ETV Bharat / state

ପ୍ଲାଷ୍ଟିକ ଖେଳଣା, ମୋବାଇଲ ଫୋନ ପାଇଁ ଅଲୋ଼ଡା ହେଲା କାଗଜ କଣ୍ଢେଇ; ନା ଅଛି ସରକାରୀ ପ୍ରୋତ୍ସାହନ ନା ମିଳୁଛି ବଜାର ସୁବିଧା

ବିଲୁପ୍ତ ହେବାକୁ ବସିଲାଣି ପାରମ୍ପରିକ କାଗଜ କଣ୍ଢେଇ । କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ବଜାରରେ ଚାଇନା ଖେଳନା ଚାହିଦା ବୃଦ୍ଧି ଯୋଗୁଁ ପାରମ୍ପରିକ କାଗଜ କଣ୍ଢେଇର ଚାହିଦା କମୁଛି ।

Paper made toy lost its popularity
ବିଲୁପ୍ତ ହେବାକୁ ବସିଲାଣି ପାରମ୍ପରିକ କାଗଜ କଣ୍ଢେଇ (Etv Bharat)
author img

By ETV Bharat Odisha Team

Published : February 24, 2026 at 3:55 PM IST

5 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ-ଶକ୍ତି ମିଶ୍ର

ପୁରୀ: ଦିନେ ବଡଦାଣ୍ଡରେ ବସୁଥିଲା ଭଳିକି ଭଳି କାଗଜ କଣ୍ଢେଇର ପସରା । ହାତୀ, ଘୋଡା, ବାଘ, କୁକୁର..। ସୂକ୍ଷ୍ମ କାରୁକାର୍ଯ୍ୟ ଆଖି ଟାଣି ନେଉଥିଲା । ଯିଏ ଦେଖୁଥିଲା, ଘଡିଏ ଅଟକି ଯାଉଥିଲା । ଘର ସାଜସଜ୍ଜା ପାଇଁ ହେଉ କି ଛୋଟ ପିଲାଙ୍କ ଖେଳିବା ପାଇଁ ହେଉ, ଲୋକମାନେ କାଗଜ କଣ୍ଢେଇ କିଣି ଘରକୁ ନେଉଥିଲେ । ଦୋକାନ ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଥିଲା । ଏ କାଗଜ କଣ୍ଢେଇ ଖାଲି ସୁନ୍ଦର ନୁହେଁ, ପରିବେଶ ଅନୁକୂଳ ମଧ୍ୟ ଥିଲା । ହେଲେ ବଦଳି ଯାଇଛି ସମୟ । ବଦଳି ଯାଇଛି ମାନସିକତା । କାଗଜ ପରିବର୍ତ୍ତେ ଲୋକେ ବାଛିଛନ୍ତି ପ୍ଲାଷ୍ଟିକକୁ । ପ୍ଲାଷ୍ଟିକର ଚାକଚକ୍ୟ ପାଖରେ ଫିକା ପଡି ଯାଇଛି କାଗଜ କଣ୍ଢେଇର ସୌନ୍ଦର୍ଯ୍ୟ । ହଜି ଯାଉଥିବା ଏଇ କଳାର ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ ଇଟିଭି ଭାରତର ସ୍ୱତନ୍ତ୍ର ଉପସ୍ଥାପନା...

ବିଲୁପ୍ତ ହେବାକୁ ବସିଲାଣି ପାରମ୍ପରିକ କାଗଜ କଣ୍ଢେଇ (Etv Bharat)

