ଆଜି ଧନୁଯାତ୍ରାର ସପ୍ତମ ଦିନ; ଯାତ୍ରା ଦେଖିବାକୁ ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି
ଗୋପରେ କୃଷ୍ଣମୟ ପରିବେଶ । ରାଧା ଓ ଗୋପୀମାନେ ମଥୁରାକୁ ଦଧି ବିକି ଗୋପପୁର ଫେରିବା ବାଟରେ କୃଷ୍ଣ ନାଉରିଆ ବେଶରେ ଜଗି ରହିଥାନ୍ତି ଓ ତାପରେ ହୋଇଥାଏ ରାଧାକୃଷ୍ଣଙ୍କ ନାବକେଳି ।

Published : December 30, 2025 at 2:10 PM IST
|Updated : December 30, 2025 at 2:15 PM IST
ଗୋପପୁର(ବରଗଡ): ବରଗଡରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ସାରା ସହର ଯମିତି ପାଲଟିଛି କୃଷ୍ଣମୟ । ଗୋଟିଏ ପଟେ ଅମ୍ବାପାଲି ପାଲଟିଛି ଗୋପପୁର । ଏଠାରେ କୃଷ୍ଣଙ୍କ ଲୀଳା ଗୋପପୁରବାସୀଙ୍କୁ ବିଭୋର କରିଛି । ଅନ୍ୟ ପଟେ ମଥୁରା ନଗରୀରେ ଚାଲିଛି କଂସର ରାଜୁତି । ଆଜି ବିଶ୍ୱ ପ୍ରସିଦ୍ଧ 78 ତମ ଧନୁଯାତ୍ରାର ସପ୍ତମ ଦିନ । ଆଜି ଧନୁଯାତ୍ର ଦେଖିବାକୁ ବରଗଡ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କଂସ ମହାରାଜଙ୍କ ନିମନ୍ତ୍ରଣରେ ଆଜି ମଥୁରା ନାଗରୀକୁ ରାଜଅତିଥି ଭାବେ ଆସିବେ ମୁଖମନ୍ତ୍ରୀ l
କଂସ ଦରବାରରେ ରାଜଅତିଥି ହେବେ ମୁଖ୍ୟମନ୍ତ୍ରୀ
ସନ୍ଧ୍ୟା 4 ଟା 20 ମିନିଟରେ ବରାହଗୋଡାସ୍ଥିତ ବିକାଶ ସ୍କୁଲର ହେଲିପ୍ୟାଡ ଗ୍ରାଉଣ୍ଡରେ ମୁଖ୍ୟମନ୍ତୀ ହେଲିକେପ୍ଟରରେ ଅବତରଣ କରିବେ । ସେଠାରୁ ୫ଟା ୩୦ ମିନିଟରେ ମଥୁରାନଗରୀସ୍ଥିତ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପକୁ ଯିବେ। ସେଠାରୁ ସନ୍ଧ୍ୟା ୫ଟା ୪୫ମିନିଟରେ ହାତୀ ପିଠିରେ ବସି ସ୍ଥାନୀୟ ନିଶାମଣି ହାଇସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡିଆରେ ନିର୍ମିତ ରଙ୍ଗମହଲ ମଞ୍ଚ ଅଭିମୁଖେ ବାହାରିବେ।

ସନ୍ଧ୍ୟା ୬ଟାରେ ରଙ୍ଗମହଲକୁ ପହଞ୍ଚି ସନ୍ଧ୍ୟା ୭ଟା ୨୫ ମିନିଟ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଧନୁଯାତ୍ରା ମହୋତ୍ସବ ଦେଖିବେ। ଏହାପରେ ସନ୍ଧ୍ୟା ୭ଟା ୩୦ ମିନିଟରେ ସେଠାରୁ ସ୍ଥାନୀୟ ସର୍କିଟ ହାଉସ ଅଭିମୁଖେ ବାହାରିବେ । ସେଠାରେ ରାତ୍ରି ରହଣୀ କରିବେ । ବୁଧବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସଠାରେ ଆୟୋଜିତ ହେବାକୁଥିବା ବୀରତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l
ସପ୍ତମ ଦିନରେ ହେବ ରାଧାକୃଷ୍ଣଙ୍କ ନାବକେଳି

