ଜଙ୍ଗଲ ନିଆଁ ରୋକିବା ପାଇଁ ଆଧୁନିକ ଜ୍ଞାନକୌଶଳ; ପାହାଡ଼ ନିଆଁକୁ ନିୟନ୍ତ୍ରଣ କରିବେ 'ମୋଟର ସାଇକେଲ ମାଉଣ୍ଟେଡ୍' ଟିମ୍
ସେମାନେ ଏକ ଫାୟାର ଲାଇନ ତିଆରି କରିବେ । ଯଦ୍ୱାରା ନିଆଁ ବ୍ୟାପିବ ନାହିଁ । ପ୍ରଥମେ ନିଆଁକୁ ନିୟନ୍ତ୍ରଣ କରିବା ପରେ ଏହାକୁ ଲିଭାଇବାକୁ ଚେଷ୍ଟା କରିବେ । ରିପୋର୍ଟ-ବିକାଶ କୁମାର ଦାସ

Published : April 27, 2026 at 2:49 PM IST
|Updated : April 27, 2026 at 4:04 PM IST
ଭୁବନେଶ୍ୱର: ଆଗକୁ ଜଙ୍ଗଲ ନିଆଁ ଲିଭାଇବାରେ ସହାୟକ ହେବ ଆଧୁନିକ ଜ୍ଞାନକୌଶଳ । ଖୁବ ଶୀଘ୍ର ମିଳିବ ମୋଟରସାଇକେଲ ସୁବିଧା । ସୂଚନା ମିଳିବା ମାତ୍ରେ ଦୁର୍ଗମ ଇଲାକାରେ ପହଞ୍ଚିବ 'ମଟର ସାଇକେଲ ମାଉଣ୍ଟେଡ୍' ଟିମ୍ । ଏଆଇ (AI) ଠାବ କରିବ ଜଙ୍ଗଲ ନିଆଁ । ଗତ ବର୍ଷ ତୁଳନାରେ ଏବର୍ଷ କମିଛି ଜଙ୍ଗଲ ନିଆଁ । ତେବେ ବାଲିଗୁଡ଼ା ଓ କଳାହାଣ୍ଡି ଉପରେ ସ୍ୱତନ୍ତ୍ର ନଜର ରହିଛି । ଜଙ୍ଗଲ ନିଆଁ ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ମଧ୍ୟ ବନ ବିଭାଗ ବଡ଼ ପଦକ୍ଷେପ ଗ୍ରହଣ କରିଛି । ପ୍ରଚଣ୍ଡ ଖରାରେ ଶୋଷ ମେଣ୍ଟାଇବାକୁ ଜଙ୍ଗଲରେ କୃତ୍ରିମ ପୋଖରୀର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପିସିସିଏଫ୍ (Principal Chief Conservator of Forests) କେ. ମୁରଗେସନ ।
ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ମୋଟର ସାଇକେଲ ମାଉଣ୍ଟେଡ୍' ସିଷ୍ଟମ:-
ଜଙ୍ଗଲ ନିଆଁକୁ ତୁରନ୍ତ ଆୟତ୍ତ କରିବା ପାଇଁ ବନ ବିଭାଗ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ସହାୟତା ନେଉଛି । ଏଆଇ ସହାୟତାରେ 4-5 କିଲୋମିଟର ପରିଧି ମଧ୍ୟରେ କେଉଁ ଇଲାକାରେ ନିଆଁ ଲାଗିଛି, ସେଠି କେହି ଲୋକ ଅଛନ୍ତି କି ନାହିଁ ତାହା ସହଜରେ ଠାବ କରାଯାଇ ପାରୁଛି । ହେଲେ ଦୁର୍ଗମ ଇଲାକାରେ ଲାଗୁଥିବା ନିଆଁ ବନ ବିଭାଗ ପାଇଁ ଏକ ଚାଲେଞ୍ଜ ଥିଲା । ଏହି ସମସ୍ୟାର ସମାଧାନ କରିବା ପାଇଁ ବନ ବିଭାଗ ପକ୍ଷରୁ ଖୁବ ଶୀଘ୍ର 'ମୋଟର ସାଇକେଲ ମାଉଣ୍ଟେଡ୍' ସିଷ୍ଟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ବ୍ୟବସ୍ଥାରେ ଜଣେ ବନ କର୍ମଚାରୀ ମୋଟର ସାଇକେଲରେ ସମସ୍ତ ନିଆଁ ଲିଭା ସରଞ୍ଜାମ ଧରି ସୁରକ୍ଷିତ ଭାବରେ ଏବଂ ଖୁବ ଶୀଘ୍ର ପାହାଡ଼ ଉପରକୁ ଯାଇ ନିଆଁକୁ ଲିଭାଇ ପାରିବେ ବୋଲି କହିଛନ୍ତି କେ. ମୁରଗେସନ ।

