ନେପାଳ ବନ୍ୟାରେ ବରଗଡ଼ର ଗୋଟିଏ ପରିବାରର ୩ ଜଣ ନିଖୋଜ
ନେପାଳର ପ୍ରଳୟଙ୍କରୀ ବନ୍ୟାରେ ବରଗଡ଼ର ଗୋଟିଏ ପରିବାରର ୩ ଜଣ (ଦମ୍ପତି ଓ ଛୋଟ ଝିଅ) ନିଖୋଜ । ରିପୋର୍ଟ-ରାଜେଶ ସରାପ

Published : August 29, 2026 at 11:03 PM IST
Bargarh couple missing Nepal floods, ବରଗଡ଼: ନେପାଳର ପ୍ରଳୟଙ୍କରୀ ବନ୍ୟାରେ ବରଗଡ଼ ଜିଲ୍ଲାର ଏକ ପରିବାରର ୩ ଜଣ ସଦସ୍ୟ ନିଖୋଜ ହୋଇଥିବା ନେଇ ଚିନ୍ତା ବଢ଼ିଛି । ନିଖୋଜ ୩ ଜଣଙ୍କ ମଧ୍ୟରେ ଦମ୍ପତିଙ୍କ ସହ ସେମାନଙ୍କର ଏକ ଛୋଟ ଝିଅ ରହିଥିବା ସୂଚନା ମିଳିଛି । ଘଟଣାକୁ ନେଇ ପରିବାର ଓ ଆତ୍ମୀୟଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।
ବରଗଡ଼ ବ୍ଲକ ସରଲା ଗାଁର ଗୁନମ ଜୟ କ୍ରିଷ୍ଣା, ଗୁନମ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କର ଛୋଟ ଝିଅ ଗୁନମ ହରେ କ୍ରିଷ୍ଣା ନେପାଳରେ ନିଖୋଜ ଥିବା ଜଣାପଡ଼ିଛି । ବରଗଡ଼ ବ୍ଲକ ସରଳା ଗ୍ରାମର ଗୁନମ ଜୟ କ୍ରିଷ୍ଣା ଅତାବିରା ବ୍ଲକ ବୁଗବୁଗା ଜାମଟିକ୍ରା ଗ୍ରାମର ଗୁନମ ସାଇ ବିନ୍ଦୁ କୁମାରୀଙ୍କୁ 5 ବର୍ଷ ତଳେ ବିବାହ କରିଥିଲେ l ଗୁନମ ଜୟ କ୍ରିଷ୍ଣା ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟ କମ୍ପାନୀରେ କାମ କରୁଥିଲେ । ତେବେ ତାଙ୍କର ଏକ ଶିଶୁ କନ୍ୟା ହେବାର କିଛି ବର୍ଷ ପରେ ଜୟ କ୍ରିଷ୍ଣା ନିଜ ପରିବାରକୁ ନେପାଳ ନେଇ ଯାଇଥିଲେ l
ହେଲେ ଗତ 27 ତାରିଖରେ ନେପାଳରେ ହୋଇଯାଇଥିବା ପ୍ରଳୟଙ୍କରୀ ବନ୍ୟା ପରଠାରୁ ଏହି ପରିବାରର କୌଣସି ପତ୍ତା ମିଳୁନଥିବା ଓ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବା ଯୋଗୁଁ କୌଣସି ଯୋଗାଯୋଗ ମଧ୍ୟ ହୋଇପାରୁନଥିବା ନେଇ ପରିବାର ଲୋକେ ଚିନ୍ତିତ ଅଛନ୍ତି l ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ନେପାଳର ଭୟଙ୍କର ବନ୍ୟାର ଦୃଶ୍ୟ ଦେଖି ପରିବାର ଲୋକେ ଛାନିଆ ହୋଇପଡ଼ିଛନ୍ତି l
ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସୂଚନା ଅନୁସାରେ, ସରଲା ଗ୍ରାମର ଏହି ଦମ୍ପତି ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ । ନେପାଳର ପ୍ରଳୟଙ୍କରି ବନ୍ୟା ପରିସ୍ଥିତି ମଧ୍ୟରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ସେମାନେ ନିଖୋଜ ଥିବା ନେଇ ସୂଚନା ମିଳିଛି । ଏହି ଖବର ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ନିଖୋଜ ପରିବାରକୁ ଖୋଜିବା ଓ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଚ୍ଚସ୍ତରୀୟ ଯୋଗାଯୋଗ ଆରମ୍ଭ ହୋଇଛି ବୋଲି ଜଣାଇଛନ୍ତି l

ଦିଲ୍ଲୀ ଓ ନେପାଳ ଦୂତାବାସ ସହ ଯୋଗାଯୋଗ
ନିଖୋଜଙ୍କ ସମ୍ପର୍କରେ ଦିଲ୍ଲୀରେ ଥିବା ଓଡ଼ିଶା ସରକାରଙ୍କ କଣ୍ଟ୍ରୋଲ ରୁମକୁ ସୂଚନା ଦିଆଯାଇଛି । ଏହାପରେ ଭାରତୀୟ ଦୂତାବାସ ପକ୍ଷରୁ ନେପାଳ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି । ନିଖୋଜ ୩ ଜଣଙ୍କ ଅବସ୍ଥିତି ଜାଣିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ କରିବାର ପ୍ରକ୍ରିୟା ଚାଲିଛି ।
ପରିବାରରେ ଚିନ୍ତା, ଉଦ୍ଧାରକୁ ଅପେକ୍ଷା
ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ଏକ ପରିବାରର ୩ ଜଣ ନିଖୋଜ ହେବା ଖବର ସରଲା ଗ୍ରାମରେ ଚିନ୍ତାର ବାତାବରଣ ସୃଷ୍ଟି କରିଛି । ନିଖୋଜ ପରିବାର ସମ୍ପର୍କରେ ସୂଚନା ପାଇବା ଓ ସେମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପରିବାର ଲୋକେ ଆଶା ରଖିଛନ୍ତି ।
ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏନେଇ ଓଡ଼ିଶା ସରକାରଙ୍କୁ ଅବଗତ କରାଇଛି । ନେପାଳରୁ ନିଖୋଜ ୩ ଜଣଙ୍କୁ କିପରି ସୁରକ୍ଷିତ ଭାବେ ଖୋଜି ବାହାର କରାଯାଇପାରିବ, ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି । ବର୍ତ୍ତମାନ ନିଖୋଜ ୩ ଜଣଙ୍କ ସନ୍ଧାନ ଓ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଉପରେ ସମସ୍ତଙ୍କ ନଜର ରହିଛି ।
ଏହା ମଧ୍ୟ ପଢ଼ନ୍ତୁ- ନେପାଳ ପ୍ରଳୟଙ୍କାରୀ ବନ୍ୟା; ସୁରକ୍ଷିତ ଅଛନ୍ତି କୁଲସୁମ, ଫୋନ୍ ଯୋଗେ ପରିବାର ସହ ହେଲେ କଥାବାର୍ତ୍ତା
ଏହା ମଧ୍ୟ ପଢ଼ନ୍ତୁ- ପତ୍ନୀଙ୍କ ସହ ନେପାଳ ବୁଲି ଯାଇଥିଲେ ଖୋରଧାର ସନ୍ଦୀପ; ଦୁଇଦିନ ହେଲା ଯୋଗାଯୋଗ ମିଳୁନି, ଅଜାଘରେ ବାପା-ମାଙ୍କ ବାଟ ଚାହିଁ ବସିିଛି ପୁଅ
ଇଟିଭି ଭାରତ, ବରଗଡ଼

