କନ୍ଧମାଳରେ ବଡ଼ ଏନକାଉଣ୍ଟର: 6 ନକ୍ସଲଙ୍କ ସମେତ ଟପ୍ ମାଓନେତା ଗଣେଶ ଉଇକେ ନିପାତ, ମୁଣ୍ଡ ଉପରେ ଥିଲା ଏକ କୋଟି ପୁରସ୍କାର
କନ୍ଧମାଳରେ ବଡ଼ ଧରଣର ଏନକାଉଣ୍ଟର । ଟପ୍ ମାଓ ନେତା ଗଣେଶ ଉଇକେ ନିପାତ। ଆଉ 5 ନକ୍ସଲ ମଧ୍ୟ ସଫା । ଚକାପାଦ ଥାନା ଅଞ୍ଚଳରେ ହୋଇଛି ବଡ଼ ଧରଣର ମାଓ ଅପରେସନ

Published : December 25, 2025 at 1:53 PM IST
|Updated : December 25, 2025 at 5:04 PM IST
କନ୍ଧମାଳ/ଭୁବନେଶ୍ବର: କନ୍ଧମାଳରେ ଭୁଶୁଡିଲା ମାଓଗଡ । ଗଞ୍ଜାମ-କନ୍ଧମାଳ ସୀମାରେ ବଡ଼ ଧରଣର ମାଓ ଅପରେସନ ହୋଇଛି । ଯେଉଁଥିରେ ପୋଲିସର ନିଦ ହଜାଇଥିବା ଟପ୍ ମାଓନେତା ଗଣେଶ ଉଇକେ ନିପାତ ହୋଇଛି । ଏଥିସହ ଆଉ 5 ନକ୍ସଲ ମଧ୍ୟ ସଫା ହୋଇଛନ୍ତି । ଏହି ବଡ଼ ଧରଣର ମାଓ ଅପରେସନ ପରେ ନକ୍ସଲ ମୁକ୍ତ ଭାରତରେ ଏହା ଏକ ମାଇଲ ଷ୍ଟୋନ କହି ଖୁସି ଜାହିର କରିଛନ୍ତି ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହ । ଅନ୍ୟପଟେ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ ।
କନ୍ଧମାଳରେ ବଡ଼ ଏନକାଉଣ୍ଟର:
ସାରା ଦେଶ ଖ୍ରୀଷ୍ଟମାସକୁ ନେଇ ଉତ୍ସବ ମୁଖର ଥିବା ବେଳେ କନ୍ଧମାଳର ଚକାପାଦ ପୋଲିସ ଥାନା ଅନ୍ତର୍ଗତ ବେଲଘର ପେଡମ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଗୁଳି ବିନିମୟରେ 6 ମାଓବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଟପ୍ ମାଓନେତା ଗଣେଶ ଉଇକେ ରହିଛି । ଗତକାଲି ରାତିଠୁ ବେଲଘର ଥାନା ଗୁଳିବିନିମୟ ଚାଲିଥିବା ବେଳେ ଆଜି ସକାଳୁ ଚକାପାଦ ଥାନା ଅଧିନରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଗଣେଶ ସମେତ 6 ମାଓବାଦୀ ନିପାତ ହୋଇଥିବା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ କହିଛନ୍ତି ।
ଟଳିଲା ଟପ୍ ମାଓନେତା:
ସୁରକ୍ଷାକର୍ମୀ-ମାଓ ଗୁଳି ବିନିମୟରେ ଟପ୍ ମାଓନେତା ତଥା CPI(ମାଓବାଦୀ) ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ଉଇକେ ନିପାତ ହୋଇଛି । ଏହି ମାଓ ନେତାଙ୍କ ମୁଣ୍ଡ ଉପରେ ସରକାର 1.1କୋଟିର ପୁରସ୍କାର ଘୋଷଣା କରିଥିଲେ । ସୁରକ୍ଷାକର୍ମୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲା ଗଣେଶ ।
ସୁରକ୍ଷାକର୍ମୀଙ୍କ ପାଇଁ ଥିଲା ମୁଣ୍ଡବିନ୍ଧାର କାରଣ:
