ETV Bharat / state

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା; 'ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଥାନାକୁ ଯିବାକୁ ଡରିଲେଣି ଲୋକେ'- ବିଜେଡି

ପୋଲିସର ଦାୟିତ୍ୱହୀନତାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ସଂପୃକ୍ତ ଯୁବକଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି । ରିପୋର୍ଟ- ଭବାନୀ ଶଙ୍କର ଦାସ

Third degree incident at Barang police station People are afraid to go to the police station BJD
ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା; 'ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଥାନାକୁ ଯିବାକୁ ଡରିଲେଣି ଲୋକେ'- ବିଜେଡି (ETV BHARAT ODISHA)
author img

By ETV Bharat Odisha Team

Published : May 28, 2026 at 11:25 PM IST

2 Min Read
Choose ETV Bharat

BJD ATTACK ON THIRD DEGREE MATTER, ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାର ଚରମ ଅଧୋଗତି ହେଉଛି । ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ଅଞ୍ଚଳର ଜଣେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇଛି ପୋଲିସ । ଫଳରେ ଉକ୍ତ ଯୁବକ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ପୋଲିସର ଏହି ଦାୟିତ୍ୱହୀନତାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ସଂପୃକ୍ତ ଯୁବକଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି । ପୋଲିସ ବ୍ୟବସ୍ଥାର ଅପରିଣାମଦର୍ଶୀ କାର୍ଯ୍ୟ ତଥା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ରାଜ୍ୟ ସରକାରଙ୍କୁ ବିଜେଡି କଡ଼ା ସମାଲୋଚନା କରିଛି ।

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା; 'ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଥାନାକୁ ଯିବାକୁ ଡରିଲେଣି ଲୋକେ'- ବିଜେଡି (ETV BHARAT ODISHA)

ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଲାଣି ସେହିଦିନଠାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରା ନାମକ ଜଣେ ଯୁବକ, ନିଜ ସ୍ତ୍ରୀ ନିଖୋଜ ହୋଇଛନ୍ତି ବୋଲି ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାର ଦୁଇ ଦିନ ପରେ କାଠଯୋଡି ପଠାରୁ ଏକ ମହିଳାଙ୍କ ଗଳିତ ଶବ ମିଳିଥିଲା । ପୋଲିସ କିଛି ନବୁଝି ରାକେଶଙ୍କୁ ଡକାଇ ଥାର୍ଡ ଡିଗ୍ରୀ ଦେଇଛି । ଲଗାତାର ତିନି ଦିନ ଧରି ଥାର୍ଡ ଡିଗ୍ରୀ ଯୋଗୁ ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଅନ୍ୟପଟେ ରାକେଶଙ୍କ ସ୍ତ୍ରୀ ଜୀବିତ ଥିବା ଜଣାପଡିଛି । ଗୋଟିଏ ପଟେ ନିଖୋଜ ମହିଳା ଜୀବିତ ଥିବା ଜଣାପଡିଥିଲା ବେଳେ ଅନ୍ୟପଟେ ଅପରିଚିତ ମହିଳାଙ୍କ ଗଳିତ ଶବ ସଠିକ ଚିହ୍ନଟ ନକରି ବିନା କାରଣରେ ରାକେଶକୁ ଥାର୍ଡ ଡିଗ୍ରୀ ଦେଇ ଲହୁଲୁହାଣ କରିଛି ପୋଲିସ ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିନା ତଥ୍ୟ ପ୍ରମାଣରେ ବାରଙ୍ଗ ପୋଲିସର କାର୍ଯ୍ୟକଳାପକୁ ନିନ୍ଦା କରିଛି ଦଳ । ବିଜେପି ଭାବୁଛି ଯେ ତଦନ୍ତକାରୀ ସଂସ୍ଥା ଗୁଡିକ ତାଙ୍କ ଦଳୀୟ ସଂଗଠନର ଅଂଶବିଶେଷ । ତେଣୁ ବିଜେପି ନେତାମାନେ ତଦନ୍ତକାରୀ ସଂସ୍ଥା ଉପରେ ସଦାବେଳେ ଚାପ ପ୍ରୟୋଗ କରୁଛନ୍ତି, ସେଥିପାଇଁ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । କେବଳ ରାକେଶ ବେହେରାଙ୍କ କଥା ନୁହେଁ, ସାରା ରାଜ୍ୟରେ ଏଭଳି ଅସଂଖ୍ୟ ଅଘଟଣ ଘଟିଲାଣି, ଏଥିପାଇଁ କେବଳ ଦାୟୀ ରାଜ୍ୟ ସରକାରଙ୍କ ଦିଶାହୀନ ଶାସନ ବ୍ୟବସ୍ଥା । ଏଠାରେ ପ୍ରଶ୍ନ ଉଠୁଛି ମିଳିଥିବା ଗଳିତ ଶବ କାହାର, କେଉଁ ଆଧାରରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା । ଓଡିଶା ଏବେ ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି । ଯଦି ଏଥିରେ ସୁଧାର ନଆସେ ଆଗାମୀ ଦିନରେ ବିଜେଡି ସରକାରଙ୍କୁ ଉଚିତ ଜବାବ ଦେବ । "

ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, "ବାରଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ସଠିକ ତଦନ୍ତ ନକରି କାହିଁକି ରାକେଶ ବେହେରାଙ୍କ ଉପରେ ଥାର୍ଡ ଡିଗ୍ରୀ କରିଥିଲା । ଏହାର ଉତ୍ତର ଦେଉ ଗୃହ ବିଭାଗ । ବିନା କାରଣରେ ରାକେଶଙ୍କୁ ଦଣ୍ଡିତ କରିଛି ପୋଲିସ । ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିଚୟ ମିଳିନଥିବା ବେଳେ ନିଖୋଜ ଥିବା ମହିଳା ତଥା ରାକେଶଙ୍କ ପତ୍ନୀ ଜୀବିତ ଥିବା ଜଣାପଡ଼ିବା ପରେ ମଧ୍ୟ କାହିଁକି ପୋଲିସ ରାକେଶଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରିଥିଲା । ଏହାର ଜବାବ ଦିଅନ୍ତୁ ରାଜ୍ୟ ପୋଲିସ ଡିଜି । ପୋଲିସ ମଧ୍ୟ ରାକେଶର ପରିବାରକୁ ତାଙ୍କ ସହ ଦେଖା କରାଇ ଦେଉନାହିଁ । ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ପୋଲିସ ଜାଣିଶୁଣି ଘଟଣାକୁ ଚପାଇ ଦେବା ପାଇଁ ରାକେଶଙ୍କ ପରିବାର ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି ।"

ସେ ଏହା ମଧ୍ୟ କହିଛନ୍ତି, "ଗୋଟିଏ ପଟେ ଲଗାମ ଛଡା ହୋଇ ବିଜେପି ଦଳ ରାଜ୍ୟରେ ଶାସନ କରୁଥିଲା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ବିଭାଗ ସମ୍ଭାଳିବାରେ ଅସମର୍ଥ ହେଉଛନ୍ତି । ଯଦି ଆଗାମୀ ଦିନରେ ରାକେଶ ବେହେରାଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ଭେଟ କରାନଯାଏ । ବିଜେଡିର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ଚିକିତ୍ସିତ ହେଉଥିବା ରାକେଶଙ୍କୁ ମେଡିକାଲରେ ଭେଟିବ । ରାକେଶ ବେହେରାଙ୍କ ଜୀବନ ସହିତ ଯଦି କିଛି ଅଘଟଣ ଘଟେ, ତାହାହେଲେ ପୋଲିସ କମିଶନର, ଡିଜି ଓ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହିବେ," ବୋଲି ବିଜେଡି କହିଛି ।

ଏହା ମଧ୍ୟ ପଢନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ଥାନା ଘେରିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଇଟିଭି ଭାରତ, ଭୁବନେଶ୍ୱର