ଗଜପତିରେ ବିତିଲାଣି 60 ବର୍ଷ, ଏବେବି ଜନ୍ମମାଟି ଫେରିବାକୁ ଆଶାବାଦୀ 2500 ତିବ୍ଦତୀୟ ଶରଣାର୍ଥୀ
ଗଜପତି ମହେନ୍ଦ୍ରଗଡ଼ ଏବଂ ଚନ୍ଦ୍ରଗିରିରେ 6ଟି ଶରଣାର୍ଥୀ କ୍ୟାମ୍ପରେ ରହୁଛନ୍ତି ତିବ୍ଦତୀୟ ଶରଣାର୍ଥୀ । ସେମାନଙ୍କ ଜୀବନ, ଜୀବିକା ଏବଂ ସଂଘର୍ଷ କାହାଣୀକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

Published : December 8, 2025 at 5:18 PM IST
ସ୍ପେଶାଲ ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ
Tibetan Refugees Gajapati ବ୍ରହ୍ମପୁର(ଗଞ୍ଜାମ) : "ଚୀନ ଆମ ଦେଶକୁ ଅକ୍ତିଆର କରିନେଲା । ଦେଶ ଛାଡ଼ିବାକୁ ପ୍ରାୟ ୬୩ ବର୍ଷ ବିତିଲାଣି । ଭାରତକୁ ଆସି ଓଡିଶାର ମହେନ୍ଦ୍ରଗଡ଼ (ମହେନ୍ଦ୍ରଗିରି)ରେ ରହିବାର ମଧ୍ୟ ପ୍ରାୟ ୬୦ ବର୍ଷରୁ ଅଧିକ ହୋଇ ଗଲାଣି । ଭାରତରୁ ଲୋକଙ୍କୁ ମିଳୁଥିବା ସବୁ ସୁବିଧା ଆମକୁ ବି ମିଳୁଛି । ତେବେ ଆଜି ବି ଆଶା ରଖିଛୁ, ଆମ ଦେଶରେ ଶାନ୍ତି ଫେରି ଆସିବ, ଆମେ ଆମ ଦେଶକୁ ଫେରିଯିବୁ ।" ଏହା ହେଉଛି ଜଣେ ତିବ୍ଦତୀୟଙ୍କ ପ୍ରତିକ୍ରିୟା । ଦିନ ପରେ ଦିନ ଗଣି ଚାଲିଛନ୍ତି ଓଡ଼ିଶାରେ ରହୁଥିବା ତିବ୍ଦତୀୟ ଶରଣାର୍ଥୀ । ଦୀର୍ଘ ବର୍ଷ ଧରି ନିଜ ଦେଶଠାରୁ ଦୂରରେ ରହୁଥିବାରୁ ବନ୍ଧୁ ପରିଜନଙ୍କ ସହିତ ସେତେଟା ସମ୍ପର୍କ ମଧ୍ୟ ରହିପାରୁ ନାହିଁ । ଗଜପତି ଜିଲ୍ଲାରେ ରହୁଥିବା ତିବ୍ଦତୀୟ ଶରଣାର୍ଥୀଙ୍କ ଜୀବନ ଓ ଜୀବିକା ସହିତ ସଂଘର୍ଷ କାହାଣୀକୁ ନେଇ ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ ...
୧୯୫୯ ମସିହାରେ ଶାନ୍ତିର ବାର୍ତ୍ତା ପ୍ରଦାନ କରିଆସୁଥିବା ଦେଶ ତିବ୍ଦତରେ ଅସ୍ଥିରତା ଦେଖାଇଥିଲା । ଚୀନ, ତିବ୍ଦତ ଉପରେ ଆକ୍ରମଣ କରିବା ପରେ ତିବ୍ଦତୀୟ ସମ୍ପ୍ରଦାୟ ଦେଶ ଛାଡି ଭାରତରେ ଶରଣ ପଶିଥିଲେ । ୧୪ତମ ଦଲାଇଲାମାଙ୍କ ନେତୃତ୍ୱରେ ତିବ୍ଦତୀୟମାନେ ବହୁ ସଂଖ୍ୟାରେ ଭାରତକୁ ଆସିଥିଲେ । ଓଡ଼଼ିଶା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ଅରୁଣାଚଳ ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ବସତି ସ୍ଥାପନ କରିଥିଲେ । ପ୍ରଥମେ ତିବ୍ଦତୀୟ ଶରଣାର୍ଥୀଙ୍କୁ ଓଡିଶାର ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ ଏବଂ ଚନ୍ଦ୍ରଗିରିରେ ଶରଣାର୍ଥୀ ଶିବିରରେ ରଖାଯାଇଥିଲା ।

