କିନ୍ନର ଅଞ୍ଜଳୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ, ଜଙ୍ଗଲରେ ଲୁଚିଥିଲା ବାନ୍ଧିଲା ପୋଲିସ
ତୃତୀୟ ତଥା ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କରିଛି ପିପିଲି ପୋଲିସ । ରାମଚଣ୍ଡୀ ଥାନା ଅନ୍ତର୍ଗତ ବଙ୍ଗର ଗ୍ରାମରୁ ଗିରଫ । ପୂର୍ବରୁ ଗିରଫ ହୋଇଥିଲେ 2 ଅଭିଯୁକ୍ତ ।

Published : February 23, 2026 at 8:59 PM IST
Anjali Murder Case ନିମାପଡା: କିନ୍ନର ଅଞ୍ଜଳୀ ଓରଫ ସୋନା ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପିପିଲି ପୋଲିସ । ଅଭିଯୁକ୍ତ ଜଣକ ହେଉଛି ଛବିନ କାଣ୍ଡି । ଗତକାଲି(ରବିବାର) ଛବିନକୁ ରାମଚଣ୍ଡୀ ଥାନା ଅନ୍ତର୍ଗତ ବଙ୍ଗର ଗ୍ରାମରୁ ଗିରଫ କରିଛି ପିପିଲି ପୋଲିସ । ପୂର୍ବରୁ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ଜଙ୍ଗଲରେ ଲୁଚିଥିଲା ମାଡି ବସିଲା ପୋଲିସ:
କିନ୍ନର ଅଞ୍ଜଳି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଦୀର୍ଘ ଦିନ ହେଲା ଖୋଜୁଥିଲା ପୋଲିସ । ତେବେ ଗତକାଲି(ରବିବାର) ଘର ପାଖ ଏକ ଜଙ୍ଗଲରେ ଛବିନ ଲୁଚି ରହିଥିବା ଖବର ପାଇଥିଲା ପୋଲିସ । ଖବର ପାଇ ପୋଲିସ ଚଢାଉ କରିଥିଲା । ଶେଷରେ ଜଙ୍ଗଲରୁ ଛବିନକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ଧରାପଡିଲା ତୃତୀୟ ଅଭିଯୁକ୍ତ:
ଏନେଇ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି, ‘ଗତ ଫେବୃଆରୀ 1ରେ କିନ୍ନର ହତ୍ୟାକାଣ୍ଡ ମାମଲାରେ 3 ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିଲେ । ପୂର୍ବରୁ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲୁ । ତୃତୀୟ ଅଭିଯୁକ୍ତ ମୁନା ଓରଫ ଛବିନା କାଣ୍ଡିଙ୍କୁ ଗତକାଲି ରାତିରେ ଗିରଫ କରିଛୁ । ଆଜି କୋର୍ଟ ଚାଲାଣ କରିଛୁ । ଶଶୁର ଘର ଗାଁ ବଙ୍ଗରରେ ମୁନା ଲୁଚିଥିବା ଜାଣିବାକୁ ପାଇଥିଲୁ । ଚଢାଉ କରି ତାକୁ ଗିରଫ କରିଛୁ ।
ଏହା ମଧ୍ୟ ପଢନ୍ତୁ: ଖୋଲିଲା କିନ୍ନର ଅଞ୍ଜଳୀ ହତ୍ୟାକାଣ୍ଡର ଗୁମର: ଅଭିଯୁକ୍ତକୁ ଧରାଇ ଦେଲା CCTV, 10 ଲକ୍ଷ ଦାବି କଲେ ମୀରା କିନ୍ନର ଅଞ୍ଜଳି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ପିପିଲି ପୋଲିସର ଏନକାଉଣ୍ଟର |
କେବେ ଘଟିଥିଲା ହତ୍ୟାକାଣ୍ଡ ?
ସାଲେପୁର ଅଞ୍ଚଳର କିନ୍ନର ଅଞ୍ଜଳି ଓରଫ ସୋନାକୁ ଗତ ଫେବୃଆରୀ 1ରେ ପିପିଲି ସିଫା ନିକଟରେ ବୀଭତ୍ସ ହତ୍ୟା କରିଥିଲେ ଦୁର୍ବୃତ୍ତ । ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଗତ ଫେବୃଆରୀ ୧୧ରେ ଏନକାଉଣ୍ଟର କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ସୁନିଲ କାଣ୍ଡିକୁ ଗିରଫ କରିଥିଲା ପିପିଲି ପୋଲିସ । ହତ୍ୟା ଅଭିଯୁକ୍ତରେ ସମ୍ପୃକ୍ତ ଥିବା ଛବିନକୁ ଦୀର୍ଘ ଦିନ ଖୋଜୁଥିଲା ପୋଲିସ । ତେବେ ଗତକାଲି ତାକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଥିଲା ପୋଲିସ । ଏଥିସହ ହତ୍ୟାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପିପିଲି ପୋଲିସ । ଲୁଟ ଉଦ୍ଦେଶ୍ୟରେ କିନ୍ନର ଅଞ୍ଜଳୀଙ୍କୁ ହତ୍ୟା କରାଯାଇଥିବା ପୂର୍ବରୁ ଖୁଲାସା କରିଥିଲା ପୋଲିସ ।
ଇଟିଭି ଭାରତ, ନିମାପଡା

