ଆଜି ପବିତ୍ର ଦୋଳପୂର୍ଣ୍ଣିମା: ଉତ୍ସବ ମୁଖର ଶ୍ରୀକ୍ଷେତ୍ର, ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ
ରଥଯାତ୍ରାରେ ରଥଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା, ଚାପଉପରେ ମଧୁସୂଦନ ରୁପରେ ଦର୍ଶନ କରିବା, ଦୋଳ ପୂର୍ଣ୍ଣିମାରେ ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଏକ ଅପୂର୍ବ ଶୋଭା। ଏହାଦ୍ଵାରା ଅଶେଷ ପୁଣ୍ୟ ମିଳିଥାଏ ।


Published : March 3, 2026 at 1:04 PM IST
ରିପୋର୍ଟ-ଶକ୍ତି ମିଶ୍ର
ପୁରୀ: ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା। ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀ ଉତ୍ସବ ମୁଖର। ଦୋଳବେଦୀରେ ବିରାଜମାନ କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ। ହଜାର ହଜାର ଭକ୍ତ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ପରସ୍ପର ମଧ୍ୟରେ ଫଗୁ ଖେଳିଛନ୍ତି। ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିର ଛତିଶା ନିଯୋଗର ଅନୁମୋଦନ ଅନୁଯାୟୀ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ନୀତି କାନ୍ତି କରାଯାଉଛି।
ସଅଳ ହେଲା ନୀତି କାନ୍ତି
ଅପରାହ୍ନ ୩ଟା ୨୦ରେ ଗ୍ରହଣ ସ୍ପର୍ଶ କରୁଥିବାରୁ ବିଧି ଅନୁଯାୟୀ ୯ ଘଣ୍ଟା ପୂର୍ବରୁ ସକାଳ ୬ ଟା ୮ ସୂର୍ଯ୍ୟୋଦୟ ସମୟରୁ ଦେବନୀତି ବନ୍ଦ ରହିଛି। ଏଣୁ ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଆଜି ସଅଳ ନୀତି କାନ୍ତି କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧ଟା ୫ ରେ ଦ୍ୱାରଫିଟା ପରେ ଭିତରଶୋଧ, ମଙ୍ଗଳଆଳତି, ମଇଲମ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥିଲା । ପରେ ୪ଟା ୧୫ରେ ନାଭିକଟା ମଣ୍ତପକୁ ଦିଅଁ ବିଜେ କରିଥିଲେ। ସେଠାରେ ସମସ୍ତ ନୀତି କାନ୍ତି ସଂପନ୍ନ ହେବାପରେ ସକାଳ ୫ ଟା ୩୫ରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ। ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡ଼ଦାଣ୍ତ ଦେଇ ବିମାନ ଦୋଳବେଦୀରେ ପହଞ୍ଚିଥିଲା। ସେଠାରେ ଦୋଳବେଦୀର ତଳ ଓ ଉପର ଭାଗରେ ବିମାନ ସାତ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବରାଜିତ ହୋଇଥିଲେ।

ମହାପ୍ରଭୁଙ୍କ ବିମାନ ଆଗରେ ଫଗୁ ବିଞ୍ଚି ବିଭୋର ହେଲେ ଭକ୍ତ

ଶତାଧିକ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବିମାନ ଆଗରେ ଏବଂ ପରିକ୍ରମା ସମୟରେ ଫଗୁ ଛିଞ୍ଚି ଛିଞ୍ଚି ଆତ୍ମବିଭୋର ହୋଇ ପଡ଼ିଥିଲେ। ଭକ୍ତଙ୍କ ସହ ଅବିର ଓ ଫଗୁ ଖେଳିଥିଲେ ମହାପ୍ରଭୁ। ବଡ଼ଦାଣ୍ତ ଏବଂ ଦୋଳବେଦୀ ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ। ସେପଟେ ଆଜିର ଏହି ପବିତ୍ର ଦୋଳପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ଗ୍ରହଣ ନୀତି ଆରମ୍ଭ ହେବ। ଗ୍ରହଣ ସ୍ନାନ ନୀତି ପରେ ଅନ୍ୟାନ୍ୟ ନୀତି କାନ୍ତି ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ସୁନାବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।

ଦୋଳ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ଦୟାନିଧି ପଣ୍ଡା ନିଜ ପ୍ରତିକ୍ରିୟାରେ କୁହନ୍ତି, 'ଆଜି ହେଉଛି ପବିତ୍ର ଦୋଳ ଉତ୍ସବ। ବସନ୍ତ ମହୋତ୍ସବ। ପ୍ରଭୁ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ସହ ଦୋଳ ବେଦୀରେ ବିଜେ କରି ବିରାଜମାନ କରିଛନ୍ତି। ଦୋଳିରେ ଠାକୁର ମାନେ ଝୁଲୁଛନ୍ତି। ତିନୋଟି ସମୟରେ ରାସ ମହୋତ୍ସବ ହୁଏ । ବସନ୍ତ ସମୟରେ ବସନ୍ତ ରାସ, ଶରତରେ ଶରତ କାଳୀନ ରାସ ଏବଂ ପ୍ରାବୁଟ ରାସ। ବସନ୍ତରେ ଧରା ସୁନ୍ଦର୍ ଦିଶିଥାଏ। ପବନର ମଧୁରତା ରହିଥାଏ। ଏହି ସମୟରେ ଗୋପୀମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାଉଥିବାର ସେହି ପରମ୍ପରା ଆଜି ଶ୍ରୀଜଗନ୍ନାଥ ଧାମରେ ପାଳନ ହେଉଛି। ଏଣୁ ଏଥିରୁ ସ୍ପଷ୍ଟ ହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ରାଧାକୃଷ୍ଣଙ୍କ ମିଳିତ ବିଗ୍ରହ। ମହାପ୍ରଭୁଙ୍କୁ ଏହି ସମୟରେ ଦର୍ଶନ ବହୁତ୍ ଭାଗ୍ୟର କଥା। ରଥଯାତ୍ରାରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା, ଚାପ ଉପରେ ମଧୁସୂଦନ ରୁପରେ ଦର୍ଶନ କରିବା ଏବଂ ଦୋଳ ପୂର୍ଣ୍ଣିମାରେ ଦୋଳ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଏକ ଅପୂର୍ବ ଶୋଭା। ଏହା ଦ୍ଵାରା ଅଶେଷ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।

