ETV Bharat / state

ଔଷଧ ଗୋଦାମ ପରିସରରେ ଖତ ଖାଉଛି ୩ ଟ୍ରକ୍‌ରୁ ଊର୍ଦ୍ଧ୍ବ ଏକ୍ସପାୟାର୍ ଔଷଧ: ଉଠୁନି ବର୍ଜ୍ୟ, ଅସନ୍ତୋଷ କଳାହାଣ୍ଡିବାସୀ

ବର୍ଷା ପାଣି ପଡ଼ି ମେଡିକାଲ ବର୍ଜ୍ୟବସ୍ତୁ ପଚିବା ସହ ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଛି । ବକେୟା ବିଲ୍ ପୈଠ ନ ହେବା ଯୋଗୁଁ ଉଠିପାରୁନି ବର୍ଜ୍ୟବସ୍ତୁ । ରିପୋର୍ଟ: ଅଜିତ କୁମାର ସିଂ

tons of expired medicine and Medical waste exposed openly beside Medice warehouse kalahandi
ଔଷଧ ଗୋଦାମ ପରିସରରେ ଖତ ଖାଉଛି ୩ ଟ୍ରକ୍‌ରୁ ଊର୍ଦ୍ଧ୍ବ ଏକ୍ସପାୟାର୍ ଔଷଧ ଓ ମେଡିକାଲ ବର୍ଜ୍ୟବସ୍ତୁ (ETV Bharat Odisha)
author img

By ETV Bharat Odisha Team

Published : September 1, 2026 at 12:37 PM IST

4 Min Read
Choose ETV Bharat

ଭବାନୀପାଟଣା: ଖତ ଖାଉଛି ଟନ୍ ଟନ୍ ପରିମାଣର ଅବଧି ଶେଷ ହୋଇଥିବା ଔଷଧ ଓ ମେଡିକାଲ ବର୍ଜ୍ୟବସ୍ତୁ । ପାଖାପାଖି ୩ ଟ୍ରକ୍‌ରୁ ଊର୍ଦ୍ଧ୍ବ ପରିମାଣର ବର୍ଜ୍ୟ ଗୋଦାମ ପରିସରରେ ଖୋଲାରେ ଫୋପାଡି ଦିଆଯାଇଛି । ଫଳରେ ବର୍ଷା ପାଣି ଜମି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହେବା ସହିତ ପରିବେଶ ଓ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏପରି ଚିତ୍ର କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ମେଦିନୀପୁର ଛକ ନିକଟରେ ଥିବା ରାଜ୍ୟ ଔଷଧ ନିଗମର ଜିଲ୍ଲା ଔଷଧ ଗୋଦାମ ପରିସରରେ ଦେଖିବାକୁ ମିଳିଛି । ଔଷଧ ଗୁଡିକୁ ସଠିକ ମାନଦଣ୍ଡ ଅନୁଯାୟୀ ନଷ୍ଟ କରାଯିବାରେ ଚରମ ଅବହେଳାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଔଷଧ ଗୋଦାମ ପରିସରରେ ଖତ ଖାଉଛି ୩ ଟ୍ରକ୍‌ରୁ ଊର୍ଦ୍ଧ୍ବ ଏକ୍ସପାୟାର୍ ଔଷଧ ଓ ମେଡିକାଲ ବର୍ଜ୍ୟବସ୍ତୁ (ETV Bharat Odisha)

ବିପଦ ସୃଷ୍ଟି କରୁଛି ମେଡିକାଲ ବର୍ଜ୍ୟ:

ମୟୂରଭଞ୍ଜ ପରେ ଏବେ କଳାହାଣ୍ଡି ଜିଲ୍ଲାରୁ ଆସିଛି ଖତଗଦାରେ ଷଢୁଥିବା ଔଷଧର ଚିତ୍ର । ଗୋଟିଏ କି ଦୁଇଟି ବସ୍ତା ନୁହେଁ, ପ୍ରାୟ ୩ ଟ୍ରକ୍‌ରୁ ଅଧିକ ଅବଧି ସରିଯାଇଥିବା ଓ ମାନଦଣ୍ଡ ହାସଲ ନ କରିଥିବା ସାଲାଇନ୍ ବୋତଲ, ସାନିଟାରୀ ନ୍ୟାପକିନ୍, କାଚ ବୋତଲ ଓ ଅନେକ ଔଷଧ ଉପକରଣ ଏଠାରେ ଖୋଲାରେ ଗଦା ହୋଇ ପଡିରହିଛି । ବର୍ଷା ପାଣି ପଡ଼ି ଏହି ସବୁ ପଚିବା ସହ ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଛି । ଯାହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବଢ଼ାଉଛି ।

