ଅପାସୋରା ଟ୍ରେନ ଦୁର୍ଘଟଣା..ରୋଜଗାରିଆ ପୁଅକୁ ଧରାଇଦେଲା ହୁଇଲ ଚେୟାର, ଶୂନ୍ୟ କରିଦେଲା ମା'ର କୋଳ
୨୦୨୩ ମସିହା ଜୁନ ୨ ତାରିଖ ଶୁକ୍ରବାର । ସାରା ଦେଶ ପାଇଁ ଥିଲା ଏକ କାଳରାତି । ଚାରିଆଡେ ଆର୍ତ୍ତନାଦ..କରୁଣ ଚିତ୍କାର..। ରିପୋର୍ଟ-ଜୀବନ ଜ୍ୟୋତି ନାୟକ

Published : June 2, 2026 at 9:10 PM IST
ବାଲେଶ୍ୱର: ସନ୍ଧ୍ୟାରେ ଟ୍ରେନ ହର୍ଣ୍ଣ ଦେଲେ ଆଜି ବି ଛାତି ଥରି ଯାଉଛି । ଆଖି ଭୟରେ ବୁଜି ହୋଇ ଯାଉଛି । ଗୋଟିଏ ମୁହର୍ତ୍ତ ପାଇଁ ଜୀବନ୍ତ ହୋଇ ନାଚି ଯାଉଛି ସେ କାଳ ରାତିର ଦୃଶ୍ୟ । ମନେ ପଡ଼ି ଯାଉଛି, କେମିତି ଏ ମାଟି ମଣିଷ ରକ୍ତରେ ଭିଜି ଯାଇଥିଲା..ଏ ପବନ ଆର୍ତ୍ତନାଦରେ ଥରି ଉଠିଥିଲା ..। ଅଭୁଲା, ଅପାସୋରା ସେ ଦିନର ସ୍ମୃତି ।
୨୦୨୩ ମସିହା ଜୁନ ୨ ତାରିଖ ଶୁକ୍ରବାର । ସାରା ଦେଶ ପାଇଁ ଥିଲା ଏକ କାଳରାତି । ବାଲେଶ୍ୱର ଜିଲ୍ଲା ବହାନଗାଠାରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅତି ଭୟଙ୍କର ଥିଲା ସେ ଦୁର୍ଘଟଣା । ହୃଦୟକୁ ଥରାଇ ଦେଇଥିଲା । ଚାରିଆଡେ ଆର୍ତ୍ତନାଦ..କରୁଣ ଚିତ୍କାର..। ଅନ୍ଧାର ଭିତରେ କିଏ ଜୀବନର ଶେଷ ଯୁଦ୍ଧ କରୁଥିଲା..କାହାକୁ ମୃତ୍ୟୁର ଶୀତଳ ହାତ କୋଳେଇ ନେଇଥିଲା.. ।
ସବୁଠାରୁ ଯନ୍ତ୍ରଣାଦାୟକ ଥିଲା ମୃତ୍ୟୁ ସହ ଲଢେଇ କରୁଥିବା ଯାତ୍ରୀଙ୍କର ସାହାଯ୍ୟ ପାଇଁ ବିକଳ ଅନୁନୟ । ଖୁବ କରୁଣ ଥିଲା ସେ ଅସହାୟ ମୁହୂର୍ତ୍ତ । ହେଲେ ରାତିର ଅନ୍ଧାର ଭିତରେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିବା ସମ୍ଭବ ନ ଥିଲା । ହଠାତ ଆବଶ୍ୟକ ସରଞ୍ଜାମ ଉପଲବ୍ଧ ନ ଥିବା କାରଣରୁ ଅନେକ ସେମିତି ଟ୍ରେନ ଭିତରେ ଚାପି ହୋଇ ରହିଥିଲେ । ତଥାପି ଯଥା ସମ୍ଭବ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ପଠାଯାଇଥିଲା। ସନ୍ଧ୍ୟା ସମୟରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଫଳରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିଲା। କିଏ ପାଣି ପାଣି ଚିତ୍କାର କରୁଥିଲା... ତ କିଏ .ହାତ ଗୋଡ଼ ହରାଇ ମେଡିକାଲ ନେବାକୁ ଗୁହାରି କରୁଥିଲା ।