5 ଗ୍ରାମରେ 2500 ତିବ୍ଦତୀୟ:
ଉଷ୍ଣକଟିବନ୍ଧୀୟ ଜଳବାୟୁ ସହିତ ଖାପ ଖୁଆଇବା ଏକ ଚ୍ୟାଲେଞ୍ଜ ଥିଲା । କିନ୍ତୁ ତିବ୍ଦତୀୟମାନେ ଅଟଳ ରହିଥିଲେ । ସେମାନେ ଶୂନ୍ୟ ଭୂମିକୁ ଚାଷଯୋଗ୍ୟ କ୍ଷେତ୍ରରେ ପରିଣତ କରିଥିଲେ ଏବଂ କୃଷି, କାର୍ପେଟ ବୁଣା ଏବଂ ହସ୍ତଶିଳ୍ପରେ ନିୟୋଜିତ ହୋଇଥିଲେ । ବର୍ତ୍ତମାନ ଏହି ଅଞ୍ଚଳ ମିନି ତିବ୍ଦତ ଭାବେ ପରିଚିତ । ଏଠାରେ ସେମାନେ ନିଜର ଧର୍ମୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସ୍ବଚ୍ଛନ୍ଦରେ କରିପାରୁଛନ୍ତି । ଏପରିକି ସରକାରଙ୍କ ସହାୟତାରେ ସେଠାରେ ଅନେକ ଉନ୍ନୟନମୂଳକ କାମ ମଧ୍ୟ ହୋଇଛି । ବର୍ତ୍ତମାନ ମହେନ୍ଦ୍ରଗଡ଼ରେ ରହିଥିବା ପାଞ୍ଚଟି ଗ୍ରାମରେ ପ୍ରାୟ ୨୫୦୦ ଉର୍ଦ୍ଧ୍ୱ ତିବ୍ଦତୀୟ ରହି ଆସୁଛନ୍ତି ।

ଓଡ଼ିଶାରେ ଥିବା ତିବ୍ଦତ ଶରଣାର୍ଥୀମାନଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଯେତେବେଳେ ଯିଏ ସରକାରରେ ରହିଛନ୍ତି ସେମାନଙ୍କ କୃପା ଦୃଷ୍ଟି ଶରଣାର୍ଥୀଙ୍କ ଉପରେ ରହିଆସିଛି । ପୂର୍ବ ସରକାର ସମୟରେ ଶରଣାର୍ଥୀମାନେ ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ହୋଇଥିଲେ । ବର୍ତ୍ତମାନ ଓଡ଼ିଶାରେ ବିଜେପି ସରକାରଙ୍କ ସମୟରେ ସୁଭଦ୍ରା ଯୋଜନାରେ ଏମାନଙ୍କୁ ସାମିଲ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଏହି ଶରଣାର୍ଥୀଙ୍କୁ ଦେଶର ନାଗରିକମାନଙ୍କ ଭଳି ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ପ୍ରଦାନ କରାଯାଉଛି ।