Medical waste is lying in the open.
ଖୋଲାରେ ପଡିରହିଛି ମେଡିକାଲ ବର୍ଜ୍ୟବସ୍ତୁ (ETV Bharat Odisha)

ବିଲ୍ ପୈଠ ନ ହୋଇଥିବାରୁ ସମସ୍ୟା:
ନିୟମ ଅନୁସାରେ ଏକ୍ସପାୟର ଔଷଧ ଓ ମେଡିକାଲ ବର୍ଜ୍ୟବସ୍ତୁକୁ ଉପଯୁକ୍ତ ପ୍ରକ୍ରିୟାରେ ନଷ୍ଟ କରାଯିବା ଆବଶ୍ୟକ । ଏହିସବୁ ମେଡିକାଲ୍ ବର୍ଜ୍ୟକୁ ନଷ୍ଟ କରିବା ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ହସପିଟାଲ୍‌ରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ୱେୟାର ହାଉସରେ ଗଦା କରେ ଏବଂ ପରେ ବଡ଼ ଗାଡ଼ି ଆଣି ନଷ୍ଟ କରିବା ପାଇଁ ବଲାଙ୍ଗୀର ନେଇଥାଏ । ମାତ୍ର ଅଭିଯୋଗ ହୋଇଛି ଯେ, ଗତ କିଛି ମାସ ହେବ ଏହି ସଂସ୍ଥାର ବକେୟା ବିଲ୍‌ ପୈଠ ହୋଇନଥିବାରୁ, ସେମାନେ ଏଠାରୁ ଆଉ ବର୍ଜ୍ୟବସ୍ତୁ ଉଠାଉ ନାହାନ୍ତି । ଫଳରେ ମାସ ମାସ ଧରି ଔଷଧ ଗୋଦାମ ପରିସରରେ ଏହିସବୁ ଗଦା ହୋଇ ରହିଛି ।

Medical waste is lying in the open.
ଖୋଲାରେ ପଡିରହିଛି ମେଡିକାଲ ବର୍ଜ୍ୟବସ୍ତୁ (ETV Bharat Odisha)
ରୋଗୀଙ୍କୁ ମିଳୁନି ଔଷଧ:ଏନେଇ କଳାହାଣ୍ଡି ବାସିନ୍ଦା ଅଗଷ୍ଟ ନାଏକ୍ କହିଛନ୍ତି, "ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଅସଂଖ୍ୟ ସାଧାରଣ ଜନତା ଓ ରୋଗୀ ନିଜର ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାନ୍ତି । ଅଞ୍ଚଳବାସୀ ଏଠାକୁ ଆସି ଆରୋଗ୍ୟ ହୋଇ ଘରକୁ ଫେରିବେ ବୋଲି ଆଶା ରଖନ୍ତି । ​କିନ୍ତୁ ଦୁର୍ଭାଗ୍ୟର ବିଷୟ, ଚିକିତ୍ସାଳୟକୁ ଆସୁଥିବା ସାଧାରଣ ରୋଗୀଙ୍କୁ ଆବଶ୍ୟକୀୟ ଓ ଉପଯୁକ୍ତ ଔଷଧ ମିଳିପାରୁ ନାହିଁ । ଯେଉଁ ଔଷଧ ସବୁ ରୋଗୀଙ୍କର ସେବା ଓ ଆରୋଗ୍ୟ ପାଇଁ ବ୍ୟବହୃତ ହେବା କଥା, ତାହା ରୋଗୀଙ୍କୁ ମିଳିନାହିଁ । ଔଷଧର ଅବଧି ଶେଷ ହେବା ପରେ ନଷ୍ଟ କରିବା ପାଇଁ ମେଦିନୀପୁରରେ ପଡ଼ିରହିଛି ।"


ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ଓ ନିଷ୍କ୍ରିୟତା ଏହାର ମୁଖ୍ୟ କାରଣ । ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ସ୍ୱେଚ୍ଛାଚାରୀ ଭାବେ କାର୍ଯ୍ୟ କରିବାକୁ ଛାଡ଼ି ଦିଆଯାଇଛି । ଯାହାର ପ୍ରତ୍ୟକ୍ଷ ପରିଣାମ ନିରୀହ ରୋଗୀମାନେ ଭୋଗୁଛନ୍ତି । ଜିଲ୍ଲା ପ୍ରଶାସନ, କଳାହାଣ୍ଡିର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଏବଂ ମେଡିକାଲ୍ କଲେଜ ଅଧ୍ୟକ୍ଷଙ୍କୁ ସାର୍ବଜନୀନ ଭାବେ ପ୍ରଶ୍ନ ପଚରାଯାଉ ଯେ, ଜୀବନ ରକ୍ଷାକାରୀ ଔଷଧ ରୋଗୀଙ୍କୁ ନ ଦିଆଯାଇ ଏପରି ଅବଧି ସମାପ୍ତ ହେବାକୁ କାହିଁକି ଛାଡ଼ିଦିଆଗଲା," ବୋଲି କଳାହାଣ୍ଡି ବାସିନ୍ଦା କହିଛନ୍ତି ।


