ETV Bharat / state

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୃତ ଶ୍ରମିକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଖରାବା ଗ୍ରାମର ଅଞ୍ଜଳି ଓରଫ ଅଞ୍ଜନା ଜୁଆଙ୍ଗ । ରିପୋର୍ଟ- ସଞ୍ଜୀବ ରାୟ

tamil-nadu
ତାମିଲନାଡୁ ଗ୍ୟାସ ଲିକ୍ ଘଟଣା (ETV Bharat Odisha)
author img

By ETV Bharat Odisha Team

Published : July 1, 2026 at 10:26 PM IST

1 Min Read
Choose ETV Bharat

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ପିଟର୍ ଆଣ୍ଡ ପଲ୍ ସି-ଫୁଡ୍ ଏକ୍ସପୋର୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ କାରଖାନାରେ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଏହାରି ଭିତରେ ଅବୈଧ ଭାବେ ଶ୍ରମିକ ପଠାଇବା ଅଭିଯୋଗରେ କେନ୍ଦୁଝରର ଶ୍ରୀକାନ୍ତ ଜୁଆଙ୍ଗ ବିରୋଧରେ ମାମଲା ରୁଜୁ କରିଛି ଶ୍ରମ ବିଭାଗ । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଅଧିକାରୀମାନେ ତାମିଲନାଡୁରେ ଡେରା ପକାଇଛନ୍ତି ।


ଚେନ୍ନାଇରେ ମୃତ ଶ୍ରମିକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଖରାବା ଗ୍ରାମର ଅଞ୍ଜଳି ଓରଫ ଅଞ୍ଜନା ଜୁଆଙ୍ଗ । ଗ୍ୟାସ୍ ଲିକ୍ ପରଠାରୁ ସେ ଚେନ୍ନାଇର ଷ୍ଟାନ୍‌ଲେ ସରକାରୀ ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ଜୀବନ ସହ ସଂଗ୍ରାମ କରୁଥିଲେ । କିନ୍ତୁ ଗତକାଲି ରାତି ପ୍ରାୟ ୯ଟା ୧୦ ମିନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।


ଅଞ୍ଜଳିଙ୍କ ମୃତ୍ୟୁ ସହ ତିରୁଭଲ୍ଲୁର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ତାଙ୍କ ମରଶରୀରକୁ ଡାକ୍ତରୀ ଓ ଆଇନଗତ ପ୍ରକ୍ରିୟା ସମାପ୍ତ ପରେ କେନ୍ଦୁଝରସ୍ଥିତ ପୈତୃକ ଗ୍ରାମକୁ ଅଣାଯିବା ପାଇଁ ପଦକ୍ଷେପ ନିଆଯାଉଛି ।

ଏପଟେ ମୃତକଙ୍କ ପରିବାର ପାଇଁ ଓଡ଼ିଶା ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତ ଶ୍ରମିକଙ୍କ ଚିକିତ୍ସା ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ତାମିଲନାଡୁ ସରକାରଙ୍କ ସହ ଓଡ଼ିଶା ସରକାର ନିରନ୍ତର ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି ।


ଘଟଣାର ତଦନ୍ତକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ପୂର୍ବରୁ ତିନିଜଣ ଅଧିକାରୀ ଚେନ୍ନାଇରେ ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ଆଉ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ତାମିଲନାଡୁ ପଠାଯାଇଛି । ଶ୍ରମ ବିଭାଗର ଜଏଣ୍ଟ କମିଶନର ନିଜେ ତଦନ୍ତକାରୀ ଦଳରେ ସାମିଲ ହୋଇ ଘଟଣାର ପ୍ରତ୍ୟେକ ଦିଗ ଯାଞ୍ଚ କରୁଛନ୍ତି ।


ଏହାରି ଭିତରେ ଏହି ଘଟଣାର ଆଉ ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲାର ଶ୍ରୀକାନ୍ତ ଜୁଆଙ୍ଗ ନାମକ ଜଣେ ଏଜେଣ୍ଟଙ୍କ ବିରୋଧରେ ଶ୍ରମ ବିଭାଗ ମାମଲା ରୁଜୁ କରିଛି । ଅଭିଯୋଗ ହୋଇଛି ଯେ, ଜାଲ୍ ପରିଚୟପତ୍ର ବ୍ୟବହାର କରି ନାବାଳକଙ୍କ ସମେତ ଅନେକ ପ୍ରବାସୀ ଶ୍ରମିକଙ୍କୁ ବେଆଇନ ଭାବେ ତାମିଲନାଡୁର ଏହି ସି-ଫୁଡ୍ ପ୍ରୋସେସିଂ ୟୁନିଟକୁ ପଠାଯାଇଥିଲା । ଏହି ସଂଗୀନ ଅଭିଯୋଗର ତଦନ୍ତ ମଧ୍ୟ ଜୋରଦାର ଭାବେ ଚାଲିଛି ।

ଏହି ବି ପଢନ୍ତୁ- ତାମିଲନାଡୁ ଗ୍ୟାସ ଟ୍ରାଜେଡି: କେନ୍ଦୁଝରର 8 ଥାନାରେ ଶ୍ରମିକ ସର୍ଦ୍ଦାର ଶ୍ରୀକାନ୍ତ ଜୁଆଙ୍ଗ ନାଁରେ ମାମଲା

ଇଟିଭି ଭାରତ, ଭୁବନେଶ୍ୱର