କଳାହାଣ୍ଡି କନ୍ଧ ଜନଜାତିଙ୍କ 'ଟୋକି ମରା' ପର୍ବ, ଜାଣନ୍ତୁ ବଳି ପରମ୍ପରା ପଛର ରହସ୍ୟ ?
କଳାହାଣ୍ଡି ଜିଲ୍ଲାର ଆଦିବାସୀ କନ୍ଧ ପରଜାମାନଙ୍କର ପାରମ୍ପରିକ ଧରଣୀପେନୁ ବା ମାଟି ଦେବତା ପୂଜା । ପ୍ରକୃତିକୁ ପ୍ରସନ୍ନ କରିବାକୁ ପୂର୍ବରୁ ଅବିବାହିତ ଯୁବତୀଙ୍କୁ ସମର୍ପଣ କରାଯାଉଥିଲା ।

Published : January 5, 2026 at 9:30 AM IST
|Updated : January 5, 2026 at 1:15 PM IST
Tokimara Festival Kalahandi ଭବାନୀପାଟଣା(କଳାହାଣ୍ଡି): ଗାଁ ମୁଣ୍ଡ ଅସ୍ଥାୟୀ ମାଟି ଘରେ ପୂଜକ ଜାନିଙ୍କ ପୂଜାର୍ଚ୍ଚନା ସହ ଇଷ୍ଟଦେବୀ ଓ ବିଭିନ୍ନ ଦେବାଦେବୀଙ୍କୁ ଆବାହନ । ଦେବୀଙ୍କ ପୀଠରେ ପୋତା ଯାଇଥିବା ଅସ୍ତ୍ର ବାହାର କରି ମାର୍ଜନା ପରେ ହାତରେ ଅସ୍ତ୍ର ଏବଂ ଠେଙ୍ଗା ବାଡ଼ି ଧରି ଗ୍ରାମ ପରିକ୍ରମା କରାଯାଇଥିଲା । ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦେବୀଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ଆଦିବାସୀ । କଳାହାଣ୍ଡି ଜିଲ୍ଲାରେ ପାଳିତ ହୋଇଛି 'ଟୋକିମରା ପର୍ବ'। ପ୍ରତି 12 ବର୍ଷରେ ଏହି ପର୍ବ ପାଳନ କରନ୍ତି କନ୍ଧ ଆଦିବାସୀ ସଂପ୍ରଦାୟ ।
ଟୋକିମରା ପର୍ବ:
ପୌଷମାସ ଶେଷ ରବିବାରରେ ପାଳିତ ହୁଏ ଟୋକିମରା ପର୍ବ । ପ୍ରକୃତି ଏବଂ ମାଟି ମାଆ ଉଦ୍ଦେଶ୍ୟରେ ଏହା ସମର୍ପିତ । କଳାହାଣ୍ଡି ଜିଲ୍ଲାର ଆଦିବାସୀ କନ୍ଧ ସମ୍ପ୍ରଦାୟ ଜନଜାତି ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପର୍ବ ପାଳନ କରିଥାନ୍ତି । ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ସହିତ ବଳି ପ୍ରଥା ମଧ୍ୟ ରହିଛି । ଏହା ଦ୍ବାରା ଗ୍ରାମବାସୀଙ୍କ ଶରୀର ନିରୋଗ ରହିବା ସହିତ ଚାଷ ଓ ଅମଳ ଭଲ ହୁଏ ବୋଲି ବିଶ୍ବାସ ରହିଥିବା କୁହନ୍ତି ଗ୍ରାମବାସୀ ।

ପ୍ରକୃତି ପାଇଁ ଉତ୍ସର୍ଗୀକୃତ ପର୍ବ:
ଚଳିତବର୍ଷ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଚାଚିକନା, ପୁଲିଂପଦର ଓ ଗୁଣୁପୁର ଗାଁରେ ପରମ୍ପରା ଅନୁଯାୟୀ ଟୋକିମରା ପର୍ବ ପାଳିତ ହୋଇଯାଇଛି । ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟ ପ୍ରତି ୧୨ ବର୍ଷରେ ଏହି ପର୍ବ ପାଳନ କରିଥାନ୍ତି।

