ସମ୍ବଲପୁର ଲୋକ ମହୋତ୍ସବ; ପଲ୍ଲିଶ୍ରୀ ମେଳାରେ ଯୁବପିଢୀଙ୍କୁ ଟାଣୁଛି କଷ୍ଟମାଇଜ୍ ଅଳଙ୍କାର
ସମ୍ବଲପୁର ଲୋକ ମହୋତ୍ସବର ପଲ୍ଲିଶ୍ରୀ ମେଳାରେ ମନ କିଣୁଛି ସମ୍ବଲପୁରୀ ଫେସନେବୁଲ ଅଳଙ୍କାର । ନୂଆ ଡିଜାଇନ ଓ ଟ୍ରେଣ୍ଡିଂ ଲୁକ୍ ପାଇଁ ଅଳଙ୍କାର ଦୋକାନ ଆଗରେ ଭିଡ ।


Published : January 7, 2026 at 7:55 PM IST
ସମ୍ବଲପୁର: ଜିଲ୍ଲାରେ ଜମୁଛି ଲୋକ ମହୋତ୍ସବ 2026 ସହିତ ପଲିଶ୍ରୀ ମେଳା । ଲୋକକଳାର ମହାକୁମ୍ଭ କୁହାଯାଉଥିବା ସମ୍ବଲପୁର ଲୋକ ମହୋତ୍ସବ-2026 ଧୁମଧାମରେ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ବିର୍ଷା ମୈଦାନରେ ସମ୍ବଲପୁର ଲୋକ ମହୋତ୍ସବ ଚାଲିଥିବା ବେଳେ ପଡିଛି ପଲ୍ଲିଶ୍ରୀ ମେଳା । ଲୋକକଳା ମହୋତ୍ସବରେ ବହୁ ସ୍ଥାନୀୟ କଳାକାର ମାନଙ୍କୁ ମଞ୍ଚରେ ଅତିଥିଗଣଙ୍କ ଦ୍ୱାରା ସମ୍ମାନିତ କରାଯାଇଛି l ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସଂସ୍କୃତିକ ଦଳ ଗୁଡିକ ମଞ୍ଚରେ ନିଜ କଳା ପ୍ରଦର୍ଶନ କରିଥିଲେ ଯାହା ଲୋକଙ୍କୁ ମୁଗ୍ଧ କରିଥିଲା ।
ଏପଟେ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଷ୍ଟଲ ପଡିଛି l ତେବେ ଏହି ଷ୍ଟଲ ଗୁଡିକ ମଧ୍ୟରେ ଥିବା ସମ୍ବଲପୁରୀ ଅଳଙ୍କାର ଷ୍ଟଲରେ ଲୋକଙ୍କ ପ୍ରବଳ ଗ୍ରହଳି ଦେଖିବାକୁ ମିଳୁଛି । ବିଶେଷ କରି ଏଠାରେ ଯୁବ ପିଢୀଙ୍କ ବହୁତ ଭିଡ଼ ଜମୁଛି l ଓରମାସ ଦ୍ୱାରା ତାଲିମ ପାଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ସମ୍ବଲପୁରୀ ଅଳଙ୍କାର ଦୋକାନରେ ମିଳୁଛି ଭଳିକି ଭଳି ସମ୍ବଲପୁରୀ କପଡାରେ ପ୍ରସ୍ତୁତ ଫେସନେବୁଲ ଅଳଙ୍କାର l ମୁଖ୍ୟତଃ ନୂଆ ଡିଜାଇନ ଓ ନୂଆ ଟ୍ରେଣ୍ଡ ହୋଇଥିବାରୁ ଯୁବପିଢୀଙ୍କ ଭିଡ଼ କହିଲେ ନସରେ । ତେବେ କେବଳ ଷ୍ଟଲରେ ମିଳୁନି ଏହି ଅଳଙ୍କାର । ଏହାକୁ କେହିବି କିଣିବାକୁ ଚାହିଁଲେ ଅନଲାଇନରେ କିଣି ପାରିବେ ।

ତେବେ ନୂଆ ଡିଜାଇନର ଏହି ଅଳଙ୍କାର ଏତେ ଆକର୍ଷଣୀୟ ହୋଇଛି ଯେ ଯୁବତୀ ମାନେ ଏହି ଷ୍ଟଲରେ ଭିଡ଼ ଜମାଉଛନ୍ତି l ଏଥିରେ ପୁରୁଣା ସଂସ୍କୃତି ସହ ଆଧୁନିକତାର ଛାପ ପ୍ରତିଫଳିତ ହେଉଥିବାରୁ ଏହାର ଅଦୃତି ବଢିବା ସହ ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର ମଧ୍ୟ ହେଉଛି l
