ବାନାଗ୍ନି ରୋକିବାକୁ ବନ ବିଭାଗର 'ଫାୟାର ଆକ୍ସନ ପ୍ଲାନ'; "ବୁସ କଟିଂ" ସମୟରେ ଲାଗୁଛି ଅଧିକ ନିଆଁ
ଚଳିତ ବର୍ଷ ମଧ୍ୟ 5ଟି ଫରେଷ୍ଟ ଫାୟାର ୟୁନିଟ ଗଠନ କରାଯାଇଛି ଓ 5ଟି ଗାଡିର ମଧ୍ୟ ବ୍ୟବହାର କରାଯିବ ବନାଗ୍ନି ଲିଭା କାର୍ଯ୍ୟରେ l


Published : March 1, 2026 at 11:54 PM IST
ରିପୋର୍ଟ- ବାଦଶାହା ଜୁସ୍ମନ ରଣା
ସମ୍ବଲପୁର: ଜିଲ୍ଲାରେ ରହିଛି 3 ଗୋଟି ବନଖଣ୍ଡ । ସେଗୁଡିକ ହେଲା ସମ୍ବଲପୁର, ବାମରା ଓ ରେଢ଼ାଖୋଲ । ଏହି ସବୁ ଜଙ୍ଗଲ ଗୁଡିକରେ ବହୁଳ ମାତ୍ରାରେ କେନ୍ଦୁପତ୍ର ଓ ମହୁଲ ଗଛ ଦେଖିବାକୁ ମିଳିଥାଏ l ଆଉ ଏହି 2 ପ୍ରକାର ଗଛ ଉପରେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ନିର୍ଭୟ କରି ଆସୁଛି l ମୁଖ୍ୟତଃ ଖରା ଦିନେ ଲୋକେ କେନ୍ଦୁପତ୍ର ଓ ମହୁଲ ଫୁଲ ସଂଗ୍ରହ କରନ୍ତି l ଆଉ ଏଥିପାଇଁ ଖରାଦିନେ ଜଙ୍ଗଲ ଆଖପାଖରେ ରହୁଥିବା ଲୋକେ ମହୁଲ ଗଛ ଓ କେନ୍ଦୁପତ୍ର ଗଛ ଚାରି ପାଖ ସଫା କରିବା ପାଇଁ ନିଆଁ ଲଗେଇ ଦିଅନ୍ତି l ଆଉ ଅସଚେତନତା ତଥା ଅସାବଧାନତା ଯୋଗୁଁ ଏହି ନିଆଁ ଅନିୟନ୍ତ୍ରିତ ହୋଇ ଭୟଙ୍କର ବନାଗ୍ନିରେ ପରିଣତ ହୋଇଥାଏ l ଏହା ଯୋଗୁ ବହୁଳ ଛୋଟ ବଡ଼ ଗଛ ଲତା ଜଳି ପୋଡି ନଷ୍ଟ ହୋଇଯାଇଥାଏ l ତେବେ ଆଗକୁ ଖରାଦିନ ଆସୁଥିବାରୁ ବନାଗ୍ନି କିପରି ନ ବ୍ୟାପିବ ସେଥିପାଇଁ ଆଗୁଆ ସତର୍କ ହୋଇଛି ସମ୍ବଲପୁର ବନ ବିଭାଗ । ଏବେଠୁ ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିଛି ବିଭାଗ l
ସମ୍ବଲପୁର ବନଖଣ୍ଡ ଡ଼ିଏଫଓଙ୍କ ଅନୁସାରେ ଚଳିତ ଖରା ଦିନେ ବନାଗ୍ନି ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି l ତେବେ ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ 2025-26 ରେ ସମ୍ବଲପୁର ବନଖଣ୍ଡ ରେ 793 ଟି "ଜଙ୍ଗଲ ନିଆଁ " ଲାଗିଥିଲା l ସେହି ଭିତରୁ 47% ନିଆଁ ଜଙ୍ଗଲ ବାହାରେ ଲାଗିଥିବା ବେଳେ 53% ଜଙ୍ଗଲ ଭିତରେ ନିଆଁ ଲାଗିଥିଲା l ଏହା ସହ ଗତବର୍ଷ 719 କିମି ରନିଙ୍ଗ କିଲୋମିଟର ଫାୟାର ଲାଇନ ଠାବ କରାଯାଇଥିବା l