୬ ଦିନ ପାଳିତ ହୁଏ ଟୋକିମରା ପର୍ବ :
ଟୋକିମରା ପର୍ବ ପାଳନ ପରମ୍ପରା ଢେର ପୁରୁଣା । ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ପୌଷ ମାସର ଶେଷ ରବିବାର ଦିନ ଏହା ପାଳନ କରାଯାଇଥାଏ । ପ୍ରତି ଗାଁରେ ୬ ଦିନ ଧରି ପାଳନ କରାଯାଏ । ପୂର୍ବରୁ ଧରିଣୀ ପେନୁ ବା ମାଟି ମା' ଉଦ୍ଦେଶ୍ୟରେ ଜଣେ ଅବିବାହିତ ଯୁବତୀଙ୍କୁ ଉତ୍ସର୍ଗ କରାଯାଉଥିଲା । ମାତ୍ର ଏବେ ମଣିଷ ବଳି ପ୍ରଥା ବନ୍ଦ ହୋଇଥିବା ବେଳେ, ବୋଦାକୁ ମଣିଷ ନାମରେ ନାମିତ କରି ବଳି ଦିଆଯାଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ବିଶ୍ବାସ ରହିଛି ଯେ " ବଳି ଅର୍ପଣ ପରେ ବୋଦା ମାଂସକୁ ଚାଷ ଜମିରେ ପୋତିଲେ ଦୁଃଖ କଷ୍ଟ ଲାଘବ ହେବା ସହ ଜମି ଉର୍ବର ହେବା ଏବଂ ଭଲ ଫସଲ ହୋଇଥାଏ । "

ମଣିଷ ବଦଳରେ ମେଣ୍ଢା ବଳି:
ଚାଚିକନା ଗାଁ ପୂଜାରୀ ସୁରେନ୍ଦ୍ର ମାଝୀ କୁହନ୍ତି, "ଗାଁ ଲୋକେ ନିରୋଗ ରହିବା ସହ ଭଲ ଫସଲ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଏ । ପୁର୍ବରୁ ଝିଅ ପିଲା ବଳି ଦିଆଯାଉଥିବା ବେଳେ ଏବେ ମେଣ୍ଢା ବଳି ଦିଆଯାଉଛି । ଶୋଭାଯାତ୍ରାରେ ମେଣ୍ଢାକୁ ନିଆଯାଏ । ସଭିଁଏ ଗୋଟିଏ ଗୋଟିଏ ଅସ୍ତ୍ର ଧରି ମେଣ୍ଢାକୁ ଆକ୍ରମଣ କରନ୍ତି । କାରଣ ମେଣ୍ଢା ଦେହରୁ ଝରିପଡୁଥିବା ରକ୍ତ ମାଟିରେ ପଡିବା ଦ୍ବାରା ଧରଣୀ ପେନୁ ଶାନ୍ତ ହୁଅନ୍ତି ।"

'ପୂର୍ବ ପୁରୁଷ ଅମଳରୁ ପାଳିତ ହୋଇଆସୁଛି'
" ଟୋକିମରା ପର୍ବକୁ ନେଇ ଆଦିବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି । ମାତ୍ର ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ଲୋକଙ୍କ ମନରୁ ଏହା ଲୁପ୍ତ ପାଇବାକୁ ବସିଥିବା " କହିଛନ୍ତି ସ୍ଥାନୀୟ ବାସିନ୍ଦା ଧନସିଂ ମାଝୀ।
'ପ୍ରକୃତିକୁ ସନ୍ତୁଷ୍ଟ କରିବାର ପରମ୍ପରା'
ଆଧୁନିକ ମଣିଷ ନୂଆ ଜୀବନ ବଞ୍ଚୁଛି । ସମୟ ଥିଲା ଯେତେବେଳେ ମଣିଷ ଜଙ୍ଗଲରେ ରହୁଥିଲେ । ମାଟି ପାଣି ପବନକୁ ଭରସା କରି ବଞ୍ଚୁଥିଲେ । ସେତେବେଳେ ପ୍ରକୃତିକୁ ଭଗବାନ ମାନୁଥିଲେ । ପ୍ରକୃତିକୁ ସନ୍ତୁଷ୍ଟ କରିବାର ପରମ୍ପରା ହେଉଛି ଟୋକିମରା ପର୍ବ । ପୂର୍ବରୁ ଜଣେ ଝିଅକୁ ସମର୍ପଣ କରାଯାଉଥିଲା । ଏହାଦ୍ବାରା ମାଟିର ଉର୍ବରତା ବୃଦ୍ଧି ହେବାର ବିଶ୍ବାସ ଥିଲା । "ଟୋକିମରା ପର୍ବ କନ୍ଧ ପରଜାମାନଙ୍କର ବଡ଼ ପର୍ବ ଏବଂ ପୌଷ ମାସରେ ଏହା ପାଳନ କରାଯାଇଥାଏ " ବୋଲି କହିଛନ୍ତି ଗବେଷକ ପରମେଶ୍ବର ମୁଣ୍ଡ ।
ଇଟିଭି ଭାରତ, କଳାହାଣ୍ଡି