Lok Mahotsav 2026 | Day 1
— DM Sambalpur (@DmSambalpur) January 5, 2026
Tradition takes centre stage as Lok Mahotsav 2026 kicks off today in Sambalpur with vibrant culture, music & art. Hon’ble Minister R&DM Shri @sureshpujariofc Hon Minister PR&DW Shri @RabiNaikBJP ,Hon MLA Sambalpur & dignitaries graced the occasion. pic.twitter.com/GvFFXMSU2Y
କଷ୍ଟମାଇଜ୍ ଅଳଙ୍କାର ସଭିଙ୍କ ପସନ୍ଦ-
ସମ୍ବଲପୁରର ମା' ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସେକ୍ରେଟାରୀ ସ୍ୱୟଂସିଦ୍ଧା ପଟ୍ଟନାୟକଙ୍କ କହିବା ଅନୁସାରେ, "ବର୍ତ୍ତମାନ ମହିଳାମାନେ ବ୍ୟବହାର କରୁଥିବା ସବୁ ପ୍ରକାର ଅଳଙ୍କାରର ସମ୍ବଲପୁରୀ ଅଳଙ୍କାର ଉପଲବ୍ଧ ରହିଛି l ଏଠାରେ ଆମେ ଇୟର ରିଙ୍ଗ, ଫିଙ୍ଗର ରିଙ୍ଗ, ବ୍ରେସଲେଟ, ସବୁ ପ୍ରକାରର ନେକଲେସ, ସମ୍ବଲପୁରୀ ପାଟର ଅଳଙ୍କାର ତିଆରି କରି ବିକ୍ରି କରୁଛୁ l ତା' ସହ କଷ୍ଟମାଇଜ୍ ଅଳଙ୍କାର ମଧ୍ୟ ଆମେ ତିଆରି କରି ବିକ୍ରି କରୁଛୁ l ଏହା ସହ ନୂଆ ଶାଢ଼ୀର ମେଚିଙ୍ଗ ଅଳଙ୍କାର ଅର୍ଡର କଲେ ମଧ୍ୟ ତାହା ଆମେ ତିଆରି କରୁଛୁ l ଆମେ ଏହାକୁ ହାଲକା କାଠ ଓ ସମ୍ବଲପୁରୀ କପଡାରେ ତିଆରି କରୁଛୁ l ଆମର ଏଠାରେ 100 ଟଙ୍କାରୁ 1000 ଟଙ୍କା ପର୍ଯ୍ୟନ୍ତ ଅଳଙ୍କାର ମିଳୁଛି l ବର୍ତମାନ ଆମର ରୋଜଗାର ବହୁତ ଭଲ ହେଉଛି l ଆଉ ବର୍ତ୍ତମାନ ଓରମାସ ପକ୍ଷରୁ ଆମକୁ ବହୁ ସ୍ଥାନରେ ଷ୍ଟଲ ପ୍ରଦାନ କରାଯାଉଛି ଯାହାଦ୍ୱାରା କମ ଦିନରେ ଆମେ ଅଧିକ ଗ୍ରାହକ ପାଇ ପାରୁଛୁ l ଏହା ଦ୍ୱାରା ଆମକୁ ଅଧିକ ରୋଜଗାରର ସୁଯୋଗ ମିଳୁଛି l"

ସମ୍ବଲପୁର ବୁର୍ଲା ଭିସୁଟ୍ ବିଟେକ ଛାତ୍ରୀ ଆସ୍ଥା ଏହି ମେଳାରେ ଷ୍ଟଲ ବୁଲିବା ସହ ସମ୍ବଲପୁରୀ ଅଳଙ୍କାର କିଣିଥିଲେ । ସେ କୁହନ୍ତି, "ମୁଁ ସମ୍ବଲପୁର ଲୋକ ମହୋତ୍ସବରେ ଏହିଭଳି ଅଳଙ୍କାର ପ୍ରଥମ ଥର ଦେଖିବାକୁ ପାଇଲି l ଏହା ମୋତେ ବହୁତ ଭଲ ଲାଗିଲା, ସେଥିପାଇଁ ମୁଁ ଏହାକୁ କିଣିଲି l ଏହା ଏକ ନୂଆ ପ୍ରକାର ଅଳଙ୍କାର ଯେଉଁଥିରେ ଆଧୁନିକତା ଓ ପରମ୍ପରାର ଛାପ ରହୁଛି l ଏହା ଦ୍ୱାରା ସମ୍ବଲପୁରୀ କପଡାର ପ୍ରଚାର ପ୍ରସାର ମଧ୍ୟ ହେଉଛି l ଏଠାରେ ଇୟର ରିଙ୍ଗ, ନେକଲେସ, ଚୋକର ମିଳୁଛି l ଏହାର ମାନ ମଧ୍ୟ ବହୁତ ଭଲ ରହିଛି l"