ମିଳୁନି ଆବଶ୍ୟକ ଔଷଧ:
କଳାହାଣ୍ଡି ବାସିନ୍ଦା ଚନ୍ଦ୍ରାଂଶୁ ମିଶ୍ର କହିଛନ୍ତି, "ସରକାର ରୋଗୀମାନଙ୍କୁ ନିଶୁଳ୍କ ଔଷଧ ଯୋଗାଇଦେବାର ବ୍ୟବସ୍ଥା ରହିଛି । ବହୁ ଜାଗାରେ ଆବଶ୍ୟକ ଔଷଧ ମିଳୁନାହିଁ । ଟାଇଫଏଡ୍, ଡାଇରିଆ ଭଳି କିଛି ରୋଗ ପାଇଁ ବେଳେ ବେଳେ ଔଷଧ ମିଳିନଥାଏ । ଯଦି ଡାକ୍ତର ୫ଟି ମେଡିସିନ୍ ଲେଖୁଛନ୍ତି, ତେବେ ସେଥିରୁ ୩ଟି ଔଷଧ ଉପଲବ୍ଧ ଥିଲେ ୨ଟି ଉପଲବ୍ଧ ହେଉନାହିଁ । ​ଔଷଧ ଷ୍ଟକ୍ ସଠିକ ଭାବେ ପରିଚାଳନା ହେଉନଥିବାରୁ ଏପରି ହଉଛି । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।"

'ଦାୟିତ୍ବହୀନ ପରିଚାଳନା ପାଇଁ ପ୍ରକୃତରେ ଦାୟୀ କିଏ?'
ଏହା ବ୍ୟତୀତ ଔଷଧର ଏକ୍ସପାୟରୀ ଡେଟ୍‌ ଯିବା ପରେ ଏହା ବିଷାକ୍ତ କେମିକାଲ୍‌ ପ୍ରତିକ୍ରିୟା କରିଥାଏ । ଏହାକୁ ମେଦିନୀପୁର ଅଞ୍ଚଳରେ ଖୋଲାରେ ଫୋପାଡି଼ବା ଦ୍ବାରା ପରିବେଶ ଉପରେ ଖରାପ ପ୍ରଭାବ ପକାଇବାର ଭୟ ରହୁଛି । ଆଉ ବର୍ଷା ଦିନରେ ସେ ପାଣିରେ ଏହା ମିଶିକି ଜଳକୁ ବିଷାକ୍ତ କରିବା ସହିତ ଜନଜୀବନ ଓ ଜଳରେ ଥିବା ପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହି ଦାୟିତ୍ବହୀନ ପରିଚାଳନା ପାଇଁ ପ୍ରକୃତରେ ଦାୟୀ କିଏ? " ବୋଲି କଳାହାଣ୍ଡି ବାସିନ୍ଦା ଚନ୍ଦ୍ରାଂଶୁ ମିଶ୍ର ପ୍ରଶ୍ନ କରିଛନ୍ତି ।


'ସରକାରୀ ନିୟମର ଉଲ୍ଲଂଘନ'
ଏହି ମାମଲାକୁ ନେଇ ପୂର୍ବତନ CDMO ଡ. ଅଶୋକ ମୁଣ୍ଡ କହିଛନ୍ତି, "ଯଦି ଆମର କୌଣସି ଓଷଧର ମିଆଦ ପୂରଣ ହୋଇଯାଏ, ଏହାକୁ ଗାତ ଖୋଳି ତା' ଭିତରେ ଓଷଧ ପକାଇ ମାଟି ଦେଇ ଘୋଡ଼ାଇ ରଖାଯାଏ । ଏହା ଆମର ସରକାରୀ ନିୟମାବଳୀ । ​ସରକାରଙ୍କ ଦ୍ୱାରା ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି, ସେମାନେ ଏହି କାମ କରିବା କଥା । ଭଣ୍ଡାର ଦାୟିତ୍ୱରେ ଥିବା ଅଧିକାରୀ ଉକ୍ତ ସଂସ୍ଥାକୁ ଔଷଧ ହସ୍ତାନ୍ତର କରିବା ଏବଂ ସେମାନେ ସଠିକ୍ ଉପାୟରେ ନିଷ୍କାସନ କରୁଛନ୍ତି କି ନାହିଁ, ତାହା ତଦାରଖ କରିବା ଉଚିତ ।"