ତେବେ ସମ୍ବଲପୁର DFO ଯାଦବ ସୁଦର୍ଶନ ଗୋପୀନାଥଙ୍କ ସୂଚନା ଅନୁସାରେ, "ସବୁ ଫାୟାର ପଏଣ୍ଟକୁ ବନ ବିଭାଗର କର୍ମଚାରୀ ପହଞ୍ଚି ନିଆଁ ଲିଭେଇ ଥିଲେ l ତେବେ ଏହିଭଳି ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା DFO ସୂଚନା ଦେଇଛନ୍ତି l ଗତ ବର୍ଷ ଜଙ୍ଗଲ ନିଆଁ ଲିଭେଇବା ପାଇଁ 10 ଜଣ ବନ କର୍ମଚାରୀ ଥିବା 5ଟି ଫାୟାର ୟୁନିଟ ଗଠନ କରାଯାଇଥିଲା l ଏହା ସହ ଜଙ୍ଗଲ ଭିତରେ ଯାତାୟାତ କରିବା ପାଇଁ 5ଟି ଫାୟାର ଗାଡି ବି ନିୟୋଜିତ ହୋଇଥିଲା l"
ଅନ୍ୟପଟେ ଚଳିତ ବର୍ଷର ବନ ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ଫରେଷ୍ଟ ଫାୟାର ଲାଇନକୁ 579 କିମି ଭିତରେ ରଖିବାକୁ ଚେଷ୍ଟା କରାଯାଇଛି l ଏହା ସହ ଚଳିତ ବର୍ଷ ମଧ୍ୟ 5 ଟି ଫରେଷ୍ଟ ଫାୟାର ୟୁନିଟ ଗଠନ କରାଯାଇଛି ଓ 5 ଟି ଗାଡିର ମଧ୍ୟ ବ୍ୟବହାର ହୋଇଛି l ସମ୍ବଲପୁର ବନଖଣ୍ଡରେ ମୋଟ 144 ଜଣ ନିଆଁ ଲିଭାଳି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି l ଏହା ବ୍ୟତୀତ ସମ୍ବଲପୁର ଜିଲ୍ଲାରେ ଅଧିକ ପରିମାଣ ନିଆଁ ଲାଗୁଥିବାର ନଜିର ଥିବାରୁ ବନ ବିଭାଗ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରିଛି ଏକ ଫାୟାର ଆକ୍ସନ ପ୍ଲାନ l ଏହାକୁ ସରକାରଙ୍କୁ ପ୍ରଦାନ କରାଯାଇଛି l ଏହାସହ ଡିଭିଜନ ସ୍ତରରେ ସମସ୍ତ ଫରେଷ୍ଟ ଗାର୍ଡ ଆଉ ମୁଖ୍ୟତଃ ନୂଆ ଫରେଷ୍ଟ ଗାର୍ଡ ମାନଙ୍କୁ ନେଇ ବନାଗ୍ନୀ ନେଇ ଏକ ତାଲିମ କରାଯାଇଥିଲା l ଏଥିରେ ସେମାନଙ୍କୁ ବନାଗ୍ନିକୁ ନେଇ ଅଭିଜ୍ଞତା ପ୍ରଦାନ କରାଯାଇଥିବା DFO କହିଛନ୍ତି l
