ସିନ୍ଧୁଆରେ ଜମୁଛି ବଣଭୋଜିର ଆସର, ମୌଳିକ ସୁବିଧା ନଥିବାରୁ ପର୍ଯ୍ୟଟକ ନିରାଶ
ଏହି ସ୍ଥାନକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ପାନୀୟ ଜଳ ସୁବିଧା ମଧ୍ୟ ନାହିଁ । ଏହି ସ୍ଥାନର ବିକାଶ କରିବାକୁ ପର୍ଯ୍ୟଟକ ଦାବି କରିଛନ୍ତି ।

Published : December 26, 2025 at 2:22 PM IST
|Updated : December 26, 2025 at 3:28 PM IST
ରିପୋର୍ଟ: ଜୀବନ ଜ୍ୟୋତି ନାୟକ
ବାଲେଶ୍ବର: ଚାଲିଛି ପର୍ଯ୍ୟଟନ ଋତୁ। ସବୁଠି ବଣଭୋଜିର ଆସର ଜମିଛି । କିଏ କିଏ ସମୁଦ୍ର କୁଳରେ ତ ପୁଣି କିଏ ପାହାଡ଼ କଡରେ ବଣଭୋଜି କରୁଛନ୍ତି । ବାଲେଶ୍ୱର ଜିଲ୍ଲାର ଏମିତି ଅନେକ ସ୍ଥାନ ଅଛି ଯେଉଁଠି ପିକ୍ନିକ୍ ଋତୁରେ ପର୍ଯ୍ୟଟକଙ୍କ ସୁଅ ଛୁଟେ । ସେହିପରି ଏକ ସ୍ଥାନ ହେଉଛି ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଅଧୀନରେ ଥିବା ସିନ୍ଧୁଆ ଡ୍ୟାମ । ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଛି । କିନ୍ତୁ ଏଠାରେ ମୌଳିକ ସୁବିଧା ନଥିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି । ଏହି ସ୍ଥାନକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ପାନୀୟ ଜଳ ଓ ବିଦ୍ୟୁତ ସୁବିଧା ମଧ୍ୟ ନାହିଁ ।
ଡ୍ୟାମର ସୌନ୍ଦର୍ଯ୍ୟକରଣ କରାଯାଉନାହିଁ?
ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସମହାପାତ୍ର ପ୍ରଚେଷ୍ଠାରେ ୧୯୭୬ ମସିହାରେ ଏହି ଡ୍ୟାମ କାମ ଆରମ୍ଭ ହୋଇଥିଲା। ସେହି ସମୟ ଠାରୁ ଏହି ଡ୍ୟାମର ସେମିତି କିଛି ଆଶାତୀତ ବିକାଶ ହୋଇ ନାହିଁ। ନା ପିଇବା ପାଇଁ ପାଣି ମୁନ୍ଦେ ମିଳେ ନା ଏଠାରେ ବିଦ୍ୟୁତ ସରାବରାହ ଅଛି। ରାସ୍ତା ସମସ୍ୟା ସାଙ୍ଗକୁ ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ସ୍ତରରେ ଇଚ୍ଛାଶକ୍ତିର ଅଭାବ ଦେଖା ଦେଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ୨୦୨୩ ଅଗଷ୍ଟ ୧୦ ରେ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସିନ୍ଧୁଆ ଡ୍ୟାମର ବିକାଶ ପାଇଁ ୪୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ହୋଇଥିଲା। କେବଳ ରାସ୍ତା ଉପରେ ପିଚୁ ଟିକିଏ ପଡ଼ିବା ବ୍ୟତୀତ ଉକ୍ତ ଡ୍ୟାମର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିନାହିଁ।
ପ୍ରକୃତିର କୋଳରେ ହସୁଛି ସିନ୍ଧୁଆ ଡ୍ୟାମ:
ପିକ୍ନିକ୍ ଋତୁ ଆସିଲେ ସିନ୍ଧୁଆ ଡ୍ୟାମରେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଏ। ଶୀତ ହେଉ କି ଖରା ଏହାକୁ ଖାତିର ନକରି ପର୍ଯ୍ୟଟକ ମାନେ ଏଠାକୁ ଧାଇଁ ଆସନ୍ତି। ସିନ୍ଧୁଆ ଡ୍ୟାମର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ୩ ପଟେ ପାହାଡ, ମଝିରେ ପାଣି ରହି ଥିବାରୁ ସବୁବେଳେ ପର୍ଯ୍ୟଟକଙ୍କୁ ତା କୋଳକୁ ଡାକି ଆଣେ। ଜଙ୍ଗଲୀ ପରିବେଶର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ସମୟରେ ଲୋକଙ୍କ ଭିଡ ଏଠାରେ ଲାଗେ। ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଓ ଔପଦା ବ୍ଲକ ମଧ୍ୟ ଭାଗରେ ଅବସ୍ଥିତ ଏହି ସିନ୍ଧୁଆ ଡ୍ୟାମ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଏହି ସ୍ଥାନକୁ ବଣଭୋଜି ପାଇଁ ଧାଇଁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାକାର ଅବ୍ୟବସ୍ଥିତ ସୌନ୍ଦର୍ଯ୍ୟ ନିରାଶ କରିଥାଏ।
ଏହାର ନାମ ଥିଲା ହାତୀ ଖୁଲିଆ:
ପିଇବା ପାଇଁ ପାଣିର ସୁବିଧା ନାହିଁ:
ସେହିପରି ଟିୟୁସନ ଛାତ୍ରଛାତ୍ରୀମାନଙ୍କୁ ନେଇ ବଣଭୋଜି ପାଇଁ ସିନ୍ଧୁଆ ଡ୍ୟାମ ଆସିଥିବା ଶିକ୍ଷୟିତ୍ରୀ ସକୁନ୍ତଳା ସାହୁ କହିଛନ୍ତି," ଏହି ଜାଗାର ପ୍ରାକୃତିକ ଦୃଶ୍ୟ ବହୁତ ମନୋରମ। ଆମକୁ ବହୁତ ଭଲ ଲାଗିଲା, ପିଲାମାନେ ମଧ୍ୟ ଖେଳିକୁଦ କରି ଖୁସ୍। ପାହାଡ଼ ଉପରକୁ ଚଢିକି ସେମାନେ ବହୁତ ମଜା କରିବା ସହ ଫଟୋ ଉଠାଇଛନ୍ତି। ପିଲାମାନେ ଏଠୁ ଯିବାକୁ ରାଜି ହେଉନାହାନ୍ତି। ଏଠି ପାଣିର ସୁବିଧା ନାହିଁ ଯାହା ସେହି ଡ୍ୟାମର ପାଣି। ପିଇବା ପାଇଁ ପାଣି ଆମେ ଘରୁ ନେଇକି ଆସିଥିଲୁ। ବସିବା ପାଇଁ ଟିକିଏ କେଉଁଠି ଭଲ ଜାଗା ନାହିଁ। ଏସବୁ ସୁବିଧା ହେଇଗଲେ ଆଉଟିକେ ଭଲ ଲାଗନ୍ତା ଲୋକମାନେ ବି ଅଧିକ ହୁଅନ୍ତେ।"
ପର୍ଯ୍ୟଟକ ଦେବୀ ପ୍ରସାଦ ପଣ୍ଡା ଓ ତାଙ୍କ ବନ୍ଧୁମାନେ ପାନୀୟ ଜଳର ସଙ୍କଟ ଦେଖି କ୍ଷୋଭ ପ୍ରକାଶ କରି କହିଛନ୍ତି," ଏଠି ପାନୀୟ ଜଳର ସୁବିଧା ନାହିଁ, ଏଠି ଦୋକାନ ବଜାର ନାହିଁ। ଯଦି ଜଣେ ବାହାରୁ ଏଠାକୁ ପିକନିକ ପାଇଁ ଆସିଲା ତେବେ ଏଠି କୌଣସି ପ୍ରକାର ସୁବିଧା ପାଉନାହିଁ। ଡ୍ୟାମର ଚାରିକଡ଼େ ପାହାଡ଼ ଅଛି ଯାହା ଅତ୍ୟନ୍ତ ମନୋରମ। ଏହି ସ୍ଥାନ ସୌନ୍ଦର୍ଯ୍ୟରେ ଭରପୁର ଅଛି କିନ୍ତୁ ଏଠି ପିକନିକ କରିବା ପାଇଁ ସୁବିଧା ନାହିଁ। ବିଦ୍ୟୁତ ଓ ରାସ୍ତାର ସୁବିଧା ନାହିଁ। ତେଣୁ ଲୋକମାନେ ବହୁତ ଅସୁବିଧାରେ ପଡୁଛନ୍ତି।"
ସରକାରୀ ସହାୟତା ବହୁତ କମ:
ବଣଭୋଜି ପାଇଁ ସାଙ୍ଗ ମାନଙ୍କ ସହ ସିନ୍ଧୁଆ ଡ୍ୟାମ ପ୍ରଥମ ଥର ପାଇଁ ଯାଇଥିବା ଜନ୍ମେଜୟ ବେହେରା କହିଛନ୍ତି ," ମୁଁ ଏଇଠିକୁ ପ୍ରଥମ ଥର ଆସିଛି, ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ମନୋରମ। ଲୋକ ଏଠି ବହୁତ ହେଉଛନ୍ତି କିନ୍ତୁ ଏଠି ସରକାରୀ ସହାୟତା ବହୁତ କମ ରହିଛି। ରାସ୍ତାଘାଟ, ପାନୀୟ ଜଳ, ପରିବେଶକୁ ରକ୍ଷା କରିବା ଦିଗରେ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ମୋର ନିବେଦନ ଯେ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଯେଉଁମାନେ ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସମସ୍ତେ ଧ୍ୟାନ ଦେଲେ ସ୍ଥାନଟି ଆହୁରି ଉନ୍ନତ ହେବ ଏବଂ ଲୋକମାନେ ବହୁ ସଂଖ୍ୟାରେ ଆସିବେ।"
ସ୍ଥାନର ବିକାଶ ନେଇ କଣ କୁହନ୍ତି ସରପଞ୍ଚ?
ଅନ୍ୟପଟେ ଡ୍ୟାମର ବିକାଶ ଓ କେଉଁ ସବୁ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ସୂଚନା ଦେଇ ସ୍ଥାନୀୟ ସରପଞ୍ଚ ଅନାଦି ଚରଣ ସାମଲ କହିଛନ୍ତି ," ମୁଁ ଯେତେବେଳେ ସରପଞ୍ଚ ଭାବେ ନିର୍ବାଚିତ ହେଲି ପ୍ରଥମେ ସିନ୍ଧୁଆ ଡ୍ୟାମର ଉନ୍ନତିକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୋ ଲେଟର ପେଡରେ ଲେଖିଥିଲି। ଡ୍ୟାମକୁ ରାସ୍ତା ଓ ବିକାଶ ପାଇଁ ୧୫କୋଟି ଟଙ୍କା ଅନୁମୋଦନ ମାଗିଥିଲି। ଏହାସହ ରହିବା ପାଇଁ ପାନ୍ଥ ନିବାସ, ନଳକୂପ, ବିଦ୍ୟୁତ, ପାର୍କ ପାଇଁ ଅନୁମୋଦନ ମାଗିଥିଲି। ହେଲେ କେବଳ ରାସ୍ତା ପାଇଁ ଦୁଇ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର ହେଲା ମଙ୍ଗଳପୁରରୁ ଶିମିଳିଖୋଲ ଯାଏ। ସିନ୍ଧୁଆ ଛକରୁ ଡ୍ୟାମ ଯାଏ ଗୋଟେ ୭୦ ଲକ୍ଷ ଓ ଆଉଗୋଟେ ରାସ୍ତା ପାଇଁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଯେଉଁଥିରେ ରାସ୍ତା କାମ କରଯାଇଛି। ଖାଲି ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ମୁଁ ଚିଠି ମାଧ୍ୟମରେ ଡ୍ୟାମର ଉନ୍ନତି କରଣ ପାଇଁ ମଧ୍ୟ ମୁଁ ଲେଖିକି ପଠାଇଥିଲି। ହେଲେ ଗ୍ରାମ ମଙ୍ଗଳ ପାଇଁ ପାଞ୍ଚ କୋଟି ଟଙ୍କା ଦେଇଥିଲେ ହେଲେ ଡ୍ୟାମ ବିକାଶ ପାଇଁ କୌଣସି ଟଙ୍କା ମଞ୍ଜୁର କଲେ ନାହିଁ। ଏମିତି ପରିସ୍ଥିତି ଭିତରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉ ନାହିଁ।"
ଏହା ମଧ୍ୟ ପଢନ୍ତୁ-ପର୍ଯ୍ୟଟନ ଋତୁ ଆରମ୍ଭ; ସାତକୋଶିଆ ନେଚର କ୍ୟାମ୍ପରେ ତାଲା, ପର୍ଯ୍ୟଟକ ନିରାଶ
ଇଟିଭି ଭାରତ, ବାଲେଶ୍ବର