କେତେ ଘର ଭାଙ୍ଗିଦେଲା.. କେତେ ହସଖୁସିର ପରିବାର ଉଜା଼ଡି ଦେଲା
ବାଲେଶ୍ୱର ଜିଲ୍ଲାର ବାହାନଗା, ଖନ୍ତାପଡ଼ା ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହତଙ୍କ ଚିତ୍କାରରେ ଫାଟି ପଡୁଥିଲା। ମୃତକମାନଙ୍କୁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ସରକାରୀ ସ୍ତରରେ ମୃତକମାନଙ୍କ ଫଟୋ ଜାରି କରାଯାଇ ସମ୍ପର୍କୀୟମାନଙ୍କୁ ଚିହ୍ନଟ କରିବା ପାଇଁ ଡ଼କା ଯାଇଥିଲା। ସରକାରୀ ବିଧି ବ୍ୟବସ୍ଥା ଭିତରେ ସମସ୍ତଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।
ଆଜି ଘଟଣାକୁ ତିନି ବର୍ଷ ପୁରି ଯାଇଛି । ଏବେ ବି ସେହି ବାଟ ଦେଇ ଯିବାବେଳେ ମନେ ପଡିଯାଉଛି ସେ କାଳରାତିର କଥା। ସତରେ କେତେ ପତ୍ନୀଙ୍କ ମଥାରୁ ସିନ୍ଦୁର ଲିଭାଇଦେଲା ! କେତେ ମା'ର କୋଳ ଶୁନ୍ୟ କରିଦେଲା ! କେତେ ଘର ଭାଙ୍ଗିଦେଲା, କେତେ ହସଖୁସିର ପରିବାର ଉଜାଡି ଦେଲା ! ବାହାନଗା ରେଳ ଦୁର୍ଘଟଣା ଥିଲା ଶତାବ୍ଦୀର ସବୁଠୁ ବଡ଼ ଦୁର୍ଘଟଣା । ସାରା ବିଶ୍ୱରେ ଖେଳି ଯାଇଥିଲା ଶୋକର ଛାୟା ।
ବାଲେଶ୍ଵର ବଳରାମ ଗଡି ଅଞ୍ଚଳର ସଫିକ ଶାହା ଏ ଦୁର୍ଘଟଣାର ଜଣେ ମୂକସାକ୍ଷୀ । ସେ ଏ ଦୁର୍ଘଟଣାକୁ ଖାଲି ସାମ୍ନା କରି ନାହାନ୍ତି, ଆଜି ବି ସେ ଯନ୍ତ୍ରଣାକୁ ଭୋଗୁଛନ୍ତି । ଏ ଦୁର୍ଘଟଣା ଖାଲି ତାଙ୍କ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇନି, ତାଙ୍କ ପରିବାରକୁ ଛାରଖାର କରି ଦେଇଛି । 4 ଝିଅଙ୍କ ଭବିଷ୍ୟତକୁ ଅନ୍ଧାର କରି ଦେଇଛି । ବୃଦ୍ଧ ବାପା-ମାଙ୍କୁ ଏ ବୟସରେ କାମ କରିବାକୁ ବାଧ୍ୟ କରିଛି ।