ତିବ୍ଦତୀୟ ମହିଳା ସେରିଂ ୟାଙ୍ଗଜୋମ୍ (Tsering Yangzom) କହିଛନ୍ତି,"ଭାରତର ନାଗରିକଙ୍କୁ ମିଳୁଥିବା ସବୁ ସୁବିଧା ଆମକୁ ମିଳୁଛି । ରାସନକାର୍ଡ ଭଳି ଅନେକ ସରକାରୀ ସୁବିଧା ଆମକୁ ଯୋଗାଇ ଦିଆଯାଇଛି ।"
ତିବ୍ଦତୀୟ ଓଡିଶାକୁ ଆସିବାର ଏହା ମଧ୍ୟରେ ୬୦ ବର୍ଷ ବିତି ଗଲାଣି । ତିବ୍ଦତୀୟମାନେ ଡାଇମଣ୍ଡ ଜୁବିଲି ଉତ୍ସବ ମଧ୍ୟ ପାଳନ କରିଛନ୍ତି । ଅନେକ ତିବ୍ଦତୀୟ ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ବେଳେ ଅନେକ ସେନାରୁ ଅବସର ନେଇ ସାରିଲେଣି । ହେଲେ ଏବେବି ସେମାନଙ୍କ ମନରେ ଆଶା ଅଛି ଯେ, ତିବ୍ଦତରେ ଶାନ୍ତି ଫେରିବ । ସେମାନେ ନିଜ ଦେଶକୁ ପୁଣି ଫେରିଯିବେ ।
ସେରିଂ ୟାଙ୍ଗଜୋମଙ୍କ କହିବା କଥା , ଭାରତୀୟ ନାଗରିକ ଭାବରେ ପଞ୍ଜିକରଣ କରିବା ପାଇଁ ଆମକୁ ସୁଯୋଗ ଦିଆଯାଇଛି । କିନ୍ତୁ ଆଜି ବି ଆଶା ରଖିଛୁ ଆମ ଦେଶକୁ ଆମେ ଫେରିଯିବୁ । ତେଣୁ ଆମେ ପଞ୍ଜିକରଣ କରିନାହୁଁ ।"

ହଜାର ହଜାର ତିବ୍ଦତୀୟ ବନ୍ଦୀ ଜୀବନ କାଟୁଛନ୍ତି:
ଏବେ ବି ହଜାର ହଜାର ତିବ୍ଦତୀୟ ନାଗରିକ ଚୀନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ମଧ୍ୟସ୍ଥତା ମଧ୍ୟରେ ଶାନ୍ତି ଫେରିବା ପାଇଁ ଆଲୋଚନା ମଧ୍ୟ ହେଉଛି । ଶରଣାର୍ଥୀଙ୍କ କହିବା ହେଲା "ବିଶ୍ୱରେ ଚୀନ ଏକ ଶକ୍ତିଶାଳୀ ରାଷ୍ଟ୍ର । ଯୁଦ୍ଧ ନୁହେଁ ଶାନ୍ତିରେ ଆମେ ଆମ ଦେଶ ଫେରି ପାଇବାକୁ ଚାହୁଁଛୁ । କିନ୍ତୁ ଚୀନ ଶାନ୍ତିରେ ଆମକୁ ଆମ ଦେଶ ଦେବ ନାହିଁ । ଆମେ ଚାହୁଁଛି ଚୀନ ଆମ ଦେଶକୁ ଆମକୁ ଫେରାଇ ଦେଉ । ଚୀନ ଶାନ୍ତିରେ ରହୁ ଏବଂ ତିବ୍ଦତ ମଧ୍ୟ ଶାନ୍ତିରେ ରହିବ । "

ନିଜ ମାତୃଭୂମି ସଂମ୍ପର୍କରେ ସେଭଳି କିଛି ତଥ୍ୟ ଜଣାପଡ଼ି ନାହିଁ:
ତିବ୍ଦତୀୟଙ୍କ ମାତୃଭୂମି ଏବେ ବି ଚୀନ ଅଧିନରେ ରହିଛି । ମାଟେସ୍ ତାଶି ସେରିଂ (Mtcs Tashi tsering) କୁହନ୍ତି , "ଆମ ବାପାଙ୍କର ଏବଂ ପୂର୍ବ ପୁରୁଷଙ୍କର ପରିବାର ସେଠାରେ ରହୁଥିଲେ । ଏହା ମଧ୍ଯରେ ସମ୍ପର୍କରେ ଦୂରତା ଯୋଗୁଁ ଅନେକ ନିଜର ବନ୍ଧୁ ପରିଜନ ଏବଂ ନିକଟ ସଂମ୍ପର୍କୀୟଙ୍କୁ ପ୍ରାୟ ଭୁଲି ସାରିଲେଣି । ଏବେ ସେଠାରେ ଆମର କିଏ ସମ୍ପର୍କୀୟ ଅଛନ୍ତି କି ନା, ଆମକୁ ଜଣାନାହିଁ । ଏପରିକି ନିଜ ଦେଶକୁ ଯିବା ପାଇଁ ପାସପୋର୍ଟ ଆବଶ୍ୟକତା ରହୁଥିବା ବେଳେ ତାହା ପ୍ରଦାନ କଲେ ମଧ୍ୟ ଛଡ଼ାଯାଉ ନାହିଁ ।"