ଦିନେ ଏହି କାଗଜ କଣ୍ଢେଇ ଥିଲା ପୁରୀର ପାରମ୍ପରିକ କଳା । ଆଜି ଏହି ପାରମ୍ପରିକ କଳା ପୁରୀ ବଡଦାଣ୍ଡରେ ଦେଖିବାକୁ ମିଳୁନି। ତାର ସ୍ଥାନ ନେଇଛି ପ୍ଲାଷ୍ଟିକ ଖେଳନା । ନିଜ ପରିବେଶ ସୁରକ୍ଷାକୁ ଅଣଦେଖା କରି ଲୋକେ ବାଛି ନେଇଛନ୍ତି ପ୍ଲାଷ୍ଟିକ କଣ୍ଢେଇ । ଫଳରେ ବେପାର କମିଛି, ଜୀବିକା ବୁ଼ଡିଛି । ପୁରୀର ଶହଶହ କାରିଗର ଯେଉଁମାନେ କାଗଜ କଣ୍ଢେଇ ତିଆରି କରି ପେଟ ପୋଷୁଥିଲେ ଆଜି ସେମାନେ ଅଭାବ ଅନଟନ ମଧ୍ୟରେ ସଢୁଛନ୍ତି । ଅନେକ କୁଳ ବେଉସା ଛା଼ଡି ଅନ୍ୟ ବୃତ୍ତି ଆପଣେଇ ନେଲେଣି । ପରିଶ୍ରମ ଅନୁଯାୟୀ ଉଚିତ୍ ପ୍ରାପ୍ୟ ନ ମିଳିବା, ଜିନିଷ ବିକ୍ରି ପାଇଁ ବଜାର ଅଭାବ, ସରକାରୀ ପ୍ରୋତ୍ସାହନ ଅଭାବ..ଏମିତି ଅନେକ ସମସ୍ୟା । ତେଣୁ ପ୍ରାୟ ସବୁ କାରିଗର କାଗଜ କଣ୍ଢେଇ ତିଆରି ଛାଡି ଦେଲେଣି । ଆଉ ଅଳ୍ପ ଦିନ ଭିତରେ ପୁରୀର ଏହି ପାରମ୍ପରିକ କଳା କାଗଜ କଣ୍ଢେଇ ସମ୍ପୂର୍ଣ ଅସ୍ତିତ୍ବ ହରାଇବ ବୋଲି ଆଶଙ୍କା କରାଯାଉଛି। ଏଣୁ ପୁରୀର ଏହି ପାରମ୍ପରିକ କଳା କାଗଜ କଣ୍ଢେଇକୁ ଉଜ୍ଜୀବିତ ରଖିବା ପାଇଁ ରାଜ୍ୟ ସରକାର ଓ ହସ୍ତଶିଳ୍ପ ବିଭାଗ ଆଗେଇ ଆସିବାକୁ କାରିଗରମାନେ ମଧ୍ୟ ଅନୁରୋଧ କରିଛନ୍ତି।

Paper made toy lost its popularity
ପ୍ଲାଷ୍ଟିକ ଖେଳଣା, ମୋବାଇଲ ଫୋନ ପାଇଁ ଅଲୋ଼ଡା ହେଲା କାଗଜ କଣ୍ଢେଇ (Etv Bharat)
କଳା ପ୍ରେମରେ ଏକା ଏକା ବିଷ୍ଣୁପ୍ରିୟା

ପୁରୀ ଦାମୋଦର ରୋଡ ନିକଟରେ ରହିଛି ବଳଦେବ ସାହି। ବିଷ୍ଣୁପ୍ରିୟା ମହାପାତ୍ର ୭୫ ବର୍ଷ ବୟସରେ ବି ଲାଗି ପଡିଛନ୍ତି କାଗଜ କଣ୍ଢେଇ ପ୍ରସ୍ତୁତରେ । ଜାଗର ଯାତ୍ରା ସରିଗଲାଣି । ଆଗକୁ ଆସୁଛି ଦୋଳ ପୂର୍ଣ୍ଣିମା, ରଥଯାତ୍ରା । ଏଭଳି ପର୍ବ ପର୍ବାଣୀରେ ଟିକେ ବେପାର ହେବ । ସେଥିପାଇଁ କାଗଜ କଣ୍ଢେଇ ତିଆରି ପାଇଁ ଲାଗି ପଡିଛନ୍ତି । ଯେତେବେଳେ ପ୍ଲାଷ୍ଟିକ କଣ୍ଢେଇର ଚାହିଦା ନ ଥିଲା ସେତେବେଳେ ଏହି କାଗଜ କଣ୍ଢେଇର ଚାହିଦା ଭଲ ଥିଲା। ଏଣୁ ବିଷ୍ଣୁପ୍ରିୟାଙ୍କ ଭଳି ଆଉ କିଛି କାରିଗର ଏହି କାଗଜ କଣ୍ଢେଇ ବିକ୍ରି କରି ଭଲ ରୋଜଗାର କରିପାରୁଥିଲେ। ହେଲେ ଏବେକାର ପିଲାଙ୍କ ମଧ୍ୟରେ ମୋବାଇଲ କ୍ରେଜ୍ ବଢିବା ପରେ ଆଉ କାଗଜ କଣ୍ଢେଇର ଚାହିଦା ନାହିଁ।

