ETV Bharat / state

ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ: ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ବୈଷୟିକ ବୈଠକ

ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ପୂର୍ବ ସତର୍କୀକରଣ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

Three-day BRICS summit begins in Puri
ପୁରୀରେ ଆରମ୍ଭ ହୋଇଛି ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ (ETV BHARAT ODISHA)
author img

By ETV Bharat Odisha Team

Published : June 3, 2026 at 5:57 PM IST

|

Updated : June 3, 2026 at 10:48 PM IST

2 Min Read
Choose ETV Bharat

BRICS SUMMIT AT PURI, ପୁରୀ: ଅନୁଷ୍ଠିତ ହେଉଛି ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ । ବ୍ରିକ୍ସ୍ ରାଷ୍ଟ୍ରସମୂହର ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ପୂର୍ବ ସତର୍କୀକରଣ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ କରାଯାଇଛି । ଭାରତର ବ୍ରିକ୍ସ୍ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପକ୍ଷରୁ ଜୁନ୍ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ (ଡିଆର୍‌ଆର୍‌ଜି)ର ବୈଠକ ଆୟୋଜିତ ହେଉଛି ।

ପୁରୀରେ ଆରମ୍ଭ ହୋଇଛି ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ (ETV BHARAT ODISHA)

ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ ତଥା ସମନ୍ଵୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ” ଶୀର୍ଷକରେ ଆୟୋଜିତ ଏହି ବୈଠକରେ ବ୍ରିକ୍ସ୍ ସଦସ୍ୟ ରାଷ୍ଟ୍ର ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦିଆଯାଉଛି ।

ବ୍ରିକ୍ସ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ବିପତ୍ତି ହ୍ରାସରେ ପରସ୍ପରକୁ ସହଯୋଗ କରିବା ଉପରେ ଗୁରୁତ୍ବ ଦିଆଯାଉଛି ।
ବ୍ରିକ୍ସ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ବିପତ୍ତି ହ୍ରାସରେ ପରସ୍ପରକୁ ସହଯୋଗ କରିବା ଉପରେ ଗୁରୁତ୍ବ ଦିଆଯାଉଛି । (ETV BHARAT ODISHA)

ବିପର୍ଯ୍ୟୟ ବିପତ୍ତି ହ୍ରାସ, ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଇଁ ପାଣ୍ଠି ଯୋଗାଣ, ଆଗୁଆ ସୂଚନା ପ୍ରଦାନ, ପ୍ରକୃତି ଆଧାରିତ ସମାଧାନ ଏବଂ ବିପର୍ଯ୍ୟୟ ସହନଶୀଳତାକୁ ମଜବୁତ କରିବା ପାଇଁ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି । ସାଧାରଣ ବିପର୍ଯ୍ୟୟଜନିତ ଆହ୍ଵାନଗୁଡ଼ିକର ମୁକାବିଲା ପାଇଁ ପାରସ୍ପରିକ ଶିକ୍ଷା, ସହଯୋଗ ଓ ଅନୁଭୂତି ବିନିମୟ ମାଧ୍ୟମରେ ବିପର୍ଯ୍ୟୟ- ପ୍ରତିରୋଧୀ ସମାଜ ଏବଂ ସ୍ଥାୟୀ ବିପର୍ଯ୍ୟୟ ବିପଦ ହ୍ରାସ ଢାଞ୍ଚା ଗଠନ କ୍ଷେତ୍ରରେ ବ୍ରିକ୍ସ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗକୁ ଏହି ବୈଠକ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ବ୍ରିକ୍ସ ରାଷ୍ଟ୍ର ସମୂହର ଦେଶ ଗୁଡ଼ିକ ଯଥା ଚୀନ୍, ବ୍ରାଜିଲ, ଇଜିପଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଏବଂ ୟୁଏଇ ର ବରିଷ୍ଠ ଅଧିକାରୀଙ୍କ ସହିତ ବୈଷୟିକ ବିଶେଷଜ୍ଞମାନେ ସମ୍ମିଳନୀରେ ଯୋଗ ଦେଇଛନ୍ତି
ବ୍ରିକ୍ସ ରାଷ୍ଟ୍ର ସମୂହର ଦେଶ ଗୁଡ଼ିକ ଯଥା ଚୀନ୍, ବ୍ରାଜିଲ, ଇଜିପଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଏବଂ ୟୁଏଇ ର ବରିଷ୍ଠ ଅଧିକାରୀଙ୍କ ସହିତ ବୈଷୟିକ ବିଶେଷଜ୍ଞମାନେ ସମ୍ମିଳନୀରେ ଯୋଗ ଦେଇଛନ୍ତି (ETV BHARAT ODISHA)