ମହେନ୍ଦ୍ରଗଡ଼ରେ କିପରି ଜୀବନ ଯାପନ କରନ୍ତି ତିବ୍ଦତୀୟ :
ମହେନ୍ଦ୍ରଗଡ଼ ଅଞ୍ଚଳରେ ତିବ୍ଦତୀୟ ଶରାଣାର୍ଥୀମାନେ ନିଜ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ବର୍ଷତମାମ ବିଭିନ୍ନ କାର୍ଯ୍ୟ କରୁଛନ୍ତି । କେତେବେଳେ କୃଷି କାର୍ଯ୍ୟ ତ କେତେବେଳେ ଶୀତବସ୍ତ୍ର ବିକ୍ରି କରି ଜୀବିକା ନିର୍ବାହ କରନ୍ତି । ଶୀତଦିନ ଆସିଲେ ରାଜ୍ୟର ପ୍ରମୁଖ ସହରରେ ପ୍ରମୁଖ ସ୍ଥାନରେ ସ୍ୱତନ୍ତ୍ର ଆକର୍ଷଣ ରହିଥାଏ ତିବ୍ଦତୀୟ ଶରଣାର୍ଥୀଙ୍କ ପଶମ ବଜାର । ଗତ ୪୦ ବର୍ଷ ଧରି ତିବ୍ଦତୀୟ ଶରଣାର୍ଥୀମାନେ ବ୍ରହ୍ମପୁର ସହରକୁ ଆସି ଶୀତବସ୍ତ୍ର ବିକ୍ରି କରୁଛନ୍ତି । ଚଳିତବର୍ଷ ଶୀତ ରତୁ ପ୍ରାରମ୍ଭରୁ ହିଁ ଶୀତ ଅନୁଭୂତ ହୋଇଥିବାରୁ ଭଲ ବ୍ୟବସାୟ ହେଉଛି। ତିବ୍ଦତୀୟ ଶରଣାର୍ଥୀମାନେ ତିନିରୁ ଚାରି ମାସ ଶୀତବସ୍ତ୍ର ବ୍ୟବସାୟ କରିଥାନ୍ତି । ଏହି ଶୀତବସ୍ତ୍ରକୁ ମୁଖ୍ୟତଃ ତିବ୍ଦତୀୟ ସୋସାଇଟି ପ୍ରସ୍ତୁତ କରୁଥିବା ଯୋଗୁଁ ଏହା କମ୍ ଦର ମଧ୍ୟ ବିକ୍ରି କରନ୍ତି ।
ସେରିଂ ୟାଙ୍ଗଜୋମ୍ କହିଛନ୍ତି, " ପ୍ରତ୍ୟେକ କାମକୁ ମହିଳା ଓ ପୁରୁଷମାନେ ମିଳି ମିଶି କରନ୍ତି । ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେଉଛି । ଏବର୍ଷ ଶୀତବସ୍ତ୍ର ଭଲ ବ୍ୟବସାୟ ହେଉଛି । ।"
ତିବ୍ଦତୀୟ ଶୀତବସ୍ତ୍ରକୁ ବ୍ରହ୍ମପୁରର ଜଣେ ଗ୍ରାହକଙ୍କ ପ୍ରତିକ୍ରିୟା, " ଏହା ଭଲ ଶୀତବସ୍ତ୍ର ଏବଂ ସାଧାରଣ ଲୋକଙ୍କୁ ସୁହାଇବା ଭଳି ମୂଲ୍ୟରେ ମଧ୍ୟ ମିଳୁଛି । "

