିଲେ । ପୂଜାପୀଠ କହିଲେ ଗୋଟିଏ ପତର ଛାଉଣି ଏବଂ ଏକ ଖୁଣ୍ଟ, ପ୍ରକୃତି ପୂଜକ ଆଦିବାସୀଙ୍କ ଦେବତାଙ୍କ ମୂର୍ତ୍ତି ନାହିଁ । ରାତିସାରା ଜାନିକନ୍ଧ ଦେବାଦେବୀଙ୍କ ପୁରୁଷ ପୂଜାରୀ ଆଉ ଦିନରେ ବେଳୁଣୀ ମହିଳା ପୂଜାରୀମାନେ ନିୟମରାଜାଙ୍କ ସହିତ ପାଜେଗେଳୁ, ଜେମ୍ବୋଝନାଁ, କା-କାୱାବନ୍ଧା, ପୋକୱାଲ୍‌କା, ଗାମ୍ବରଘାଟି, ପ୍ରଭୃତି ଗ୍ରାମରେ ଥିବା ଦେବାଦେବୀଙ୍କ ନାମ ଆହ୍ବାନ କରି ପୂଜା କରିଥିଲେ ।

Tribals of Nayamgiri celebrate Nayamraja  festival in Bhawanipatna
ନିୟମରାଜା ପର୍ବ ପାଳି ଶପଥ ନେଲେ ନିୟମଗିରି ଅଧିବାସୀ (Etv Bharat)

ମାଟିର ମଣିଷମାନଙ୍କୁ ଭଲ ଫସଲ ଦେବାକୁ ଏବଂ ରୋଗ ବୈରାଗ୍ୟରୁ ଦୂରେଇ ରଖିବାକୁ ପ୍ରାର୍ଥନା କରିଥିଲେ । ନିୟମଗିରି ସମେତ ଖଣ୍ଡୁଆଳ ମାଳି, ସିଜିମାଳି, ଶାଶୁ-ବୋହୁମାଳି, ବାଫଲାମାଳି, ଗୁଣ୍ଡିରାଣୀମାଳି, କୁଟ୍ଟମାଳି ଭଳି ପାହାଡମାନଙ୍କୁ ସୁରକ୍ଷା କରିବାକୁ ସେମାନେ ପ୍ରାର୍ଥନା କରିଥିଲେ । ଜୀବନର ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ଲଢେଇ କରିବାକୁ ଶପଥ ନେଇଥିଲେ ଡଙ୍ଗରିଆ କନ୍ଧ ।

ପ୍ରଶାସନ ଯେତେ ଭୁତେଇଲେ ବି ନିୟମଗିରି ଛାଡିବୁ ନାହିଁ

ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ନିୟମଗିରି ଛାଡିବୁ ନାହିଁ ବୋଲି ସେମାନେ ଆହ୍ବାନ ଦେଇଥିଲେ । ନିୟମଗିରିରେ ଖଣି ଖନନ ଯେ, ଡଙ୍ଗରିଆ କନ୍ଧମାନଙ୍କର କେବଳ ଜୀବନ ଜୀବିକାର ପ୍ରଶ୍ନ ନୁହେଁ, ଏଥିସହ ସେମାନଙ୍କ ଧର୍ମୀୟ ଭାବନା ବି ଜଡିତ ରହିଛି । ପ୍ରକୃତି ପ୍ରତି ଜନଜାତିଙ୍କ ବିଶ୍ବାସ ଓ ଶ୍ରଦ୍ଧାକୁ ସମସ୍ତ ସମ୍ମାନ ଜଣାଇଛନ୍ତି । ବାସ୍ତବରେ, ପ୍ରକୃତି ଚଳଣିରେ ବନ୍ଧା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମାଜ ହିଁ ପ୍ରକୃତିର ପ୍ରକୃତ ଉପାସକ । ହେଲେ ଏହି ନିୟମଗିରି ଉପରେ ବାରମ୍ବାର ପଡୁଛି ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କର ନଜର ଯାହାକୁ ଦୃଢ଼ତାର ସହିତ ବିରୋଧ କରିବା ସହ ଏହି ଜଙ୍ଗଲ ପାହାଡ ଆମର ମାଆ ବାପା । ଆରାଧ୍ୟ ଦେବତା ନିୟମରାଜାକୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ନିୟମଗିରିକୁ ସୁରକ୍ଷିତ ରଖିବାକୁ ପଣ ନେଇଛନ୍ତି ଡଙ୍ଗରିଆ କନ୍ଧ ।

