ETV Bharat / state

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଚତୁର୍ଥ ଆସନକୁ ନେଇ ଅଙ୍କକଷା ଆରମ୍ଭ

ଦିଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନିଷ୍ପତ୍ତି, ଓଡ଼ିଶାର ଚତୁର୍ଥ ଆସନର ନିର୍ବାଚନକୁ ରୋମାଞ୍ଚକର କରିଦେଇଛି ।

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଚତୁର୍ଥ ଆସନକୁ ନେଇ ଅଙ୍କକଷା ଆରମ୍ଭ
ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଚତୁର୍ଥ ଆସନକୁ ନେଇ ଅଙ୍କକଷା ଆରମ୍ଭ (ETV BHARAT ODISHA)
author img

By ETV Bharat Odisha Team

Published : March 3, 2026 at 8:46 PM IST

|

Updated : March 3, 2026 at 9:50 PM IST

3 Min Read
Choose ETV Bharat

ରିପୋର୍ଟ- ମିନତୀ ସିଂହ

ଭୁବନେଶ୍ୱର: ଓଡ଼ିଶାରେ ଖାଲି ହେବାକୁ ଥିବା ଚାରିଟି ରାଜ୍ୟ ସଭା ପଦ ପାଇଁ ତିନି ପ୍ରମୁଖ ଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିବା ପରେ ରାଜ୍ୟସଭା ନିର୍ବାଚନ ଖୁବ୍ ରୋଚକ ମୋଡ଼ ନେଇଛି । ଦିଲୀପ ରାୟଙ୍କର ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା, ଓଡ଼ିଶାର ଚତୁର୍ଥ ଆସନର ନିର୍ବାଚନକୁ ରୋମାଞ୍ଚକର କରିଦେଇଛି ।


ପ୍ରଥମ ତିନିଟି ଆସନର ଚିତ୍ର ପ୍ରାୟ ସ୍ପଷ୍ଟ ଥିବାବେଳେ, ଚତୁର୍ଥ ଆସନଟି ହେଉଛି ସବୁଠାରୁ ରୋଚକ ଏବଂ ନିର୍ଣ୍ଣାୟକ । ଏହି ଆସନର ଗଣିତ ଏବଂ ରାଜନୈତିକ ସମୀକରଣ ଉପରେ ସମସ୍ତ ଦଳର ଦୃଷ୍ଟି ରହିଛି ।


ରାଜ୍ୟସଭା ନିର୍ବାଚନ ପ୍ରିଫରେନ୍ସିଆଲ ଭୋଟିଂ ପ୍ରଣାଳୀରେ ହୋଇଥାଏ । ଯେଉଁଥିରେ କେବଳ ବିଧାନସଭା ସଦସ୍ୟମାନେ ଭୋଟ ଦେଇଥାନ୍ତି । ଓଡ଼ିଶା ବିଧାନସଭାରେ ମୋଟ ୧୪୭ ଜଣ ବିଧାୟକ ରହିଛନ୍ତି । ଚାରିଟି ଆସନ ପାଇଁ ଜଣେ ପ୍ରାର୍ଥୀଙ୍କୁ ଜିତିବାକୁ ପ୍ରାୟ ୩୦ ଭୋଟର ଆବଶ୍ୟକତା ରହିଛି ।

୧୪୭ ବିଧାୟକ

୪ଟି ଆସନ

ସୂତ୍ର: ମୋଟ ବିଧାୟକ ÷ (ସିଟ୍ + ୧) + ୧

୧୪୭ ÷ ୫ = ୨୯.୪ → ୩୦ (ଚାରିଟି ଆସନ ପାଇଁ ଜଣେ ପ୍ରାର୍ଥୀଙ୍କୁ ଜିତିବାକୁ ପ୍ରାୟ ୩୦ ଭୋଟର ଆବଶ୍ୟକତା)

୨୦୨୪ ନିର୍ବାଚନ ପରେ ବିଧାନସଭାର ଦଳଭିତ୍ତିକ ସଂଖ୍ୟା ଚିତ୍ର ଏପରି ରହିଛି: ବିଜେପି ୮୨ (ଉପନିର୍ବାଚନ ପରେ), ବିଜେଡି ୪୮ (ଦୁଇ ବିଧାୟକଙ୍କ ନିଲମ୍ବନ ପରେ), କଂଗ୍ରେସ ୧୪, ସିପିଆଇ(ଏମ୍) ୧ ଏବଂ ସ୍ୱାଧୀନ ବିଧାୟକ ୨ ଜଣ ।


