ETV Bharat / state

କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା 20 ବର୍ଷ, ବିସ୍ଥାପନ ବିରୋଧୀ ଜନ ମଞ୍ଚ ପାଳିଲା ଶହୀଦ ଦିବସ

କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଛି 20 ବର୍ଷ l ବଦଳିଛି ସମଗ୍ର ଅଂଚଳ l ମାତ୍ର ଏବେବି ବିସ୍ଥାପିତ ସମସ୍ୟାରେ ଜର୍ଜରିତ ହେଇ ଦିନ କାଟୁଛନ୍ତି ଅନେକ ଆଦିବାସୀ ପରିବାର l

Tribals observe 20th anniTribals observe 20th anniversary of Kalinganagar firing incident in Jajpur ersary of Kalinganagar firing incident in Jajpur
କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା 20 ବର୍ଷ (ETV Bharat Odisha)
author img

By ETV Bharat Odisha Team

Published : January 2, 2026 at 11:12 PM IST

|

Updated : January 2, 2026 at 11:18 PM IST

3 Min Read
Choose ETV Bharat

ଯାଜପୁର: ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା 20 ବର୍ଷ ପୁରିଲା l ଆଜି ବି ସେହି ସ୍ମୃତିକୁ ଜାବୁଡି ଧରି ବିସ୍ଥାପନ ବିରୋଧୀ ମଞ୍ଚର ଆଦିବାସୀ ମାନେ ପାଳନ କରିଛନ୍ତି ଶହୀଦ ସ୍ମୃତି ଦିବସ । ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ କେନ୍ଦ୍ରକରି ଗତ ୨୦୦୬ ଜାନୁଆରୀ ୨ ତାରିଖରେ ଘଟିଥିଲା ଗୁଳିକାଣ୍ଡ । ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୪ ଜଣ ଆଦିବାସୀ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଦିବସରେ ପାଳିତ ହେଉଛି ଶହୀଦ ସ୍ମୃତି ଦିବସ । ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲ ସ୍ମୃତିସ୍ତମ୍ଭ ମାୟାମଲିଙ୍ଗରେ ମୃତକ ମାନଙ୍କୁ ସ୍ମରଣକରି ପାରମ୍ପରିକ ପୂଜାର୍ଚ୍ଚନା କଲେ ବିସ୍ଥାପନ ବିରୋଧୀ । ସେଠାରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ସମାଧୀସ୍ଥଳ ଆମ୍ଭଗଡିଆର ବୀରଭୂମିରେ ପହଞ୍ଚିଥିଲେ । ସେଠାରେ ଶହୀଦମାନଙ୍କୁ ଲାଲ ସଲାମ ଜଣାଇ ଅନୁଷ୍ଠିତ ହୋଇଥିଲା ଏକ ସ୍ମୃତିସଭା ।

କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଲା 20 ବର୍ଷ (ETV Bharat Odisha)

୨୦୦୬ ଜାନୁଆରୀ 2ରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଘଟିଥିଲା ଗୁଳିକାଣ୍ଡ । ଇତି ମଧ୍ୟରେ ଦୀର୍ଘ 20ବର୍ଷ ବିତିଗଲାଣି । ତଥାପି ଆଦିବାସୀ ମାନେ ଭୁଲି ନାହାଁନ୍ତି ସେଦିନର ସ୍ମୃତି । ସେହି ଦିନକୁ ମନେ ରଖିବା ପାଇଁ ଆଜି ଆଦିବାସୀ ମାନେ ପାଳିଛନ୍ତି ଶହୀଦ ସ୍ମୃତି ଦିବସ । ପ୍ରତିବର୍ଷ ଭଳି ଆଜି ମଧ୍ୟ ଆଦିବାସୀ ମାନେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ଥିବା ସ୍ମୃତିସ୍ତମ୍ଭ ନିକଟରେ ସେମାନଙ୍କ ସ୍ମୃତିଚାରଣ ଓ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ମାନେ ଏକତ୍ରିତ ହୋଇ ସମାଧୀସ୍ଥଳ ବୀରଭୂମି ଅଭିମୁଖେ ଏକ ବିରାଟ ଶୋଭଯାତ୍ରାରେ ବାହାରିଥିଲେ । କଂପାନୀ ଓ ସରକାର ବିରୋଧୀ ନାରାରେ ସମଗ୍ର ଅଂଚଳ କମ୍ପି ଉଠିଥିଲା । ସେପଟେ 20ବର୍ଷ ତଳେ ଘଟିଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏଥିରେ କାହାରିକୁ ଦୋଷୀ କରାଯାଇ ନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଦିବାସୀ ଓ ମୃତକଙ୍କ ପରିବାର । ଏଥିସହିତ ଗୁଳିକାଣ୍ଡ ଦିନରୁ ଶହୀଦ ମାନଙ୍କ କଟା ଯାଇଥିବା ହାତ ପାପୁଲିର ଡି.ଏନ.ଏ ଟେଷ୍ଟ କରା ଯାଇନଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପରିବାର ଲୋକ ତାହା ଗ୍ରହଣ କରିନାହାନ୍ତି । ଯାହାକୁ ନେଇ ଆଜିବି କ୍ଷୋଭ ପ୍ରକାଶ କରିଛନ୍ତି ବିସ୍ଥାପିତ ପରିବାର ସଦସ୍ୟ ।