କଣ କହନ୍ତି ଅଞ୍ଚଳବାସୀ

ଏନେଇ ନିୟମଗିରି ଅଞ୍ଚଳବାସୀ ବ୍ରିଟିଶ କୁମାର୍ କହିଛନ୍ତି ଯେ, " ନିୟମରଜା ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିୟମରଜାର ପ୍ରଜା ହେଉଛନ୍ତି ନିୟମଗିରି ଆଖ ପାଖରେ ଥିବା ଆଦିବାସୀମାନେ । ତାଙ୍କର ସଂସ୍କୃତି ପରମ୍ପରା ଅନୁସାରେ ସେମାନେ ନଦୀକୁ ଜଡ଼ିପେନି କହୁଛନ୍ତି, ମାଟିକୁ ଟାହାଣା ପେନୁ କହୁଛନ୍ତି । ସେହି ପ୍ରକୃତିକୁ ନିଜ ଦେବତା ଭାବରେ ପୂଜା କରିବା ପାଇଁ ଆଜି ନିୟମରଜା ପର୍ବ ପାଳନ ହେଉଛି। ପର୍ବର ଦୁଇ ଦିନ ପୂର୍ବରୁ ଧରଣୀ ଦେବୀ ମାଟି ମାଙ୍କୁ ଚେତାଇ ଥାଉ କି ମାଁ ଏହି ଦିନରେ ଆମେ ତୋର ପର୍ବ କରିବୁ ବୋଲି । ଆରମ୍ଭ ଦିନରୁ ହିଁ ଜାନି ଓ ଗୁରୁମାନେ ଏହି ପୂଜା କରନ୍ତି। ତୃତୀୟ ଦିନରେ ଯେଉଁ ବଳି ପ୍ରଥା ଆମର ଅଛି ତାକୁ ମାଟି ମାକୁ ଅର୍ପଣ କରି ଥାଉ " ବୋଲି ସେ ପ୍ରକାଶ କରିଛନ୍ତି ।

ନିୟମଗିରି ପର୍ବରେ ସାମିଲ୍ ହୋଇଥିବା ଛାତ୍ର ଆଶିଷ ଜାନି କହିଛନ୍ତି ଯେ, " ଆଦିବାସୀମାନେ ପ୍ରକୃତିକୁ ନେଇ ନିଜର ଜୀବନ ଯାପନ କରୁଛନ୍ତି। ପ୍ରକୃତିରୁ ସବୁକିଛି ସେମାନଙ୍କୁ ମିଳୁଛି । ତେଣୁ କରି ସେମାନେ ପ୍ରକୃତିର ଉପାସନା କରୁଛନ୍ତି। ପ୍ରକୃତି ଆମକୁ ଅନେକ କିଛି ଦଉଛି ତେଣୁ ଆମେ ପ୍ରକୃତିକୁ ପୂଜା କରୁଛୁ " ବୋଲି ସେ ପ୍ରକାଶ କରିଛନ୍ତି।

ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା କହିଛନ୍ତି ଯେ, " ଏହି ନିୟମଗିରି ପୂଜାରେ ୧୧୨ପଦର ଲୋକେ ଏଠାକୁ ଆସିଛନ୍ତି। ଯେତେବେଳେ ଲାଞ୍ଜିଗଡରେ ବେଦାନ୍ତ କାରଖାନା ହେଲା ସେତେବେଳେ ସମସ୍ତ ନିୟମଗିରି ବାସିନ୍ଦା ଏକତ୍ରିତ ହୋଇ ନିୟମ ରଜାକୁ ପୂଜାର୍ଚ୍ଚନା କରିକି ସୁରକ୍ଷା ଦେଇଥିଲେ । ସେହି ଦିନଠାରୁ ଏହା ପର୍ବ ପାଳନ କରି ଆସୁଛୁ। ଏହି ପର୍ବ ପ୍ରଥମେ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା। ନିୟମରଜାକୁ ପୂଜା କରି ଆମର ଅସ୍ତ୍ରଶସ୍ତ୍ର ଧରି ନିୟମରଜାକୁ ସୁରକ୍ଷା ଦେବା ପାଇଁ ବାହାରିଥିଲୁ । ଆମେ ଏକଜୁଟ ଥିଲେ ବେଦାନ୍ତ କିଛି କରି ପାରିବ ନାହିଁ " ବୋଲି ସେ ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ଭବାନୀପାଟଣା

ଏହା ମଧ୍ୟ ପଢନ୍ତୁ ପର କଲା ପରିବାର, ବୃଦ୍ଧାଶ୍ରମ କଲା ନିଜର; ବାପା ନ ଥିବା ମଣିଷ ନେଉଛନ୍ତି ଦାୟିତ୍ୱ

ଏହା ମଧ୍ୟ ପଢନ୍ତୁ କୁନି ପିଲାଙ୍କ ହର୍ବାଲ ହୋଲି: ପରସ୍ପରକୁ ଲଗାଇଲେ ରଙ୍ଗ, ରାଧା-କୃଷ୍ଣ ବେଶରେ ମନାଇଲେ ପର୍ବ