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ‘କନ୍ଧମାଳର ଚକାପାଦ ପୋଲିସ ଥାନା ଅଧିନରେ ଏହି ଏନକାଉଣ୍ଟର ହୋଇଛି । ଯେଉଁଥିରେ 6 ନକ୍ସଲ ନିପାତ ହୋଇଛନ୍ତି । ଏଥିରେ 69 ବର୍ଷୀୟ ଗଣେଶ ଉଇକେ ଓରଫ ପକ୍କା ହନୁମନ୍ତୁ ନାଁରେ ଜଣାଶୁଣା, ରାଜେଶ ତିୱାରୀ, ଚମ୍ରୁ ଓ ରୂପା ନିପାତ ହୋଇଛନ୍ତି । ଗଣେଶ ତେଲେଙ୍ଗାନା ନାଲାଗୋଣ୍ଡା ଜିଲ୍ଲାର ଚେନ୍ଦୁର ମଣ୍ଡଳର ଅଧିବାସୀ ଅଟେ । ଏହି 6 ନକ୍ସଲଙ୍କ ମଧ୍ୟରେ 2 ଜଣ ମହିଳା ନକ୍ସଲ ରହିଛନ୍ତି ।
ସେହିପରି ବୁଧବାର ରାତିରେ ହୋଇଥିବା ଗୁଳି ବିନିମୟରେ ସିପିଆଇ(ମାଓବାଦୀ)ର କମିଟି ମେମ୍ବର ବରି ଓରଫ ରାକେଶ, ଦଲାଲ ମେମ୍ବର ଅମ୍ରିତର ମୃତ୍ୟୁ ଘଟିଛି । ଉଭୟେ ଛତିଶଗଡର ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏମାନଙ୍କ ମୁଣ୍ଡ ଉପରେ 23.65 ଲକ୍ଷର ରାଶି ଘୋଷଣା କରିଥିଲେ ସରକାର ।
A significant milestone towards Naxal-free Bharat.
— गृहमंत्री कार्यालय, HMO India (@HMOIndia) December 25, 2025
In a major operation in Kandhmal, Odisha, 6 Naxalites, including Central Committee Member Ganesh Uike, have been neutralized so far.
With this major breakthrough, Odisha stands at the threshold of becoming completely free from…
‘ନକ୍ସଲ-ମୁକ୍ତ ଭାରତ’
ଏହି ବଡ଼ ଧରଣର ଅପରେସନକୁ ସ୍ବରାଷ୍ଟ୍ରମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି । ଯେଉଁଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, ‘ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ମାଇଲଷ୍ଟୋନ । କନ୍ଧମାଳରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ଏଥିରେ 6 ନକ୍ସଲ ନିପାତ ହୋଇଛନ୍ତି । ଯେଉଁଥିରେ ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ଇଉକେ ନିହତ ହୋଇଛି । ମାର୍ଚ୍ଚ 31 ସୁଦ୍ଧା ନକ୍ସଲ ମୁକ୍ତ ଭାରତ ହେବ ।’
ରାତିଠୁ ମାଓ ନିପାତ ଅପରେସନ ଜାରି:
ସେହିପରି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପୋଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି, ‘ଗତକାଲି ରାତିରେ 2 ମାଓବାଦୀ ନିହତ ହୋଇଛନ୍ତି । ଆଜି ସକାଳୁ ଆଉ 4 ମାଓବାଦୀ ନିପାତ ହୋଇଛନ୍ତି । ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ଇଉକେ ନିହତ ହେବା ଓଡ଼ିଶା ପୋଲିସ ପାଇଁ ଏକ ବଡ଼ ସଫଳତା । ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । କନ୍ଧମାଳ-ଗଞ୍ଜାମ ସୀମାରେ ଗୁଳି ବିନିମୟ ଜାରି ରହିଛି । ଗଣେଶ ଉଇକେର ମୃତ୍ୟୁ ଓଡ଼ିଶାରେ ମାଓବାଦୀ ଗତିବିଧିକୁ ଶକ୍ତ ପ୍ରହାର । ଏହା ରାଜ୍ୟରେ ମାଓ ଗତିବିଧିର ମେରୁଦଣ୍ଡକୁ ଭାଙ୍ଗିଦେଇଛି । ଆମର ଆଶା ଅଛି ଆହୁରି ସଫଳତା ହାସଲ ହେବ ।’