କଣ କୁହନ୍ତି ଭକ୍ତ
ଦୋଳ ଉତ୍ସବରେ ଠାକୁରଙ୍କୁ ଦର୍ଶନ ପାଇଁ ଆସିଥିବା ଜଣେ ଶ୍ରଦ୍ଧାଳୁ ନିକିତା ଗୁପ୍ତା ନିଜ ପ୍ରତିକ୍ରିୟାରେ କୁହନ୍ତି, ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ଦର୍ଶନ ସହ ଏଠାରେ ଆମେ ରଙ୍ଗର ପର୍ବ ହୋଲି ପାଳନ କଲୁ। ଏହା ବହୁତ୍ ମୋ ପାଇଁ ଆନନ୍ଦର ବିଷୟ। ଦୋଳ ବେଦୀରେ ଠାକୁର ଦୋଳିରେ ଝୁଲିବା ଦୃଶ୍ୟ ବେଶ୍ ଦୁର୍ଲ୍ଲଭ ଦୃଶ୍ୟ । ଏହା ମତେ ବହୁତ୍ ଶାନ୍ତି ଦେଇଛି। ଶ୍ରୀକ୍ଷେତ୍ରରେ ହିଁ ସବୁଦିନ ରହିବାକୁ ମନ ହେଉଛି। ମୁଁ ପ୍ରଥମ ଥର ପାଇଁ ପୁରୀ ଆସିଛି। ଏଠାରେ ହୋଲି ପର୍ବ ପାଳନ ବେଶ୍ ନିଆରା । ଯାହା ମତେ ବହୁତ୍ ଭଲ ଲାଗିଲା ।

ନୀତିନ ଗୁପ୍ତା ନାମକ ଜଣେ ଶ୍ରଦ୍ଧାଳୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ପବିତ୍ର ହୋଲିପର୍ବର ମାହୋଲ ପୁରୀରେ ବହୁତ୍ ଭଲ ରହିଛି। ଗତକାଲି ହୋଲିକା ଦହନ ଦେଖିଲି। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲି। ତେବେ ଚଳିତ ବର୍ଷ ହୋଲି ଶ୍ରୀକ୍ଷେତ୍ରରେ ପାଳନ କରିଥିବାରୁ ଏହା ସବୁଦିନ ମୋ ପାଇଁ ସ୍ମରଣୀୟ ହୋଇ ରହିବ। ସବୁକିଛି ମହାପ୍ରଭୁଙ୍କ ଇଛା ରୁ ହୁଏ। ତାଙ୍କରି କୃପାରୁ ମୁଁ ହୋଲି ପର୍ବ ପାଳନ ପାଇଁ ଶ୍ରୀକ୍ଷେତ୍ର ଆସିଛି। ଦୋଳ ବେଦୀରେ ପ୍ରଭୁଙ୍କୁ ଦର୍ଶନ କରିବା ବହୁତ୍ ଭାଗ୍ୟର କଥା। ସବୁଠୁ ଆକର୍ଷଣୀୟ ଦୃଶ୍ୟ ହେଉଛି ନିଜେ ସ୍ଵୟଂ ମହାପ୍ରଭୁ ଭକ୍ତଙ୍କ ସହ ଫଗୁ ଖେଳିବା। ଯାହାକି ସାରା ବିଶ୍ୱରେ ସ୍ବତନ୍ତ୍ର।

ଇଟିିଭି ଭାରତ, ପୁରୀ
ଏହା ମଧ୍ୟ ପଢନ୍ତୁ ଚନ୍ଦ୍ରଗ୍ରହଣ ପାଇଁ ବଦଳିଲା ଦେବନୀତି ପରମ୍ପରା,ବ୍ରାହ୍ମ ମୁହୂର୍ତ୍ତ ବଦଳରେ ମଧ୍ୟରାତ୍ରିରେ ବିଦୁରଙ୍କୁ ଦର୍ଶନ ଦେଲେ ହରି ଓ ହର
ଏହା ମଧ୍ୟ ପଢନ୍ତୁ 47 ବର୍ଷ ପରେ ଦୋଳ ଯାତ୍ରାକୁ ପ୍ରଭାବିତ କଲା ଚନ୍ଦ୍ରଗ୍ରହଣ; ଗର୍ଭବତୀମାନେ କେମିତି ମାନିବେ, ଜାଣନ୍ତୁ