ଆଜି ସପ୍ତମ ଦିନରେ ପ୍ରତିଦିନ ଭଳି ରାଧା ଓ ଗୋପୀମାନେ ମଥୁରାକୁ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ଘାଟରେ କୃଷ୍ଣ ନାଉରିଆ ବେଶରେ ଜଗି ରହିଥିବେ । ତାପରେ ହେବ ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନର ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧଠାରେ ଦେଖିବାକୁ ମିଳିବ ।
ଅକ୍ରୁର ଯିବେ ଗୋପପୁର
ଅନ୍ୟପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ନିଧନ କରିବା ପାଇଁ ସେ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି । ଠିକ୍ ଏତିକି ବେଳେ ଦେବର୍ଷି ନାରଦ ଧନୁଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଥୁରାରେ ଆୟୋଜିତ ଏହି ଛଳନାର ଯାତ୍ରା ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମଙ୍କୁ ନେଇ ଆସିବା ପାଇଁ ମନ୍ତ୍ରୀ ଅକ୍ରୁରଙ୍କ ହାତରେ ଏକ ଚିଟାଉ ଦେଇ ପଠାଇବେ ଗୋପପୁରକୁ । ଏହା ସହ ମଥୁରା ପହଂଚିବା ପରେ ଯେପରି କୃଷ୍ଣ ବଳରାମ ଗୋପପୁରକୁ ଫେରି ନପାରିବେ ସେନେଇ ମହାରାଜ କଂସ ସମସ୍ତ ପ୍ରହରୀମାନଙ୍କୁ ସଜାଗ କରିଛନ୍ତି ଏବଂ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଶଙ୍ଖଚୁଡ ସାପକୁ ଗୋପକୁ ପଠାଇଛନ୍ତି ।

ଆଜି ଧନୁଯାତ୍ରାର ସପ୍ତମ ଦିନରେ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ , ଚିଟାଉ ନେଇ ମନ୍ତ୍ରୀ ଅକ୍ରୁରଙ୍କ ଗୋପପୁର ଗମନ ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ଅଭିନୀତ ହେବ ।

6ଷ୍ଠ ଦିନରେ ହୋଇଥିଲା ଗୋପୀଙ୍କ ବସ୍ତ୍ରହରଣ
ଗତକାଲି ଥିଲା ଧନୁଯାତ୍ରାର 6ଷ୍ଠ ଦିନ । ଗତାକାଲି ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳା ଓ ଗୋପୀ ଗୋପାଙ୍ଗନାଙ୍କ ସହ ନଟଖଟ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଗୋପୀଙ୍କ ବସ୍ତ୍ରହରଣ ଓ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଭରି ଦେଇଥିଲା | ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲିଳା ଲାଗିଥିବା ବେଳେ ଗୋପୀ ମାନେ ଯମୁନା ପାରି ହୋଇ ମଥୁରାକୁ ଦହି ବିକିବାକୁ ଯାଇଛନ୍ତି ।
ଏହି ସମୟରେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟ ଗୀତରେ ବେଶ ମସଗୁଲ ହୋଇଯାଇଥିଲେ । କେତେବେଳେ ରାଧାଙ୍କ ଠାରୁ ଦୂରେଇ ଯାଉଛନ୍ତି ତ କେତେବେଳେ ରାଧାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ତେବେ ଯମୁନା ନଈରେ ଗୋପୀମାନେ ବିବସନ ହୋଇ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବର କୃଷ୍ଣ । ପରେ ଗୋପୀମାନେ ବହୁ କାକୁତି ମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବାପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇ ଦେଇଦେବା ସହ ଏପରି ନକରିବାକୁ ଉପଦେଶ ଦେଇଥିଲେ ।
ଇଟିଭି ଭାରତ, ବରଗଡ
ଏହା ମଧ୍ୟ ପଢନ୍ତୁ କଂସ ଦ୍ୱାରା ପ୍ରେରିତ ରାକ୍ଷସଙ୍କୁ ବଦ୍ଧ କଲେ କୃଷ୍ଣ-ବଳରାମ, ପଞ୍ଚମ ଦିନରେ ମଞ୍ଚସ୍ଥ ହେବେ ଏସବୁ ଦୃଶ୍ୟ
ଏହା ମଧ୍ୟ ପଢନ୍ତୁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ: 11 ଦିନ କଂସର ରାଜୁତିରେ ଥରହର ହେବ ମଥୁରା