ସନିଆ ତିରିଆ ସହୀଦ ଆଦିବାସୀ ପରିବାର ସଦସ୍ୟ କୁହନ୍ତି, "ମୋ ସ୍ତ୍ରୀ ଗୁଳିକାଣ୍ଡରେ ଶହୀଦ ହେଇଯାଇଛନ୍ତି l ଆଜିକି 20 ବର୍ଷ ହେଇଗଲାଣି ଏମିତି ଚାଲିଥିବ ଯେପର୍ଯ୍ୟନ୍ତ ଆଦିବାସୀ ସମାଜ ଥିବ l ଆମର ଜମି ପାଇଁ ବୈଠକ ବସିଥିଲା l ପ୍ରଶାସନ କହିଥିଲା ତୁମ ବ୍ୟବସ୍ଥା କରୁଛୁ କିନ୍ତୁ ଗୁଳି କରିବେ ବୋଲି ଜାଣିନଥିଲୁ ଆମକୁ ଗୁଳି କରି ହତ୍ୟା କରିଛନ୍ତି l ବଡ଼ ଦୁଃର ବିଷୟ ସେତେବେଳେ ମୋ ଛୁଆ ଗୁଡିକ ଛୋଟ ଥିଲେ l ତିନିଟା ମୋର ପୁଅ ଥିଲେ ସେହି ସମୟରେ ମୋ ସ୍ତ୍ରୀକୁ ସେମାନେ ଗୁଳିକରି ମାରି ଦେଇଥିଲେ l ସେ ଯଥା ଲିଭି ପାରୁନାହିଁ ମନେ ପକେଇଲେ l ଆଖିର ଲୁହ ତଳେ ପଡୁଛି ଆଗକୁ ମଧ୍ୟ ମନେ ପଡିବ l"

ରବିନ୍ଦ୍ର ଜାରିକା ବିସ୍ଥାପନ ବିରୋଧୀ ଜନମଂଚ ସମ୍ପାଦକ କୁହନ୍ତି, "ପ୍ରତେକ ବର୍ଷ ପରି ଆମର ଯେଭଳି ଜାନୁଆରୀ 2 ଗୁଳିକାଣ୍ଡ ହେଇଥିଲା ସେହିଦିନକୁ ଶହୀଦ ଦିବସ ରୂପେ ପାଳନ କରି ଆସିଛୁ ଆଗରୁ ଯେଭଳି କାର୍ଯ୍ୟକ୍ରମ ହେଉଥିଲା ସେହିଭଳି କାର୍ଯ୍ୟକ୍ରମ ହେଉଛି l ବୀରଭୂମିରେ ଯେଉଁ ପୂଜାର୍ଚ୍ଚନା ହେବା କଥା ସରିଯାଇଛି l ଆମର ଆଜି ଏକ ଶୋଭାଯାତ୍ରା ଏଠାରୁ ବାହାରି ବୀରଭୂମିରେ ପହଂଚିବ ସେଠାରେ ପୂଜାର୍ଚ୍ଚନା କରିବା ସହିତ ପତାକା ଉତ୍ତଳନ ହେବ l ଆସନ୍ତାକାଲି ଠାରୁ ଶହୀଦଙ୍କ ଉଦେଶ୍ୟରେ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ l"