ପ୍ରଥମ ତିନିଟି ଆସନର ସ୍ଥିତି ସ୍ପଷ୍ଟ ରହିଛି । ବିଜେପିର ୮୨ ଭୋଟ୍ ସହିତ ସେ ୬୦ ଭୋଟ୍ ଦ୍ୱାରା ଦୁଇଟି ଆସନ ସହଜରେ ଜିତିପାରିବ । ବିଜେଡିର ୪୮ ଭୋଟ ସହିତ ସେ ୩୦ ଭୋଟ ଦ୍ୱାରା ଗୋଟିଏ ଆସନ ନିଶ୍ଚିତ କରିପାରିବ ।

କିନ୍ତୁ ଚତୁର୍ଥ ଆସନର ଗଣିତ ହେଉଛି ସବୁଠାରୁ ରୋମାଞ୍ଚକର । ତୃତୀୟ ଆସନ ପରେ ବିଜେପି ପାଖରେ ଅବଶିଷ୍ଟ ରହିବ ୨୨ ଭୋଟ (୮୨-୬୦), ସେହିପରି ବିଜେଡି ପାଖରେ ରହିବ ୧୮ ଭୋଟ (୪୮-୩୦) । ଏହି ପରିସ୍ଥିତିରେ ବିଜେପି ଓ ବିଜେଡି ଦଳ ପାଖରେ ସ୍ୱତନ୍ତ୍ର ଭାବେ ୩୦ ଭୋଟ ନାହିଁ । କଂଗ୍ରେସର ୧୪ ଭୋଟ, ସିପିଆଇ(ଏମ୍)ର ୧ ଭୋଟ ଏବଂ ୨ ଜଣ ସ୍ୱାଧୀନ ବିଧାୟକଙ୍କ ଭୂମିକା ହେବ ନିର୍ଣ୍ଣାୟକ ।

କଂଗ୍ରେସ ଓ ବିଜେଡିର ଯୁଗ୍ମ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସହଜରେ ଜିତିବାର ସମ୍ଭାବନା ଅଛି, ଯଦି ବିରୋଧୀ ଦଳର ଏକତା ଅଟଳ ରହେ ଏବଂ କ୍ରସ୍-ଭୋଟିଂ ନ ହୁଏ । ଅନ୍ୟପକ୍ଷରେ, ଦିଲିପ ରାୟଙ୍କ ପାଖରେ ବିଜେପିର ୨୨ଟି ଭୋଟ୍ ରହିଛି ଏବଂ ଜିତିବା ପାଇଁ ତାଙ୍କୁ ଆହୁରି ୮ଟି ଭୋଟ ଆବଶ୍ୟକ, ଯାହା ଅତ୍ୟନ୍ତ କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ । କୌଣସି କାରଣରୁ ବିଜେଡି ଓ କଂଗ୍ରେସ କିମ୍ବା ବିରୋଧୀ ଏକାଠି ନ ହୁଅନ୍ତି ତେବେ ଭୋଟ୍ ଦେଇଥିବା ସଦସ୍ୟଙ୍କ ଦ୍ଵିତୀୟ ଭୋଟ୍ ବା ସେକେଣ୍ଡ ପ୍ରିଫରେନ୍ସ ଭାବେ ହିସାବ କରାଯିବ । ଯଦି ସମସ୍ତେ ଅଲଗା ଅଲଗା ଭୋଟ ଦେବେ ସେ ଆସନଟିକୁ ବିଜେପି ସହଜରେ ଜିତିଯିବ କିନ୍ତୁ ଯଦି କେହି ପ୍ରାର୍ଥୀ ଅନୁପସ୍ଥିତ ରୁହନ୍ତି ବା ଭୋଟ୍ ନାକଚ ହୋଇଯାଏ ତେବେ ହିସାବ ଅଲଗା ହେବ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲୀପ ରାୟଙ୍କର ବହୁବର୍ଷର ରାଜନୈତିକ ଅଭିଜ୍ଞତା ତାଙ୍କୁ ଏହି ନିର୍ବାଚନ ଜିତିବାରେ ସହାୟକ ହବ । ବିଜେପିର ସମର୍ଥନ ସହିତ ସ୍ୱାଧୀନ ଭାବେ ଲଢ଼ିବା ଦ୍ୱାରା ସେ ନିଜକୁ ଏକ ନିରପେକ୍ଷ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