ସେଦିନର କଥା ମନେ ପକେଇ ସଫିକ କହନ୍ତି, 'ପେଟ ପୋଷିବା ପାଇଁ ସେଦିନ ଚେନ୍ନାଇ ବାହାରିଥିଲେ। ସନ୍ଧ୍ୟାରେ ବାଲେଶ୍ଵର ରେଳ ଷ୍ଟେସନରୁ କରମଣ୍ଡଳରେ ବସି ଯାତ୍ରା ଆରମ୍ଭ କରିଥିଲେ। ଇଞ୍ଜିନ ପାଖକୁ ଲାଗିଥିବା ଜେନେରାଲ ବଗିର ଗେଟ୍ ପାଖରେ ଛିଡ଼ା ହୋଇ ବାଲେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲେ। କିଛି ବୁଝିବା ଆଗରୁ ହଠାତ ଘଟି ଯାଇଥିଲା ଦୁର୍ଘଟଣା। ଆଉ ଚେତା ଫେରିଥିଲା ୩ ମାସ ପରେ। ଗୋଡ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା, ଆଉ ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ। ପ୍ରଥମେ ମାନସିକ ସ୍ଥିତି ହରାଇ ଦେଇଥିଲେ । ହେଲେ ଧୀରେ ଧୀରେ ଭଲ ହେଇଥିଲେ । ସୁସ୍ଥ ହୋଇଗଲେ ସିନା, ଅକର୍ମଣ୍ୟ ହୋଇଗଲେ । ଏବେ ଘରେ ବସିଛନ୍ତି। ଏକ ମୋବାଇଲ ଦୋକାନରେ ଦୈନିକ ୧୦୦ ଟଙ୍କା ମଜୁରୀରେ କାମ କରି ଯାହା ଦୁଇ ପଇସା ମିଳୁଛି ସେଇଥିରେ ଚଳୁଛି ପରିବାର।'
ପରିବାରର ସବୁ ଖୁସି ଛଡ଼ାଇନେଲା ଦୁର୍ଘଟଣା
ସେଦିନର କାଳ ରାତି ତାଙ୍କ ପରିବାରର ସବୁ ଖୁସି ଛଡ଼ାଇ ନେଇଛି। ସେ ଜୀବନ ଫେରି ପାଇଛନ୍ତି ସତ, ହେଲେ ସଂଘର୍ଷ ଓ ଯନ୍ତ୍ରଣା ଦୁଇଗୁଣ ହୋଇ ଯାଇଛି। ସଫିକ କହନ୍ତି, 'ଦୁର୍ଘଟଣା କେତେବେଳେ ହେଲା, ହସ୍ପିଟାଲ କିଏ ନେଇକି ଗଲା, ଦୁଇ ତିନି ମାସ ଯାଏ ମୁଁ କିଛି ଜାଣିନଥିଲି। ଆଖି ଖୋଲିଲା ବେଳକୁ ମୋ ଘରେ ଥିବା ଦେଖିଲି। ମୋ ଗୋଡ଼ ହାତ ସବୁ ବନ୍ଧା ଯାଇଥିଲା। ଅଣ୍ଟା ବହୁତ ଯନ୍ତ୍ରଣା ଦେଉଥିଲା, ହାଡ଼ ଭାଙ୍ଗିଥିବା ଘରଲୋକ କହିଥିଲେ। ସେବେ ଜାଣିଲି ଯେ, ମୋର ଦୁର୍ଘଟଣା ହୋଇଛି। ମୁଣ୍ଡରେ ମାଡ଼ ହୋଇଥିବାରୁ ମୁଁ ଘରେ ସମସ୍ତଙ୍କୁ ମାଡ଼ ଗାଳି ଦେଉଥିଲା । ଭଙ୍ଗାରୁଜା କରୁଥିଲି । ବର୍ତ୍ତମାନ ଦେହ, ଅଣ୍ଟାରେ ପ୍ରବଳ ଯନ୍ତ୍ରଣା ହେଉଛି । ଜଙ୍ଘରେ ଲାଗିଥିବା ପ୍ଲେଟ ଖୋଲିବା ପାଇଁ ଦୁଇବର୍ଷ ସମୟ ଡାକ୍ତର ଦେଇଥିଲେ। ଏବେ ତିନିବର୍ଷ ପୁରିଲାଣି, ପ୍ଲେଟ କାଢ଼ିବା ପାଇଁ ମୋ ପାଖରେ ପଇସା ନାହିଁ। ମୋର