"​ମିଆଦପୂର୍ଣ୍ଣ ଔଷଧ କେବେହେଲେ ଖୋଲା ଆକାଶ ତଳେ ପଡ଼ିରହିବା କଥା ନୁହେଁ । ଏହା ସରକାରୀ ନିୟମର ଉଲ୍ଲଂଘନ । ଯିଏ ଏହାକୁ ବାହାରେ ଫିଙ୍ଗୁଛନ୍ତି, ସେ ମଧ୍ୟ ଦୋଷୀ । ଏହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ, ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିଚାଳନା କରୁଥିବା ଫାର୍ମାସିଷ୍ଟ ଏବଂ ଆମର ସୁପରଭାଇଜିଂ ଅଫିସର ଏହି ସବୁ ଦିଗ ପ୍ରତି ଦୃଷ୍ଟି ଦେବା କଥା । ଏଭଳି ଅବହେଳା ଆଦୌ ଗ୍ରହଣୀୟ ନୁହେଁ," ~ ଡ. ଅଶୋକ ମୁଣ୍ଡ, ପୂର୍ବତନ CDMO

ବକେୟା ବିଲ୍ ପାଇଁ ଉଠୁନି ଔଷଧ:
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ହରେକୃଷ୍ଣ ଶତପଥୀ କହିଛନ୍ତି, "ଆମ ନିକଟକୁ ଔଷଧ ଆସିବା ପରେ ଏହା ବ୍ୟବହାର ଉପଯୋଗୀ କିମ୍ବା ନୁହେଁ ଜାଣିବା ପାଇଁ ଏହାର ପରୀକ୍ଷଣ ପାଇଁ ପଠାଇଥାଉ । ବ୍ୟବହାର ଉପଯୋଗୀ କିମ୍ବା ନୁହେଁ ଏହା ରିପୋର୍ଟରୁ ଜଣାପଡିଥାଏ । କେତେ ଦିନ ମଧ୍ୟରେ ଏହାକୁ ବ୍ୟବହାର କରାଯାଇପାରିବ ତାହା ମଧ୍ୟ ଉଲ୍ଲେଖ ରହିଥାଏ । ଔଷଧ ଗୋଦାମ ବାହାରେ ପଡିରହିଥିବା ଔଷଧ ଗୁଡିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଏଗୁଡିକୁ ନଷ୍ଟ କରିବା ପାଇଁ ପଠାଇ ଦିଆଯାଇଥିଲା । ଏକ୍ସପାୟାର୍ ହୋଇଥିବା ମେଡିସିନ୍‌କୁ ଆମେ ଏକ ପୁଲ୍ କରିଦବୁ, ସେଠାରୁ ଗାଡ଼ି ନେଇକି ତାକୁ ନଷ୍ଟ କରିବ । ଦାୟିତ୍ବରେ ଥିବା ସଂସ୍ଥାର କିଛି ବିଲ୍ ପୈଠ ନ ହୋଇଥିବା କାରଣରୁ ସେ ଔଷଧକୁ ନେଇ ନାହିଁ । ଟଙ୍କା ପାଇଲେ ସଂସ୍ଥା ଔଷଧ ସେଠାରୁ ଉଠାଇ ନେବ," ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ରୋଗୀଙ୍କୁ ବାଣ୍ଟିଲେନି, ନଦୀ ପଠାରେ ଫିଙ୍ଗିଦେଲେ ପୁଳା ପୁଳା ଔଷଧ ଓ ଡାକ୍ତରୀ ଉପକରଣ

ଛୁଆ ହେବା ଆଶାରେ ଗୁଣିଆଠୁ ଔଷଧ ଖାଇ ଆଖି ବୁଜିଲେ ଦମ୍ପତି

ଶୈବାଳରୁ କ୍ୟାନସର ମହୋଷଧି ! ଔଷଧ୍ୟୀୟ ଗୁଣବତ୍ତାର ଅନୁସନ୍ଧାନ କରୁଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ମୃତ୍ୟୁଞ୍ଜୟ ଜେନା


ଇଟିଭି ଭାରତ, କଳାହାଣ୍ଡି