ଶୋଭାଯାତ୍ରା ସମାଧୀସ୍ଥଳ ବୀରଭୂମିରେ ପହଞ୍ଚିବା ପରେ ପ୍ରତ୍ୟେକ ଶହୀଦଙ୍କୁ ଲାଲ ସଲାମ ଜଣାଇଥିଲେ ଆଦିବାସୀ । ଏହି ଶୋଭାଯାତ୍ରା ଓ ସମାବେଶରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଆଦିବାସୀ ସଂଗଠନ ସାମିଲ ହୋଇ ସେଦିନର ସଂଘର୍ଷ ଗାଥାକୁ ମନେପକାଇଥିଲେ । ଟାଟା କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ କରି ନଥିବାରୁ ଆଗକୁ ସଂଘର୍ଷ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗଣସଂଗଠକ । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କଳିଙ୍ଗନଗରରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । କଳିଙ୍ଗନଗର ଅତିରିକ୍ତ ଏସପିଙ୍କ ନେତୃତ୍ବରେ 2 ଜଣ ଡି.ଏସ୍‌.ପି, 6 ଜଣ ଥାନା ଅଧିକାରୀ, ୧୦ ଅଫିସରଙ୍କ ସମେତ 6 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ସିନୀ ସଏ ବିସ୍ଥାପିତ ଆଦିବାସୀ ପରିବାର କୁହନ୍ତି, "ଆମେ ବାଟି ବାଟି ଜମି ହରେଇଲୁ କିନ୍ତୁ କଷ୍ଟ ଅସୁବିଧାରେ ଅଛୁ ଚାକିରୀ ନାହିଁ l ବହୁତ ଅସୁବିଧାରେ ଅଛୁ l କିଛି ଲୋକଙ୍କୁ ଚାକିରୀ ଦିଆଯାଇଛି ଆହୁରୀ ବହୁତ ଲୋକ ଚାକିରୀ ପାଇନାହାନ୍ତି l ବହୁତ ଲୋକ ଥଇଥାନ ହେଇନାହାଁନ୍ତି l 2 ତାରିଖ ଦିନ ଏମିତି ହେବ ବୋଲି ଜାଣି ନଥିଲୁ l ଆମେ ଚାଷ କରିକି ଖାଉଥୁଲୁ ଲଢେଇ ଫଡେଇ ଆମେ ଆଦିବାସୀ ମାନେ ଜାଣି ନଥିଲୁ l ଆମେ ସତର୍କ ମଧ୍ୟ ନଥିଲୁ l ସେମାନେ ନିଷ୍ପତ୍ତି ନେଇଥିଲେ ଲ୍ୟାଣ୍ଡ ମାଇନ୍ସ ଡେଇଁଲେ ମାନେ ଫାଇରିଙ୍ଗ କରିବୁ l ଆମେ କିଛି ପିଲାଙ୍କୁ ପଠେଇଥିଲୁ ଦେଖିବା ପାଇଁ l କାହିଁକି ନାଁ ପଲ୍ଲିସଭା ହେଇନାହିଁ କି କିଛି କହିନାହାନ୍ତି l ଏହାପରେ ଡାଇରେକ୍ଟ ଫାଇରିଙ୍ଗ କରିଥିଲେ ଲ୍ୟାଣ୍ଡ ମାଇନ୍ସ ଫୁଟେଇ ଦେଲେ ଯେଉଁଥିରେ 14 ଜଣ ଲୋକ ଶହୀଦ ହେଲେ ।"


ନିୟମଗିରି ଆଦିବାସୀ ନେତା କୁହନ୍ତି, "ଆଦିବାସୀ କାହିଁକି ଲଢୁଛି l ନିଜ ପାଣି ପବନ, ଜମିପାଇଁ ଲଢ଼ିବ କି ନାହିଁ l ଆମେତ ଟାଟା କମ୍ପାନୀ ବିରୋଧରେ ନାହିଁ l ଆମେ ଆମ ନିଜ ହକ ଅଧିକାର ପାଇଁ ଲଢେଇ କରୁଛୁ l ଆମ ମା ମାଟି ପାଇଁ ବିରୋଧ କରବୁନାହିଁକି l ସେମାନେ ଆମର ଲୋକଙ୍କୁ କାହିଁ ମାରିଲେ l ସେ କଣ ଭୁଲ କରିଥିଲେ ନା ଚୋରି କରିଥିଲା l ଲୋକକୁ ମାରିବକୁ ପୋଲିସ କଣ ଆଇନ୍ କରିଥିଲା l ଆମେ ଭୋଟ ଦେବାରୁ ସେମାନେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହେଉଛନ୍ତି l ଆମ ହକ ପାଇଁ ଲଢେଇ କଲାବେଳେକୁ କାହିଁକି ମାରୁଛନ୍ତି l ସେଥିପାଇଁ ଆମେ କଳିଙ୍ଗନଗରରେ ଏକାଠି ହେଇଛୁ କମ୍ପାନୀ ବିରୋଧରେ ଲଢେଇ କରିବା ପାଇଁ l"

କଳିଙ୍ଗନଗର ଗୁଳିକାଣ୍ଡକୁ ପୁରିଛି 20 ବର୍ଷ l ବଦଳିଛି ସମଗ୍ର ଅଂଚଳ l ମାତ୍ର ଏବେବି ବିସ୍ଥାପିତ ସମସ୍ୟାରେ ଜର୍ଜରିତ ହେଇ ଦିନ କାଟୁଛନ୍ତି ଅନେକ ଆଦିବାସୀ ପରିବାର l ଯଦି ସରକାର ସମୟ ଥାଉ ଥାଉ ଏହି ସମସ୍ୟାର ସମାଧାନ ନ କରନ୍ତି ଆଗାମୀ ଦିନରେ ଏହି ଆନ୍ଦୋଳନ ନହେବ କିଏ ବା କହିବ ।

ଇଟିଭି ଭାରତ, ଯାଜପୁର

Last Updated : January 2, 2026 at 11:18 PM IST