ମକା ଚାଷକୁ ଦିଆଯାଏ ଗୁରୁତ୍ୱ:
ମହେନ୍ଦ୍ରଗଡର ତିବ୍ଦତୀୟମାନେ ମକା ଚାଷକୁ ମୁଖ୍ୟ ଜୀବିକା ଭାବେ ଧରି ନେଇଥିବା ବେଳେ ବର୍ଷକୁ ଚାରି ମାସ ମକା ଚାଷ କରନ୍ତି । ମକା ଅମଳ କରିବା ପରେ ସେଥିରୁ ମକାଚୁନା ପ୍ରସ୍ତୁତ କରି ବିକ୍ରି କରନ୍ତି । ଏହାସହ ମକା ମଞ୍ଜି ମଧ୍ୟ ବିକ୍ରି କରିଥାନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ମକା ଚାଷକୁ ଉନ୍ନତମାନର କରିବା ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି ।
ତିବ୍ଦତୀୟ ଶରଣାର୍ଥୀ ମାଟେସ୍ ତାଶି ସେରିଂ କହିଛନ୍ତି, " ଛତୁ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମକୁ ତାଲିମ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ... ଗଜପତିକୁ ଶରଣାର୍ଥୀ ହୋଇଆସିଥିଲେ ତିବ୍ଦତୀୟ, ସୁଭଦ୍ରା ଯୋଜନାରେ ହେଲେ ସାମିଲ |
ପ୍ରତ୍ୟେକ ବର୍ଷ ୧୨ରୁ ୧୩ଟି ପରିବାର ଶୀତବସ୍ତ୍ର ବିକ୍ରି ପାଇଁ ବ୍ରହ୍ମପୁର ସହରକୁ ଆସନ୍ତି । ବ୍ରହ୍ମପୁର ବ୍ୟତୀତ ଏମାନେ କଟକ, ରାଉରକେଲା, ବିଶାଖପାଟଣା ସହରରେ ମଧ୍ୟ ପଶମ ବସ୍ତ୍ର ବିକ୍ରି କରନ୍ତି । ଶୀତ ଦିନ ଶେଷ ହେଲେ ପୁଣିଥରେ ଶରଣାର୍ଥୀ ଶିବିରକୁ ଫେରି ଚାଷ କାମ କରିନ୍ତି ତିବ୍ଦତୀୟ ।

ମହେନ୍ଦ୍ରଗଡରେ ଶରଣାର୍ଥୀଙ୍କ ପାଇଁ ପାଞ୍ଚୋଟି କ୍ୟାମ୍ପ:
ଗଜପତି ଜିଲ୍ଲାରେ ତିବ୍ଦତୀୟ ଶରଣାର୍ଥୀଙ୍କ ପାଇଁ ମୋଟ ୬ଟି କ୍ୟାମ୍ପ ରହିଛି । ସେଥିରୁ ମହେନ୍ଦ୍ରଗଡରେ ୫ଟି ଓ ଚନ୍ଦ୍ରଗିରିରେ ଗୋଟିଏ କ୍ୟାମ୍ପ ରହିଛି । ମହେନ୍ଦ୍ରଗଡରେ ଗୋଟିଏ କ୍ୟାମ୍ପରେ ୧୦୦ରୁ ୧୫୦ ପରିବାର ରହୁଛନ୍ତି । ଚନ୍ଦ୍ରଗିରି ନିକଟବର୍ତ୍ତୀ ଜିରାଙ୍ଗରେ ଚଳିତବର୍ଷ ତିବ୍ଦତୀୟ ଧର୍ମଗୁରୁ ଦଲେଇଲାମାଙ୍କ ଜନ୍ମଦିନ ପାଳନ କରାଯାଇଥାଏ । ତିବଦ୍ଦୀୟ ଧର୍ମଗୁରୁ ଦଲେଇଲାମାଙ୍କ ଦୀର୍ଘଜୀବନ କାମନା ପାଇଁ ପ୍ରାର୍ଥନା କରନ୍ତି ତିବ୍ଦତୀୟ ଶରଣାର୍ଥୀ ।
ଇଟିଭି ଭାରତ, ବ୍ରହ୍ମପୁର