ସବୁଠାରୁ ବଡ଼ କଥା ହେଲା କେନ୍ଦୁପତ୍ର ସଂଗ୍ରହ ସମୟରେ ଅଧିକ ନିଆଁ ଲାଗୁଥିବାରୁ ବନ ବିଭାଗ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥାଏ l ତେଣୁ ଏଥର ବନ ବିଭାଗ କେନ୍ଦୁପତ୍ର ବିଭାଗ ସହ ମଧ୍ୟ ଆଲୋଚନା କରିଛି l ମୁଖ୍ୟତଃ "ବୁସ କଟିଂ" ସମୟରେ ଅଧିକ ନିଆଁ ଲାଗୁଥିବାରୁ କେନ୍ଦୁପତ୍ର ବିଭାଗର ସିଜିନାଲ କର୍ମଚାରୀଙ୍କ ସହ ଆଲୋଚନା କରାଯାଇ ସଚେତନତା କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର DFO l
ଅନ୍ୟପଟେ ଜଙ୍ଗଲ ପାଖା ପାଖି ଥିବା ପ୍ରାୟ 194 ଟି ଗାଁ ପାଖରେ ଅଧିକ ଜଙ୍ଗଲ ନିଆଁ ଲାଗୁଥିବାର ଚିହ୍ନଟ କରାଯାଇଛି l ଆଉ ଏହି ଗାଁ ଗୁଡିକରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ପାଇଁ ପାଲା କରଯାଉଛି ଓ ସଭା ସମିତି ମଧ୍ୟ କରାଯାଉଛି l ବର୍ତମାନ ସୁଦ୍ଧା 112ଟି ଗାଁରେ ଏହିଭଳି ସଚେତନତା କରାସରିଲାଣି l
ଅନ୍ୟପଟେ ମହୁଲ ଗଛ ମୂଳକୁ ସଫା କରିବା ପାଇଁ ଲୋକେ ନିଆଁ ଲଗେଇ ଦେଉଥିବା ବେଳେ ଏହା ସମଗ୍ର ଜଙ୍ଗଲକୁ ବେଳେ ବେଳେ ଜଳେଇ ଦେଇଥାଏ l ତେଣୁ ବନ ବିଭାଗ ନିଜ ତରଫରୁ ଜଙ୍ଗଲ ଭିତର ଓ ବାହାରର ସବୁ ମହୁଲ ଗଛକୁ ଚିହ୍ନଟ କରାଯାଇ ନିୟନ୍ତ୍ରିତ ଭାବେ ନିଆଁ ଲଗେଇ ସଫେଇ କାର୍ଯ୍ୟ ଜାରି ରଖିଥିବା DFO କହିଛନ୍ତି l
ଅନ୍ୟପଟେ ବନାଗ୍ନି ସଚେତନତା ପାଇଁ ପାଖାପାଖି 500 ସାଇନେଜ ଜଙ୍ଗଲ ପାଖରେ ଥିବା ଗାଁ ଗୁଡିକରେ ବଣ୍ଟା ଯାଇଛି l ବନାଗ୍ନି ବିଷୟରେ ଶ୍ରୀଘ୍ର ସୂଚନା ପାଇବା ପାଇଁ ଜଙ୍ଗଲ ଭିତରେ ମଞ୍ଚା ପ୍ରସ୍ତୁତ କରାଯାଇ ସେଠାରେ ବନ କର୍ମଚାରୀଙ୍କୁ ମୁତୟନ କରାଯିବାର ବ୍ୟବସ୍ଥା ମଧ୍ୟ ହୋଉଛି l
ଏତଦବ୍ୟତୀତ ଏକ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ପ୍ରସ୍ତୁତ କରାଯାଇଛି ଯାହାରର ଟୋଲ ଫ୍ରି ନମ୍ବର 8658799439 ରହିଛି l ଅନ୍ୟପଟେ ଯେଉଁ ବନ ସୁରକ୍ଷା ସମିତିର ଗାଁରେ କୌଣସି ବନାଗ୍ନି ଘଟଣା ଆସିବନି ତାଙ୍କୁ ସ୍ୱାଧୀନତା ଦିବସ ଦିନ ସମ୍ମାନିତ କରାଯିବ ବୋଲି ସୂଚନା ଦେଇଛନ୍ତି DFO l
ଇଟିଭି ଭାରତ, ସମ୍ବଲପୁର