Paper made toy lost its popularity
ପ୍ଲାଷ୍ଟିକ ଖେଳଣା, ମୋବାଇଲ ଫୋନ ପାଇଁ ଅଲୋ଼ଡା ହେଲା କାଗଜ କଣ୍ଢେଇ (Etv Bharat)

ଶ୍ରୀମନ୍ଦିରର ରୂପକାର ସେବକଙ୍କ ପରିବାର ଲୋକେ ମଧ୍ୟ ଏହି କାଗଜ କଣ୍ଢେଇ ତିଆରି କରି ବଡ ଦାଣ୍ଡରେ ବିକ୍ରି କରୁଥିଲେ। ହେଲେ ଆଜିକାଲି ଏହାର ଚାହିଦା କମିଗଲାଣି । ନା ମିଳୁଛୁ ଉଚିତ ପାରିଶ୍ରମିକ ନା ଅଛି ବଜାର ଭିତ୍ତିଭୂମି । ଆଜିର ଯୁବପୀଢ଼ି କାଗଜ କଣ୍ଢେଇ ତିଆରି କରିବା ଶିକ୍ଷା ନେଉନାହାନ୍ତି ବୋଲି କହିଛନ୍ତି କଣ୍ଢେଇ କାରିଗର ବିଷ୍ଣୁପ୍ରିୟା ମହାପାତ୍ର । ବୋଧହୁଏ ବିଷ୍ଣୁପ୍ରିୟା ହିଁ ଏକ ମାତ୍ର କାରିଗର ଯିଏ କିି ଏହି କଳାକୁ ବଞ୍ଚାଇ ରଖିଛନ୍ତି । ବିଷ୍ଣୁପ୍ରିୟାଙ୍କ ଦେହ ଅନେକ ସମୟ ରେ ଖରାପ ରହୁଥିବାରୁ ତାଙ୍କ ପରେ କିଭଳି ଏହି ପାରମ୍ପରିକ କଳା ବଞ୍ଚି ରହିବ ସେ ନେଇ ସେ ଚିନ୍ତାରେ ଅଛନ୍ତି । ସରକାର ଯଦି ସହଯୋଗର ହାତ ବଢ଼ାନ୍ତେ ତେବେ ଏହି କଳା ଆଜିର ଯୁବ ପୀଢ଼ିଙ୍କୁ ସେ ଶିକ୍ଷା ଦେଇ ଭବିଷ୍ୟତ ପୀଢ଼ି ପାଇଁ ବଞ୍ଚାଇ ରଖିବାକୁ ଉଦ୍ୟମ କରନ୍ତେ । ତା ଛଡା ଓଡ଼ିଶା କଳାର ବିଶ୍ଵ ଦରବାରରେ ପ୍ରଚାର ପ୍ରସାର ହୋଇ ପାରନ୍ତା ଓ ଓଡ଼ିଶାରେ ହସ୍ତଶିଳ୍ପ ସାମଗ୍ରୀ ବହୁତ୍ ସୁନାମ ଅର୍ଜନ କରି ପାରନ୍ତା ବୋଲି ସେ କହିଛନ୍ତି ।

Paper made toy lost its popularity
ପ୍ଲାଷ୍ଟିକ ଖେଳଣା, ମୋବାଇଲ ଫୋନ ପାଇଁ ଅଲୋ଼ଡା ହେଲା କାଗଜ କଣ୍ଢେଇ (Etv Bharat)

ବିଷ୍ଣୁପ୍ରିୟା କହିଛନ୍ତି,'ଅତୀତରେ ମହିଳାମାନେ କାଗଜ କଣ୍ଢେଇ ତିଆରି କରି ଭଲ ଦୁଇ ପଇସା ରୋଜଗାର କରିପାରୁଥିଲେ। ପାରମ୍ପରିକ କଳା ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ରହିଛି। ଯଦି ସରକାର କାଗଜରେ ପ୍ରସ୍ତୁତ ଏହି ପାରମ୍ପରିକ କଳାର ଉନ୍ନତି ପାଇଁ ପଦକ୍ଷେପ ନେବେ ଏହା ଦ୍ଵାରା ଅନେକ ଲୋକ କାଗଜ କଣ୍ଢେଇକୁ ବୃତ୍ତି ଭାବେ ନେଇ ରୋଜଗାର କ୍ଷମ ହୋଇପାରନ୍ତେ। ଓଡ଼ିଶାର କଳା ସାରା ବିଶ୍ଵ ଦରବାର ରେ ଅଧିକ ପ୍ରଚାର ପ୍ରସାର ହୋଇ ପାରନ୍ତା। ଓଡ଼ିଶା ରେ ହସ୍ତଶିଳ୍ପ ସାମଗ୍ରୀ ବହୁତ୍ ସୁନାମ ଅର୍ଜନ କରି ପାରନ୍ତା ।'