ଅପରେସନରେ 23 ଟିମ୍:
ଏହି ଯୁଗ୍ମ ଅପରେସନର ନେତୃତ୍ୱ Special Operations Group (SOG) ନେଇଥିଲା।
ଏଥିରେ Odisha Police, CRPF ଓ BSF ମଧ୍ୟ ସାମିଲ ଥିଲେ। ଗୁପ୍ତଚର ବିଭାଗ (Special Intelligence Wing -SIW ) ରୁ ମିଳିଥିବା ସୂଚନା ଅନୁସାରେ ୨୩ଟି ଟିମ୍ ଗଠନ କରାଯାଇ କମ୍ବିଂ ଅପେରସନ ଆରମ୍ଭ କରିଥିଲା। ଏହା ମଧ୍ୟରେ ୨୦ଟି SOG, ୨ଟି CRPF ଓ ୧ଟି BSF ଟିମ୍ ଥିଲା।
ଗୁଇନ୍ଦା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ନକ୍ସଲ ବିରୋଧି ଅପରେସନରେ 23ଟିମ ନିୟୋଜିତ ଅଛନ୍ତି । ଯେଉଁଥିରେ 20 ସ୍ପେଶାଲ ଅପେରସନ ଗ୍ରୁପ, 2ଟି CRPF, 1ଟି BSF ଟିମ୍ । କନ୍ଧମାଳ ଜିଲ୍ଲାର ସୀମାନ୍ତ ରମ୍ଭା ଫରେଷ୍ଟ ଡିଭିଜନ ଅଞ୍ଚଳରେ ଜାରି ରହିଛି ଅପରେସନ । ’ ତେବେ ଏକାଧିକ ଗୁଳି ବିନିମୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 4 ମୃତଦେହ ଉଦ୍ଧାର ହୋଇଛି । ଯେଉଁଥିରେ 2 ମହିଳା ଓ 2 ଜଣ ପୁରୁଷ ମାଓବାଦୀଙ୍କ ରହିଛି । ଏଥିସହ ଘଟଣାସ୍ଥଳରୁ 2ଟା ଇନସାସ ରାଇଫଲ ଓ 303 ରାଇଫଲ ମଧ୍ୟ ଜବତ ହୋଇଛି ।
ଗଣେଶ ଇଉକେ କିଏ ?
ପୋଲିସ ନିଦ ହଜାଇଥିଲା କୁଖ୍ୟାତ ମାଓବାଦୀ ଗଣେଶ ଉଇକା । ଯିଏକି ସେଣ୍ଟ୍ରାଲ କମିଟି ମେମ୍ବରର ଅଟେ । ତା’ ମୁଣ୍ଡରେ ସରକାର କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସେ ବିଭିନ୍ନ ମାଓ ହିଂସା କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା । ଗତ କିଛି ବର୍ଷ ତଳେ ତେଲେଙ୍ଗାନାରେ ଗଣେଶକୁ ବ୍ୟାନ କରାଯାଇଥିଲା । ଗଣେଶ 2013 ଝିମରାମ ଘାଟି ଘଟଣାରେ ମାଷ୍ଟର ମାଇଣ୍ଡ ଥିଲା । ଯେଉଁଥିରେ ଅନେକ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା । ତେବେ ଗତ 3 ବର୍ଷ ହେବ ଗଣେଶ କନ୍ଧମାଳ ରିଜନରେ ସକ୍ରିୟ ଥିଲା ।
ସୁରକ୍ଷାକର୍ମୀଙ୍କ ମାଓ ଦମନ ଅଭିଯାନ:
2026 ସୁଦ୍ଧା ମାଓବାଦୀ ସଫା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଆହ୍ବାନ କରିଥିଲେ । ତେବେ ସୁରକ୍ଷାକର୍ମୀ ମାଓ ଦମନ ଅଭିଯାନ ଜାରି ରଖିଛନ୍ତି । ନିକଟରେ ମାଲକାନଗିରିରେ 22 ମାଓବାଦୀ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ବନ୍ଧୁକ ପିଙ୍ଗି ସମାଜର ମୁଖ୍ୟ ଧାରାରେ ଯୋଡି ହୋଇଥିଲେ ।