ଓଡ଼ିଶାର ବିଶ୍ୱସ୍ତରରେ ସ୍ଵିକୃତିପ୍ରାପ୍ତ ବିପର୍ଯ୍ୟୟ ପ୍ରସ୍ତୁତି ପ୍ରଣାଳୀ, ବାତ୍ୟା ପରିଚାଳନାରେ ଶୂନ୍ୟ ମୃତ୍ୟୁ ହାରର ରେକର୍ଡ, ଆଗୁଆ ସୂଚନା ପ୍ରଦାନ, ସ୍ଥାନାନ୍ତରଣ ଯୋଜନା ଏବଂ ସମୁଦାୟ ଭିତ୍ତିକ ମୁକାବିଲା ବ୍ୟବସ୍ଥାକୁ ଦୃଷ୍ଟିରେ ରଖାଯାଇ ଓଡ଼ିଶାକୁ ଏହି ବୈଠକର ଆୟୋଜକ ରାଜ୍ୟ ଭାବେ ଚୟନ କରାଯାଇଛି । ବୈଠକରେ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ବିପର୍ଯ୍ୟୟ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଦ ପାଇଁ ପୂର୍ବ ସତର୍କୀକରଣ ବ୍ୟବସ୍ଥା, ବିପର୍ଯ୍ୟୟ-ପ୍ରତିରୋଧକ ଭିତ୍ତିଭୂମି, ପ୍ରକୃତିଭିତ୍ତିକ ସମାଧାନ ଏବଂ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା ବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ ।

ବିପର୍ଯ୍ୟୟ ବିପତ୍ତିକୁ କିଭଳି ହ୍ରାସ କରାଯାଇପାରିବ ଏବଂ ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ବିପର୍ଯ୍ୟୟ ବିପତ୍ତିକୁ ମୁକାବିଲା କରିହେବ ସେନେଇ ହେଉଛି ଆଲୋଚନା
ବିପର୍ଯ୍ୟୟ ବିପତ୍ତିକୁ କିଭଳି ହ୍ରାସ କରାଯାଇପାରିବ ଏବଂ ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ବିପର୍ଯ୍ୟୟ ବିପତ୍ତିକୁ ମୁକାବିଲା କରିହେବ ସେନେଇ ହେଉଛି ଆଲୋଚନା (ETV BHARAT ODISHA)

କାର୍ଯ୍ୟକ୍ରମର ଅଂଶ ସ୍ବରୂପ ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରତିନିଧିମାନେ ପୁରୀ ରାମଚଣ୍ଡୀ ଠାରେ ଓଡ୍ରାଫ ଦ୍ବାରା ଜଳ ଉଦ୍ଧାର ପ୍ରସ୍ତୁତି ଏବଂ ମୁକାବିଲାର ଏକ ପ୍ରଦର୍ଶନୀ ଦେଖିବେ । ସେହିପରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ପ୍ରସ୍ତୁତି ଏବଂ ପରିଚାଳନାର ଏକ ପ୍ରଦର୍ଶନୀ ମଧ୍ୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ରତିନିଧିମାନେ ଉପସ୍ଥିତ ରହିବେ । ଏଥିସହିତ ବ୍ରିକ୍ସ ପ୍ରତିନିଧିମାନେ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳ କୋଣାର୍କ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ ବ୍ରିକ୍ସ ସମ୍ମିଳନୀକୁ ଦୃଷ୍ଟିରେ ରଖି ପୁରୀ ସହର ସମେତ କୋଣାର୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।


ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ କାର୍ଯ୍ୟକ୍ରମରେ ଆସନ୍ତାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, NDMAର ସଦସ୍ୟ, ବିଭାଗୀୟ ମୁଖ୍ୟ, ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ସାମିଲ୍ ହେବେ ।

ଏହା ମଧ୍ୟ ପଢନ୍ତୁ- ପୁରୀରେ ବ୍ରିକ୍ସ ସମ୍ମିଳନୀ ପାଇଁ ଜୋରଦାର ପ୍ରସ୍ତୁତି; ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ସହର, ସିସିଟିଭି ରଖିବ ନଜର

ଏହା ମଧ୍ୟ ପଢନ୍ତୁ- ପୁରୀରେ ହେବ ବ୍ରିକ୍ସ ସମ୍ମିଳନୀ; ଜୁନ୍ 3ରୁ 5 ପର୍ଯ୍ୟନ୍ତ BRICS ରାଷ୍ଟ୍ରସମୂହର 'ୱାର୍କିଂଗ୍ରୁପ୍‌' ବୈଠକ

ଇଟିଭି ଭାରତ, ପୁରୀ

Last Updated : June 3, 2026 at 10:48 PM IST