Paper made toy lost its popularity
ପ୍ଲାଷ୍ଟିକ ଖେଳଣା, ମୋବାଇଲ ଫୋନ ପାଇଁ ଅଲୋ଼ଡା ହେଲା କାଗଜ କଣ୍ଢେଇ (Etv Bharat)
କେମିତି ତିଆରି ହୁଏ କାଗଜ କଣ୍ଢେଇ

କାଗଜ, ଅଠା, ମାଟି, କରତ ଗୁଣ୍ଡ, ଖଡ଼ି, ରଙ୍ଗ, ବାନିସି ଆଦିକୁ ନେଇ ପ୍ରସ୍ତୁତ ହୁଏ କାଗଜ କଣ୍ଢେଇ । ଏଥି ସହିତ ଗୋବରରୁ ମଧ୍ୟ ସୁନ୍ଦର୍ ସୁନ୍ଦର୍ କଣ୍ଢେଇ ପ୍ରସ୍ତୁତ କରନ୍ତି ଏହି କାରିଗରମାନେ । ତେବେ ଏହି ହସ୍ତଶିଳ୍ପର ଅଧିକ ପ୍ରଚାର ପ୍ରସାର କରିବାକୁ ହେଲେ ପୁରୀରେ ଏକ ସ୍ବତନ୍ତ୍ର ହସ୍ତଶିଳ୍ପ ବଜାରର ଆବଶ୍ୟକତା ରହିଛି । କାରିଗରମାନେ ଏହି ବଜାରରେ ବିଭିନ୍ନ ସାମଗ୍ରୀ ବିକ୍ରୀ କରି ଭଲ ରୋଜଗାର କରିପାରିବେ, ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଓଡ଼ିଶାର କଳା, ହସ୍ତଶିଳ୍ପ ସାମଗ୍ରୀ ବିଷୟରେ ଅବଗତ ହୋଇପାରିବେ ।

