ETV Bharat / state

ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା: ଅଣ ଛାତ୍ରଛାତ୍ରୀ ପ୍ରବେଶ ବିରୋଧରେ ଛାତ୍ରୀଙ୍କ ପ୍ରତିବାଦ

ରମାଦେବୀ ବିଶ୍ୱବିଦ୍ୟାଳୟରେ ପଶି ଗଣ୍ଡଗୋଳ କରିଥିବା ୧୨ ଅଣଛାତ୍ରଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ: କୁଳପତି । ରିପୋର୍ଟ-ବିକାଶ ଦାସ

Tensions in Ramadevi University campus: Students protest against entry of non-students
ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା: ଅଣ ଛାତ୍ରଛାତ୍ରୀ ପ୍ରବେଶ ବିରୋଧରେ ଛାତ୍ରୀଙ୍କ ପ୍ରତିବାଦ (ETV BHARAT ODISHA)
author img

By ETV Bharat Odisha Team

Published : July 7, 2026 at 7:01 PM IST

2 Min Read
Choose ETV Bharat

Tensions in Ramadevi University campus, ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆଜି (ମଙ୍ଗଳବାର) ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । କ୍ୟାମ୍ପସ୍‌ ମଧ୍ୟକୁ ଅଣ ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ପ୍ରକାଶ କରି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପ୍ରତିବାଦ ସ୍ୱରୂପ ବିଶ୍ୱବିଦ୍ୟାଳୟର ଦୁଇଟି ମୁଖ୍ୟ ପ୍ରବେଶ ଫାଟକରେ ତାଲା ପକାଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ କ୍ୟାମ୍ପସ୍‌ରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା ।

ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା: ଅଣ ଛାତ୍ରଛାତ୍ରୀ ପ୍ରବେଶ ବିରୋଧରେ ଛାତ୍ରୀଙ୍କ ପ୍ରତିବାଦ (ETV BHARAT ODISHA)


ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ବାହାରର ଅଣ ଛାତ୍ରଛାତ୍ରୀ ନିୟମିତ ଭାବେ କ୍ୟାମ୍ପସ୍‌କୁ ପ୍ରବେଶ କରୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି । ବିଶେଷକରି ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଶିକ୍ଷା ପରିବେଶ ନିଶ୍ଚିତ କରିବାକୁ କଡ଼ା ପଦକ୍ଷେପ ନେବା ସହ କ୍ୟାମ୍ପସ୍‌ରେ ପ୍ରବେଶ ବ୍ୟବସ୍ଥାକୁ ଅଧିକ କଠୋର କରିବାକୁ ସେମାନେ ଦାବି କରିଛନ୍ତି । ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ, ଏହାର ସ୍ଥାୟୀ ସମାଧାନ ହୋଇନଥିବାରୁ ସେମାନେ ଏଭଳି ପ୍ରତିବାଦକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ, ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଉଛି ।

ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଛାତ୍ରୀମାନଙ୍କ ଦାବିକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ପ୍ରସଙ୍ଗର ସ୍ଥାୟୀ ସମାଧାନ ଏବଂ କ୍ୟାମ୍ପସ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି ।

ସେପଟେ ଆଜିର ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ବିଶ୍ବବିଦ୍ୟାଳୟର କୁଳପତି ଜୋସ୍ନା କେ. ବି. ରାଉତ । "ଆଜି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ବିବାଦର ଆମେ ସମାଧାନ କରିଥିଲୁ । ଏହାସତ୍ତ୍ଵେ ମହିଳା ବିଶ୍ୱବିଦ୍ୟାଳୟ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ନମାନି, ଜୋର୍ ଜବରଦସ୍ତ କ୍ୟାମ୍ପସ ମଧ୍ୟରେ ୧୨ ଜଣ ଅଣଛାତ୍ର ପ୍ରବେଶ କରିଥିଲେ । କୁଳପତି ଭାବେ ଜଣେ ମୋତେ ଦେଖା କରିବାକୁ ଅନୁମତି ମାଗିଥିଲେ, ହେଲେ ଏକକାଳୀନ ଭାବେ ୧୨ ଜଣ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରିଥିଲେ । ଏହାସହ କୁଳପତିଙ୍କ ଅଫିସ ଆଗରେ ଗଣ୍ଡଗୋଳ କରିବା ସହ ଅସଭ୍ୟ ଭାଷାର ବ୍ୟବହାର କରିଥିଲେ । ଏହାକୁ କୁଳପତି ଭାବେ ବାରଣ କରିବା ପରେ ମଧ୍ୟ ସେମାନେ ଏହାକୁ ମାନିନଥିଲେ । ଏହା କିଛି ସମୟ ପାଇଁ ବିଶ୍ୱବିଦ୍ୟାଳୟରେ ଅଶାନ୍ତ ପରିବେଶ ସୃଷ୍ଟି କରିଥିଲା । ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ବର୍ତ୍ତମାନ ଏହି ଘଟଣାକୁ ନେଇ ଅନ୍ତରୀଣ ସ୍ତରରେ ବୈଠକ ହୋଇଛି । ଏହାକୁ ନେଇ ପୋଲିସକୁ ଲିଖିତ ଅଭିଯୋଗ କରାଯିବ । ଏବେ ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ଆୟତରେ ରହିଛି," ବୋଲି କହିଛନ୍ତି କୁଳପତି ଜୋସ୍ନା କେ ବି ରାଉତ ।

ଏହା ମଧ୍ୟ ପଢ଼ନ୍ତୁ- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ ରେଡିଓ

ଏହା ମଧ୍ୟ ପଢ଼ନ୍ତୁ- କେତେ ଜରୁରୀ ଛାତ୍ର ସଂସଦ ନିର୍ବାଚନ ? ବନ୍ଦ କରିଥିଲେ ନବୀନ, ଏଥର କରିବେ ମୋହନ

ଇଟିଭି ଭାରତ, ଭୁବନେଶ୍ବର