"ମୁଁ ଆଶାବାଦୀ ଯେ ଏହି ନିର୍ବାଚନ ମୁଁ ଯିତିବି, ସେଥିପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବାକୁ ସ୍ଥିର କଲି । ସମସ୍ତଙ୍କ ସହ ଭଲ ସମ୍ପର୍କ, ସମସ୍ତଙ୍କୁ ଭେଟିକି ଜିତେଇବା ପାଇଁ କହିବି । ମୁଁ ନବୀନ ବାବୁ ଓ ଭକ୍ତ ବାବୁଙ୍କ ଠାରୁ ସମୟ ନେବି ଓ ଏ ବିଷୟରେ କଥା ହେବି," ବୋଲି କହିଛନ୍ତି ଦିଲୀପ ରାୟ । ସେ 2002 ମସିହାରେ କ୍ରସ ଭୋଟିଂ ଜରିଆରେ ରାଜ୍ୟସଭା ଆସନକୁ ହତେଇବାରେ ସଫଳ ହୋଇଥିଲେ ।


ବିଜେପିର ଅବଶିଷ୍ଟ ୨୨ ଭୋଟ୍ ସହିତ ତାଙ୍କୁ ୩୦ ଭୋଟ୍ ପାଇଁ ଅଧିକ ସମର୍ଥନ ଆବଶ୍ୟକ, ଯାହା ଦୁଇ ସ୍ୱାଧୀନ ବିଧାୟକ, ସିପିଆଇ(ଏମ୍)ର ଏକ ଭୋଟ ଏବଂ ବିରୋଧୀ ଦଳରୁ କ୍ରସ୍-ଭୋଟିଂ ଉପରେ ନିର୍ଭର କରୁଛି ।


"ଏତେ ଶୀଘ୍ର ଏ ବିଷୟରେ କିଛି କହିବା ଉଚିତ ହେବନି । ଯେତେବେଳେ ସମୟ ଆସିବ, ମୁଁ ସେ ବିଷୟରେ ଭାବି ଚିନ୍ତି ନିର୍ଣ୍ଣୟ ନେବି । ମୋତେ ରାଜନୈତିକ ସମ୍ପର୍କ ସବୁ ଉତ୍ତରାଧିକାର ହିସାବରେ ମୋ ବାପାଙ୍କ ଠାରୁ ପାଇଛି, ତେଣୁ ସେ ସବୁକୁ ନଜରରେ ରଖି ନିଷ୍ପତ୍ତି ନେବି," ବୋଲି କହିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ।


ବିଜେଡି-କଂଗ୍ରେସର ଯୁଗ୍ମ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବିରୋଧରେ ଏହି ପ୍ରତିଦ୍ୱନ୍ଦ୍ୱିତା ରାଜନୈତିକ କୌଶଳ, ଦଳୀୟ ବିଶ୍ୱସ୍ତତାର ପରୀକ୍ଷା ଏବଂ ସମ୍ଭାବ୍ୟ ନୂଆ ସମୀକରଣ ସୃଷ୍ଟି କରିବାରେ ନିର୍ଣ୍ଣାୟକ ଭୂମିକା ନିଭାଇବ ।


ବିଜେପି ଆଜି ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ତାର ପାର୍ଥି ଭାବେ ଘୋଷଣା କରିସାରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଆମେ ଦିଲୀପ ରାୟଙ୍କର ବିଜୟ ନିଶ୍ଚିତ ବୋଲି ଜାଣିଛୁ ତେଣୁ ତାଙ୍କୁ ସମର୍ଥନ କରୁଛୁ ।"



ଏହା ମଧ୍ୟ ପଢ଼ନ୍ତୁ- 'ମୁଁ ଜିତିବା ପାଇଁ କନଫିଡେଣ୍ଟ':- ଦିଲୀପ ରାୟ

ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶା ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା; ମନମୋହନ ସାମଲ, ସୁଜିତ କୁମାରଙ୍କୁ ଟିକେଟ୍

ଇଟିଭି ଭାରତ, ଭୁବନେଶ୍ବର

Last Updated : March 3, 2026 at 9:50 PM IST