ଶ୍ଵଶୁରଙ୍କ ଠାରୁ ଶିଖିଥିଲି, ଆଗାମା ପୀଢିକୁ ବି ଶିଖେଇବି

ପାରମ୍ପରିକ କାଗଜ କଣ୍ଢେଇ କଳାକୁ ବଞ୍ଚାଇ ରଖିଥିବା ବିଷ୍ଣୁପ୍ରିୟା ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, 'ପାରମ୍ପରିକ କାଗଜ କଣ୍ଢେଇ କଳା ମୁଁ ଆମ ଶ୍ଵଶୁରଙ୍କ ଠାରୁ ଶିଖିଥିଲି। ମୁଁ ୫୦ ବର୍ଷ ହେବ ଏହି କାଗଜ କଣ୍ଢେଇ ତିଆରି କରି ଆସୁଛି। ଆଉ ପୂର୍ବ ଭଳି ଏହି କାଗଜ କଣ୍ଢେଇ ଚାହିଦା ନାହିଁ। ଜିନିଷ ବିକ୍ରି ହେଉନି। ଏଣୁ ଅଳ୍ପ ମାତ୍ରାରେ ଏହି କାଗଜ କଣ୍ଢେଇ ତିଆରି କରୁଛି। ବଜାରରେ ବହୁଳ ଭାବରେ ପ୍ଲାଷ୍ଟିକ ଖେଳନା ବିକ୍ରି ଯୋଗୁ କାଗଜ କଣ୍ଢେଇର ଚାହିଦା କମି ଯାଇଛି। ପୂର୍ବରୁ ବହୁତ୍ ବେପାରୀ ଆସି ଘରୁ କାଗଜ କଣ୍ଢେଇ ନେଇ ଯାଉଥିଲେ। କାଗଜ କଣ୍ଢେଇ, ଗୋବର କଣ୍ଢେଇର ଚାହିଦା ହ୍ରାସ ଯୋଗୁ ଅନେକ କାରିଗର ଏହି ପାରମ୍ପରିକ କଳାରୁ ମୁହଁ ଫେରାଇ ନେଲେଣି। ଯେହେତୁ ଏହା ହେଉଛି ଆମର କୌଳିକ ବୃତ୍ତି ଓ ଏହାର କାର୍ଯ୍ୟ ମୁଁ ଶିଖିଛି ଯେତେଦିନ ଯାଏ ଶରୀରରେ ବଳ ଥିବ ଏହି କଳାକୁ ବଞ୍ଚାଇ ରଖିବି। ତେବେ ଏହି କଳା ଯେଭଳି ବିଲୁପ୍ତ ନ ହେଉ ସେଥିପାଇଁ ସରକାର ପଦକ୍ଷେପ ନେବା ଉଚିତ୍। ମୁଁ ମଧ୍ୟ ଲୋକଙ୍କୁ ଶିଖାଇବା ପାଇଁ ପ୍ରସ୍ତୁତ ରହିଛି। ଯଦି ମହିଳାମାନଙ୍କୁ ଏହି କାଗଜ କଣ୍ଢେଇ, ଗୋବର କଣ୍ଢେଇ ତିଆରି ନେଇ ପ୍ରଶିକ୍ଷଣ ଦିଆଯାନ୍ତା, ପୁରୀରେ ଏହି ସାମଗ୍ରୀ ବିକ୍ରୀ ପାଇଁ ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ ବଜାର କରାଯାନ୍ତା ତେବେ ମହିଳାମାନେ ଏହାକୁ ବିକ୍ରି କରି ନିଜକୁ ସ୍ୱାବଲମ୍ବୀ କରିପାରନ୍ତେ।'


ପ୍ଲାଷ୍ଟିକ ଖେଳଣା, ମୋବାଇଲ ଫୋନ ପାଇଁ ଅଲୋ଼ଡା ହେଲା କାଗଜ କଣ୍ଢେଇ

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରୂପକାର ସେବକ ତଥା ବିଷ୍ଣୁପ୍ରିୟାଙ୍କ ପୁଅ ପଞ୍ଚାନନ ମହାପାତ୍ର କୁହନ୍ତି, 'କାଗଜ କଣ୍ଢେଇ, ଗୋବର କଣ୍ଢେଇ କଳା ଆମର କୌଳିକ ବୃତ୍ତି। ଆମର ବଂଶଜମାନେ ପୀଢ଼ି ପରେ ପିଢ଼ି ଏହାକୁ ତିଆରି କରିଆସୁଛନ୍ତି। ପୂର୍ବରୁ ଅନେକ କାରିଗର ଏହି ପାରମ୍ପରିକ କଳାକୁ ନେଇ ଗୁଜରାଣ ମେଣ୍ଟାଉ ଥିଲେ। ହେଲେ ଏବେ ଅନେକ କାରିଗର ଏହି କଳାରୁ ମୁହଁ ଫେରାଇ ନେଲେଣି । ବଜାରରେ ବିଭିନ୍ନ ଡିଜାଇନର ରଙ୍ଗ ବେରଙ୍ଗ ପ୍ଲାଷ୍ଟିକ ଖେଳନା ବିକ୍ରି ସହିତ ଏବର ପିଲାମାନେ ମୋବାଇଲରେ ଅଧିକ ସମୟ ବିତାଉଥିବାରୁ ଏହି ପାରମ୍ପରିକ କଳା ଚାହିଦା ହ୍ରାସ ପାଇଛି। ବଜାରରେ ଚାଇନା ଖେଳନା ସାମଗ୍ରୀ ବିକ୍ରୀ ବୃଦ୍ଧି ପାଉଛି । ସବୁଠାରୁ ବଡ କଥା ହେଉଛି, ପିଲାମାନେ ମୋବାଇଲ ଫୋନରେ ଅଧିକ ସମୟ ବ୍ୟସ୍ତ ରହିବା ଫଳରେ ପାରମ୍ପରିକ କଳାର ଚାହିଦା ହ୍ରାସ ପାଇବାରେ ଲାଗିଛି।'