ଚାରୋଟି ଝିଅ, ସ୍ତ୍ରୀ ପରଘରେ କାମ କରୁଛି । ବାପା ମୂଲ ଲାଗୁଛନ୍ତି । ମୁଁ ଗୋଟିଏ ମୋବାଇଲ ଦୋକାନରେ କାମ କରି ଦୈନିକ ୧୦୦ ଟଙ୍କା ପାଉଛି। ଯେଉଁଦିନ ଯାଇ ପାରୁନି ସେଦିନ ଆଉ ପଇସା ନାହିଁ। ଏମିତି ଅବସ୍ଥାରେ ଚଳିବା ବହୁତ କଷ୍ଟ ହେଉଛି।'
ପୁଅ ଫେରିଲାନି, ଫେରିଲା ତା ମୃତଦେହ
ସେଦିନ ଦୁର୍ଘଟଣାକୁ ସାମ୍ନା କରିିଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ଅଞ୍ଚଳର ବିକ୍ଷିପ୍ତ ପଲେଇଙ୍କ ପରିବାକ । TPNODLରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ବିକ୍ଷିପ୍ତ । ସ୍ତ୍ରୀ,ପିଲାଛୁଆଙ୍କ ସହ ମାର୍କୋଣାରେ ରହୁଥିଲେ। ପ୍ରତିଦିନ ସେ ଟ୍ରେନରେ ବାଲେଶ୍ୱର ଆସନ୍ତି ଏବଂ ସନ୍ଧ୍ୟାରେ ପୁଣି କରାମଣ୍ଡଳରେ ମାର୍କୋଣା ଫେରିଥାନ୍ତି। ସେଦିନ ବିକ୍ଷିପ୍ତ କରମଣ୍ଡଳରେ ଚଢିଥିଲେ ଘରକୁ ଆସିବା ପାଇଁ । କିନ୍ତୁ ଆସି ପାରି ନ ଥିଲେ । ଆସିଥିଲା ତାଙ୍କର ମୃତଦେହ। ସେଦିନର କଥାକୁ ଆଜି ବି ପରିବାର ଲୋକେ ମନେ ପକାଇ ଆଖିରୁ ଲୁହ ଗଡାଉଛନ୍ତି । ମା' ବିନୋଦିନୀ କୋହଭରା କଣ୍ଠରେ କହନ୍ତି, 'ବିକ୍ଷିପ୍ତ ମୋର ଏକମାତ୍ର ପୁଅ ଥିଲା । ସେ ଏମିତି ଦୁର୍ଘଟଣାରେ ଚାଲିଯିବ, କେବେ ଭାବି ନଥିଲି। ଆଜି ନାତୁଣୀ ମୁହଁରେ ମୋ ପୁଅକୁ ଦେଖୁଛି। ସେଦିନର କଥା ମନେ ପଡିଲେ, ଛାତି ଥରି ଯାଉଛି। ପୁଅ ଚାଲିଯିବା ପରେ ମୋର ସବୁ ସୁଖ ଚାଲି ଯାଇଛି। ଏବେ ନାତୁଣୀ ଏକ ଘରୋଇ ଇଂରାଜୀ ମିଡ଼ିଅମ ସ୍କୁଲରେ ପାଠ ପଢୁଛି। ତା ଭବିଷ୍ୟତ ଚିନ୍ତା କରିବା କଥା । ସରକାରୀ ସହାୟତା ସବୁ ମିଳିଛି, ହେଲେ ମୁଁ ମୋର ଏକମାତ୍ର ପୁଅକୁ ହରାଇ ଦେଇଛି।'
ଇଟିଭି ଭାରତ, ବାଲେଶ୍ୱର
ଏହା ମଧ୍ୟ ପଢନ୍ତୁ ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ - Bahanaga Train Tragedy
ଏହା ମଧ୍ୟ ପଢନ୍ତୁ Odisha Train Accident: ସିଗନାଲ ତ୍ରୁଟିରୁ ଘଟିଥିଲା ଟ୍ରେନ ଦୁର୍ଘଟଣା