'ମୋଟର ସାଇକେଲ ମାଉଣ୍ଟେଡ୍' ସିଷ୍ଟମରେ କେମିତି ନିୟନ୍ତ୍ରଣ ହେବ ନିଆଁ:-
ମୋଟର ସାଇକେଲ ମାଉଣ୍ଟେଡ୍' ସିଷ୍ଟମ ଉପରେ ଅଧିକ ସୂଚନା ଦେଇ ପିସିସିଏଫ୍ କେ. ମୁରଗେସନ କହିଛନ୍ତି, ପୂର୍ବରୁ ଦୁର୍ଗମ ଅଞ୍ଚଳରେ ନିଆଁ ଲାଗିଲେ ବନ କର୍ମଚାରୀମାନେ ଚାଲି ଚାଲି ଯାଉଥିଲେ । ଏହା ସମୟ ସାପେକ୍ଷ ଥିବାରୁ ବନ କର୍ମଚାରୀମାନେ ପହଞ୍ଚିବାବେଳକୁ ନିଆଁ ବ୍ୟାପି ଯାଉଥିଲା । ଏବେ ଏହି ଆଧୁନିକ ସରଞ୍ଜାମ ଥିବା ବାଇକ୍ ସାହାଯ୍ୟରେ ପାହାଡିଆ ଅଞ୍ଚଳରେ ଖୁବ୍ ଶୀଘ୍ର ନିଆଁ ଲିଭା ଯାଇ ପାରିବ । ସେଠାରେ ସେମାନେ ଏକ ଫାୟାର ଲାଇନ ତିଆରି କରିବେ । ଯଦ୍ୱାରା ନିଆଁ ବ୍ୟାପିବ ନାହିଁ । ପ୍ରଥମେ ନିଆଁକୁ ନିୟନ୍ତ୍ରଣ କରିବା ପରେ ଏହାକୁ ଲିଭାଇବାକୁ ଚେଷ୍ଟା କରିବେ । ଏହି ବ୍ୟବସ୍ଥା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକରେ କାର୍ଯ୍ୟକାରୀ କରାଯାଉଛି ଓ ସଫଳତା ମଧ୍ୟ ମିଳିଛି । ତେଣୁ ଓଡିଶାରେ ଏହି ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ୟାକରୀ କରାଯିବ । ପାରଳାଖେମୁଣ୍ଡି ଓ ରାୟଗଡ଼ା ଭଳି ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳରେ ଏହି ବ୍ୟବସ୍ଥା ବେଶ୍ ଫଳପ୍ରଦ ହେବ ବୋଲି ପିସିସିଏଫ୍ କେ. ମୁରଗେସନ କହିଛନ୍ତି ।

ଚଳିତ ବର୍ଷ ସାମାନ୍ୟ କମିଛି ଜଙ୍ଗଲ ନିଆଁ :-
ପିସିସିଏଫଙ୍କ କହିବା ଅନୁଯାୟୀ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ଜଙ୍ଗଲ ନିଆଁର ପ୍ରକୋପ ସାମାନ୍ୟ କମିଛି। ଗତ ବର୍ଷ ପ୍ରାୟ ୩୦ ହଜାର 'ଫାୟାର ପଏଣ୍ଟ' ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୯ ହଜାରକୁ ଖସି ଆସିଛି । ମଝିରେ ମଝିରେ ହେଉଥିବା ବର୍ଷା ଓ ବନ ବିଭାଗର କଡ଼ା ନଜର ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ବିଶେଷକରି ବାଲିଗୁଡ଼ା ଓ କଳାହାଣ୍ଡି ଡିଭିଜନରେ କେନ୍ଦୁପତ୍ର ସଂଗ୍ରହ ଓ ପୋଡ଼ୁଚାଷ ପାଇଁ ନିଆଁ ଲଗାଯାଉଥିବାରୁ ଏହି ଦୁଇଟି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଚିନ୍ତା:-
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ତତ୍ପରତା ପ୍ରକାଶ କରିଛି। ଜଙ୍ଗଲ ଭିତରେ ହାତୀ ଓ ଅନ୍ୟାନ୍ୟ ଜନ୍ତୁମାନଙ୍କ ପାଇଁ କୃତ୍ରିମ ପୋଖରୀ ନିର୍ମାଣ କରାଯାଇ ସେଥିରେ ନିୟମିତ ପାଣି ଭର୍ତ୍ତି କରାଯାଉଛି। ଫଳରେ ବନ୍ୟଜନ୍ତୁମାନେ ଜଳାଭାବରୁ ରକ୍ଷା ପାଇବା ସହ ପାଣି ପାଇଁ ବାହାରକୁ ଆସିବା ଆଶଙ୍କା ମଧ୍ୟ କମିବ ବୋଲି କହିଛନ୍ତି ପିସିସିଏଫ୍ (PCCF) କେ. ମୁରଗେସନ ।
ସୂଚନା ମୁତାବକ, 2025ରେ 29,709 ପଏଣ୍ଟରେ ନିଆଁ ଲାଗଥିଲା । ଏଥିରେ 4609.35 ହେକ୍ଟର ଅଂଚଳ ପ୍ରଭାବିତ ହୋଇଥିଲା । 2024ରେ 22,868 ପଏଣ୍ଟରେ ନିଆଁ ଲାଗଥିଲା ଓ ଏଥିରେ 4067.35 ହେକ୍ଟର ଅଂଚଳ ପ୍ରଭାବିତ ହୋଇଥିଲା । ସେହିପରି 2023ରେ 36,713 ପଏଣ୍ଟରେ ନିଆଁ ଲାଗିଥିବା ବେଳେ 9550.86 ହେକ୍ଟର ଅଞ୍ଚଳ ପ୍ରଭାବିତ ହୋଇଥିଲା । ତେବେ 2026 ମାର୍ଚ୍ଚ ସୁଦ୍ଧା 3 ହଜାର ପଏଣ୍ଟରରେ ନିଆଁ ଲାଗଥିଲା । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁ କମ ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜଙ୍ଗଲ ବିଭାଗ ସଜାଗ ରହିଛି।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ ଶିମିଳିପାଳରେ ନୂଆ ମହାବଳ ବାଘ, ମହାରାଷ୍ଟ୍ରରୁ ଆସିଥିବା ଅନୁମାନ
ଏହା ମଧ୍ୟ ପଢନ୍ତୁ ପ୍ରବଳ ତାତିରେ ଚିଡିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା; ଜୀବଜନ୍ତୁ ପାଇଁ କୁଲର, ଆଇସ କ୍ୟୁବ୍, ସ୍ପେଶାଲ୍ ସମର ଡାଏଟ୍