ସରକାର ସହଯୋଗ କଲେ କଳା ବଞ୍ଚିବ

ପଞ୍ଚାନନ କୁହନ୍ତି, 'ପାରମ୍ପରିକ କଳାର ସବୁବେଳେ ଚାହିଦା ରହିଛି। ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସାମଗ୍ରୀ ଅଧିକ କିଣୁଛନ୍ତି। ତେବେ ସରକାର ଯଦି କାରିଗରଙ୍କୁ ଆଧୁନିକ ପ୍ରଶିକ୍ଷଣ ଦେଇ କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ କାଗଜ, ଗୋବରରୁ ପ୍ରସ୍ତୁତ ଏହି ସବୁ ସାମଗ୍ରୀର ଚାହିଦା ବୃଦ୍ଧି ପାଆନ୍ତା । ରଘୁରାଜପୁର ଭଳି ଅନେକ କାରିଗର ପୁରୀରେ ବି ଅଛନ୍ତି। ସରକାର ଯଦି ସେମାନଙ୍କୁ ଏକାଠି କରି ଏକ ହସ୍ତଶିଳ୍ପ ବଜାର ସ୍ଥାପନ କରି ଏହି ପାରମ୍ପରିକ ସାମଗ୍ରୀ ବିକ୍ରୀ ଦିଗରେ ପଦକ୍ଷେପ ନିଅନ୍ତେ ତେବେ ଏହାର ଚାହିଦା ବଢିବା ସହ ଯୁବ ପୀଢ଼ି, ମହିଳାମାନେ ସବାଲମ୍ବୀ ହୋଇପାରନ୍ତେ ।'

ବରିଷ୍ଠ ରୂପକାର ସେବକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, 'ଆମ ପରିବାର ଲୋକେ କେବଳ ଏହି ପାରମ୍ପରିକ କଳା କାଗଜ, ଗୋବର କଣ୍ଢେଇକୁ ବଞ୍ଚାଇ ରଖିଛନ୍ତି। ତେବେ ପୂର୍ବରୁ ଯେତେ ଚାହିଦା ଥିଲା ତାହା ଏବେ ନାହିଁ । ବେପାରୀ ବି ଆଉ ସାମଗ୍ରୀ ନେବାକୁ ଆସୁନାହାନ୍ତି। ଏଣୁ କିଛି ପର୍ବପର୍ବାଣୀକୁ ଦେଖି ଅଳ୍ପ କିଛି ଆମେ କାଗଜ, ଗୋବର କଣ୍ଢେଇ ତିଆରି କରୁଛୁ। ୨୦ ଟଙ୍କାରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ ରହିଚି। ତେବେ ଏହି ସାମଗ୍ରୀର ଚାହିଦା କମିବା, ପରିଶ୍ରମ ଅନୁସାରେ ଉଚିତ୍ ମୂଲ୍ୟ ନ ମିଳିବା ଯୋଗୁ ଅନେକ କାରିଗର ଏହି ବେଉସାକୁ ବନ୍ଦ କରି ଦେଇଛନ୍ତି। ଅନେକ କାରିଗର ମୃତ୍ୟୁ ବରଣ କରିସାରିଲେଣି। ଯଦି ସରକାର ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ନ କରିବେ ତେବେ ଆଗାମୀ ପୀଢ଼ି ଏହାକୁ ଆଉ ଦେଖିବାକୁ ପାଇବେ ନାହିଁ।'

ଇଟିଭି ଭାରତ, ପୁରୀ

ଏହା ମଧ୍ୟ ପଢନ୍ତୁ ଓଡିଆ ସଂସ୍କୃତିର ପରିଚୟ ପଟ୍ଟଚିତ୍ର; କଳାକୁ ବଞ୍ଚାଇ ରଖିବା ପାଇଁ ଦୁଇଭାଇ ଦେଉଛନ୍ତି ମାଗଣା ତାଲିମ

ଏହା ମଧ୍ୟ ପଢନ୍ତୁ ଜଗନ୍ନାଥଙ୍କ ନିଆରା ଚିତ୍ରଭାଷା; ଚିତ୍ରରେ କହନ୍ତି ପୁରାଣରୁ ସହରୀକରଣ, ସମାଜରୁ ରାଜନୈତିକ ପରିବର୍ତ୍ତନର କଥା