ETV Bharat / state

ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା: ଗ୍ରାମବାସୀଙ୍କ ପ୍ରତିବାଦ, ଅଞ୍ଚଳରେ ଉତ୍ତେଜନା, ତ୍ରିଶୁଳିଆ-ଭୁବନେଶ୍ୱର ରାସ୍ତା ବନ୍ଦ

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ପ୍ରାୟ 20 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ରିପୋର୍ଟ- ନାରାୟଣ ସାହୁ

Third degree incident against Baranga police Tension in the area due to protest by villagers
ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା: ଗ୍ରାମବାସୀଙ୍କ ପ୍ରତିବାଦ, ଅଞ୍ଚଳରେ ଉତ୍ତେଜନା, ତ୍ରିଶୁଳିଆ-ଭୁବନେଶ୍ୱର ରାସ୍ତା ବନ୍ଦ (ETV Bharat)
author img

By ETV Bharat Odisha Team

Published : May 29, 2026 at 5:50 PM IST

2 Min Read
Choose ETV Bharat

TENSION IN BARANGA କଟକ : ବାରଙ୍ଗ ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଯୋଗୁଁ ଜଣେ ଯୁବକ ଗୁରୁତ୍ୱର ଘଟଣାରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ଏହି ଘଟଣାକୁ ନେଇ ଥାନା ଆଗରେ ଗ୍ରାମବାସୀମାନେ ଆନ୍ଦୋଳନ କରୁଛନ୍ତି ଏପରିକି ଆଜି ଉତ୍ୟକ୍ତ ଲୋକମାନେ ରାସ୍ତା ବ୍ଲକ କରିଛନ୍ତି । ଫଳରେ ତ୍ରିଶୁଳିଆ ଭୁବନେଶ୍ୱର ରାସ୍ତାରେ ଗମନା ଗମନ ପୁରା ଠପ୍ ହୋଇଯାଇଛି । ଭୁବନେଶ୍ୱର ପଟୁ ଆସୁଥିବା ଲୋକମାନେ ମଝି ରାସ୍ତାରେ ଫସି ଯାଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ପ୍ରାୟ 20 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଉତ୍ୟକ୍ତ ଲୋକମାନଙ୍କୁ ପୋଲିସ ବୁଝା ସୁଝା କରୁଛନ୍ତି, ମାତ୍ର ଉତ୍ୟକ୍ତ ଲୋକେ ବୁଝିବାକୁ ନାରାଜ ।


ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଘଟଣା: ଗ୍ରାମବାସୀଙ୍କ ପ୍ରତିବାଦ, ଅଞ୍ଚଳରେ ଉତ୍ତେଜନା, ତ୍ରିଶୁଳିଆ-ଭୁବନେଶ୍ୱର ରାସ୍ତା ବନ୍ଦ (ETV Bharat)

ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାଙ୍କୁ ବାରଙ୍ଗ ଥାନା ପୋଲିସ ବେଆଇନ ଭାବେ ଅଟକ ରଖି ଥାନାରେ ଥାର୍ଡ ଡିଗ୍ରୀ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର ମହିଳାଙ୍କ ମୃତ ଦେହ ଘଟଣାରେ ରାକେଶଙ୍କୁ ଥାନାକୁ ଆଣିଥିଲା ପୋଲିସ । ରାକେଶଙ୍କ ପତ୍ନୀ ନିଖୋଜ ନେଇ ଥାନାରେ ଏତଲା ହୋଇଥିଲା । ମୃତଦେହଟି ରାକେଶଙ୍କ ପତ୍ନୀଙ୍କର ହୋଇଥିଵା ନେଇ ପୋଲିସ ସନ୍ଦେହ କରୁଥିଲା । ହେଲେ ଏବେ ରାକେଶଙ୍କ ନିଖୋଜ ପତ୍ନୀଙ୍କ ସନ୍ଧାନ ମିଳିଵା ପରେ ମଧ୍ୟ ରାକେଶଙ୍କୁ ଛାଡିନଥିଲା ପୋଲିସ । ରାକେଶ ପୋଲିସ ମାଡ଼ରେ ଗୁରୁତର ହୋଇପଡ଼ିଥିଵା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାକେଶଙ୍କୁ ପରିବାରକୁ ହସ୍ତାନ୍ତର ଦାବିରେ ଥାନା ଆଗରେ ଗ୍ରାମବାସୀମାନେ ଆଜି ଧାରଣା ଦେଇଥିଲେ । ରାକେଶଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ମେଡିକାଲରେ ଭର୍ତ୍ତି କରିଥିଵା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଯାବତ ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣିଗାଁ ନିକଟରେ କାଠଯୋଡି ନଦୀରୁ ଜଣେ ମହିଳାଙ୍କ ଅଧା ପୋଡା ମୃତ ଦେହ ମିଳିବା ଆଜିକୁ ଦୁଇ ସପ୍ତାହ ବିତିଲାଣି । କିନ୍ତୁ ଏଯାଏ ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ । ସେପଟେ ଚଣ୍ଡିପ୍ରସାଦ ଗାଁରୁ ଜଣେ ମହିଳା ନିଖୋଜ ଥିବା ନେଇ ଗତ ୧୬ ତାରିଖରେ ଥାନାରେ ଏତଲା ହୋଇଥିଲା । ନଦୀ ବାଲିରୁ ମିଳିଥିବା ମୃତ ଦେହଟି ସେହି ନିଖୋଜ ମହିଳାଙ୍କର ହୋଇଥିବା ସନ୍ଦେହ କରି ପୋଲିସ ସମ୍ପୃକ୍ତ ମହିଳାଙ୍କର ସ୍ବାମୀ ରାକେଶ ବେହେରାଙ୍କ ସହ ତାଙ୍କ ମା' ଓ ତାଙ୍କ ସାଙ୍ଗ ମିଥୁନ ବେହେରାଙ୍କୁ ଥାନାରେ ଅଟକ ରଖିଥିଲା ।


ଇତି ମଧ୍ୟରେ ରାକେଶଙ୍କ ସ୍ତ୍ରୀ ଅନ୍ୟତ୍ର ଥିବା ସୂଚନା ମିଳିସାରିଛି । ପୋଲିସ ମିଥୁନ ଓ ରାକେଶଙ୍କ ମା'ଙ୍କୁ ଛାଡି ଦେଇଥିବା ବେଳେ ରାକେଶଙ୍କୁ ବେଆଇନ ଅଟକ ରଖିଥିବା ଅଭିଯୋଗ ହୋଇଛି । ରାକେଶଙ୍କ ସ୍ତ୍ରୀ ଅନ୍ୟତ୍ର ଥିବା ଜାଣିବା ପରେ ମଧ୍ୟ କାଠଯୋଡି ନଦୀ ପଠାରୁ ମିଳିଥିଵା ଅଧାପୋଡା ମୃତଦେହଟି ରାକେଶଙ୍କ ସ୍ତ୍ରୀଙ୍କ ମୃତ ଦେହ ଭଳି ଦେଖାଯାଉଥିଵା କହି ତାଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ତାଙ୍କ ମା' କହିଛନ୍ତି । ତେଵେ ଗ୍ରାମବାସୀମାନେ ଆଜି ଥାନା ଆଗରେ ଏକାଠି ହେବା ପରେ ପରିସ୍ଥିତି ଆହୁରି ବିଗିଡ଼ି ଥିଲା । କାହିଁକି ବିନା କାରଣରେ ନିର୍ଦୋଷ ରାକେଶଙ୍କୁ ଥାନା ଭିତରେ ଏତେ ଦିନ ରଖିଲେ ଏବଂ ମାଡ଼ ମାରିଲେ ବୋଲି ଗ୍ରାମବାସୀମାନେ ପୋଲିସକୁ ପ୍ରଶ୍ନ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ କମିଶନର, ଡିସିପି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ମାତ୍ର ଆଜି ଏନେଇ ଉତ୍ତେଜନା ବଢ଼ିଥିଲା । ତେଵେ ପୋଲିସ ମାଡ଼ରେ ରାକେଶ ଗୁରୁତ୍ୱର ଆହାତ ହୋଇ କଟକ ବଡ଼ ମେଡକାଲରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି ।

ଏହା ମଧ୍ୟ ପଢନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ଥାନା ଘେରିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଏହା ମଧ୍ୟ ପଢନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା; 'ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଥାନାକୁ ଯିବାକୁ ଡରିଲେଣି ଲୋକେ'- ବିଜେଡି

ଇଟିଭି ଭାରତ, କଟକ