Tradition met rhythm, and culture found its expression. LokMahotsav 2026 showcased folk music, dance, and vibrant traditions, creating unforgettable moments. As the event concludes, the echoes of our heritage continue to inspire.#LokMahotsav2026 #CultureInMotion #FolkVibes pic.twitter.com/v21Lqe7Dr7
— DM Sambalpur (@DmSambalpur) January 6, 2026

ତେବେ ଏହି ଭଳି ଫେସନେବୁଲ ସମ୍ବଲପୁରୀ ଅଳଙ୍କାର ତିଆରି କରୁଥିବା ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ପରି 6 ଟି SHG ର ମହିଳା ମାନଙ୍କୁ ଜିଲ୍ଲା ପ୍ରଶାସନର ଓରମାସ ପକ୍ଷରୁ 25 ଦିନର ତାଲିମ ଦେବା ପରେ ଏମିତି ନିଖୁଣ କାରିଗରୀର ଅଳଙ୍କାର ତିଆରି କରିବାରେ ସଫଳ ହୋଇଛନ୍ତି ଏହି ମହିଳା ମାନେ l ଏହାକୁ ତିଆରି କରିବା ପାଇଁ ସର୍ବନିମ୍ନ 5 ଦିନର ତାଲିମ ଦରକାର ଥିବା ବେଳେ ଦକ୍ଷ ହେବା ପାଇଁ 25 ଦିନର ତାଲିମ ଦିଆଯାଇଛି l
ମା' ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଜ୍ୟୋତି ମୁଣ୍ଡା କୁହନ୍ତି, "ଆମର କିଛି ଗୋଟିଏ କରିକି ଦେଖେଇବାର ଇଚ୍ଛା ଥିଲା l ତେବେ ଅଧିକାଂଶ SHG ପାରମ୍ପରିକ କାମ କରୁଥିବା ବେଳେ ଆମେ ସମ୍ବଲପୁରୀ କପଡାରେ ଅଳଙ୍କାର ତିଆରି କରିବାକୁ ମନସ୍ତ କରିଥିଲୁ l ଏହା ପରେ ଆମେ ଓରମାସରୁ ତାଲିମ ନେଇ କାମ ଆରମ୍ଭ କରିଥିଲୁ l ମାତ୍ର 5 ହଜାର ଟଙ୍କାରେ ବହୁତ ଛୋଟ ଆକାରରେ ଏହାକୁ ଆରମ୍ଭ କରିଥିଲୁ, ତେବେ ଆସ୍ତେ ଆସ୍ତେ ଆମର ବ୍ୟବସାୟ ବଢିଥିଲା l ଆଉ ବିଗତ ଗୋଟିଏ ବର୍ଷ ହେଲା ଓରମାସ ଆମକୁ ଷ୍ଟଲ ପ୍ରଦାନ କରୁଛି l ଏହା ଦ୍ୱାରା ଆମର ବହୁତ ଭଲ ବିକ୍ରି ହେଉଛି l ଆଉ ସମ୍ବଲପୁରୀ ଅଳଙ୍କାରର ଚାହିଦା ମଧ୍ୟ ବହୁତ ବଢିଛି l ଲୋକେ ଆମକୁ ଜାଣି ପାରିଛନ୍ତି ଓ ଆମ ପାଖକୁ ଅର୍ଡର ମଧ୍ୟ ଆସୁଛି l ତେବେ ଏହି ସମ୍ବଲପୁରୀ ଅଳଙ୍କାର ତିଆରି ପାଇଁ ଜଣକୁ ଅତି କମରେ 5 ଦିନିଆ ତାଲିମ ନେବାକୁ ପଡିଥାଏ l ବର୍ତମାନ ଆମେ ଗୋଟିଏ ଷ୍ଟଲରେ ଗୋଟିର ଥରରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଛୁ l ଆଉ ଆମେ ସବୁଠୁ ବଡ଼ ଉଦାହରଣ ଯେ ଏହି ବ୍ୟବସାୟ କରି ଜଣେ ମହିଳା ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇ ପାରିବ l କେବଳ ଏତିକି ନୁହେଁ ଆମେ 10 ଜଣ ଗରିବ ଯୁବତୀଙ୍କୁ ମଧ୍ୟ ରୋଜଗାର ଦେଇଛୁ ।"

ଅନ୍ୟପଟେ ଓରମାସର ପକ୍ଷରୁ ଏହି ଭଳି ଏସଏଚଜି ମହିଳାଙ୍କ ସମ୍ବଲପୁରୀ ଅଳଙ୍କାରର ବିକ୍ରି ପାଇଁ କେବଳ ଯେ ବିଭିନ୍ନ ସମୟରେ ଷ୍ଟଲ ଦିଆ ଯାଉଛି ତାହା ନୁହେଁ ବରଂ ଅନଲାଇନରେ ମଧ୍ୟ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି l ସମ୍ବଲପୁର ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମନ୍ତ ହୋତା କୁହନ୍ତି, "ସମ୍ବଲପୁର ଜିଲ୍ଲା ସମ୍ବଲପୁରୀ ଶାଢ଼ୀ ପାଇଁ ପ୍ରସିଦ୍ଧ ଅଟେ l ବର୍ତମାନ ସମ୍ବଲପୁରୀ ଶାଢ଼ୀ ସହ ସମ୍ବଲପୁରୀ ଗାର୍ମେଣ୍ଟ ମଧ୍ୟ ତିଆରି ହେଉଛି l ଅଉ ବର୍ତମାନ ଯୁବପିଢୀ ମଧ୍ୟରେ ସମ୍ବଲପୁରୀ ଅଳଙ୍କାରର ଚାହିଦା ବୃଦ୍ଧି ପାଇଛି l ତେଣୁ ଆମେ ବର୍ତମାନ 6ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସମ୍ବଲପୁରୀ ଅଳଙ୍କାର ତିଆରି କରିବାର ତାଲିମ ଦେଉଛୁ l ଆଗକୁ ଆହୁରି 6ଟି SHGକୁ ତାଲିମ ଦେବୁ l ବର୍ତମାନ ଆମ ପକ୍ଷରୁ ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ମେଳାରେ ଏମାନଙ୍କୁ ଷ୍ଟଲ ଦେଉଛୁ l ବର୍ତମାନ ଏମାନେ ପ୍ରତ୍ୟେକ ମେଳାରେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି l ଏହା ସହ ସମ୍ବଲପୁରୀ ଅଳଙ୍କାରର ଚାହିଦା ବହୁତ ବୃଦ୍ଧି ପାଇଥିବାରୁ ବର୍ତମାନ ଆମେ ଆମାଯନ ଓ ONDCର ଡିଜିଟାଲ ପ୍ଲାଟଫର୍ମରେ ଏମାନଙ୍କ ଉତ୍ପାଦକୁ ଅଫଲୋଡ଼ କରିଛୁ l ଏହା ସହ ଏହାର ସ୍ପେସିଆଲ ବ୍ରାଣ୍ଡିଂ ମଧ୍ୟ କରାଯାଉଛି l"

ଏହା ବି ପଢନ୍ତୁ- ଲାଖ ଦେଇଛି ରୋଜଗାର, ମହିଳାଙ୍କ ହାତରେ ଜୀବନ୍ତ ହେଉଛି ଚୁଡ଼ି
ଇଟିଭି ଭାରତ, ସମ୍ବଲପୁର

